Unknown

 

 

 

 

 

 

 

 

 

୧୧୬ତମ ସଂଖ୍ୟା କୋଣାର୍କ ୨୦୦୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ଵତ ମୁଖପାତ୍ର

 

ସମ୍ପାଦନା ମଣ୍ଡଳୀ:

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

 

ସମ୍ପାଦକ

ପରିଚାଳନା ସମ୍ପାଦକ:

ଶ୍ରୀ ଅଶ୍ଵିନୀ କୁମାର ମିଶ୍ର

ଓଡିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ:

ଓଡିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର—୭୫୧୦୧୪

 

ଏକାଡେମୀ କର୍ତ୍ତୃକ ସର୍ଵସ୍ଵତ୍ଵାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁର୍ନମୁଦ୍ରଣ ଲେଖକ /ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ଵମତ ।

 

ବିଷୟ ସୂଚୀ

 

ପ୍ରବନ୍ଧ

୧.

ସାହିତ୍ୟରେ ଆଧୁନିକତା ଓ ପ୍ରଗତିଶୀଳତାର

ଦ୍ଵନ୍ଦ୍ଵ ଓ ଆମ ସମୟ

ଶ୍ରୀ କୁଳମଣି ଜେନା

୨.

ନାଟ୍ୟତତ୍ତ୍ଵ : ପ୍ରାଚ୍ୟଧାରା

ଶ୍ରୀ ରମାକାନ୍ତ ରାଉତ

୩.

ଅନାଲୋଚିତ ପ୍ରତିଭା

କବିଭୁଷଣ

୪.

ରତ୍ନାକର ଶର୍ମା ସାହିତ୍ୟାଳଙ୍କାର

ଶ୍ରୀ ଫଣିନ୍ଦ୍ର ଭୂଷଣ ନନ୍ଦ

୫.

ବାସୁଦେବ ସୁଢ଼ଳ ଦେବ :

ଏକ ଅନନ୍ୟ ସାଧାରଣ ପ୍ରତିଭା

ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

୬.

ଜୟଦେବ ଓ ଗୀତଗୋବିନ୍ଦର

ସାଂସ୍କୃତିକ ପୃଷ୍ଠଭୂମି

ଡକ୍ଟର ବନମାଳୀ ରଥ

୭.

ଗୀତଗୋବିନ୍ଦ-ଟୀକା ଓ ଅନୁବାଦ

ଡକ୍ଟର ଭଗବାନ ପଣ୍ଡା

ଅନୁବାଦ ସାହିତ୍ୟ

୮.

ସ୍ପାନିଶ୍ ଭାଷାର ନୋବେଲ ବିଜେତା

ଯତୀନ୍ଦ୍ର ମୋହନ ମହାନ୍ତି

୯.

ନାଡ଼ାଇନ୍ ଗୋର୍ଡ଼ିମର

ଅଧ୍ୟାପକ ରାହୁଲ ଗୌତମ

୧୦.

ତୃତୀୟ ଅବସର

ଗାବ୍ରିୟେଲ ଗାର୍ସିୟା ମାର୍କୁଏଜ

ଅନୁବାଦ : କ୍ଷୀରୋଦ ପରିଡ଼ା

୧୧.

ସ୍ପେନୀୟ କବିତା ମାଳା :

 

 

ଆରେକ ମୁହୂର୍ତ୍ତ

ଅକ୍ ଟାଭିଓ ପାଜ

 

ପାଣି ଓ ପବନ

ଅନୁବାଦ : ରାମଶଙ୍କର ନନ୍ଦ

ସାକ୍ଷାତକାର

୧୨.

ଲକ୍ଷ୍ମୀନାରାୟଣ ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

ନୂଆବହି

୧୩.

ଘର : (ଓ) ଗୌରହରି ଦାସ

ରାଜକିଶୋର ଦାସ

୧୪.

ୟୁକେଲିପ୍ଟସ୍ (ହିନ୍ଦୀ)

ପ୍ରମୋଦ କୁମାର ଅଗ୍ରଓ୍ଵାଲ

ସୂର୍ଯ୍ୟଦେଓ

୧୫.

ବ୍ୟାଧିର ନାମ ଛିନ୍ନ ମୂଳ

(ଇଂରାଜ) ଝୁମ୍ପା ଲାହିରୀ

ଜ୍ୟୋତି ନନ୍ଦ

୧୬.

ଏକାଡେମୀ ସମାଚାର

 

୧୭.

ପାଠକୀୟ ଅଭିମତ

 

୧୮.

ସମ୍ପାଦକୀୟ

 

 

 

ସାହିତ୍ୟରେ ଆଧୁନିକତା ଓ ପ୍ରଗତିଶୀଳତାର

ଦ୍ଵନ୍ଦ୍ଵ ଓ ଆମ ସମୟ

କୁଳମଣି ଜେନା

 

ଏହା ସ୍ଵୀକାର୍ଯ୍ୟ ଯେ ଉଭୟ ଆଧୁନିକତା ଓ ପ୍ରଗତିଶୀଳତା ଆଧିପତ୍ୟବାଦୀତା ଓ କେନ୍ଦ୍ରିକତାର ବିରୋଧୀ । ଯାହାକିଛି ଅଚଞ୍ଚଳ ଗତିହୀନ ତା’ ଦେହରେ ଏହା ଧକ୍କା ମାରେ । ଚିରାଚରିତ ଚର୍ବିତ ଚର୍ବଣ କୌଣସି କଥାକୁ ଏହା ମାନିବାକୁ ପ୍ରସ୍ତୁତ ହୁଏନା । ଏ ସବୁ ସତ୍ତ୍ଵେ ଉଭୟଧର୍ମୀ ସାହିତ୍ୟରେ କିଛି କିଛି ତୃଟି ବା ଦୁର୍ବଳତା ରହିଛି । ଆଧୁନିକ ସାହିତ୍ୟ ବିପକ୍ଷରେ ପ୍ରତିକ୍ରିୟାଶୀଳତା ସ୍ଥିତାବସ୍ଥା ସପକ୍ଷବାଦୀତାର ଅଭିଯୋଗ ଶୁଣିବାକୁ ମଳିଥାଏ । ସେହିପରି ପ୍ରଗତିଶୀଳ ସାହିତ୍ୟ ବିପକ୍ଷରେ ରୂଢ଼ିବାଦିତା ଓ ପ୍ରଚାରଧର୍ମୀତାର ଅଭିଯୋଗ ଶୁଣିବାକୁ ମିଳେ । ଏହା ସତ୍ୟ ଯେ ଉଭୟ ସାହିତ୍ୟରେ ଏହି ଦୁର୍ବଳତା ଲକ୍ଷଣୀୟ ।

 

ଏହି ଆଲୋଚନାରେ ସୈଧାଂଚିକତା ଓ କେଂଦ୍ରିକତା ବିପକ୍ଷରେ ଉଭୟ ଆଧୁନିକ ଓ ପ୍ରଗତିଶୀଳ ସାହିତ୍ୟର ସଫଳ ଯୋଗଦାନକୁ ସ୍ଵୀକାର କରାଯାଇଛି । ଭାଷା ଓ ଭାବ ସଂଶ୍ଲେଷଣ ପରେ ଉଭୟ ସାହିତ୍ୟ ମଧ୍ୟରେ ଥିବା ନୂତନତା ଓ ଗତିଶୀଳତାକୁ ଆବିଷ୍କାର ସକାଶେ ଉଦ୍ୟମ ହୋଇଛି । ଏଥି ସହିତ ଉଭୟ ସାହିତ୍ୟରେ ଥିବା ରୂଢ଼ିବାଦିତା ଓ ପ୍ରତିକ୍ରିୟାଶୀଳତାର ଦୁର୍ବଳତାକୁ ଦେଖାଇ ଦିଆଯାଇଛି । ‘‘ଆମ ସମୟ’’ ପ୍ରସଂଗରେ ଆମ ସମୟର ସଂକଟ ଓ ବର୍ତ୍ତମାନ ପୃଥିବୀର ଦାର୍ଶନିକ ଭାବଧାରା ସଂପର୍କିତ ସୂଚନା ଦିଆଯାଇଛି ।

 

ଆମେ ଆଜି ଯାହାକୁ ‘ଆଧୁନିକ’ ବା ‘ପ୍ରଗତିଶୀଳ’ ବୋଲି କହୁଛୁ ବିଶ୍ଵ ସାହିତ୍ୟରେ ତା’ର ଆବିର୍ଭାବ ଏକ ନିର୍ଦ୍ଦିଷ୍ଟ ଐତିହାସିକ ପରିସ୍ଥିତି ମଧ୍ୟ ଦେଇ ସଂଭବ ହୋଇଛି । ସେଇ ଐତିହାସିକ ପରିସ୍ଥିତିଟି ହେଲା—ଇଉରୋପୀୟ ସାହିତ୍ୟରେ ରୋମାଣ୍ଟିକସିଜିମ୍‍ର ବିଲୟ ଓ ବାସ୍ତବବାଦର ଅଦ୍ଭ୍ୟୁଦୟ ; ଅପର ପକ୍ଷରେ ବାସ୍ତବବାଦର ବିଲୟ ଓ ଆଧୁନିକ ସାହିତ୍ୟର ଅଦ୍ଭ୍ୟୁଦୟ । ବିଶ୍ଵ ସାହିତ୍ୟରେ ‘ପ୍ରଗତିଶୀଳ ସାହିତ୍ୟ’ କହିଲେ ବାସ୍ତବବାଦ ସମାଜବାଦୀ ବାସ୍ତବବାଦ, ବୈପ୍ଲବିକ, ରୋମାଂଞ୍ଚବାଦ, ମାର୍କସବାଦ ଓ ଶ୍ରେଣୀ ସଂଘର୍ଷ ଧର୍ମୀ ସାହିତ୍ୟକୁ ବୁଝାଇ ଥିଲା ବେଳେ – “ଆଧୁନିକ ସାହିତ୍ୟ” ପ୍ରତୀକବାଦ, ଚିତ୍ରକଳ୍ପବାଦ, ପରାବାସ୍ତବବାଦ, ଅଭିବ୍ୟଞ୍ଜନାବାଦ, ଉଦ୍‍ଭଟ୍ଟ ବା ଅସ୍ତିତ୍ଵବାଦୀ ସାହିତ୍ୟକୁ ବୁଝାଇଥାଏ । ଆଧୁନିକ ପୃଥିବୀରେ ଏହି ଦୁଇ ଧାରାର ସଫଳତମ ଦୁଇ ସ୍ରଷ୍ଟା ହେଲେ ବୋଦଲେୟାର (ଆଧୁନିକ) ଓ ବ୍ରେଖେଟ୍ (ପ୍ରଗତିଶୀଳ) । ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟ ଏହି ଉଭୟଧାରାର ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ଭାବରେ ପରିଚିତ । ବଂଗଳା ସାହିତ୍ୟରେ ଆଧୁନିକତାର ଜନକ ଜୀବନାନନ୍ଦ; ସୁଭାଷ ସୁକାନ୍ତ ପ୍ରଗତିଶୀଳ ।

 

ଏହା ସ୍ଵୀକାର୍ଯ୍ୟ ଯେ ଉଭୟ ଆଧୁନିକତା ଓ ପ୍ରଗତିଶୀଳତା ଆଧିପତ୍ୟବାଦୀତା ଓ କୈନ୍ଦ୍ରିକତାର ବିରୋଧୀ । ଯାହାକିଛି ଅଚଞ୍ଚଳ ଗତିହୀନ ତା’ ଦେହରେ ଏହା ଧକ୍କା ମାରେ । ଚିରାଚରିତ ଚର୍ବିତ ଚର୍ବଣ କୌଣସି କଥାକୁ ଏହା ମାନିବାକୁ ପ୍ରସ୍ତୁତ ହୁଏନା । ଏ ସବୁ ସତ୍ତ୍ଵେ ଉଭୟଧର୍ମୀ ସାହିତ୍ୟରେ କିଛି କିଛି ତ୍ରୁଟି ବା ଦୁର୍ବଳତା ରହିଛି । ଆଧୁନିକ ସାହିତ୍ୟ ବିପକ୍ଷରେ ପ୍ରତିକ୍ରିୟାଶୀଳତା ସ୍ଥିତାବସ୍ଥା ସପକ୍ଷବାଦୀତାର ଅଭିଯୋଗ ଶୁଣିବାକୁ ମିଳିଥାଏ । ସେହିପରି ପ୍ରଗତିଶୀଳ ସାହିତ୍ୟ ବିପକ୍ଷରେ ରୂଢ଼ିବାଦିତା ଓ ପ୍ରଚାରଧର୍ମୀତାର ଅଭିଯୋଗ ଶୁଣିବାକୁ ମିଳେ । ଏହା ସତ୍ୟ ଯେ ଉଭୟ ସାହିତ୍ୟରେ ଏହି ଦୁର୍ବଳତା ଲକ୍ଷଣୀୟ । ବୋଦଲେୟାର ଓ ବ୍ରେଖେଟଙ୍କ ରଚନା କିନ୍ତୁ ଏ କ୍ଷେତ୍ରରେ ନିଆରା । ଏହାର କାରଣ ଏମାନେ ପରୀକ୍ଷା ନିରୀକ୍ଷାକୁ ଭୁଲି ନାହାନ୍ତି । ଭାବ ଓ ଭାଷାର ଉପଯୁକ୍ତ ସେତୁ ନିର୍ମାଣ କରିପାରିଛନ୍ତି । ଶୈଳୀ ହିଁ ବ୍ୟକ୍ତିତ୍ଵ (“Style is the man “-Many) କଥାଟିକୁ ଏମାନେ ଠିକ୍ ଭାବରେ ଆପଣେଇ ନେଇ ପାରିଛନ୍ତି । ସେଇଥିପାଇଁ ଏମାନେ ନବଦିଗନ୍ତର ଆବିଷ୍କର୍ତ୍ତା ନୂତନତାର ଦିଶାରୀ ।

 

ଆଧୁନିକ ସାହିତ୍ୟର ବୈଶିଷ୍ଟ୍ୟ ହେଲା ନୂତନ ଆଙ୍ଗିକ ମାଧ୍ୟମରେ ବକ୍ତବ୍ୟର ତିକ୍ଷ୍‍ଣତା ସୃଷ୍ଟି କରିବା । ଅପର ପକ୍ଷରେ ପ୍ରଗତିଶୀଳ ସାହିତ୍ୟ ସାମାଜିକ କ୍ରାନ୍ତିର ପ୍ରୟୋଜନୀୟ ଆଙ୍ଗିକକୁ ଆଧାର କରି ଗଢ଼ିଉଠେ । ବୋଦଲେୟାର ଓ ବ୍ରେଖେଟ୍‍ଙ୍କ ରଚନାରେ ପ୍ରୟୋଜନୀୟ ନୂତନ ଆଙ୍ଗିକ ଓ ପ୍ରୟୋଗ ଲକ୍ଷ୍ୟ କରାଯାଏ । ସେଇଥିପାଇଁ ଉଭୟଙ୍କ ରଚନାରେ ନୂତନତା ଓ କ୍ରାନ୍ତିଭାବନା ପରିପ୍ରକାଶ ଘଟିଥାଏ । ଓଡ଼ିଆ ସାହିତ୍ୟରେ କବି ସଚ୍ଚି ରାଉତରାୟ ଏକ ବିରଳ ବ୍ୟତିକ୍ରମ; ଯିଏକି ଉଭୟ ଆଧୁନିକତା ଓ ପ୍ରଗତିଶୀଳତା ସଫଳ ଆଙ୍ଗିକ ସନ୍ଧାନ କର୍ତ୍ତା । ଏହି ଆଙ୍ଗିକର ଅନ୍ଵେଷଣ ତାଙ୍କର ପାଣ୍ତୁଲିପି, ଭାନୁମତୀର ଦେଶ ତଥା ବାଜିରାଉତ କାବ୍ୟ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳିଥାଏ । ଅବଶ୍ୟ ସଚ୍ଚି ରାଉତରାୟଙ୍କର ପାଣ୍ଡୁଲିପି ପରବର୍ତ୍ତୀ କାଳୀନ କାବ୍ୟ ଜୀବନ ଏକ ମୋଟାମୋଟି ପରାଜୟକୁ ସୂଚିତ କରିଥାଏ ଏବଂ ଏହି ପରାଜୟ ସମ୍ଭବତଃ ଆଧୁନିକତା ଓ ପ୍ରଗତିଶୀଳତାର ଦ୍ଵନ୍ଦ୍ଵକୁ ଅତିକ୍ରମ କରି ଏକ ସଫଳ ଆଙ୍ଗିକ ସୃଷ୍ଟି କରିବାର ସାମର୍ଥର ଅଭାବଜନୀତ ବ୍ୟର୍ଥତା ହେତୁ ହୋଇଥାଇପାରେ । ପ୍ରଗତିଶୀଳ କବି ଭାବରେ ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟ ଓ ବଙ୍ଗଳା ସାହିତ୍ୟରେ ସୁଭାଷ ମୁଖୋପାଧ୍ୟାୟ ଯେଉଁ ବ୍ୟର୍ଥତାର ଶିକାର ହୋଇଛନ୍ତି ସେ ପ୍ରକାର ବ୍ୟର୍ଥତା ତାଙ୍କ ସମକାଳର କବି ଜୀବନାନନ୍ଦଙ୍କୁ ସ୍ପର୍ଶ କରିନାହିଁ । ଏହାର କାରଣ ଜୀବନାନନ୍ଦ ବଙ୍ଗଳା ସାହିତ୍ୟରେ ରବିନ୍ଦ୍ରୋତ୍ତର ଯୁଗର ନୂତନ କାବ୍ୟ ଆଙ୍ଗିକର ଶ୍ରେଷ୍ଠ ଆବିଷ୍କର୍ତ୍ତା । ଏବେବି ଲକ୍ଷ୍ୟ କରାଯାଏ, ଆଧୁନିକ କବିତାର ଜଗତରେ (ବଙ୍ଗଳା) ଜୀବନାନନ୍ଦଙ୍କ କାବ୍ୟ ଆଙ୍ଗିକ ଏକ ଅନତିକ୍ରମଣୀୟ ଉଚ୍ଚତାରେ ଆରୁଢ଼ । ଜୀବନାନନ୍ଦଙ୍କ କବିତାରେ ଯାହା କିଛି ଅଭାବ ତାହାହେଲା, ସେ ସାମାଜିକ କ୍ରାନ୍ତିର ପ୍ରୟୋଜନୀୟ ଆଙ୍ଗିକକୁ- ରୋମାଣ୍ଟିକତା ଓ ରହସ୍ୟବାଦୀତା ଆଡ଼କୁ ମୁହାଁଇ ନେବା । ଏସବୁ ସତ୍ତ୍ଵେ ସମ୍ଭବତଃ ଜୀବନାନନ୍ଦ ହିଁ ଭାରତୀୟ ସାହିତ୍ୟରେ ଏକ ଅଦ୍ଭୁତ ଆକର୍ଷଣୀ ଶକ୍ତିର ଅଧିକାରୀ ଶ୍ରେଷ୍ଠ ଆଧୁନିକ କବି । ଏହା ତାଙ୍କର କାବ୍ୟ ଭାଷାର ଅସମ୍ଭବ ଔଜ୍ଵଲ୍ୟ ଯୋଗୁ ସମ୍ଭବ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟଙ୍କ କାବ୍ୟ ଭାଷାର ସାଫଲ୍ୟ ଅନେକ ପରିମାଣରେ ଜୀବନାନନ୍ଦଙ୍କ ପାଖରେ ଋଣୀ । ଜୀବନାନନ୍ଦଙ୍କ କାବ୍ୟ ଭାଷା ଆଧୁନିକତାର ସମସ୍ତ ଗୁଣ ସହ ସ୍ଵଚ୍ଛ ଓ ସ୍ଵଚ୍ଛନ୍ଦ । ତାଙ୍କର କାବ୍ୟ ବକ୍ତବ୍ୟ ମଧ୍ୟ ଏକ ବିଶେଷ ସ୍ଵାତନ୍ତ୍ରଯୁକ୍ତ । ବିଶ୍ଵ ସାହିତ୍ୟରେ ବୋଦଲେୟାର ଓ ସାର୍ ରିଏଲିଜିମ୍ ସହିତ ଜୀବନାନନ୍ଦଙ୍କ କାବ୍ୟ ଭାଷା ଓ ଅନୁଭୂତିର କିଛିଟା ସମ୍ଵନ୍ଧ ଥିବା ଲକ୍ଷ୍ୟ କରାଯାଏ ।

 

ଆଧୁନିକତା ଓ ପ୍ରଗତିଶୀଳତାର ଦ୍ଵନ୍ଦ୍ଵ ମଧ୍ୟ ଦେଇ ବିଶ୍ଵ ସାହିତ୍ୟରେ ଆମେ ବ୍ରେଖେଟ୍, କାଫ୍‍କା, ସାର୍ଚେ, ନେରୁଦା, ହେମି, ମାରକ୍ଵେଜ୍ କାହାକୁ ଆଧୁନିକ ବା ପ୍ରଗତିଶୀଳ କହି ବର୍ଜନ ଓ ଗ୍ରହଣ କରିବା । ଏମାନେ ସମସ୍ତେ ଯେ ନୂତନ ଆଙ୍ଗିକର ସନ୍ଧାନକର୍ତ୍ତା । ତେବେ ଏହା ସ୍ୱୀକାର୍ଯ୍ୟ ଯେ ଆଧୁନିକତା ଆଙ୍ଗିକ ବିପ୍ଳବ ଜରିଆରେ ଆତ୍ମିକ ପରାକାଷ୍ଠା ପାଇଁ ଆଗ୍ରହୀ ଥିଲାବେଳେ ପ୍ରଗତିଶୀଳତା ଆତ୍ମିକ ବା ଭାବଗତ ତୀବ୍ରତା ସୃଷ୍ଟି ସକାଶେ ସାମାଜିକ ଭାବରେ ପ୍ରୟୋଜନୀୟ ଆଙ୍ଗିକକୁ ଆଦରି ନେଇଥାଏ । ସମାଜର ଆଙ୍ଗିକ ଓ ସାହିତ୍ୟର ଆଙ୍ଗିକ ମଧ୍ୟରେ ଚାଲିଥିବା ଦ୍ଵନ୍ଦ୍ଵ ଓ ସମ୍ପର୍କ ମଧ୍ୟରୁ ଜଣେ ସଫଳ ସାହିତ୍ୟିକ ସାମାଜିକ ଭାବରେ ପ୍ରୟୋଜନୀୟ ଏକ ନୂତନ ଆଙ୍ଗିକକୁ ଜନ୍ମଦେବାକୁ ଚେଷ୍ଟା କରିଥାଏ । ଏହି ଚେଷ୍ଟାରେ ଉଭୟ ଆଧୁନିକ ଓ ପ୍ରଗତିଶୀଳ କବି ନିଜ ନିଜ ବାଟରେ ଆଗେଇ ଯାଇଥାନ୍ତି । ସାହିତ୍ୟ ଜଗତରେ ଉଭୟ ଆଧୁନିକତା ଓ ପ୍ରଗତିଶୀଳତାର ଆବିଷ୍କାର ପୂର୍ବରୁ ପୃଥିବୀର ବିଭିନ୍ନ ସାହିତ୍ୟରେ ସୃଷ୍ଟି ହୋଇଥିବା କାଳଜୟୀ ରଚନାବଳୀର ବୈଶିଷ୍ଟ୍ୟ ହେଲା ସାମାଜିକ ଭାବରେ ଏକ ନୂତନ ପ୍ରୟୋଜନୀୟ ଆଙ୍ଗିକର ଆବିଷ୍କରଣ ଓ ଉପସ୍ଥାପନ । ଓଡ଼ିଆ ସାହିତ୍ୟରେ ସାରଳା, ଜଗନ୍ନାଥ, ଫକିରମୋହନଙ୍କ ସାହିତ୍ୟ ସୃଷ୍ଟି ଏହି ସାମାଜିକ ଭାବରେ ପ୍ରୟୋଜନୀୟ ଆଙ୍ଗିକର ଶ୍ରେଷ୍ଠ ଆବିଷ୍କରଣ ବା ଉପସ୍ଥାପନ । ଉଲ୍ଲେଖଯୋଗ୍ୟ ଯେ, ଏଠାରେ ଆଙ୍ଗିକ ଶବ୍ଦଟି ଶୈଳୀହିଁ ବ୍ୟକ୍ତିତ୍ଵ ସହ ସମ୍ଵନ୍ଧାନ୍ନୀତ ।

 

ଆମ ସମୟ—ଏହି ଆଲୋଚନାର “ଆମ ସମୟ” ପ୍ରସଙ୍ଗଟି ଏଇଥିପାଇଁ ଯୋଡ଼ି ଦିଆଯାଇଛି । ଯେହେତୁ ଉଭୟ ଆଙ୍ଗିକ ଦିଗରୁ ସାହିତ୍ୟ ମାଧ୍ୟମରେ ଶବ୍ଦ ଦ୍ଵାରା ଅର୍ଥକୁ ଧରି ରଖିବା ବ୍ୟର୍ଥତାକୁ ବର୍ତ୍ତମାନର ସାହିତ୍ୟ ଦର୍ଶନ ସୂଚାଇ ଦେଇଥାଏ । ଆମ ସମୟର ସାହିତ୍ୟାନୁଚିନ୍ତା ସାହିତ୍ୟ ମାଧ୍ୟମରେ ସତ୍ୟକୁ ଧରି ରଖିବାର ଅସମ୍ଭବତାକୁ ହିଁ ବ୍ୟକ୍ତ କରିଥାଏ । ଏ ସଂପର୍କରେ ହେରାଲଡ଼୍ ବ୍ଲୁମଙ୍କର ମତ ହେଲା “କବିତାର କୌଣସି ଆକାର ବା ଅସ୍ତିତ୍ଵ ନାହିଁ; ଏହା ଏକ ଏକକ ନୁହଁ, ଏହାର କୌଣସି ଅର୍ଥ ମଧ୍ୟ ନାହିଁ ; ଏହା ସୃଷ୍ଟି କ୍ଷମତା ରହିବ ।“ ସମ୍ଭବତଃ “ Beauty is truth and truth is Beauty” କିମ୍ବା କବି ହିଁ “ଆତ୍ମାର ଇଞ୍ଜିନିୟର” ଓ “କବିତା ଶ୍ରେଣୀ ସଂଘର୍ଷର ହତିୟାର” ଇତ୍ୟାଦି ଚିନ୍ତା ନିର୍ଯ୍ୟାସ ବିରୁଦ୍ଧରେ ଉପରୋକ୍ତ ସାହିତ୍ୟାନୁଚିନ୍ତା ଏକ ନୂତନ ଛେଦ ବା ବ୍ୟତିକ୍ରମ । ଏହା ସାହିତ୍ୟାନୁଚିନ୍ତା ଯେ କୌଣସି ସାହିତ୍ୟିକ ପୋଥି (Text) ର ବହୁବିଧ ଅର୍ଥବହତା ( Multiplicity of meaning) ର ସନ୍ଧାନ ପୂର୍ବକ ମହାକାଳ ବ୍ୟାପି ଚାଲିଥିବା ବର୍ଣ୍ଣନା (naration)ବା ପୋଥି ଭାବନାର ପ୍ରକ୍ରିୟାରେ ପ୍ରତିଟି ପୋଥି ରଚିତ ହେବାକୁ ଥିବା ଅନ୍ୟ ଏକ ପୋଥିର (pretest) ପୂର୍ବାଭାଷ ବୋଲି କହିଥାଏ । ଆମ ସମୟର ଏହି ସାହିତ୍ୟାନୁଚିନ୍ତାକୁ ଉତ୍ତର ଆଧୁନିକତାବାଦ (post modernism) ବୋଲି ନାମିତ କରାଯାଇଛି । ଏହି ଉତ୍ତର ଆଧୁନିକତାବାଦ ଉଭୟ ଆଧୁନିକ ଓ ପ୍ରଗତିଶୀଳ ସାହିତ୍ୟରୁ ରସଦ ସଂଗ୍ରହ କରିଥାଏ । ଏହା ଅତୀତ ବର୍ତ୍ତମାନର ସମସ୍ତ ସାହିତ୍ୟ କର୍ମ ମଧ୍ୟରେ ଥିବା ପୁରୁଷବାଦୀ, ଈଶ୍ଵରବାଦୀ ଓ କେନ୍ଦ୍ରବାଦୀ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ଏହା ସାମାଜିକ ଅଥବା ଗଣ ବିପ୍ଲବକୁ କୌଣସି ରାମରାଜ୍ୟ ପ୍ରତିଷ୍ଠା ଲକ୍ଷ୍ୟରେ ପରିଚାଳିତ କରେନା । ରାମରାଜ୍ୟର ମିଥ୍ୟା ପ୍ରତିଶୃତି ଦେଉଥିବା ତଥାକଥିତ ଗଣତନ୍ତ୍ର ଓ ସମାଜବାଦର ମୁଖାଟିକୁ ଏହା ଖୋଲିଦେଇଥାଏ । ଉତ୍ତର ଆଧୁନିକତାବାଦୀ ଯୁଗରେ କୌଣସି କାବ୍ୟ ଆନ୍ଦୋଳନ ବା ଦର୍ଶନର ଏକଚାଟିଆ ଆଧିପତ୍ୟକୁ ସ୍ଵୀକାର କରାଯାଏନା । ସର୍ବୋପରି ଉତ୍ତର ଆଧୁନିକତାବାଦ ଶବ୍ଦର ମାୟାଜାଲରେ ବନ୍ଧାପଡ଼ିଥିବା ପୃଥିବୀର ମଣିଷମାନଙ୍କୁ ଶବ୍ଦ ପ୍ରୟୋଗର ଭିନ୍ନ ଏକ ଦକ୍ଷତା ବା ବଳ ପ୍ରଦାନ କରିଥାଏ । ଉଭୟ ଆଧୁନିକତାବାଦ ମୋଟାମୋଟି ଭାବରେ ଆନୁଷ୍ଠାନିକତା, ସୈଧାଂତିକତା ଓ କେନ୍ଦ୍ରିକତାର ବିରୋଧୀ । କିନ୍ତୁ ନିଚ୍ଛକଭାବରେ ଏହା କଳା ଆନ୍ଦୋଳନ ନୁହେଁ । କଳା ଆନ୍ଦୋଳନ ମଧ୍ୟରୁ ଜନ୍ମ ନେଇ ଏହା ବର୍ତ୍ତମାନ ପୃଥିବୀର ଏକ ପ୍ରଭାବଶାଳୀ ଦର୍ଶନର ପ୍ରତିଷ୍ଠା ଅର୍ଜନ କରିଛି । ସଂପ୍ରତି ଏହି ଦର୍ଶନ-ଭାଷା ସହିତ ମଣିଷ ସଂପର୍କର ସମସ୍ତ ଦୁର୍ବଳତା ଓ ସୀମାବଦ୍ଧତାର ଗଣ୍ଠିକୁ ଖୋଲି ଦେଇଛି । ଏହା ଏକବାଦ ବିରୋଧୀବାଦ ଓ ଦର୍ଶନ ବିରୋଧୀ ଦର୍ଶନ । ବିରୋଧୀ ପରିବର୍ତ୍ତେ ଏହା ଅର୍ଥପୂର୍ଣ୍ଣ ଦୂରତ୍ଵ ଓ ବିନ୍ୟାସ ପରିବର୍ତ୍ତେ ଏହା ଅର୍ଥପୂର୍ଣ୍ଣ ଦୂରତ୍ଵ ଓ ବିନ୍ୟାସ ପରିବର୍ତ୍ତେ ଏହା ପୂନର୍ବିନ୍ୟାସ (Restructering) ବା ନିର୍ବିନ୍ୟାସ (De-construction)ର ଭାଷା ସହିତ ମଣିଷକୁ ପରିଚିତ କରାଇଥାଏ । ବିନ୍ୟାସବାଦ (ଫୁକୋ, ଲାଖାଁ, ଆଲଥୁସର, ଲେଭିଥ୍ରସ) ପରେ ପରେ ନିର୍ବିନ୍ୟାସବାଦୀ ଦେରିବା ହିଁ ଉତ୍ତର ଆଧୁନିକତାବାଦର ପ୍ରମୁଖ ପ୍ରବକ୍ତା ।

 

ଉତ୍ତର ଆଧୁନିକତାବାଦର ସମାଲୋଚନା କରିବାକୁ ଯାଇ ଏହାକୁ କେହି କେହି ସ୍ଥିରାବସ୍ଥା ବିରୁଦ୍ଧରେ ଏକ ଅସଫଳ ନୈରାଶ୍ୟବାଦୀ/ନେତିବାଦୀ ଚିନ୍ତା ଦର୍ଶନ ବୋଲି କହିଥାନ୍ତି । ସମାଲୋଚକମାନଙ୍କ ମତରେ ଉତ୍ତର ଆଧୁନିକତାବାଦ ସମସ୍ତ ପ୍ରକାର କେନ୍ଦ୍ରକୁ ବିରୋଧ କରିବା ମଧ୍ୟ ଦେଇ ପ୍ରକାରନ୍ତରେ ମୁଖ୍ୟ କେନ୍ଦ୍ରକୁ ସବଳ କରି ଗଢ଼ି ତୋଳୁଛି । ଅପରନ୍ତୁ ଏହା ‘ଗଣତନ୍ତ୍ର’ ଓ ମୁକ୍ତାବଳୀର ଅର୍ଥନୀତିକୁ ପରିଚାଳନା କରୁଥିବା ପ୍ରତିଷ୍ଠିତ କେନ୍ଦ୍ର (ମାମ୍ରାଜ୍ୟବାଦ) ବିରୁଦ୍ଧରେ ସଫଳ ଭାବର ସ୍ଵର ଉତ୍ତୋଳନ କରାଇ ପାରୁନି .। ଏଥିପାଇଁ ଉତ୍ତର ଆଧୁନିକତାବାଦ ବିପକ୍ଷରେ ଏବେ ଉତ୍ତର ଉତ୍ତର ଆଧୁନିକତା (post post Modernism) ନବ ଐତିହାସିକତାବାଦ (New Historicism), ଉପ-ବିକଳ୍ପବାଦ (Sub-alternism), ପୁନଃ ନିର୍ମାଣବାଦୀ ଉତ୍ତର ଆଧୁନିକତାବାଦ (Re-constructive post-modernism), ସାଂସ୍କୃତିକ ଜଡ଼ବାଦ (Cultural malerlalism), ତୃତୀୟ ବିଶ୍ଵବିକଳ୍ପବାଦ(Third worldism) ଓ ଚତୁର୍ଥ ବିଶ୍ଵବାଦ (Fourth worldism) ଆଦି ଚିନ୍ତା ଦର୍ଶନମାନ ମୁଣ୍ଡ ଟେକି ଉଠୁଛି ।

 

ଉପସଂହାର:

ଏଠାରେ କହି ରଖିବା ଆବଶ୍ୟକ ଯେ, ବିଶ୍ଵବ୍ୟାପୀ ଏହି ସମାଲୋଚନା ପ୍ରକ୍କିୟା ଓ ଚିନ୍ତା ସଂଶ୍ଲେଷ ଠାରୁ ବହୁ ଦୂରବର୍ତ୍ତୀ ଆମର ଓଡ଼ିଆ ସାହିତ୍ୟ ଏବେବି ପ୍ରଗତିଶୀଳତା ଓ ଆଧୁନିକତାର ଶୈଶବ ମଧ୍ୟରେ ଅଟକି ରହିଛି । ଫଳତଃ ଉତ୍ତର ଆଧୁନିକତାବାଦ ବା ଉତ୍ତର ଉତ୍ତର ଆଧୁନିକତାବାଦକୁ ସ୍ପର୍ଶ କରିବା ତା’ ପକ୍ଷରେ ଆସମ୍ଭବ । ପ୍ରେମ (ମଧ୍ୟ ଯୁଗୀୟ) ଐତିହ ଓ ପରମ୍ପରା ପ୍ରତି ଦୁର୍ବଳତା (ରୋମାଣ୍ଟିକ୍) ଓ ଦୁର୍ବଳ ମାନବ ପ୍ରୀତି ମୂଳକ ଲେଖା ବ୍ୟତିତ ଏବେ ବି ଓଡ଼ିଆ ସାହିତ୍ୟରେ ବିଶ୍ଵବ୍ୟାପୀ ଚିନ୍ତା ବିପ୍ଲବ (ସୃଷ୍ଟି ପ୍ରକ୍ରିୟାକୁ ସ୍ପର୍ଶ କରିପାରୁଥିବା ସେପରି କିଛି ନୂତନ ସଂଘର୍ଷଶୀଳ ରଚନା ଦେଖିବାକୁ ମିଳୁନି । ପରୀକ୍ଷା ନିରୀକ୍ଷାର ଅଭାବ ତଥା ପେଷୀହୋଇ ରହିଥିବା ମଣିଷଠାରୁ ମଧ୍ୟବିତ୍ତ ଶ୍ରେଣୀୟ (ଅବସର ଭୋଗୀ) ଲେଖକଙ୍କର ଦୂରତା ଓ ସଂପର୍କହୀନତା ହେତୁ ବର୍ତ୍ତମାନ ଆମ ଓଡ଼ିଆ ସାହିତ୍ୟର ଆଧୁନିକ ଓ ପ୍ରଗତିଶୀଳ (ତଥା କଥିତ) କବିମାନେ ସାମାଜିକ ଭାବରେ ପ୍ରୟୋଜନୀୟ ଗାନ୍ତକାରୀ କାବ୍ୟ ଆଙ୍ଗୀକର ବିକାଶ ଘଟାଇ ପାରୁ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଆମର ସାହିତ୍ୟିକମାନଙ୍କ ପକ୍ଷରେ ଯାହା କରଣୀୟ ତାହା ହେଲା-ନିଜର ଅଭ୍ୟନ୍ତରକୁ ପ୍ରବେଶକରି ସାମାଜିକ ବ୍ୟକ୍ତିତ୍ଵର ଦୁର୍ବଳତା ଓ ସମାଜର ଆଭ୍ୟନ୍ତରକୁ ପ୍ରବେଶ କରି ନିଜର ଦୁର୍ବଳତମ ବ୍ୟକ୍ତିତ୍ଵର ଦୁର୍ବଳତାର ଆବିଷ୍କାରପୂର୍ବକ ନୂତନ କାବ୍ୟ ଆଙ୍ଗୀକର ସନ୍ଧାନ କରିବା ଯେଉଁ ଆଙ୍ଗୀକର ସନ୍ଧାନ କରିବା; ଯେଉଁ ଆଙ୍ଗୀକ ଆବିଷ୍କାରର ସଫଳତାକୁ ଆମେ ଉଭୟ ଆଧୁନିକତା ଓ ପ୍ରଗତିଶୀଳତାର କଷଟିରେ ଅଭିନବ ଓ କ୍ରାନ୍ତିକାରୀ ବୋଲି କହି ପାରିବା । ଏଥିପାଇଁ କାବ୍ୟ ବ୍ୟକ୍ତିତ୍ଵର ସମ୍ବେଦନାର ତୀବ୍ରତା ବୌଦ୍ଧିକତାର ଶୀର୍ଷକୁ ସ୍ପର୍ଶ କରିବା ଦରକାର । ବର୍ତ୍ତମାନ ଓଡ଼ିଶାର ଆଧୁନିକ ଓ ପ୍ରଗତିଶୀଳ ସାହିତ୍ୟ ରାସ୍ତାକଡ଼ ମ୍ୟୁନିସିପାଲଟି ପାଣି ପରି ବିରାମହୀନ ଓ ଅନାବଶ୍ୟକ ଭାବରେ ବହି ଚାଲିଛି । ଲକ୍ଷ୍ୟ ତାହାର କେଉଁଆଡ଼େ ଏହା ସହଜରେ ଅନୁମେୟ । ଅନାବଶ୍ୟକ ଭାବରେ ଶବ୍ଦର ଏହି ବିନର୍ବ୍ୟୟରୁ ରକ୍ଷାକରି ଆମ ସାହିତ୍ୟକୁ ଏକ ଚିରସ୍ରୋତା ନଦୀ ଭଳି ପ୍ରବାହିତ କରିବାକୁ ହେଲେ ଆମ ଭାଷାର ଉଭୟ ଆଧୁନିକ ଓ ପ୍ରଗତିଶୀଳ କବିମାନେ ସଂପୂର୍ଣ୍ଣ ଅଙ୍ଗୀକର ବଦ୍ଧତା ସହ ସାମାଜିକ କ୍ରାନ୍ତିର ପ୍ରୟୋଜନୀୟ କାବ୍ୟ ଅଙ୍ଗୀକାର ସନ୍ଧାନ କରିବା ଆବଶ୍ୟକ; ଯେଉଁ ଆଙ୍ଗିକର ସାଫଲ୍ୟ ଜଗନ୍ନାଥ, ଫକିର ମୋହନ, ସେକ୍‍ସପୀୟର, ବୋଦ୍‍ ଲେୟାର୍‍, ବ୍ରେଖେଟ୍‍, କାଫ୍‍କାଙ୍କ ସୃଷ୍ଟ ଆଙ୍ଗିକ ପରି ଯୁଗାନ୍ତକାରୀ ହୋଇପାରିବ . ବ୍ୟକ୍ତିକୈନ୍ଦ୍ରିକତା ଓ ଆଞ୍ଚଳିକତାର ଗଣ୍ଠିକୁ ଡେଇଁ ଆମ ସାହିତ୍ୟିକମାନେ ତାହା କରିପାରିବେ ତ ??

 

ଏମ୍ ୨ ସି ଆର୍ -୫୯ ଛେଣ୍ଡ

ରାଉରକେଲା-୭୬୯୦୧୫

***

 

ନାଟ୍ୟତତ୍ତ୍ଵ : ପ୍ରାଚ୍ୟଧାରା

ରମାକାନ୍ତ ରାଉତ

 

ଯୁଗ ରୁଚି ଓ ଜୀବନଚର୍ଯ୍ୟାର ପରିବର୍ତ୍ତନ ଘୁର୍ଣ୍ଣନରେ ନାଟକର ଚେହେରା ବଦଳିବଦଳି ଚାଲିଛି । ଦିନରାତି ଏକାଦିକ୍ରମେ ବସି ନାଟକ ଦେଖିବାର ମାନସିକ ପ୍ରସ୍ତୁତି ବା ସାମର୍ଥ୍ୟ ଆଜିର ଦର୍ଶକର ନାହିଁ । ଖାଲି ପ୍ଲଟ୍ ବା ନାଟକର ଆବୃତ୍ତି କି ଯେ କୃଶ୍ କରାଯାଇଛି । ତାହା ନୁହେଁ ଦୀର୍ଘବାକ୍ୟ ବଦଳରେ ସଂକ୍ଷିପ୍ତ ଓ ସୂଚନାତ୍ମକ ସଂଳାପ ମଧ୍ୟ ସ୍ଥାନ ପାଇଛି । ଆରିଷ୍ଟଟ୍ଲ ବହୁସୂଦୁର ପ୍ରସାରୀ ଚିନ୍ତାପୋଷଣ କରି ଏ ସଂପର୍କରେ ନମନୀୟ ମନୋଭାବ ଗ୍ରହଣ କରି ଉପଯୁକ୍ତ ଆକାର ବୋଲି କହିଛନ୍ତି . ଯାହା ସବୁ ସମୟ ସକାଶେ ଉପଯୋଗୀ ।

 

କବିତା ପରି ନାଟକ ସାରସ୍ଵତ ଚିତ୍ରଫଳକର ଅପର ଏକ ପାର୍ଶ୍ଵ । କବିତା ପରି ଏହା ସୂକ୍ଷ୍ମ ଗମ୍ଭୀର ବି । ନାଟକ ହସାଏ, ରସାଏ, ତନ୍ମୟ କରେ, ବିଭୋର କରେ, ତଟସ୍ଥ ବି କରେ । ବିଚ୍ଛେଦ, ହତ୍ୟା, ବିଭୀଷିକା ଓ ମୃତ୍ୟୁର ବୀଭତ୍ସ ତଥା କରୁଣାରେ ଅଭିଭୂତ କରିପକାଏ ସଭିଙ୍କୁ । ସାଂପ୍ରତିକ ସମୟରେ ନାଟକ ହେଉଛି ଶ୍ରେଷ୍ଠ ଗଣମାଧ୍ୟମ ଏବଂ ଚିତ୍ତବିନୋଦନର ପ୍ରଧାନ ଉତ୍ସ । ନାଟକ ଅଧ୍ୟୟନ ଓ ଅଧ୍ୟାପନା ଅପେକ୍ଷାକୃତ ଜଟିଳ । କିନ୍ତୁ ଅଭିନୟରେ ତାହା ବେଶ୍ ଉପଭୋଗ୍ୟ ।

 

ସାହିତ୍ୟର ପରିଧି ଅତି ବ୍ୟାପକ କଳା, ସଂସ୍କୃତି, ଚିତ୍ର ଓ ଭାସ୍କର୍ଯ୍ୟ ଏବଂ ଏସ୍‍ଥେଟିକ ବିଜ୍ଞାନ, ଦର୍ଶନଠାରୁ ବ୍ୟାପକତର । କୌଣସି ଜାତିର ସାହିତ୍ୟ ଅତୀତ ଅଳନ୍ଧୁଭରା ସନସାଇ ଶତାବ୍ଦୀର ଘଟଣା ପ୍ରବାହରେ ଭର୍ତ୍ତି ରାଜାରାଜୁଡ଼ାଙ୍କ ବଂଶାବଳୀ ସମ୍ବଳିତ ନଥିପତ୍ର ବା ଦଲିଲ ଦସ୍ତାବିଜ୍ ନୁହେଁ । ଏହା ସ୍ଫୁଟନୋନ୍ମୁଖୀ ପ୍ରତିଭା ଓ ଚରିତ୍ରର ପ୍ରାମାଣିକ ତଥ୍ୟର କଙ୍କାଳ ଉପରେ କଳ୍ପନା ମୂଳରେ ରସାଣିତ, ଯହିଁରେ ସେହି ଜାତିର ସାଂସ୍କୃତିକ ପରମ୍ପରା ଚେତନା, ଚିନ୍ତନ, ମୂର୍ତ୍ତିମନ୍ତ ହୋଇଉଠେ ।

 

ସାହିତ୍ୟ ସାମାଜିକ ବିକାଶର ପ୍ରତିଲିପି । ଜୀବନର ଅନୁଭୂତିକୁ କଳାତ୍ମକ ଭାବେ ପ୍ରତିଫଳନ କରି ମାନସିକ ସମସ୍ୟା ଉତ୍‍ଥାପନ ତଥା ସମାଧାନରେ ତାହା ସହାୟତା କରିଥାଏ । ଉତ୍ତମ ଗ୍ରନ୍ଥ ବା ଉତ୍କୃଷ୍ଟ ସାହିତ୍ୟ ଅମ୍ଲାନ, ଶାଶ୍ଵତ ଓ ସମୟ ସୀମାରେଖାର ଉର୍ଦ୍ଧ୍ଵରେ ବିଦ୍ୟମାନ ଏବଂ ଜୀବନ ଓ ଜୀବନୋତ୍ତର ତଥ୍ୟ ତତ୍ତ୍ଵରେ ପରିପୂର୍ଣ୍ଣ । ସାହିତ୍ୟ ତାର ମୌଳିକ ଆଭିମୁଖ୍ୟ ଉପଭୋଗ ଓ ଉପଦେଶରେ ଉପାଦାନ ଯୋଗାଇବା ସଙ୍ଗେ ସଙ୍ଗେ ଜାତୀୟଜୀବନକୁ ବହୁଭାବେ ପ୍ରଭାବିତ କରେ, ଯୁବ ମାନସକୁ ଉଦ୍ଦୀପିତ କରେ ଏବଂ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରେ । ଜୀବନଧର୍ମୀ ସାହିତ୍ୟରେ ସତ୍ୟର ପଦଧ୍ଵନୀ ନିରନ୍ତର ମୁଖରିତ ହୁଏ ।

 

ସାହିତ୍ୟର କେତେକ ସ୍ଥଳରେ ସୀମିତ ସୀମାରେଖା ରହିଛି । ସାହିତ୍ୟିକ ପ୍ରକ୍ରିୟାର ମୁଖ୍ୟସ୍ରୋତ ଭାବେ ଭାଷା ସାହିତ୍ୟିକ ଯାନକୁ ଗତିଶୀଳ କରିଥାଏ । ସାହିତ୍ୟର ଅଭିବ୍ୟକ୍ତି ମୂଲ୍ୟବୋଧ, ବାର୍ତ୍ତା ଓ ତଥ୍ୟାଦିକୁ ସଞ୍ଚାରଣ କରେ । ତେଣୁ ଭାଷା ହେଉଛି ସାହିତ୍ୟର ମୁଖପାତ୍ର ଓ ସାହିତ୍ୟିକ ଉପଚାରର ସୂତ୍ରଧର । ସାହିତ୍ୟରେ ସାମାଜିକ ଚଳନୀ ଓ ଜନଜୀବନର ପ୍ରତିଫଳନ ଘଟେ । ପ୍ରତ୍ୟେକ କଳାକାରଙ୍କ କୃତିରେ ତେଣୁ ସେ ଅଙ୍ଗେ ନିଭେଇଥିବା ନିର୍ଯ୍ୟାସ ଓ ସେ ଆତଯାତ ହୋଇଥିବା ସମାଜଦ୍ଵାରା ଅନେକାଂଶରେ ପ୍ରଭାବିତ । ଭାଷାର ଗଠନରୀତି, ପ୍ରକାଶଶୈଳୀ, ବ୍ୟାକରଣ ନିୟମକୁ ନିୟନ୍ତ୍ରଣ କରି ସାହିତ୍ୟ ତାର ପ୍ରଗତିକୁ ପୁଷ୍ପଳ କରେ । କଳାକାରଙ୍କ ସାଂସ୍କୃତିକ ପୃଷ୍ଠଭୂମି ଓ ପରମ୍ପରା ମଧ୍ୟ ତାଙ୍କ ରଚନାର ଶବ୍ଦତତ୍ତ୍ଵ । ବାକ୍ୟ ସଂଯୋଜନା, ପଦବିନ୍ୟାସ, ଧ୍ଵନିତତ୍ତ୍ଵ ଓ ଅର୍ଥ ପ୍ରଗତିରେ ପ୍ରଭାବ ପକାଇଥାଏ । ଭାଷାର ଉଚ୍ଚାରଣ, ଶବ୍ଦାର୍ଥ, ଶୈଳୀ ଓ ରୂଢ଼ି, ପ୍ରବାଦ ଓ ପ୍ରବଚନ ଆଦିର ସ୍ଵାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ ଏବଂ ଏହାର ପରିବର୍ତ୍ତନର ପ୍ରଭାବ ଅତି ମନ୍ଥର । ଏ କ୍ଷେତ୍ରରେ ଲୋକେ କେତେକ ରକ୍ଷଣଶୀଳ ମନୋବୃତ୍ତି ପୋଷଣ କରିଥାନ୍ତି । ଏହି ରକ୍ଷଣଶୀଳତାର ମାତ୍ରା ଯେଉଁଠି କମ୍ ସେ ସାହିତ୍ୟ ସେତେ ପ୍ରଗତିଶୀଳ । ଭାଷା ଦୈବୀକୃତ ବୋଲି ଏବେ ବି ଅନେକ ବିଶ୍ଵାସ କରନ୍ତି । ସଂସ୍କୃତ ଦେବଭାଷା, ବେଦ ଓ ଗୀତା ଦୈବିବାଣୀ ବୋଲି ଆମର ଅସ୍ଥି ମଜ୍ଜାଗତ ହୋଇଯାଇଛି । ରୋମାନ ଅକ୍ଷରକୁ ଶୁଦ୍ଧପୂତ ବୋଲି ଗ୍ରହଣ କରାଯାଏ । ଦେବନଗରୀ ଲିପି ଜଣେ ଜଣେ ଦେବତାଙ୍କର ପ୍ରତୀକ । ଭାଷାକୁ କେନ୍ଦ୍ରକରି ରକ୍ତାକ୍ତ ସଂଗ୍ରାମ ସଂଘଟିତ ହୁଏ । ଭାଷା ମଣିଷର ଭାବପ୍ରବଣ ଦିଗକୁ ସ୍ପର୍ଶ କରେ ।

 

ଯେକୌଣସି ଲେଖକ ତାଙ୍କ ଭାଷାତାତ୍ତ୍ଵିକ ଗଠନ ଦ୍ୱାରା ନିୟନ୍ତ୍ରିତ ହୋଇଥାନ୍ତି । ଯେତେ ପ୍ରଭାବଶାଳୀ ଲେଖକ ହୁଅନ୍ତୁ ପଛେ ସେ ଭାଷାର ଗାଠନିକ ପ୍ରକୃତିରେ କ୍ଵଚିତ୍ ପରିବର୍ତ୍ତନ ଘଟାଇ ପାରିବେ । ସେହି ପରିପ୍ରେକ୍ଷୀରେ ତେଣୁ କୁହାଯାଇଛି ଭାଷା ସାର୍ବଜନୀନ ବ୍ୟାକରଣ ନିୟମ ଓ ଆଭିଧାନିକ ଫର୍ମା ଭିତରେ ଆବଦ୍ଧ । ଭାଷା ଏକ ଆଦର୍ଶ ତଥା ବିଧିବଦ୍ଧ ଆଇନ୍ ପ୍ରଣୋଦିତ ଉପଚାର । ମଧ୍ୟଯୁଗରେ ସଂସ୍କୃତ କେବଳ ପୂଜକ ସଂପ୍ରଦାୟର ସର୍ବସ୍ଵ ଏବଂ ବୈଦିକ ସାହିତ୍ୟ ବ୍ରାହ୍ମଣ ସର୍ବସ୍ଵ ଥିଲା । ଏଥିରେ ବ୍ରାହ୍ମଣେତ୍ତର ଜାତିମାନଙ୍କର ପ୍ରବେଶାଧିକାର ନାହିଁ ବୋଲି ବିଶ୍ଵାସ କରାଯାଉଥିଲା । ଭାଷାଗତ ବୈଷିଷ୍ଟ୍ୟ ଶବ୍ଦ ଓ ଧ୍ଵନିତତ୍ତ୍ଵ ରୂଢ଼ି, ପ୍ରବାଦ, ପ୍ରବଚନ, ଢଗଢମାଳି ଆଦିର ପ୍ରାୟୋଗିକ ବିଭିନ୍ନତା ଓ ଭାଷାତାତ୍ତ୍ଵିକ ବୈଚିତ୍ର୍ୟ ସାହିତ୍ୟରେ ପ୍ରତିଫଳିତ ହେବାର ସମ୍ଭାବନା ରହିଛି । ଏ ସବୁ ସାହିତ୍ୟର ପରିସରଭୁକ୍ତ ଯଦିଓ ଏବେ ତା ପୃଥକ୍ ବିଭାବ ଦେଖାଯାଉଛି ।

 

ସାହିତ୍ୟିକ ବିଭାବ ମଧ୍ୟରେ କବିତା ସବୁଠୁ ପ୍ରାଚୀନ ଓ ସମ୍ଭ୍ରାନ୍ତ କଳା ଭାବେ ସ୍ଵୀକୃତ । ପରେ ଗଦ୍ୟ ସୃଷ୍ଟି ହେଲା । ଗଦ୍ୟରୁ କଥା, କାହାଣୀ, ଲୋକଗପ, ପ୍ରବନ୍ଧ, ଜୀବନୀର ଉଦ୍ଭବ ଘଟିଲା । ନାଟକ ଉଭୟ ପଦ୍ୟ ଓ ଗଦ୍ୟ ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ । ଆରିଷ୍ଟଟଲ୍ ମତରେ ସମୟ ହିଁ ‘ଏପିକ୍’ ଓ ‘ଟ୍ରାଜିକ୍’ ର ସୀମା ନିରୁପଣ କରେ । ଏଠାରେ ଏପିକକୁ କାବ୍ୟ ଓ ଟ୍ରାଜିକକୁ ନାଟକ ଅର୍ଥରେ ଗ୍ରହଣ କରାଯାଇଛି । ଉଭୟ କାବ୍ୟ ଓ ନାଟକ ସମୟର ବିସ୍ତୀର୍ଣ୍ଣ ବେଳାଭୂମିରେ ଜୀବନ ଓ ପ୍ରକୃତିର ବିଶ୍ଲେଷଣ ବା ବର୍ଣ୍ଣନା କରିଥାନ୍ତି । କଳ୍ପନା ବିଳାସରୁ ଚୁଙ୍ଗିମାକୁ ଉତ୍ତୀର୍ଣ୍ଣ ହୋଇଯାନ୍ତି ଓ ସୂକ୍ଷ୍ମ କଳାତ୍ମକ ଚିତ୍ର ଆଙ୍କନ୍ତି । ଉଭୟ କ୍ଲାସିକ ବା ଧ୍ରୁପଦୀ ପର୍ଯ୍ୟାୟଭୁକ୍ତ । ଉଭୟର ଅଭେଦ କଳ୍ପନା କରାଯାଇ କୁହାଯାଏ, ଯେତେବେଳେ କବିତାରେ ନୈତିକ ଅବରୋଧ ସଙ୍ଗେ ସଂଘର୍ଷର ସୂତ୍ରପାତ ହୁଏ, ସେଠି ଜୀବନ ସଂଗ୍ରାମ ମଧ୍ୟ ସଂଘଟିତ ହୁଏ । ନୈତିକତାର ମାନଦଣ୍ଡରେ ଯେହେତୁ ଜୀବନର ମୂଲ୍ୟାୟନ ହେଉଥିଲା ଜୀବନ ପରି ନୈତିକତାକୁ କାବ୍ୟ ନାଟକରେ ପ୍ରାଧାନ୍ୟ ଆରୋପ କରାଯାଉଥିଲା । ଉଭୟ କାବ୍ୟ ଓ ନାଟକ ମାନବିକ ସମସ୍ୟା ଉପସ୍ଥାପନ କରନ୍ତି, ଜୀବନ ସଂଗୀତରେ ମୁଖରିତ ହୁଅନ୍ତି ଏବଂ ଜୀବନର ଉଚ୍ଚାଙ୍ଗ ଦିଗ ନୈତିକତା ବୋଧ, ଦର୍ଶନ, ଧର୍ମତତ୍ତ୍ଵ ଓ ଆଧ୍ୟାତ୍ମିକ ଚେତନାରେ ପରିପୃଷ୍ଟ ହୋଇଥାନ୍ତି । ଟି.ଏସ, ଏଲିଏଟ ଏବଂ ହେନେରୀ ଜେମସ୍ ନାଟକ ଓ ଉପନ୍ୟାସ ମଧ୍ୟରେ ସମନ୍ଵୟ ରକ୍ଷାକରି କହନ୍ତି ଏହା କବିତାଠାରୁ ଅପେକ୍ଷାକୃତ କମ୍ ଶାଣିତ ଓ କମ୍ ଗଭୀର ଯଦିଓ ପଦ୍ୟ ମାଧ୍ୟମରେ ଅଧିକ ସାନ୍ଦ୍ର ଓ ମୂର୍ତ୍ତିମନ୍ତ ହୋଇ ପ୍ରତିଭାତ ହୁଏ । କାବ୍ୟ ଓ ନାଟକ ମଧ୍ୟରେ ଆଳଙ୍କାରିକମାନେ ଟାଣିଥିବା ସୀମାରେଖାକୁ ବାଦ୍ ଦେଲେ ସାଧାରଣ ଭାବେ କୁହାଯାଇପାରେ ଯେ କାବ୍ୟ ବା ଉଚ୍ଚାଙ୍ଗ କାବ୍ୟ ଓ ଉଚ୍ଚାଙ୍ଗ ନାଟକ ଏକ ଓ ଅଭିନ୍ନ । ‘ଇଲିୟାର୍ଡ଼ରେ ହେଲେନଙ୍କ ରୂପ ବର୍ଣ୍ଣନା ବା ଓଭିଡ଼ଙ୍କ ନର୍କ ବର୍ଣ୍ଣନା ଅଥବା ମିଲଟନଙ୍କ ନର୍କରୁ ପତନ ଆଦି ଚିତ୍ର ଏବଂ କାଳିଦାସଙ୍କ କୁମାର ସମ୍ଭବ ଅଥବା ‘ଅଭିଜ୍ଞାନ ଶାକୁନ୍ତଳାମ୍’ରେ କବିତାର ଚରମ ଉତ୍କର୍ଷ ସାଧିତ ହୋଇଛି । ସେକ୍ସପିଅରଙ୍କ ମାକବେଥ୍‍ର ଅନ୍ତିମ ସଂଳାପ, ଅଥେଲୋର ‘ମର୍ଡ଼ରସିନ’ ଏବଂ ବିଶ୍ଵସୁନ୍ଦରୀ ହେଲେନଙ୍କ ଛାୟାମୂର୍ତ୍ତି ସଂଦର୍ଶନରେ ଡକ୍ଟର ଫଷ୍ଟସଙ୍କ ସଂଳାପରେ ମାର୍ଲୋ ଯେଉଁ କବିତା ଲେଖିଛନ୍ତି ସେଠି ଆଦୌ ତଫାତ୍ ବାରି ହୁଏ ନାହିଁ । ସେକ୍ସପିୟରଙ୍କ ନାଟକର ଉତ୍କର୍ଷ କବିତାରେ ନିହିତ । ଏହା କବିତା ଓ ନାଟକୀୟ ସଂଳାପ ହେଲେ ବି ବିଶୁଦ୍ଧ କବିତା ‘Sublime poetry’ । କାବ୍ୟ ଓ ନାଟକର ସୀମାରେଖା ଏତଦ୍ଦ୍ୱାରା ସଂକୁଚିତ ହୋଇଯାଏ । ତା ସତ୍ତ୍ଵେ କାବ୍ୟ ଓ ନାଟକ ମଧ୍ୟରେ ଅତିପ୍ରାଚୀନ କାଳରୁ ସ୍ଵାତନ୍ତ୍ର ରଖାଯାଇଛି । କାବ୍ୟ ଏକ ବୌଦ୍ଧିକ ଉତ୍ତରଣର ସୂକ୍ଷ୍ମ ତଥା କଳାତ୍ମକ ବିଶ୍ଲେଷଣ ହୋଇଥିବା ବେଳେ ନାଟକ ସମାଜର ପ୍ରତିଫଳନ ଓ ଏସବୁ ସାଧାରଣ ସଂହତି ସତ୍ତ୍ଵେ ନାଟକ ତା’ର ସ୍ଵାତନ୍ତ୍ର ବଜାୟ ରଖେ । ବିଶିଷ୍ଟ ନାଟ୍ୟତତ୍ତ୍ଵବିତ୍ ନିକୋଲ ସମସ୍ତ ସାହିତ୍ୟିକ କଳା ମଧ୍ୟରେ ନାଟକକୁ ସର୍ବଶ୍ରେଷ୍ଠ ବିବେଚନା କରିଛନ୍ତି । ନାଟକ ସବୁଠୁଁ ସ୍ପଷ୍ଟ, ପ୍ରାଞ୍ଜଳ, ସବୁଠୁଁ ଲୋକପ୍ରିୟ, ମନୋମୁଗ୍ଧକର ଏବଂ ଅଧିକ ଭାବେ ଏହା ଜାତୀୟ ଚେତନା ଓ ଜାତୀୟ ବିକାଶକୁ ରୁପାୟିତ କରେ । କେବଳ ସାମାଜିକ ଅଙ୍ଗୀକର ଯେ ଏଥିରେ ପ୍ରତିଫଳିତ ହୁଏ ତାହାନୁହେଁ, ଅତି ଚମତ୍କାରଭାବେ କାବ୍ୟିକ ଉତ୍ତରଣ ଓ ମାନବୀୟ ପ୍ରଜ୍ଞାର ବୌଦ୍ଧିକ ଉତ୍ତରଣ ଏଥିରେ ଘଟିଥାଏ । ନାଟକକୁ ଶୁଣି ଓ ଦେଖି ଉପଭୋଗ କରାଯାଏ ବୋଲି ସଂସ୍କୃତ ଆଳଙ୍କାରିକମାନେ ଏହାକୁ ଉଭୟ-ଦୃଶ୍ୟ ଓ ଶ୍ରାବ୍ୟ କାବ୍ୟ ବୋଲି କହିଛନ୍ତି । ଏହା ମଧ୍ୟ ଗଦ୍ୟ ଓ ପଦ୍ୟ ଉଭୟ ମାଧ୍ୟମରେ ଆତ୍ମପ୍ରକାଶ କରିଥାଏ । ନାଟକର ପ୍ରକୃତି ଜଟିଳ ଓ ରହସ୍ୟ ଗୁମ୍ଫିତ । ଅତି ବ୍ୟାପକ ତାର ସ୍ଥିତି, ବିସ୍ତୀର୍ଣ୍ଣତା ପରିଧି ଏବଂ ବର୍ଣ୍ଣିଳତା ଚେହେରା । ତେଣୁ ତାହା କେତେବେଳେ କେଉଁ ମୋଡ଼ ନେବ ବା ପୁଣି କେତେବେଳେ ହଠାତ୍ ବିୟୋଗାନ୍ତକ ସ୍ରୋତର ଦ୍ରୁତ ପ୍ରବାହରେ ବହିଯିବ, ତାହା କଳନା କରିବା ସହଜ ନୁହେଁ । କେତେ ଚରିତ୍ର ନିଜ ନିଜର ସର୍ବନାଶ ଘଟାଇ ବସନ୍ତି ତ ଆଉ କେତେବେଳେ ସେମାନଙ୍କ ଅକ୍ତିୟାର ବାହାରେ କୋଉ ଅଦୃଷ୍ଟର ଇଙ୍ଗିତରେ ସବୁ ଯେପରି ଓଲଟ ପାଲଟ ହୋଇଯାଏ । ତେଣୁ ନିୟତି ବା ‘fate’ କି ଭାରତୀୟ କି ଗ୍ରୀକ୍ ନାଟକ ସର୍ବତ୍ର ପ୍ରଭାବ ବିସ୍ତାର କରି ନାଟକର ଗତି ନିୟନ୍ତ୍ରଣ କରେ । ଏଇ ନିୟତି ନିକଟରେ ଚରିତ୍ରମାନେ ପରାଭୁତ ହୋଇଯାନ୍ତି ଓ ସେମାନଙ୍କର ସକଳ ଉଦ୍ୟମ ବ୍ୟର୍ଥ ହୋଇଯାଏ । ତେଣୁ ଚରିତ୍ରମାନେ ପରାଭୂତ ହୋଇଥାନ୍ତି ଓ ସେମାନଙ୍କର ସକଳ ଉଦ୍ୟମ ବ୍ୟର୍ଥ ହୋଇଥାଏ । ତେଣୁ ନାଟକ ଆଶାତୀତ ଭାବେ ଆମେ ଧାରଣା କରି ନ ଥିବା ଆଉ ଏକ ଭିନ୍ନ ମୋଡ଼ରେ ଘୂରିଯାଏ । ‘ଆଗା’ ‘ଇଡ଼ିପସ’ ‘ଅଭିଜ୍ଞାନ ଶାକୁନ୍ତଲାମ୍’ ଏବଂ ସେକ୍ସପିଅରଙ୍କ ‘ମାକ୍ ବେଥ’ ବା ‘କିଙ୍ଗ ଲିୟର’ ପ୍ରଭୃତିରେ ସ୍ପଷ୍ଟ ଭାବେ ନିୟତିର ଅପରିହାର୍ଯ୍ୟ ଭୂମିକା ପ୍ରକାଶ ପାଇଛି । ଭଞ୍ଜକିଶୋରଙ୍କ ‘ବାଣହରଣ’ କଥା ବିଚାର କରାଯାଇପାରେ । ପିତାମହ ଭୀଷ୍ମଙ୍କ ନିକଟରେ ପଞ୍ଚୁପାଣ୍ଡବଙ୍କ ନିଧନ ଅସ୍ତ୍ର ଥିଲା, ଯାହାକୁ ସେ ହୁଏତ ଦଶମ ଦିବସରେ ପ୍ରୟୋଗ କରିଥିଲେ ବସ୍ତୁତଃ ମହାଭାରତ ଯୁଦ୍ଧର ପରିସମାପ୍ତି ଘଟିଥାନ୍ତା-। କିନ୍ତୁ ନିୟତି ତାର ଗତି ବଦଳେଇ ଦେଲା । ଅର୍ଜୁନ ଦୁର୍ଯ୍ୟୋଧନଙ୍କ କୀରିଟି ପିନ୍ଧି ସେ ବାଣ ହରିନେଲେ । ସେହିପରି ‘ଅଭିଜ୍ଞାନ ଶାକୁନ୍ତଳମ୍’ର ମୁଦ୍ରିକା ଓ ‘ଅଥୋଲୋ’ର ରୁମାଲ ମହାଭାରତର ରାଜମୁକୁଟ ପରି ନାଟକର ଗତି ସଂପୂର୍ଣ୍ଣଭାବେ ପରିବର୍ତ୍ତନ କରିଦେଉଛି । ନାଟକର ଏଇ ପ୍ରକୃତି ଭେଦରେ ଏହାକୁ ମିଳନାନ୍ତକ, ବିୟୋଗାନ୍ତକ, ହାସ୍ୟରସାତ୍ମକ, ନୈତିକ ଓ ରୂପକ ଆଦି ନାମରେ ବିଭକ୍ତ କରାଯାଇଥାଏ । ଉଭୟ ମିଳନାନ୍ତକ ଓ ବିୟୋଗାନ୍ତକ ଉପାଦାନ ଥିବା ନାଟକକୁ ମଧ୍ୟ ଟ୍ରାଜି କମେଡ଼ି ବୋଲି କୁହାଯାଏ । ପୂର୍ବେ ପୂର୍ଣ୍ଣାଙ୍ଗ ନାଟକର ପାଞ୍ଚଗୋଟି ଅଙ୍ଗ ଥିଲା-। ସର୍ବାଧିକ ୧୦ ଅଙ୍କ ଯାଏ ନାଟକକୁ ବିସ୍ତାର କରାଯାଇ ପାରିବ ବୋଲି ପ୍ରାଚୀନ ଶାସ୍ତ୍ରବିତ୍‍ମାନେ ମତ ଦେଇଛନ୍ତି । ପୁଣି ତାହା ତିନି ଅଙ୍କ ଓ ଦୁଇ ଅଙ୍କକୁ ସଙ୍କୁଚିତ କରାଯାଇ ଏବେ ଗୋଟିଏ ଅଙ୍କରେ ସୀମିତ ରଖାଯାଇଛି । ପୁଣି ବିଷୟ ବସ୍ତୁ ଭେଦରେ ନାଟକକୁ ପୌରାଣିକ, ସାମାଜିକ, ଐତିହାସିକ ଓ କାଳ୍ପନିକ ଭାବେ ଚିହ୍ନଟ କରାଯାଉଛି । କେବଳ ନୃତ୍ୟଦ୍ଵାରା ସଂପାଦିତ ନାଟକ ନୃତ୍ୟ ନାଟିକା ଏବଂ ପଦ୍ୟ ମାଧ୍ୟମରେ ରଚିତ ହେଲେ ତାହାକୁ ଗୀତିନାଟ୍ୟ ବା କାବ୍ୟନାଟିକା କୁହାଯାଏ ।

 

ଭାରତୀୟ ଆଳଙ୍କାରିକମାନେ କାବ୍ୟକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରନ୍ତି (୧) ‘‘ଦୃଶ୍ୟ ଶ୍ରବ୍ୟତ୍ଵ ଭେଦେନେ ପୁନଃ କାବ୍ୟଂ ଦ୍ଵିଧାମତମ୍ । ଦୃଶ୍ୟ ତତ୍ରାଭିନେୟଂ-’’ କାବ୍ୟର ଅଭିନୟ ଉପାଦାନ ହିଁ ଦୃଶ୍ୟ । ଅନ୍ୟ କଥାରେ କହିଲେ କାବ୍ୟରେ ଯେଉଁ ଅଂଶ ଅଭିନୟ ଉପଯୋଗ୍ୟ ତାହା ନାଟକ । ଅଭିନୟରେ ଚତୁର୍ବିଧ ଲକ୍ଷଣ ପରିସ୍ପୁଟ ହୋଇଥାଏ –ଆଙ୍ଗିକ, ବାଚ୍ୟିକ, ଆହାର୍ଯ୍ୟ ଓ ସାତ୍ତ୍ଵିକ । ନାଟକର ପ୍ରାରମ୍ଭରେ ନଟ ନଟୀ ନାଟକର ନାୟକ ନାୟିକାଙ୍କ ଅଙ୍ଗଭଙ୍ଗୀ, ବାଗ୍‍ବିଳାସ ବା କଟାକ୍ଷ ଆଦି ନିଜଠାରେ ଆରୋପ କରନ୍ତି । ଏହି ଅନୁକରଣ ହେଉଛି ଅଭିନୟ । (୨) ପୁନଶ୍ଚ ରୂପର ଆରୋପ କରାଯାଉଥିବା ହେତୁ ଦୃଶ୍ୟକୁ ମଧ୍ୟ ରୂପକ କୁହାଯାଏ । ରୂପକକୁ ଯେଉଁ ଦଶ ଭାଗରେ ବିଭକ୍ତ କରାଯାଏ, ନାଟକ ତହିଁରୁ ଅନ୍ୟତମ । ସେହିପରି ଅଠର ଗୋଟି ଉପରୂପକ ମଧ୍ୟରେ ନାଟିକା ମୁଖ୍ୟ ବିଭାଗ । କିନ୍ତୁ ନାଟକର ଏକ ବିଶେଷ ଲକ୍ଷଣ ଥିବା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ତତ୍ତ୍ଵବିତ୍‍ମାନେ ଉଲ୍ଲେଖ କରିଅଛନ୍ତି । ନାଟର ବୈଚିତ୍ର୍ୟମୟ, ଚମତ୍କାର ଓ ବିସ୍ମୟୋଦ୍ଦୀପକ । କୌଣସି ଏକ ପ୍ରସିଦ୍ଧ ବୃତ୍ତାନ୍ତ ଉପରେ ନାଟକର କଥାବସ୍ତୁ ଅବଧାରିତ ହୋଇଥାଏ । ନାଟକରେ ନାୟକ ନାୟିକାଙ୍କ ଗୁଣ, ବଂଶ ଓ ଚରିତ୍ରାଦି ସଂପର୍କରେ ନିର୍ଦ୍ଦିଷ୍ଟଭାବେ ବୟାନ କରାଯାଇଛି । (୩) ପଥସନ୍ଧି, ବିଳାସ ସନ୍ଧି, ଗାମ୍ଭୀର୍ଯ୍ୟ, ଧୈର୍ଯ୍ୟ, ବୀରତ୍ଵ ଆଦି ଗୁଣ ନାୟକଙ୍କଠାରେ ବିଦ୍ୟମାନ ଥିବା ବାଞ୍ଛାନୀୟ । ସେ ବିଭୁତିଯୁକ୍ତ ହୋଇଥିବେ । ସୁଖ ସମ୍ଭୋଗ ଓ ବିଚ୍ଛେଦର ଯୁଗପତ୍ ବର୍ଣ୍ଣନା ତହିଁରେ ଥିବ । ଶୃଙ୍ଗାର, ବୀର, କରୁଣାଦି, ବିବିଧ ରସର ପ୍ରବାହ ନାଟକରେ ବାରି ହେଉଥିବା ଆବଶ୍ୟକ । ନାଟକରେ ୫ରୁ ୧୦ ଯାଏ ଅଙ୍କ ରହିବ । (୩) ପ୍ରତ୍ୟେକ ଅଙ୍କ ଏକାଧିକ ଦୃଶ୍ୟରେ ବିଭକ୍ତ ହୋଇ ଘଟଣା ପ୍ରବାହକୁ ଏକ ଶୃଙ୍ଖଳିତ ଧାରାରେ ଦର୍ଶକଙ୍କୁ ପରିବେଷଣ କରିବ । ନାୟକ ଧୀରୋଦ୍ଧତ ନ ହୋଇ ଧୀରୋଦାର ପ୍ରଖ୍ୟାତ ତଥା ସଦ୍‍ବଂଶୋଦ୍ଭବ, ପରାକ୍ରମଶାଳୀ ଓ ଚରିତ୍ରବାନ ହେବା ବାଞ୍ଛାନୀୟ ।

 

ଭରତ ମୁନିଙ୍କ ‘ନାଟ୍ୟ ଶାସ୍ତ୍ରମ’ରେ ବର୍ଣ୍ଣନା କରାଯାଇଛି ଯେ ତ୍ରୈଲୋକବାସୀ ସମସ୍ତ ପ୍ରାଣୀମାନଙ୍କର କଲ୍ୟାଣ ନିମନ୍ତେ ନାଟକ ଉଦ୍ଦିଷ୍ଟ । ଏଥିରେ କେଉଁଠି ଧର୍ମ କେଉଁଠି ମୋକ୍ଷ, କେଉଁଠି ଅର୍ଥ ତ ଆଉ କେଉଁଠି କାମର ଅବତାରଣା କରାଯାଇଥାଏ । କ୍ରୀଡ଼ା, ହାସ୍ୟ, ଶ୍ରମ, ଯୁଦ୍ଧ ବଧାଦି ଯାବତୀୟ ଘଟଣା ନାଟକରେ ସ୍ଥାନିତ ହୋଇଥାଏ । ଧାର୍ମିକ, ବୀର, ବିଦ୍ଵାନ, କାମୀ, କ୍ରୋଧୀ, କ୍ଲୀବ, କୁଷ୍ଠୀ ମାନି ଓ ଧନୀ ଯେ ଯାହାର ବାଞ୍ଛିତ ଉପାଦାନ ନାଟକରୁ ଆହରଣ କରିଥାନ୍ତି-। ଭରତମୁନିଙ୍କ ଉକ୍ତି ଉଦ୍ଧାର କରି କହିଲେ-

 

‘‘ନାନା ଭାବୋପ ସଂପନ୍ନଂ ନାନାବସ୍ଥାନ୍ତରାତ୍ମକମ୍

ଲୋକ ବୃତ୍ତାନୁକରଣଂ ନାଟ୍ୟମେ ତନ୍ମୟାକୃତମ୍ (୪)’’

 

ନାନା ଭାବ ସଂଯୁକ୍ତ, ବିବିଧ ବ୍ୟବହାରର ଅନୁକୃତି ତଥା ଚାରିତ୍ରିକ ଓ ସାମାଜିକ ପ୍ରତିଫଳନରେ ଋଦ୍ଧିମନ୍ତ ନାଟକ ଉତ୍ତମ, ଅଧମ ଓ ମଧ୍ୟମ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପର ପ୍ରତିଫଳନ କରିଥାଏ । ସଂସ୍କୃତ ନାଟକରେ ତେଣୁ ପାତ୍ରମୁଖୀ ସଂଳାପ ସଂଯୋଜନା କରାଯାଇଛି । ରାଜା, ମନ୍ତ୍ରୀ, ବିଦ୍ଵାନ ସେନାଧ୍ୟକ୍ଷ ପ୍ରମୁଖ ଶୁଦ୍ଧ ବୌଦ୍ଧିକ ଭାଷାଯୁକ୍ତ ସଂଳାପ ଉଚ୍ଚାରଣ କରୁଥିବା ବେଳେ ଦୂତ, ଦ୍ଵାରୀ ଡଗର ଓ ରଜକ ଆଦି ପ୍ରକୃତ ଭାଷାରେ କଥାବାର୍ତ୍ତା ହୁଅନ୍ତି । ଭରତମୁନି ନାଟକର ସଂଜ୍ଞା ଏହିଭାବେ କରିଛନ୍ତି ।

 

(୫)      “ବିନୋଦକରଣଂ ଲୋକେ ନାଟ୍ୟମେଚଦଭବିଷ୍ୟତି ।

ବେଦସ୍ମୃତି, ସଦାଚାର ପରିଶେଷାର୍ଥ କଳ୍ପନମ୍ ।’’୧୧୬

 

ଅବସର ବିନୋଦନ ସଙ୍ଗେ ସଙ୍ଗେ ବେଦ, ଶ୍ରୁତି ଓ ସଦାଚାରର ପରିଶେଷାର୍ଥ କଳ୍ପନା ବିଳାସ ମଧ୍ୟ ଏଥିରେ ନିହିତ । ରାଜା, ଋଷି, ଦେବତା ଓ ଗୃହୀ ସମସ୍ତଙ୍କ କାର୍ଯ୍ୟାବଳୀର ଅନୁକରଣରେ ଯାହା ରଚିତ ତାହା ହିଁ ନାଟକ ନାମରେ ବିଦିତ । ପୁନଶ୍ଚ ଚାରି ବେଦରୁ ସାର ସଂଗ୍ରହ ପୂର୍ବକ ବ୍ରହ୍ମା ‘‘ସୃଜାପରଂ ବେଦଂ ପଞ୍ଚମଂ ସାର୍ବବର୍ଣ୍ଣକମ୍’’ ବୋଲି ନାଟ୍ୟଶାସ୍ତ୍ରମ୍‍ରେ କୁହାଯାଇଛି । (୬)

 

ପାଶ୍ଚାତ୍ୟ ନିଓ-କ୍ରିଟିସିଜମରେ ଯେଉଁ ଉପଦେଶ ଓ ଉପଭୋଗ Instruction and delight କଥା ଡ୍ରାଇଡ଼େନ୍ ବା ସଡ଼ନଙ୍କ ନାଟ୍ୟ ତତ୍ତ୍ଵରେ ଗୁରୁତ୍ଵ ଆରୋପ କରାଯାଇଛି, ତାର ଆଭାସ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରର ମିଳିଥାଏ । (୭) ତତ୍‍ସଙ୍ଗେ କଳ୍ପନା ବିଳାସ ଜ୍ଞାନ, ରସ ଓ ତତ୍ତ୍ଵ ପ୍ରତି ସେ ଗୁରୁତ୍ଵ ଆରୋପ କରିଛନ୍ତି । (୮) କଳ୍ପନା ସମସ୍ତ ସାରସ୍ଵତ ରଚନାରେ ସଂଯୋଗ ସୂତ୍ର ରୂପେ କଳାକୁ ସୁସଂହତ କରିଥାଏ । ଭାରତୀୟ ନାଟ୍ୟପରମ୍ପରାରେ ସ୍ଵାତନ୍ତ୍ର ନିହିତ । ଏଥିରେ ପୂଜାବିଧି, ଉପଚାର, ମନ୍ତ୍ର ଓ ଉପାସନାଦି ପ୍ରତି ଗୁରୁତ୍ଵ ଆରୋପ କରାଯାଇଥାଏ । ଅଲୌକିକତା, ବିଧି ବା ଐଶ୍ଵରିକ ନିୟନ୍ତ୍ରଣର ଗୁରୁତ୍ଵ ଆରୋପ କରାଯିବା ସଂଗେ ସଂଗେ ରସ ଓ ଭାବକୁ ଅଗ୍ରାଧିକାର ଦିଆଯାଇଛି ‘‘ରସ ଭାବାଦି ସଂଗ୍ରହମ୍’’ । (୯) ପୁନଶ୍ଚ କୁହାଯାଇଛି “ରସା ଭାବାହ୍ୟଭିନୟା ଧର୍ମବୃତ୍ତି ପ୍ରବୃତ୍ତୟଃ ।’’ (୧୦) ଏଗୁଡ଼ିକର ଏକତ୍ର ସମାବେଶକୁ ଭରତମୁନି ‘ସଂଗ୍ରହ’ ବୋଲି କହିଛନ୍ତି । ସ୍ଵର, ବାଦ୍ୟ, ରଙ୍ଗ, ଗାନ, ଭାବ, ରସ, ଧର୍ମ, ସିଦ୍ଧି, ବୃତ୍ତି, ପ୍ରବୃତ୍ତି ସବୁ ଏଇ ସଂଗ୍ରହର ପର୍ଯ୍ୟାୟଭୁକ୍ତ । ତେଣୁ ଏଥିରେ ଉଭୟ ଉପଦେଶ ଓ ଉପଭୋଗ ବ୍ୟତୀତ ଆହୁରି ଅନେକ ବିଷୟ ଅଙ୍ଗୀଭୂତ ।

 

ଭାରତୀୟ ପରମ୍ପରାରେ ନାଟକ ଏକ ମାଙ୍ଗଳିକ ଅଧିବାସ । ପୂଜା, ହୋମ, ଅର୍ଚ୍ଚନା ଏହାର ମୂଳପିଣ୍ଡ । ତେଣୁ ନାଟକର ପ୍ରାରମ୍ଭରେ ନାନ୍ଦୀ ଉତ୍ସବ ଏକ ସ୍ଵତନ୍ତ୍ର ବିଧିରେ ପାଳିତ ହୋଇଥାଏ । ଶିବଶକ୍ତି ଆରାଧନାକୁ ଅଗ୍ରାଧିକାର ଦିଆଯାଏ । (୧୧)

 

ଦେବଂ ବିଭୁଂ ତ୍ରିଭୁବନାଧିପତିଂ କୈଳାସ ପର୍ବତ ଗୁହାଭିରତମ ।

ଶୈଳେନ୍ଦ୍ର ରାଜ ତନୟା ଦୟିତଂ ମୂର୍ଦ୍ଧାନତୋଽସ୍କି ତ୍ରିପୁରାନ୍ତ କରମ୍ ।।

 

ବିଶ୍ଵନାଥ କବିରାଜ ନାନ୍ଦୀ ସଂପର୍କରେ କହନ୍ତି “ଆଶୀର୍ବଚନ ସଂଯୁକ୍ତା ସ୍ତୁତିର୍ଯସ୍ମାତ୍ ପ୍ରଯୁଜ୍ୟତେ । ଦେବଦ୍ଵିଜନ୍ମ ପାଦୀନାଂ ତସ୍ମାତ୍ ନାନ୍ଦୀତି ସଂଜ୍ଞତା ।’’ (୧୨) ଦେବ, ବିପ୍ର ଓ ନୃପାଦିଙ୍କ ସ୍ତୁତି ତଥା ଆଶୀର୍ବାଦ ଯେଉଁଠାରେ ପ୍ରଯୁକ୍ତ ହୁଏ ତାହାକୁ ନାନ୍ଦୀ କୁହାଯାଏ । ଶୁଦ୍ଧ ପୂର୍ବ ରଙ୍ଗରେ ଏହା ପୃଥୁଳାଗୀତି । ଉତ୍‍ଥାପନୀରେ କଳା ଓ କାଳର ସମନ୍ଵିତ ପ୍ରୟୋଗ କରାଯାଏ । ଏହାର ଉପୋହନ ଛଅମାତ୍ରା ବିଶିଷ୍ଟ । ଏଥିରେ ତିନିଗୋଟି ଲୟ, ତିନିଗୋଟି ଯତି, ଚାରୋଟି ପରିବର୍ତ୍ତନ, ଚାରୋଟି ସନ୍ନିପାତ, ତିନୋଟି ପାଣି ଓ ବତିଶଟି କଳିକାନ୍ଵିତ ହୋଇଥାଏ । ନାନ୍ଦୀ ପରି ଧ୍ରୁବା ମଧ୍ୟ ପ୍ରଥମେ ସମାହିତ ହୁଏ ଏବଂ ତହିଁରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଅଭିବନ୍ଦନା ତିନିପାଦରେ କରାଯାଏ । ଗୁରୁ ଲଘୁ ଭେଦରେ ତାହା ଗାନ କରାଯିବାର ବିଧି ରହିଛି । ବେଧ ବିକ୍ଷେପ ଓ ନିଷ୍କୟ ନାଟକର ଗୁରୁତ୍ଵପୂର୍ଣ୍ଣ ଉପଚାର । ତତ୍ପରେ ‘ପଥପଦୀ’ ଗମନ । ଏଥିରେ ଦିଗ ବନ୍ଦନା ଓ ଦିଗପାଳମାନଙ୍କୁ ନମସ୍କାର କରଯାଏ । ପ୍ରଥମେ ପୂର୍ବ ଦିଗାଧିପତି ଇନ୍ଦ୍ର, ଦକ୍ଷିଣ ତତ୍ପରେ ଦିଗପାଳ ଯମ, ପଶ୍ଚିମ ଦିଗପାଳ ବରୁଣ ଏବଂ ଶେଷରେ ଉତ୍ତରଦିଗାଧିପତି କୁବେରଙ୍କ ବନ୍ଦନା କରାଯାଏ । ତା ‘ପରେ ବାମ ପାଦରେ ବୋଧ ସମାହିତ ହୁଏ । ତତ୍ପରେ ଚତୁର୍ଥାକାର ପାଠ ଓ ବାଦ୍ୟଭାଣ୍ତ, ଜର୍ଜର, ସୂତ୍ରଧର ଓ ପାରିପାର୍ଶ୍ଵିକଙ୍କର ପରିକ୍ରମଣ ଓ ସ୍ତବପାଠ ଚତୁରଶ୍ରାଧୁବଗାନ ପରେ ସୂତ୍ରଧର ମଧ୍ୟମ ସ୍ଵରରେ ନାନ୍ଦୀପାଠ କରନ୍ତି । ଏହା ଆଠ କଳା ବିଶିଷ୍ଟ ଏବଂ ସ୍ଥାୟୀ, ସଞ୍ଚାରୀ, ଆରୋହୀ, ଅବରୋହୀ ଭେଦରେ ଚାରିପ୍ରକାର । ଏଥିରେ ବୀର, କରୁଣ, ରୌଦ୍ର, ଅଦ୍ଭୁତ, ବୀଭତ୍ସ ଓ ଭୟାନକାଦି ରସର ପ୍ରୟୋଗ ହୋଇଥାଏ । ପୂର୍ବରଙ୍ଗରେ ଉତ୍ଥାପନ, ପରିବର୍ତ୍ତନ , ପୁଷ୍ପାଳକଂରଣ ଓ ଗନ୍ଧର୍ବଗାନ ପରେ ପରେ ଦେବ ଦୁନ୍ଦୁଭିନାଦ ସଙ୍ଗେ ନର୍ତ୍ତକୀମାନେ ପୁଷ୍ପ ବିକ୍ଷେପ କରନ୍ତି । ଚିତ୍ର ପୂର୍ବ ରଙ୍ଗରେ ନାନ୍ଦୀଶ୍ଲୋକର ଆବୃତ୍ତି କରାଯାଏ । ଏଥିରେ ପୃଥକ୍ ଭାବେ ଅଙ୍ଗହାରାଦିର ପ୍ରୟୋଗ ହୁଏ ଏବଂ “ନାନ୍ଦୀ ପଦୈର୍ଦ୍ଵାଦାଶକ୍ତି ଇଷ୍ଟାଭିର୍ବାପ୍ୟଳଙ୍କୃତାମ୍ ସର୍ବ ଦେବଭ୍ୟୋଦ୍ଵିଜାତିଭ୍ୟଃ ଶୁଭଂ ତଥା ।’’ ବ୍ରାହ୍ମଣମାନେ ତତ୍କାଳୀନ ସମାଜରେ ପୂଜ୍ୟ ଥିଲେ । ତେଣୁ ସର୍ବତ୍ର ସେମାନଙ୍କ ବର୍ଣ୍ଣନା ରହିଛି । ଏଥିରେ କାବ୍ୟକର୍ତ୍ତା ସମାଜରେ ପୂଜ୍ୟ ଥିଲେ । ତେଣୁ ସର୍ବତ୍ର ସେମାନଙ୍କ ବର୍ଣ୍ଣନା ରହିଛି । ଏଥିରେ କାବ୍ୟକର୍ତ୍ତା ବା ନାଟ୍ୟକାରଙ୍କ ଯଶ, ଧର୍ମ, ମଙ୍ଗଳ ଓ ଅଭିବୃଦ୍ଧିର କାମନା ମଧ୍ୟ କରାଯାଏ । ନାଟକରେ ଅଷ୍ଟରସ, ପଞ୍ଚଧ୍ରୁବା ଓ ଅଷ୍ଟକଳାର ଅବତାରଣା କରାଯାଇଛି । ମାଗଧୀ ଅର୍ଦ୍ଧମାଗଧୀ, ସମ୍ଭାବିତା ଓ ପୃଥୁଳଚାରୀ ଗୀତି ଏବଂ ସ୍ଥାୟୀ , ସଂଚାରୀ ବ୍ୟଭିଚାରୀ ଓ ସାତ୍ତ୍ଵିକ ଭାବ ପ୍ରସଙ୍ଗ ନାଟ୍ୟଶାସ୍ତ୍ରରେ ବୟାନ କରାଯାଇଛି । ଆବନ୍ତୀ, ଦକ୍ଷିଣାତ୍ୟା, ଓଡ୍ର, ମାଗଧୀ, ଅର୍ଦ୍ଧମାଗଧୀ, ସମ୍ଭାବିତା ଓ ପୃଥୁଳଚାରୀ ଗୀତି ଏବଂ ସ୍ଥାୟୀ, ସଂଚାରୀ ବ୍ୟଭିଚାରୀ ଓ ସାତ୍ତ୍ଵିକ ଭାବ ପ୍ରସଙ୍ଗ ନାଟ୍ୟଶାସ୍ତ୍ରରେ ବୟାନ କରାଯାଇଛି । ଆବନ୍ତୀ, ଦକ୍ଷିଣାତ୍ୟା, ଓଡ୍ର. ମାଗଧୀ, ପାଞ୍ଚାଳୀ ଓ ମଧ୍ୟମାଦି ଏବଂ ମାନୁଷୀ ଓ ଦୈବିକୀ ନାମରେ ସିଦ୍ଧିର ବର୍ଣ୍ଣନା ମଧ୍ୟ ଅଛି । ସଂଗ୍ରହ, କାରିକା ଓ ନିରୂକ୍ତର ସଂଜ୍ଞା ମଧ୍ୟ ନିରୁପିତ ହୋଇଛି । ରସ, ଭାବ, ଧର୍ମ, ବୃତ୍ତି, ସିଦ୍ଧି, ସ୍ଵର, ରଙ୍ଗ, ବାଦ୍ୟ, ଗାନ, ଅଭିନୟାଦି ସମଗ୍ରହ । (୧୩) ସେହିପରି ସୂତ୍ରର ସଂକ୍ଷେପଣକୁ କାରିକା ଏବଂ ଆଭିଧାନିକ ତଥା ବ୍ୟାକରଣ ନିୟମ, ଅର୍ଥ ପ୍ରତ୍ୟୟାଦି ପ୍ରସାରଣ ବା ସଂକୋଚନ ପଦ୍ଧତିକୁ ନିରୂକ୍ତ କୁହାଯାଏ । ଏସବୁ ତଥ୍ୟ ଭରତ ମୁନି ନାଟ୍ୟଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି । (୧୪)

 

କେବଳ ଭରତଙ୍କ ନାଟ୍ୟତତ୍ତ୍ଵରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟିକ ପରମ୍ପରାରେ ରସ ଓ ଅଭିନୟ ଉପରେ ଗୁରୁତ୍ଵ ଆରୋପ କରାଯାଇଛି । ନାଟକରେ ଅଷ୍ଟ ରସର ପରିପ୍ରକାଶ ନିମନ୍ତେ ନାଟ୍ୟ ଶାସ୍ତ୍ରରେ କୁହାଯାଇଛି । ସେଗୁଡ଼ିକ ହେଲା:- ଶୃଙ୍ଗାର ହାସ୍ୟ କରୁଣା ରୌଦ୍ର ବୀର ଭୟାନକାଃ । ବୀରତ୍ସାଭୁତସଜ୍ଞୌ ଚେତ୍ୟଷ୍ଟୌନାଟ୍ୟେରସାସ୍ମୃତା ଦୃଶ୍ୟ କାବ୍ୟରେ ଏକରସ ଏକଭାବ ବା ଏକଦୃଷ୍ଟି ସମ୍ଭବ ନୁହେଁ । ଭାବ ଓ ରସାଦିର ପାରସ୍ପରିକ ସଂଘର୍ଷ ସଂଘାତରୁ ଅନ୍ୟାନ୍ୟ ରସ ଉଦ୍ଭବ ଘଟି ଦର୍ଶକ ଚିତ୍ତରେ ଅନୁରାଗ, ଆଗ୍ରହ, ଉଦ୍ଦୀପନାଦି ଜନ୍ମାଇଥାଏ । (୧୫)

 

ନାଟ୍ୟଶାସ୍ତ୍ରରେ ‘ଅଭିନୟ ଶବ୍ଦର ବ୍ୟୁତ୍ପତ୍ତି ମଧ୍ୟ କରାଯାଇଛି । ‘ଅଭି’ ଉପସର୍ଗରୁ ଉତ୍ତର’ ନୀ ‘ଧାତୁର ‘ଅଚ୍’ ପ୍ରତ୍ୟୟ ଯୋଗକଲେ ଅଭିନୟ (୧୬) ଶବ୍ଦ ବ୍ୟୁତ୍ପନ୍ନ ହୁଏ । ଅଭିନୟର ଅର୍ଥ ଧାରଣ କରିବା ବା ପହଞ୍ଚାଇବା । ନାଟକର ସମସ୍ତ ସ୍ଵରୂପ ଅଭିନୟରେ ରୂପାୟିତ ହୁଏ ବୋଲି ଏହାକୁ ଅଭିନୟ କୁହାଯାଇଛି । (୧୭) ଏହାକୁ ଅଭିନୟ କହିବାର ଅନ୍ୟ କାରଣ ହେଲା, ଏହା ଦ୍ଵାରା ନାଟକର ବିବିଧ ପ୍ରୟୋଗ ପୁଷ୍କଳଭାବେ ପରିସ୍ଫୁଟ ହୋଇଥାଏ । ତେଣୁ ଅଭିନୟ ନାଟକର ପ୍ରାଣ ବା ଆତ୍ମା ସ୍ଵରୂପ । ନାଟ୍ୟଶାସ୍ତ୍ରରେ ଚାରିପ୍ରକାର ଅଭିନୟ କଥା କୁହାଯାଇଛି । (୧୮) ସେଗୁଡ଼ିକ ହେଲା ଆଙ୍ଗିକ ବାତ୍ୟିକ, ଆହାର୍ଯ୍ୟ ଓ ସାତ୍ତ୍ଵିକ । ପ୍ରତ୍ୟେକରେ ପୁଣି ବୈଶିଷ୍ଟ୍ୟ ରହିଛି । ପ୍ରତ୍ୟେକର ଉପବିଭାଗ ମଧ୍ୟ ରହିଛି । ନାଟ୍ୟଶାସ୍ତ୍ରରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଛି । ବିବିଧ ଅଙ୍ଗଭଙ୍ଗୀ, ଶିରତାଡ଼ନ, ଉଚ୍ଚାରଣ ଆଦି ଦ୍ଵାରା ଅଭିନୟର ବହୁଦିଗ ଉଦଘାଟିତ ହୁଏ । ଶିର ଦ୍ଵାରା ୧୩ ପ୍ରକାର ଅଭିନୟ ସଂପାଦିତ ହୁଏ । ଧୃତ, ବିଧୃତ, ଉଦ୍ଦାହିତ, କମ୍ପିତ, ଆକମ୍ପିତ, ଆଦି ଶିର ଅଭିନୟର ଅନ୍ତର୍ଗତ । ଅଭିନୟ ମାଧ୍ୟମରେ ରସ ସୃଷ୍ଟି କରାଯାଇଥାଏ । ନୃତ୍ୟ ମଧ୍ୟ ଅଭିନୟର ମୁଖ୍ୟ ଅଂଶ । ତେଣୁ ‘ଓଡ଼ିଶୀ’ ବା ‘ଭାରତ ନାଟ୍ୟମ୍’ ଅବିନୟରେ ହିଁ ପରିପୃକ୍ତ ହୋଇଥାଏ । ‘ଓଡ଼ିଶୀ’ରେ ଯେଉଁ ‘ପଲ୍ଲବୀ’, ‘ମଙ୍ଗଳା ଚରଣ’ ଆଦି ରହିଛି ତହିଁରେ ନର୍ତ୍ତକୀ ଅଭିନୟ ପାଟବରେ ହିଁ ବିଭିନ୍ନ ରସର ଅବତାରଣା କରିଥାଏ । ତେଣୁ ପ୍ରାଚୀନ ନାଟକରେ ନୃତ୍ୟ ଓ ଗାନ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯାଉଥିଲା । ନାଟ୍ୟଶାସ୍ତ୍ରରେ ୩୬ ପ୍ରକାର ଦୃଷ୍ଟି ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି । ଭୂପ୍ରକ୍ରିୟାକୁ ସହଜ, ରସଜ ଓ ଭାବଜ ଅତ୍ୟାଦି ଭାବେ ବର୍ଣ୍ଣନା କରାଯାଇଛି । ତାହା ପୁଣି ବିବିଧ ଡୋଳାର ଚାଳନା ୯ ପ୍ରକାର । ଅସୂୟା, ବେଦନା, କ୍ରୋଧ, ହାସ୍ୟ, ପ୍ରେମ, କମ୍ପନ ଓ ଘୃଣାଦି ଭିନ୍ନ ଭିନ୍ନ ଭାବେ ଅଧରରେ ପ୍ରତିଫଳିତ ହୋଇଥାଏ । ତେଣୁ ତାହାର ଭିନ୍ନ ଭିନ୍ନ ନାମକରଣ କରାଯାଇଛି । ଗ୍ରୀବାକର୍ମ ମଧ୍ୟ ୯ ପ୍ରକାରର । ସେହିପରି ହସ୍ତ, କଟି, ଉରୁ, ପାର୍ଶ୍ଵ, ଉଦର, ଜଙ୍ଘ ଓବଂ ପାଦର କର୍ମ ଓ ଲକ୍ଷଣମାନ ଭିନ୍ନ ଭାବେ ବୟାନ କରାଯାଇଛି । ହସ୍ତଦ୍ୱାରା ୩୭ ପ୍ରକାର ଅଭିନୟ ମଧ୍ୟରୁ ସଂଯୁକ୍ତ ହସ୍ତରେ ୧୩ ପ୍ରକାର ଓ ଅସଂଯୁକ୍ତ ହସ୍ତରେ ୨୪ ପ୍ରକାର ଅଭିନୟ ସଂପାଦିତ ହୁଏ । ନୃତ୍ୟ ସମୟରେ ହସ୍ତରେ ସମାହିତ ଅଭିନୟ ମଧ୍ୟରେ ପତାକା, ତ୍ରିପତାକା, ବାଳଚନ୍ଦ୍ର, ଅର୍ଦ୍ଧଚନ୍ଦ୍ର, ଅରାଳ ଇତ୍ୟାଦି । ବେଣୀ ବନ୍ଧନ ବା ଚିରିପା ମଧ୍ୟ ଅବିନୟ ଅନ୍ତର୍ଗତ । ହସ୍ତର ବିବିଧ ମୁଦ୍ରା ଅଭିନୟରେ ପ୍ରଦର୍ଶିତ ହୁଏ । ନୃତ୍ୟ କ୍ରିୟାରେ ଅଙ୍ଗଚାଳନା ସାଧାରଣତଃ ତିନି ପ୍ରକାରର—ଉତ୍ତାନ, ପାର୍ଶ୍ଵଗ ଓ ଅଧୋମୁଖ । ପକ୍ଷାନ୍ତରେ, “ପାଞ୍ଚ ପ୍ରକାର ହସ୍ତସ୍ୟ ନାଟ୍ୟନୃତ୍ୟ ସମାଶ୍ରୟାଃ “। ଏଗୁଡ଼ିକ ହେଲା ଉତ୍ତାନ, ବର୍ତ୍ତୁଳ, ତ୍ର୍ୟସା , ସ୍ଥିତ ଓ ଅଧୋମୁଖ । ସେହିପରି ଉରୁ, କର୍ମ, କମ୍ପନ, ବଳନ, ସ୍ତନ ଉଦ୍ଦର୍ତ୍ତନ ଓ ବିବର୍ତ୍ତନ ପାଦର ଅନୁରୂପ ପଞ୍ଚକର୍ମ କଥା କୁହାଯାଇଛି । ସେଗୁଡ଼ିକ ଉଦ୍‍ଘାଟିତ ସମ, ଅଗ୍ରଚଳ, ସଞ୍ଚର, ଅଞ୍ଚିତ ଓ କୁଞ୍ଚିତ ।

 

ଚାରି ନାଟକର ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ ଯଦ୍ଵାରା ନାଟକ ବିସ୍ତାରଲାଭ କରେ । ବିବିଧ ଅସ୍ତ୍ର ପ୍ରୟୋଗ ଓ ଯୁଦ୍ଧ ବିଗ୍ରହାଦି ଚାରିଦ୍ଵାରା ଅଭିନୀତ ହୋଇଥାଏ । (୧୮) ଭୌମି ଓ ଆକାଶିକା, ଭେଦରେ ଚାରି ଦ୍ଵିବିଧ । ଉଭୟ ପୁଣି ଷୋଳ ପ୍ରକାରର । ସେହିପରି ମନୁଷ୍ୟର ଛଅ ପ୍ରକାର ଅବସ୍ଥାନ ଭଙ୍ଗୀ ସମ୍ପର୍କରେ ଭରତମୁନି ଆଲୋଚନା କରିଛନ୍ତି । ସେଗୁଡ଼ିକ ହେଲା, ବୈଷ୍ଣବ, ସମପାଦ, ବୈଶାଖ, ମଣ୍ଡଳ, ପ୍ରତ୍ୟାଲୀଢ଼ ଓ ଆଲୀଢ଼ । ଏହା ମୁଖ୍ୟତଃ ପାଦର ଅବସ୍ଥିତିରୁ ଗ୍ରହଣ କରାଯାଇଥାଏ । ଉଦାହରଣ ସ୍ଵରୂପ ସଙ୍ଗୀତ ରତ୍ନାକର । ଯୁଦ୍ଧକ୍ଷେତ୍ରରେ ଅଶ୍ଵଚାଳନା ଓ ଅଶ୍ଵକୁ ଗୋଇଠି ଦ୍ଵାରା ଆଘାତ କରି ଦ୍ରୁତଗାମୀ କରାଇବା ଇତ୍ୟାଦିରେ ଏହି ଅବସ୍ଥାନ ଭଙ୍ଗୀ (ବୈଶାଖ ସ୍ଥାନ) ନିରୂପିତ ହୋଇଥାଏ । ସେଥିରେ ମଧ୍ୟ ପାଦଦ୍ଵୟର ଅନ୍ତର ଏକତାଳ ଓ ଉରୁଦ୍ଵୟର ବ୍ୟବଧାନ ଅଢ଼େଇ ଚାଳ ଥିବା କଥା କୁହାଯାଇଛି । ଏ ସଂପର୍କରେ ଅଭିନବ ଗୁପ୍ତ ଓ ଶାଙ୍ଗଦେବ ସହମତ ହୋଇଛନ୍ତି । କିନ୍ତୁ ଭରତଙ୍କ ମତରେ ଏହି ପାଦ ଚାରିତାଳ ରହିବ ଓ ଜଡ଼ମୁହାଁ ହୋଇ ତ୍ର୍ୟସା ହେବ । କଟି ଓ ଜାନୁ ସମଭାବେ ଅବସ୍ଥାନ କରିବ । ଏହାର ନାମ ମଣ୍ଡଳ ଓ ଇନ୍ଦ୍ରମଣ୍ଡଳର ଅଧିଷ୍ଠାତା ହେବ । ଏହାର ପ୍ରୟୋଗ ଧନୁ, ବଜ୍ର ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ରାଦି କ୍ଷେପଣ ଏବଂ ହସ୍ତୀ ଆରୋହଣ ସମୟରେ ବା ବୃହତ୍ ପକ୍ଷୀ ଅବଲୋକନ ବେଳେ କରାଯିବ । ସେହିପରି ଶସ୍ତ୍ର କ୍ଷେପଣ ବିଦ୍ଧିକୁ ପ୍ରୟୋଗ ଓ ନ୍ୟାୟ ବୋଲି କୁହାଯାଇଛି । ‘ସଂଗୀତ ରତ୍ନାକର’ରେ ନ୍ୟାୟର ସ୍ଵରୂପ ନିର୍ଦ୍ଧାରଣ କରାଯାଇଛି । (୧୯) ଶସ୍ତ୍ରରେ ଶତ୍ରୁକୁ ବାରଣ କରିବା ଓ ନିଜ ଶସ୍ତ୍ରକୁ ଉପରକୁ ନିକ୍ଷେପ କରିବାବେଳେ ଶରୀରର ବିଭିନ୍ନ ଆବର୍ତ୍ତିତ ଅବସ୍ଥାନ ହିଁ ନ୍ୟାୟ । ନ୍ୟାୟ ଚତୁର୍ବିଧ-ଭାରତ, କୌଶିକ, ସାତ୍ତ୍ଵତ ଓ ବାର୍ଷଗଣ । ଭାରତ ନ୍ୟାୟରେ କଟିଚ୍ଛେଦ, ସାତ୍ତ୍ଵତରେ ପାଦଚ୍ଛେଦ, ବାର୍ଷଗଣରେ ବକ୍ଷଚ୍ଛେଦ ଓ କୌଶିକ ନ୍ୟାୟରେ ଶିରଚ୍ଛେଦ ବିଧି ଅଛି । ଅଭିନୟରେ କେତେକ ବାରଣ ଅଛି । ରକ୍ତପାତ, ଛେଦନ ଓ ଅତ୍ୟଧିକ ଆଘାତକୁ ଭରତ ନିଷିଦ୍ଧ କରିଛନ୍ତି । ସେହିପରି ବ୍ୟାୟାମରେ ଯେପରି ଖାଦ୍ୟ, ମାଂସ, ରସ ଓ ପାନକ ବିଧି ଥିବା ସ୍ଥଳେ କ୍ଲାନ୍ତ, କ୍ଷୁଧାର୍ତ୍ତ, ଅଶୌଚ, ଅତ୍ୟଧିକ ଆହାର କରିଥିବା ବ୍ୟକ୍ତି ବା ନିଶାସକ୍ତ ବ୍ୟକ୍ତିକୁ ବାରଣ କରାଯାଇଛି । ଆଜି ଅଲମ୍ପିକ ବା ଅନ୍ୟାନ୍ୟ ଆନ୍ତର୍ଜାତୀୟ, ଆନ୍ତର୍ମହାଦେଶୀୟ ପ୍ରତିଯୋଗୀତାରେ ନିଶା ସେବନ କରି କ୍ରୀଡ଼ା ବା ବ୍ୟାୟାମ କରିବାକୁ କଡ଼ାକଡ଼ି ଭାବେ ବେଆଇନ୍ ଘୋଷଣା କରାଯାଇଛି । ପ୍ରାଚୀନ ଭାରତୀୟ ପରମ୍ପରାରେ ଏ ବିଧି ଥିବା କଥା ନାଟ୍ୟଶାସ୍ତ୍ରରୁ ପ୍ରମାଣ ମିଳୁଛି । (୨୦)

 

ଏକାଧିକ ଚାରୀର ସଂଯୋଗରେ ‘ମଣ୍ଡଳ’ ଜାତହୁଏ । ‘ଆକାଶ’ ଓ ‘ଭୌମ’ ଭେଦରେ ମଣ୍ଡଳ ଦ୍ଵିବିଧ । ସେ ସବୁ ପୁଣି ବହୁଧା ବିଭକ୍ତ । କେଉଁ ପାଦରେ କେଉଁ ମଣ୍ଡଳ ସମାହିତ ହେବ ତାହାର ବିଧି ନିର୍ଦ୍ଦେଶିତ ହୋଇଛି । ଚାରୀ ଓ ମଣ୍ଡଳ ପରି ସମଚାରୀରୁ ‘ସମମଣ୍ଡଳ’ ଉଦ୍ଭବ ହୋଇଥାଏ । ଏହି ‘ଖଣ୍ଡ’ ଓ ‘ମଣ୍ଡଳ’ ଗୁଡ଼ିକ ଯୁଦ୍ଧ ଓ ଦ୍ଵନ୍ଦ୍ୱାଦିରେ ପ୍ରଯୁକ୍ତ ହୁଏ । ଏଗୁଡ଼ିକ ଲୀଳା ସମନ୍ଵିତ ଓ ଅଭିନୟର ପରିପୂରକ ଅଙ୍ଗଚାଳନା, ଲଳିତ, ମଧୁର, କମ୍ର ସୁନ୍ଦରଭାବେ ବାଦ୍ୟଯନ୍ତ୍ରର ତାଳେ ତାଳେ ଅନୁଗାମୀ ହେଲେ ଦର୍ଶକମାନଙ୍କ ପ୍ରୀତିବର୍ଦ୍ଧନ କରିଥାଏ । ତଦ୍ଵାରା ନାଟକର ପରିପୂର୍ତ୍ତି ଘଟିଲା ବୋଲି ବିଶ୍ଵାସ କରାଯାଇଥିଲା । ତେଣୁ ଅଷ୍ଟରସର ଅବତାରଣା ନାଟ୍ୟଶାସ୍ତ୍ରରେ କରାଯାଇଛି । କରୁଣରସ ଖୁବ୍ ଶୀଘ୍ର ପ୍ରଭାବ ପକାଇ ଦର୍ଶକକୁ ଅଭିଭୂତ କରିପକାଏ । ଭୟାନକ, ଅଦ୍ଭୁତ, ବୀର ଓ ହାସ୍ୟରସର ଯଥେଷ୍ଟ ପ୍ରଭାବ ରହିଛି । ‘ଶୃଙ୍ଗାର’ ରସ ସମ୍ମୋହିତ କରେ । ତେଣୁ ନାଟ୍ୟକାର ରସ ସମ୍ପର୍କରେ ଢେର ସଚେତନଥାନ୍ତି ।

 

ଅଙ୍ଗନ୍ୟାସ ନାଟ୍ୟାଭିନୟର ମୁଖ୍ୟଦିଗ । ଭରତ ମୁନି ବିଭିନ୍ନ ଅଙ୍ଗନ୍ୟାସର ସୂଚନା ଦେଇଛନ୍ତି । ସଙ୍ଗୀତ, ନୃତ୍ୟ ଓ ଅଭିନୟର ସମାହାରରେ ନାଟକ ପୂର୍ଣ୍ଣତା ଲାଭକରେ । ଭାରତୀୟ ନାଟକର ନିଜସ୍ଵ ପରମ୍ପରା ଓ ମୌଳିକତାର ବୈଶିଷ୍ଟ ସ୍ଵୀକୃତ । ଏହା ଅଭିନୟ ପ୍ରଧାନ, ପରମ୍ପରା, ନୀତିନିଷ୍ଠତା, ସାମାଜିକ ପ୍ରବିଧି, ଆଚାର ଆଚରଣ ଓ ସାଂସ୍କୃତିକ ବିକାଶ ଉପରେ ପର୍ଯ୍ୟବସିତ । ଏହାର ଉଚ୍ଚ ସାହିତ୍ୟିକ ମୂଲ୍ୟ ଅଛି ଓ ଉଚ୍ଚାଙ୍ଗ କାବ୍ୟ ଉତ୍କର୍ଷରେ ତାହା ଋଦ୍ଧିମନ୍ତ । ଏଥିରେ ଯେପରି ମନୋରଞ୍ଜନ ଉପାଦାନ ପରିପୂର୍ଣ୍ଣ ସେହିପରି ନୀତି, ନିଷ୍ଠା, କର୍ତ୍ତବ୍ୟ ପରାୟଣତା, ଧର୍ମୀୟ ଓ ଆଧ୍ୟାତ୍ମିକତାଦି ଭରପୂର । ଅନ୍ୟଭାଷାରେ କହିଲେ; ଧର୍ମ, ଅର୍ଥ, କାମ, ମୋକ୍ଷାଦି ଚତୁଃବର୍ଗ ଫଳଠାରୁ ଶମ, ଭେଦ, ଦଣ୍ଡ ଓ ନ୍ୟାୟାଦିର ବିଶଦ ବର୍ଣ୍ଣନା ନାଟକରେ ବିଦ୍ୟମାନ । ପ୍ରାଚୀନ ନାଟକ ଓ କାବ୍ୟ ମଧ୍ୟରେ ପ୍ରାୟ ବ୍ୟବଧାନ ନ ଥିଲା । ଏବେ ମଧ୍ୟ ଗଳ୍ପ ଉପନ୍ୟାସରେ ସଂଳାପ ବ୍ୟବହୃତ ହୋଇ ନାଟକର ନିକଟତର ହେଉଛି । ସୁତରାଂ ନାଟକରେ ବୈଜ୍ଞାନିକ, ବୈଷୟିକ ପ୍ରଭାବଠାରୁ ସାହିତ୍ୟିକ, ଆଧ୍ୟାତ୍ମିକ, ଦାର୍ଶନିକ, ମନସ୍ତାତ୍ତ୍ଵିକଆଦି ସକଳ ଧାରାର ପ୍ରବାହ ପରିସ୍ଫୁଟ । ଯଥାର୍ଥରେ କୁହାଯାଇଛି ନାଟକ ଏକ ମିଶ୍ର କଳା । ନାଟକରେ ପ୍ଲଟ ବା କଥାବସ୍ତୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି । ଫୋଷ୍ଟର ସହଜଭାବେ କହନ୍ତି “a plot is also a narratvive of events the emphasis falling on causality” । କିନ୍ତୁ ଏହା ରହସ୍ୟ ଘନଛାୟାୟିତ ଅଭେଦ ଓ ଏହାର ତିନିଭାଗ ବରଫ ଖଣ୍ଡ ପରି ପାଣି ଭିତରେ ଲୁକ୍କାୟିତ ରହେ । ଯଦିଓ ମାତ୍ର ଏକ ଚତୁର୍ଥାଂଶ ଦେଖିହୁଏ । ପ୍ଲଟମଧ୍ୟରେ ପ୍ରକ୍ରିୟା ତେଣୁ ସୁସଂହିତ ସଂକ୍ଷିପ୍ତ ଓ ଶାଣିତ ହେବା ବିଧେୟ । ଜର୍ମାନ ସମାଲୋଚକ Gustav freyatagଙ୍କ ମତରେ ପ୍ଲଟର ଏକ ପିରାମିଡ଼ୀୟ ଗଠନ ରହିଛି । ତାହା ଆରୋହ ପ୍ରକ୍ରିୟା (rising action), ଅନ୍ତିମ ପର୍ଯ୍ୟାୟ (Climax)ରୁ ଅବରୋହପ୍ରକ୍ରିୟା (Falling action)କୁ ପ୍ରତ୍ୟାବର୍ତ୍ତନ କରେ । ଆରୋହ ପ୍ରକ୍ରିୟାରେ ନାଟକ ଚରମ ସୀମାରେ ପହଞ୍ଚିଯାଏ କିନ୍ତୁ ବିପରୀତ ପ୍ରକ୍ରିୟାରେ ତାହା ନିମ୍ନଗାମୀ ହୋଇ ପତନ ଦେଖେ । ବିପର୍ଯ୍ୟୟ ‘catastriphe’ ବା ଏଇ ପତନର ଚରମ ପରିଣତି । ଶେଷ ଅଂଶ ହେଉଛି ରହସ୍ୟ ମୋଚନ ‘denoucment’ ବା । ପ୍ଲଟ ତେଣୁ ଏକ ନିର୍ଦ୍ଧିଷ୍ଟ ଧାରାରେ ଏକ ଶୃଙ୍ଖଳା ମଧ୍ୟରେ ଉର୍ଦ୍ଧ୍ଵଗାମୀ ହୁଏ ଓ ଶୀର୍ଷରେ ପହଞ୍ଚିବା ପରେ ନିମ୍ନକୁ ଖସିଆସେ । ପ୍ଲଟଗଠନ କଷ୍ଟକର ଓ କୌଶଳପୂର୍ଣ୍ଣ ବ୍ୟାପାର; ଯାହା ଲେଖକଙ୍କ ଦକ୍ଷତା ଉପରେ ନିର୍ଭର କରିଥାଏ । ହୁଏତ ତାହା ଭାରତୀୟ କାବ୍ୟ ପ୍ରବଧି ଭେଦରେ ଆଶୀଃ ନମସ୍କ୍ରିୟା ବସ୍ତୁନିର୍ଦ୍ଦେଶ ଏବବା “ଢଙ୍ଗରେ ଗଢ଼ି ଉଠିପାରେ ବା ଆଧୁନିକ ଫ୍ଲାସବ୍ୟାକ୍ ପଦ୍ଧତିରେ ବିକାଶ ଲାଭ କରିପାରେ । ଯେକୌଣସି ଖିଅଧରି ନାଟ୍ୟକାର ପ୍ଲଟ୍ ଗଢ଼ଣ କରିପାରନ୍ତି । ମାକବେଥ୍ ନାଟକର ପିଶାଚୀମାନଙ୍କ ଭୌତିକ ଗୀତ ‘Fair is Faul and Faul Fair’ ହୁଏତ ନାଟକର ଥିମ୍‍କୁ ଉତ୍ତୀର୍ଣ୍ଣ ହୋଇଯାଇଛି । ସିଂହାସନ ଆରୋହଣ କରି ମ୍ୟାକବେଥ ଶୀର୍ଷକୁ ଉଠିଯାଇଛି । ତା’ପରେ ଆରମ୍ଭ ହେଇଛି ପତନ ଓ ପରିଣତିରେ lady Macbethଙ୍କ ଶୋଚନୀୟ ମୃତ୍ୟୁ । ଜୀବନସଂପର୍କରେ ସେକ୍ସପିଅରଙ୍କ ବଳିଷ୍ଠ କବିତା: ଜୀବନ ଏକ ଦୀପଶିଖା, ଚଳମାନବାଡ଼ି ଏବଂ ‘a tale told by an idiot fall of sound and furry signifying nothing.’

 

ଟ୍ରାଜେଡ଼ିର ଆକାର ବା ‘magnitude’ ସମ୍ପର୍କରେ ପୋଏଟିକ୍‍ରେ ସୂଚନା ଦିଆଯାଇଛି, ଯାହାକୁ ସେ ‘right size’ ବୋଲି କହିଛନ୍ତି । ଆଉ ଟିକିଏ ସହଜ ଭାବେ କହିଲେ, ଏ ଉପଯୁକ୍ତ ଆକାରର ଅର୍ଥହେଲା ନାଟକର ବିଷୟବସ୍ତୁ—ନାୟକର ଦୁର୍ଭାଗ୍ୟରୁ ସୌଭାଗ୍ୟ ପର୍ଯ୍ୟନ୍ତ ଅଥବା ବିପରୀତ ପ୍ରକ୍ରିୟାରେ ସମସ୍ତ ଘଟଣାକୁ ଯେପରି ମଞ୍ଚସ୍ଥ କରିହେଉଥିବ । ଦର୍ଶକ ଧୈର୍ଯ୍ୟର ସହ ଅପେକ୍ଷା କରିପାରୁଥିବ ଅଭିନୟ ଶେଷ ହେବାଯାଏ । ମଣିଷର ସ୍ମୃତିରେ ଧରିହେବା ପରି ବିଷୟବସ୍ତୁ ତହିଁରେ ସ୍ଥାନ ପାଇବା ବିଧେୟ । ମୋଟାମୋଟି ୨୪ ଘଣ୍ଟାକୁ ଭାରତୀୟ ନାଟ୍ୟ ପରମ୍ପରାରେ ସର୍ବୋଚ୍ଚସମୟ ସୀମା ରୂପେ ଧାର୍ଯ୍ୟ କରାଯାଇ ୧୦ରୁ ୫ ଅଙ୍କ ମଧ୍ୟରେ ସୀମାବଦ୍ଧ କରାଯାଇଥିଲା । ଏହାର ସଂହତି ସମ୍ପର୍କରେ ଆରିଷ୍ଟଟଲ୍ କହନ୍ତି: “The end of tragedy is a unity of action-their size must be functionally appropriate to that end.” ଏଥିରେ କିଛି ଧରାବନ୍ଧା ଆକାର କଥା ଉଲ୍ଲେଖ ନଥିଲେ ବି ତାହା ଅତି କ୍ଷୁଦ୍ର ବା ଅତି ତିମିଙ୍ଗିଳ ନ ହୋଇ ଭାରସାମ୍ୟ ରକ୍ଷାକରିବା କଥା ସୂଚନା ଦିଆଯାଇଛି । ଭରତଙ୍କ ମତରେ ୧୬୦୦୦ ଧାଡ଼ିରେ ନାଟକ ସୀମିତ ରହିଲେ ଭଲ । ଏହା ସମୟକ୍ରମେ ପରିବର୍ତ୍ତିତ ହେଉଛି । ଆମର ମାନସିକ ସଙ୍କୋଚନ, ସାମାଜିକ ପରିବର୍ତ୍ତନ, ରୁଚି ଓ ଜୀବନଚର୍ଯ୍ୟାର ବିବର୍ତ୍ତନ ତଥା ବ୍ୟସ୍ତମୁଖର ଅବସ୍ଥା ହେତୁ ବେଦ ବା ଅନୁରୂପଗ୍ରନ୍ଥମାନଙ୍କୁ ସାର ସଂକ୍ଷିପ୍ତ କରାଯାଉଛି । ଭାଗବତରେ ଅଷ୍ଟାଦଶ ପୁରାଣ ଓ ଉପନିଷଦକୁ ପ୍ରକ୍ଷେପ କରାଗଲା ସରଳ ନିରାଡ଼ମ୍ବର ଭାବରେ । ମହାକାବ୍ୟ ଓ କାବ୍ୟ ସ୍ଥାନରେ ଖଣ୍ଡବାକ୍ୟ ବା କବିତା ଓ କ୍ଷୁଦ୍ରଗଳ୍ପ ସବୁ ଲେଖାହେଲା ମଣିଷର ସମୟ ସ୍ଵଳ୍ପତା ଓ ବ୍ୟସ୍ତମୁଖର ଜୀବନ ପ୍ରବାହକୁ ବିଚାରକରି । ନାଟକ ସଙ୍ଗେ ଜୀବନର ନିବିଡ଼ ସଂପର୍କ ଥିବା ସତ୍ତ୍ଵେ ଏହା ପରିବର୍ତ୍ତିତ ସମୟ ସଙ୍ଗେ ସମତାଳରେ ଗତି କରିବାଛଡ଼ା ଗତ୍ୟନ୍ତର ନାହିଁ । ତେଣୁ ସେକ୍ସପିୟର ଯୁଗର ସେ ୫ ଅଙ୍କର ନାଟକ ସ୍ଥାନରେ ୩ଅଙ୍କ ଓ ତା’ ପରେ ଏକାଙ୍କିକା ସୃଷ୍ଟି ହୋଇଛି । ହୁଏତ ରାମାୟଣ, ମହାଭାରତ ପରି ସୁଦୀର୍ଘ ଟେଲିଫିଲ୍ମକୁ ଯଥାସମ୍ଭବ ଭାଗ ଭାଗ କରାଯାଇ ଦର୍ଶକମାନଙ୍କ ମନସ୍ତାତ୍ତ୍ଵିକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ତେଣୁ ଯୁଗ ରୁଚି ଓ ଜୀବନଚର୍ଯ୍ୟାର ପରିବର୍ତ୍ତିତ ଘୂର୍ଣ୍ଣନରେ ନାଟକର ଚେହେରା ବଦଳି ବଦଳି ଚାଲିଛି । ଦିନରାତି ଏକାଦିକ୍ରମେ ବସି ନାଟକ ଦେଖିବାରେ ମାନସିକ ପ୍ତସ୍ତୁତି ବା ସାମର୍ଥ୍ୟ ଆଜିର ଦର୍ଶକର ନାହିଁ । ଖାଲି ପ୍ଲଟ୍ ବା ନାଟକର ଆକୃତିକି ଯେ, କୃଶ୍ କରାଯାଇଛି, ତାହା ନୁହେଁ; ଦୀର୍ଘବାକ୍ୟ ବଦଳରେ ସଂକ୍ଷିପ୍ତ ଓ ସୂଚନାତ୍ମକ ସଂଳାପ ମଧ୍ୟ ସ୍ଥାନପାଇଛି । ଆରିଷ୍ଟଟ୍ଲ ବହୁସୁଦୂର ପ୍ରସାରୀ ଚିନ୍ତାପୋଷଣ କରି ଏସମ୍ପର୍କରେ ନମନୀୟ ମନୋଭାବ ଗ୍ରହଣ କରି ଉପଯୁକ୍ତ ଆକାର ବୋଲି କହିଛନ୍ତି । ଯାହାସବୁ ସମୟ ସକାଶେ ଉପଯୋଗୀ ।

 

ପ୍ଲଟ ନୋଟ୍

(୧)

ବିଶ୍ଵନାଥ କବିରାଜ ସାହିତ୍ୟ ଦର୍ପଣ-ଷଷ୍ଠ ପରିଚ୍ଛେଦ –ପୃ-୩୮୬, ଓଡ଼ିଆ ସାହିତ୍ୟ ଏକାଡେମୀ, ଭୁବନେଶ୍ଵର – ୧୯୭୫

(୨)

ନାଟକଂ ଖ୍ୟାତ ବୃତ୍ତଂ ସ୍ୟତ୍ ପଞ୍ଚସନ୍ଧି ସମନ୍ଵିତମ୍ । ବିଳାସର୍ଦ୍ଧ୍ୟାଦି ଗୁଣବଦ୍ ଯୁକ୍ତ ନାନୀ ବିଭୁତିଭିଃ ।

(୩)

ସୁଖ ଦୁଃଖ ସମଦଭୂତି ନାନାରସ ନିରନ୍ତରମ୍ । ପଞ୍ଚାଦିକା ଦଶପରାସ୍ତତ୍ରାଙ୍କାଃ ପରିକୀର୍ତ୍ତିତାଃ । ସାହିତ୍ୟ ଦର୍ପଣ- ପୃ ୩୮୯

(୪)

ଶ୍ରୀ ଭରତ ମୁନି ପ୍ରଣୀତମ୍ ‘ନାଟ୍ୟଶାସ୍ତ୍ରମ୍’ –ପ୍ରଥମ ଭାଗ –ଦ୍ଵିତୀୟ ସଂସ୍କରଣ- ପୃଷ୍ଠା -୧୫, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର-୧୯୮୬

(୫).

ନାଟ୍ୟଶାସ୍ତ୍ରମ୍ –ପୃଷ୍ଠା-୧୬ (୨୨)ନାଟ୍ୟଶାସ୍ତ୍ରମ୍ –ପୃଷ୍ଠା -୩

(୬)

‘‘ନାଟ୍ୟବେଦଂ ତତଶ୍ଚକ୍ରେ ଚତୁର୍ବେଦାଙ୍ଗ ସମ୍ଭବମ୍ ।’’

(୭)

‘‘ବିନୋଦ କରଣଂ ଲୋକେ ନାଟ୍ୟମେତଦ୍ ଭବିଷ୍ୟତି । ବେଦାସ୍ମୃତି ସଦାଚାର ପରିଶେଷାର୍ଛ କଳ୍ପନମ୍ ।’’ ନାଟ୍ୟଶାସ୍ତ୍ରମ୍ ପୃଷ୍ଠା-୧୬ John Dryden : An Essay on Dramamtic poesie. Sir Philip Sidney: An Apology For poetry. English Critical Essays 16th, 17th And 18th centuries, oxford (University press, Londan, 1965)

(୮)

ଭରତମୁନି ପ୍ରଣୀ ‘ନାଟ୍ୟ ଶାସ୍ତ୍ରମ୍’ ଓଡ଼ିଶା ସାହିତ୍ୟ ଏକାଡେମୀ, ପୃଷ୍ଠା ୧୩୧, ଶ୍ଲୋକ-୯,୧୦)

(୯)

ତତ୍ରୈବ(୨୭) ତତ୍ରୈବ (୨୮) ନାଟ୍ୟଶାସ୍ତ୍ରମ୍- ପୃଷ୍ଠା-୧୨୫, ଶ୍ଲୋକ-୧୮୩-ପଞ୍ଚମୋଧ୍ୟୟଃ । ୧୯୭୫

(୧୦)

କବିରାଜ ବିଶ୍ଵନାଥ : ସାହିତ୍ୟ ଦର୍ପଣ-ପୃଷ୍ଠା-୩୮୬, ଷଷ୍ଠପରିଚ୍ଛେଦ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ।

(୧୧)

ନାଟ୍ୟଶାସ୍ତ୍ରମ୍: ପୃଷ୍ଠା-୧୩୧ ଷଷ୍ଠୋଧ୍ୟାୟ : ନିବନ୍ଧୋ ଯଃ ସମାସେନ ସଂଗ୍ରହଂ ତଂ ବିଦର୍ବୁଧାଃ ।୯।

(୧୨)

ତତ୍ରୈବ (୨୬) ତତ୍ରୈବ ସିଦ୍ଧିଃ ସ୍ଵରାସ୍ତଥାତୋଦ୍ୟଂ ଗାନଂ ରଙ୍ଗମ୍ ଚ ସଂଗ୍ରହଃ.”୧୦ ।

(୧୩)

ଧାତୃର୍ଥ ବଚନେ ନେହ ନିରୂକ୍ତଂ ତତ୍ ପ୍ରଚକ୍ଷତେ (୧୩) ବିସ୍ତରଂ ତସ୍ୟ ବକ୍ଷାମି ସନିରୁକ୍ତଂ ସକାରିକମ୍ (୧୪) ପୃଷ୍ଠା୧୩୨

(୧୪)

ନହ୍ୟେକୁ ରସଜଂ କାବ୍ୟଂ ନୈକଭାବୈକ ବୃତ୍ତିକମ୍ । ବିମର୍ଦ୍ଦେ ରାଗମାୟାତି ପ୍ରଯୁକ୍ତଂ ହି ପ୍ରଯନ୍ତଃ .(୧୭) ପୃ-୨୦୬ ଅତ୍ରୋଚ୍ୟତେ ଅଭୀଃତ୍ୟୁପସର୍ଗଃ । ଣୀଞ୍ଜତ୍ୟୟଂ ଧାତୁଃ ପ୍ରାପଣାର୍ଥଃ । ପୃଷ୍ଠା-୨୦୮ (ନାଟ୍ୟ ଶାସ୍ତ୍ରମ୍)

(୧୫)

“ଅସ୍ୟାଭୀନୀତ୍ୟେବଂ ବ୍ୟବସ୍ଥିତସ୍ୟ ଏରଜିତ୍ୟ ଚ ପ୍ରତ୍ୟୟାନ୍ତ ସାଭିନୟ ଇତି ରୂପ ସିଦ୍ଧମ୍ “(ନାଟ୍ୟଶାସ୍ତ୍ରମ୍)

(୧୬)

ବିଭାବୟତି ଯସ୍ମାତ୍ ନାନାର୍ଥାହି ପ୍ରଯୋଗତଃ । ଶାଖାଙ୍ଗୋ ପାଙ୍ଗ ସଂଯୁକ୍ତ ସ୍ତସ୍ମାଦ୍‍ଭିନୟଃ ସ୍ମୃତଃ । (ନାଟ୍ୟ ଶାସ୍ତ୍ରମ୍) ପୃ-୨୦୮

(୧୭)

ଆଙ୍ଗିକୋ ବା ଚିକଶ୍ଚୈବ ହ୍ୟାହାର୍ଯ୍ୟ ସାତ୍ତ୍ଵିକସ୍ତଥା । ଜ୍ଞେଯସ୍ତୁଭିନୟୋ ବିପ୍ରାଶ୍ଚୁ ତୁର୍ଧା ପରିକୀର୍ତ୍ତିତଃ । ପୃ-୨୦୮

(୧୮)

ଚାରୀଭିଃ ପ୍ରସ୍ତୁତ ନୃତ୍ତଂ ଚାରୀଭିଃ ଚେଷ୍ଟିତଂ ତଥା । ଚାରୀଭିଃ ଶସ୍ତ୍ର ମୋକ୍ଷଶ୍ଚ ଚାୟୋ ଯଦ୍ଧେଚ କୀର୍ତ୍ତିତା । (ନାଟ୍ୟ ଶାସ୍ତ୍ରମ୍- ପୃଷ୍ଠା-୨୯୪)

(୧୯)

‘‘ଧନୁର୍ବଜ୍ରାଣି ମଣ୍ଡଳେନ ପ୍ରୟୋଜୟେତ୍” ।୬୬। “ବାହାନଂ କୁଞ୍ଜରାଣାଂତୁ ସ୍ଥୂଳପକ୍ଷୀ ନିରୁପଣମ୍ ।୬୭।’’ ‘ନାଟ୍ୟଶାସ୍ତ୍ରମ୍-ପୃଷ୍ଠା-୩୦୬’

(୨୦)

‘‘ନଭେଦ୍ୟଂ ନାପି ଚ ଚ୍ଛେଦ୍ୟଂ ନଚାପି ରୁଧିର ସ୍ମୃତିଃ ।’’ ୮୬ । “ରଙ୍ଗେ ପ୍ରହରଣେ କାର୍ଯ୍ୟୋ ନଚାପିବ୍ୟକ୍ତ ଘାତନମ ।’’ ୮୭ ନାଟ୍ୟଶାସ୍ତ୍ରମ୍-ପୃ-୩୦୯

 

 

ଘର ନଂ – ୩ ଆର ୫୪

କଳ୍ପନା ଫ୍ଲଟ୍

ଭୁବନେଶ୍ଵର -୭୫୧୦୧୪

 

***

 

Unknown

ଅନାଲୋଚିତ ପ୍ରତିଭା

କବି ଭୂଷଣ ରତ୍ନାକର ଶର୍ମା ସାହିତ୍ୟାଳଙ୍କାର

ଶ୍ରୀ ଫଣିନ୍ଦ୍ର ଭୂଷଣ ନନ୍ଦ

 

(ରତ୍ନାକର ଶର୍ମାଙ୍କ ଶବ୍ଦ ଉପରେ ଅପୂର୍ବ ଦଖଲ ଥିଲା । କବିତା ସମୂହ ସାବଲୀଳ ଶବ୍ଦ ସଜ୍ଜା ଏବଂ ଅନନ୍ୟ ସଂଗୀତ ଧ୍ୱନିରେ ଅନୁପଣିତ ଥିଲା । ଭାବରେ ସେ ଆଧୁନିକ । ପୌରାଣିକ କଥାବସ୍ତୁର ଜୀର୍ଣ୍ଣ ନିର୍ମୋକ ଉନ୍ମୋଚନ କରି ସେ ଆଧୁନିକତାର ଦୁକୂଳ ପିନ୍ଧାଇଥିଲେ । ଅବବୋଧ ତାଙ୍କର ଥିଲା ପରିମାର୍ଜିତ । ରୁଚିଥିଲା ମହତ । ପ୍ରକୃତି ପ୍ରାଣକବି କବିତା ଛଳରେ ଜାତୀୟତାବୋଧ ପରିପ୍ରଚାର କରୁଥିଲେ । ସମାଜର କୁ-ସଂସ୍କାର ଓ ଅଶିକ୍ଷାର କବର ଉପରେ ଆଦର୍ଶ ଶିକ୍ଷା, ଆଦର୍ଶ ଜୀବନ ପ୍ରତିଷ୍ଠା ତାଙ୍କର ଧ୍ୟେୟ ଥିଲା ।)

 

ବ୍ୟକ୍ତିକ ଚେତନାକୁ ନୈର୍ବକ୍ତିକ ବା ସାର୍ବଜନୀନ କରି ତୋଳିବା ସାହିତ୍ୟର ଧର୍ମ । ସ୍ରଷ୍ଟା ନିଜର ସତ୍ୟନିଷ୍ଠ ଉଚ୍ଚାରଣ ମାଧ୍ୟମରେ ପରମ୍ପରା ପ୍ରସୂତ ଇତିହାସର ଅଙ୍ଗୀଭୂତ ସତ୍ତାଟିଏ ହୋଇ ଜୀବନ୍ମୟ ହୁଏ । ନିଜସ୍ଵ ଭାବଚେତନା ମଧ୍ୟରେ ସେ ଜାଗତିକ ଜଞ୍ଜାଳ ଉର୍ଦ୍ଧ୍ଵରେ ସାରସ୍ଵତ ପରମ୍ପରାର ଶୁଭ୍ର ପ୍ରତିଷ୍ଠାନ କରେ । ଭାଷା ଓ ଭାବର ଉଜ୍ଜଳ କାରିଗରୀ ଦେଇ ନିଜ ସମୟର କଳାର କୋଣାର୍କ ସୃଷ୍ଟି କରେ । ଯାହାକୁ ଅବଲୋକନ କରି ଆନନ୍ଦ ମୁଖର ହୁଅନ୍ତି ପରବର୍ତ୍ତୀ ଦାୟଦଗଣ । ନିଜର ସାମାଜିକ ଓ ସାଂସ୍କୃତିକ ସ୍ଥିତିରେ ଉନ୍ନତି ଘଟାଇ ଏକ ଜାତିର, ଏକ ଭାଷାର, ଏକ ପ୍ରାନ୍ତର ସର୍ବମୟ ଉତ୍କର୍ଷତା ସାଧନରେ ନିଜକୁ ଉତ୍ସର୍ଗୀ ଜଗତର କଲ୍ୟାଣ ବାଞ୍ଛା କରିବାର ମହନୀୟ ଦୃଷ୍ଟାନ୍ତ ଭିତରେ ପ୍ରତିଭାତ ହୁଅନ୍ତି ଏକ ଉଜ୍ଜଳ ସ୍ରଷ୍ଟା ପୁରୁଷ ରତ୍ନାକର ଶର୍ମା । ରତ୍ନାକର ଶର୍ମାଙ୍କ କୃତି ଓ କୃତିତ୍ଵ ଗୁଣାତ୍ନକ ଓ ପରିମାଣାତ୍ନକ ଦୃଷ୍ଟିରୁ ନ୍ୟୁନ ନୁହେଁ କିନ୍ତୁ ଓଡ଼ିଆ ସାହିତ୍ୟରେ ସେ ସମୁଚିତ ସମ୍ମାନ ପାଇନାହାନ୍ତି । ଏ ଆଲୋଚନାରେ ତାଙ୍କ ସାରସ୍ଵତ କୃତିର ଏକ ସୂକ୍ଷ୍ମ ଅନୁଧ୍ୟାନ ମାତ୍ର କରାଯାଇଛି ।

 

ରତ୍ନାକର ଶର୍ମା ମୁଖ୍ୟତଃ କବି । ସାମାନ୍ୟ କେତୋଟି ପ୍ରବନ୍ଧ, ଗଳ୍ପ ଓ ଭ୍ରଣମ ବିବରଣୀ ବ୍ୟତୀତ ସେ ସର୍ବତୋଭାବେ କାବ୍ୟ ଦେବୀର ନୀରାଜନା କରିଛନ୍ତି । ତତକାଳୀନ ବାମଣ୍ଡା ରାଜ୍ୟର କୋଚିଣ୍ଡା (ବର୍ତ୍ତମାନ ସମ୍ଵଲପୁର ଜିଲ୍ଲାଅନ୍ତର୍ଗତ)ଠାରେ ୧୯୭୯ ସମିହାରେ ଜନ୍ମଗ୍ରହଣ କରିଥିଲେ । ଦେବଗଡ଼ ଠାରେ ମିଡ଼ିଲ୍ ଭର୍ଣ୍ଣାକ୍ୟୁଲାର ଶିକ୍ଷା ସମାପ୍ତି ପରେ କିଛି ସମୟ ଶିକ୍ଷକତା କରିଥିଲେ । ‘ସମ୍ଵଲପୁର-ହିତୈଷିଣୀ’ ପତ୍ରିକା ସେ ସମୟରେ ଉତ୍କଳର ସାହିତ୍ୟ ଓ ସଂସ୍କୃତିକୁ ନିୟନ୍ତ୍ରଣ କରୁଥାଏ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାରି ପୃଷ୍ଠାରେ ତାଙ୍କର ପ୍ରାରମ୍ଭିକ ଜୀବନର କାବ୍ୟ କବିତା ପ୍ରକାଶ ପାଏ । ୧୯୧୦ ବେଳକୁ ଉକ୍ତ ପତ୍ରିକାର ସଂପାଦନା ମଧ୍ୟ ସେ ଗ୍ରହଣ କରନ୍ତି । ଏ ପ୍ରେକ୍ଷାପଟରେ ତାଙ୍କର ଘୋଷଣା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । “xxx ସମ୍ବାଦପତ୍ର ପରିଚାଳନା କାର୍ଯ୍ୟ ଅତି କଠିନ ଏବଂ ଦାୟିତ୍ଵପୂର୍ଣ୍ଣ । ତାହା ଚଳାଇବା ଭଳି ଯୋଗ୍ୟତା ଓ ପ୍ରତିଭା ମୋର ନାହିଁ । ଏହା ମୁଁ ସ୍ଵଂୟ ବୁଝିଅଛି । ତେବେ ହିତୈଷିଣୀର ଅନେକ ସୁଲେଖକ ଅଛନ୍ତି ସେମାନଙ୍କ ସାହାଯ୍ୟରେ ମୁଁ ପତ୍ରିକା ଚଳାଇ ଶିକ୍ଷାଲାଭ କରିବି ଏହି ଆଶା ହୃଦୟରେ ପୋଷଣ କରି ଏହି ଗୁରୁଭାର ବହନ କରିବାକୁ ସାହସୀ ହୋଇଅଛି । ମୋହର ବିବିଧ ତ୍ରୁଟି ପରିଲିକ୍ଷିତ ହେବ ଏହା ନିଃସନ୍ଦେହ । ମୁଁ ବିନୀତ ଭାବେ ପ୍ରାର୍ଥନା କରୁଅଛି ସହୃଦୟ ପାଠକ ମହୋଦୟଗଣ ମୋତେ ଦୟାପୂର୍ବକ କ୍ଷମା ପ୍ରଦାନ କରିବେ ।’’ (୧)

 

ରତ୍ନାକରଙ୍କ ଅନନ୍ୟ କବି ପ୍ରତିଭା ଓ ପାଶ୍ଚାତ୍ୟରେ ମୁଗ୍ଧ ବିଭିନ୍ନ ଗଡ଼ଜାତୀ ରାଜା ତାଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ । ‘ନୀତି ଦର୍ପଣ’ ପୁସ୍ତକ ରଚନା ପାଇଁ ଖଡ଼ିଆଳ ଯୁବରାଜ ବୀରବିକ୍ରମ ଦେବ କବିଙ୍କୁ ପୁରସ୍କୃତ କରିଥିଲେ । (୨) ବଡ଼ଖେମୁଣ୍ଡି ଦରବାର କବିଙ୍କ କବିତ୍ଵକୁ ସମ୍ମାନ ଜଣାଇ ‘କବି ଭୂଷଣ’ ଉପାଧି ପ୍ରଦାନ କରିଥିଲେ । (୩) ୧୯୦୯ରେ ରତ୍ନାକର ଶର୍ମା କାଶୀପୁର ଦରବାରକୁ ସାରସ୍ଵତ ନିମନ୍ତ୍ରଣ ପାଇ ଯାଇଥିଲେ । ଉକ୍ତ ଦରବାରରେ ତାଙ୍କର ସାରସ୍ଵତ କୃତିର ପରିଚୟ ପାଇ କାଶୀପୁର ଅଧିଶ୍ଵର କବିଙ୍କୁ ସ୍ଵର୍ଣ୍ଣକୁଣ୍ଡଳ ସହ ‘ସାହିତ୍ୟଳଙ୍କାର’ ଉପାଧିରେ ଭୂଷିତ କରିଥିଲେ । (୪)

 

ରତ୍ନାକର ଭାରତର ବିଭିନ୍ନ ସହର ଭ୍ରମଣ ଉପଲକ୍ଷେ ଯାଇ ପାଠକଙ୍କ ଅବଗତି ନିମନ୍ତେ ସମ୍ବଲପୁର ହିତୈଷିଣୀ ପୃଷ୍ଠାରେ ଭ୍ରମଣ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି । ଏ ପ୍ରସଙ୍ଗରେ ବମ୍ଵେ (୫) ମାନ୍ଦ୍ରାଜ (୬) କଲିକତା (୭) ହାଇଦ୍ରାବାଦ (୮) ପ୍ରଭୃତି ଭ୍ରମଣ କାହାଣୀକୁ ଅଧ୍ୟୟନ କରାଯାଇ ପାରେ ।

 

ସୀମିତ ଗଦ୍ୟରଚନା ବ୍ୟତିରେକେ ସେ ମୁଖତଃ କବିତା ରଚନାରେ ନିଜର କୃତି ଓ କୃତିତ୍ଵ ପ୍ରମାଣିତ କରି ଯାଇଛନ୍ତି । ଅନେକ ବିକ୍ଷିପ୍ତ କବିତା ବ୍ୟତୀତ ନିମ୍ନପ୍ରଦତ୍ତ ସଂକଳନ ସମୂହକୁ ତାଙ୍କର ସାରସ୍ଵତ କୃତିତ୍ଵ ପର୍ଯ୍ୟାଲୋଚନା କାଳରେ ଅଗ୍ରାଧିକାର ଦିଆଯାଇ ପାରେ ।

 

୧. ହେମଲତା, ୨. ବପାଳି ମାଳୀ, ୩. ଚମ୍ପାବତୀ, ୪.ନୀତି ପ୍ରତୀପ, ୫.ନୀତି ଦର୍ପଣ, ୬. ନୀତି କୁସୁମ, ୭. ଅଜ ବିଳାପ , ୮. ପାର୍ବତୀ, ୯. ସଂଯୁକ୍ତା, ୧୦. ଦୁଇ ସଙ୍ଗାତ ଏବଂ ଅନ୍ୟାନ୍ୟ କବିତା ।

 

୧.

ହେମଲତା: ହେମଲତା କାବ୍ୟ ଧାରାବାହିକ ଭାବେ ସମ୍ବଲପୁର ହିତୈଷିଣୀରେ ୧୮-୭-୧୮୯୪ ସଂଖ୍ୟାରୁ ତା ୮-୮-୧୮୯୪ ସଂଖ୍ୟା ପର୍ଯ୍ୟନ୍ତ ପ୍ରକାଶିତ । ଏହା ୧୮୯୭ରେ ବାମଣ୍ଡା ସୁଢ଼ଳ ପ୍ରେସ୍‍ରେ ପୁସ୍ତକାକାରେ ପ୍ରକାଶିତ । ହେମଲତା ଆଦର୍ଶ ପ୍ରେମର ପ୍ରଚାର କରିଛି । ସାଧାରଣ କଥାଭାଗକୁ ଅସାଧାରଣ ବୈଚିତ୍ର୍ୟ ପ୍ରଦାନ କରିବାରେ ସଫଳ ହୋଇଛନ୍ତି କବି । ପ୍ରକୃତିର ଜୀବନ୍ତ ରୂପ, ଅଭିସାରିକା ବେଶରେ ହେମଲତାର ସୌନ୍ଦର୍ଯ୍ୟ ପ୍ରଭୃତି ବର୍ଣ୍ଣନାରେ କାବ୍ୟର ସୃଷ୍ଟି କୌଶଳ ମହିମାନ୍ଵିତ ହୋଇଛି । ଏ କାବ୍ୟର ଉତ୍କର୍ଷତା ସ୍ଵୀକାର କରି ରାଧାନାଥ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା ପ୍ରଣିଧାନ ଯୋଗ୍ୟ । “ହେମଲତା ବିୟୋଗାନ୍ତକ କାବ୍ୟ । ଏହାର ରଚନାରେ କବି ସ୍ଥଳେ ସ୍ଥଳେ ଯେପରି ଶକ୍ତିମତ୍ତା ଏବଂ ଭାବୁକତା ଦେଖାଇ ଅଛନ୍ତି ତାହା ବାସ୍ତବ ପ୍ରଶଂସାର୍ହ ।’’

 

“ରତ୍ନାକର ବାବୁଙ୍କର ଅନ୍ୟାନ୍ୟ ପଦ୍ୟ ପ୍ରବନ୍ଧ ମୁଁ ସମୟ ସମୟରେ ହିତୈଷିଣୀରେ ଦେଖି ବିଶେଷ ପ୍ରୀତିଲାଭ କରିଥିଲି ଏବଂ ତାହାକୁ ଉତ୍କଳର ଉଦୀୟମାନ କବି ବୃନ୍ଦର ଅନ୍ତର୍ଭୁକ୍ତ ମଣିଥିଲି । ହେମଲତା ପାଠ ଦ୍ଵାରା ମୋହୋର ସେହି ଅନୁମାନ ଦୃଢ଼ୀଭୂତ ହୋଇଅଛି ।’’ (୯)

 

ରତ୍ନାକରଙ୍କ କାବ୍ୟ ସାମର୍ଥ୍ୟ ହିତୈଷିଣୀ ପୃଷ୍ଠାରେ ପ୍ରମାଣିତ । ରାଧାନାଥ ଯୁଗୀୟ କାବ୍ୟଧାରାରେ ସେ ଅନ୍ୟତମ ସହକାରୀ କବି ରୂପେ ପରିଚିତ । ଉଲ୍ଲିଖିତ କାବ୍ୟ ଧାରାର ଅନ୍ୟତମ ବଳିଷ୍ଠ ବିଭାବ ବର୍ଣ୍ଣନାରେ କବିଙ୍କର ଯାଦୁକାରୀ ଲେଖନୀର ସ୍ପର୍ଶ ପ୍ରଭାବିତ ହୁଏ ।

 

ହେଲା ସଂଧ୍ୟାକାଳ ନିଜ ନିଜ ନୀଡ଼େ

ଗତି କଲେ ପକ୍ଷୀ ଆଳି

ଲୋହିତ ବରଣେ ପ୍ରତୀଚୀ ଅଚଳ

ଚୂଳେ ବିଜେ କରମାଳୀ

କୁଙ୍କୁମିତ ଦେଖି ବାରୁଣୀ ଗମନ

ଏମନ୍ତ ହୁଏ ପ୍ରତୀତ

ରବିରଙ୍ଗା ଜୀବ ଯୋଗେ କି ହୋଇଛି

ହିଙ୍ଗୁଳେ ଏହା ଚିତ୍ରିତ ?

ବାରୁଣୀ ତରୁଣୀ ସଜାଡ଼ି ପିନ୍ଧିଛି

କି ଅବା ରଙ୍ଗ ବସନ

ତା’ ମଥା ସିନ୍ଦୂର ବିନ୍ଦୁ ପ୍ରାୟ ରବି

ମଣ୍ଡଳ ଦିଶେ ଶୋଭନ । (ପୃ-୧)(୧୦)

 

ହେମଲତାର କାହାଣୀ ଗତାନୁଗତିକତାର ଅନୁବ୍ରତୀ । ପ୍ରେମିକ ପ୍ରେମିକାର ପ୍ରେମ, ଅଭିସାରିକା ବେଶରେ ସଂକେତ ସ୍ଥଳକୁ ଆଗମନ, ପ୍ରେମିକ ସର୍ପଦଂଶନରେ ମୃତ , ପ୍ରେମିକ ଏ ଅବସ୍ଥା ଦର୍ଶନରେ ଆତ୍ମହତ୍ୟା । ନଗ୍ରଜନ ପ୍ରେମିକା ଓ ପ୍ରେମିକଙ୍କୁ ଗୋଟିଏ ଚିତାରେ ଦହନ କରିବା ଏ କାବ୍ୟର କଥାବସ୍ତୁ । ଏ କାବ୍ୟର ସୃଷ୍ଟି କୌଶଳ ଅନେକତ୍ର କେଦାରଗୌରୀ ଦ୍ଵାରା ସୁନିୟନ୍ତ୍ରିତ । ଏ କାବ୍ୟର ଶବ୍ଦ ସଂଯୋଜନା ଏବଂ ବର୍ଣ୍ଣନା କ୍ରମର ମୌଳିକତା ପ୍ରଦର୍ଶନରେ କବି ସଫଳ ହୋଇଛନ୍ତି ।

 

୨.

ବପାଳି ମାଳୀ : ବାମଣ୍ଡା ହିତୈଷିଣୀ ପ୍ରେସ୍‍ରେ ୧୯୧୨ରେ ଏ କାବ୍ୟ ପୁସ୍ତକାକାରେ ପ୍ରକାଶିତ । ତତ୍କାଳୀନ କାଶୀପୁର ରାଜ୍ୟ ଭ୍ରମଣରେ ଯାଇ କବି ବପାଳି ମାଳୀ ପର୍ବତର ସୌନ୍ଦର୍ଯ୍ୟରେ ମୁଗ୍ଧ ହୁଅନ୍ତି । ଏ ପର୍ବତର ଭୌଗଳିକ, ସାଂସ୍କୃତିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବି ବର୍ଣ୍ଣନା କରିଛନ୍ତି । ‘ଚିଲିକା’ର ବର୍ଣ୍ଣନା କୌଶଳ କିଛିକାଂଶରେ ଏ କାବ୍ୟକୁ ପ୍ରଭାବିତ କରିଛି । ପ୍ରକୃତିର ଅଦୃଷ୍ଟ ପୂର୍ବ ଚିତ୍ର ପ୍ରଦାନରେ କବି ଲେଖନୀ ସଫଳ ହୋଇଛି । ବପାଳିମାଳୀକୁ ନିମିତ୍ତ କରି କବି ଓଡ଼ିଶାର ବୀରଗାଥା, କଳାକୁଶଲତା, ଶିକାର କାହାଣୀକୁ ପରିବେଷଣ କରିଛନ୍ତି । ଲୋକ କାହାଣୀ ସମୂହର ପ୍ରନ୍ ଉଦ୍ଧାରର ଉଦ୍ୟମ ହୋଇଛି । ବିଭିନ୍ନ ପର୍ବତ ଶ୍ରେଣୀରୁ ଉଦ୍‍ଗତ ତଟିନୀ ମାଳାର ବୈଚିତ୍ରମୟ ଚିତ୍ର ପ୍ରଦାନ କଲାବେଳକୁ କବି ଆଦିବାସୀ ଜନଜୀବନର ନିଷ୍କପଟ ଜୀବନଚର୍ଯ୍ୟାକୁ ସାରସ୍ଵତ ସ୍ଵାକାରୋକ୍ତି ବାଢ଼ିଛନ୍ତି ।

 

“କନ୍ଧ ଯୁବାଦଳ ଧରି ଧନୁଶର ପାରିଧିରେ ରତ ଯହିଁ ନିରନ୍ତର

କନ୍ଧ ବାଳାଗଣ ବୁଲିବନେ ବନେ ରତଥାନ୍ତି ଫଳମୂଳ ଆହରଣେ

ତୋଳି ବନଫୁଲ ସାନୁରାଗମନେ ଖୋଷି ଦେଇଥାନ୍ତି ଖୋଷାରେ ଯତନେ ।

କନ୍ଧ ନରନାରୀ ନିଶା ଆଗମନେ ପିନ୍ଧି ଗଳେ ମାଳୀ ପଇଁରୀ ଚରଣେ ।

ମୟୁରର ଝାଳ ଖୋଷି ମସ୍ତକରେ ମୁରଲୀ ବାଦନ କରି ମଧୁ ସ୍ଵରେ ।

ହିଲ୍ଲୀଷକ ଲୀଳା ଆନନ୍ଦ ମନରେ କରୁଥାନ୍ତି ସର୍ବେ ନାନା କୌତୁକରେ ।’’

 

ବର୍ଣ୍ଣନା କ୍ରମରେ ଚିଲିକାର ବଳିଷ୍ଠ ପ୍ରଭାବରୁ ଏ କାବ୍ୟ ମୁକ୍ତ ନୁହେଁ । ରାଧାନାଥୀ କୃତିତ୍ଵକୁ ପ୍ରଦକ୍ଷିଣ କରି ଗଢ଼ି ଉଠିଥିବା ଏ କବି ପ୍ରତିଭା ତାଙ୍କର ମହାର୍ଘ ପ୍ରଭାବକୁ ଏଡ଼ାଇ ଏକ ସଂପୂର୍ଣ୍ଣ ମୌଳିକ କାବ୍ୟ ନିର୍ମାଣରେ ସଫଳ ହୋଇପାରିନାହିଁ । ଏହାର ଏକ ବଳିଷ୍ଠ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ।

 

“ହେମ ଜିତ ଫଳ ଧାରକ ରସାଳ, ଶ୍ରୀଫଳ ପିପଳ ଚମ୍ପା ମାଳ ମାଳ

ଖର୍ଜୁର ପାଦପ କାୟ ସୁବିଶାଳ, ବୈଦୁର୍ଯ୍ୟ ପଳାଶେ ଭୁଷା ତୁଙ୍ଗ ତାଳ

ଯହିଁ ବାୟା ପକ୍ଷୀ ରଚି ଦୋଳାବାସ, ଦୋଳନ୍ତି ଶାବକେ ହୋଇ ମହୋଲ୍ଲାସ

ବଟ ଓହଳରେ ସର୍ବାଙ୍ଗ ଆବରି, ଦିଶେ ଜଟାଜୁଟ ତପଶ୍ଚାରୀ ପରି

ଯେ ସହି ମସ୍ତକେ ତପନ କିରଣ, ଶୀତ ଛାୟା ଦାନେ ତୋଷେ ପ୍ରାଣୀ ମନ

ଏ ଆଦି ପାଦପ ମାଳେ ବିଭୁଷିତ, ତୋର ପାଦେ-ପଲ୍ଲୀ ଆହାକି ଶୋଭିତ”

 

ଏ ଉଦ୍ଧୃତି ନିବିଡ଼ ଭାବେ ‘ଚିଲିକା’ ଦ୍ୱାରା ଅନୁପ୍ରାଣିତ । ସାର୍ବଜନୀନ ଜୀବନ ଚିତ୍ର ପ୍ରଦାନ କରିବାରେ କବି ଉନ୍ମୁଖ । ବପାଳିମାଳୀକୁ ଦ୍ଵାହି ଦେଇ କବି କାଶୀପୁର ଅଞ୍ଚଳର ଜୀବନ ପ୍ରବାହକୁ ସଂବେଗାତ୍ମାକ ଦୃଷ୍ଟିରେ ନିରୀକ୍ଷଣ କରିଛନ୍ତି । ଜୀବନର ବହୁମୁଖୀନତା ପ୍ରକୃତିର ଅଭିନବ ସୌସାଦୃଶ୍ୟ ସହିତ ଜୀବନ୍ତ ହୋଇଉଠିଛି । ଚିଲିକାର ପ୍ରଭାବ ଏ କାବ୍ୟର ଯାତ୍ରୀପଥକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ କବି ପ୍ରାଣର ସୂକ୍ଷ୍ମ କଳା ଆବେଦନକୁ ବି ନଷ୍ଟ କରିନାହିଁ ; ବରଂ ରାଧାନାଥୀ ପ୍ରେମର ଉଚ୍ଚାଙ୍ଗ ବାର୍ତ୍ତା ପ୍ରଦାନ ସହିତ ଏହା ନିଜର ସାରସ୍ଵତ ପ୍ରତିଷ୍ଠା ଅକ୍ଷୁଣ୍ଣ ରଖିଛି ।

 

୩.

ଚମ୍ପାବତୀ: ଏ କାବ୍ୟ ବାମଣ୍ଡା ହିତୈଷିଣୀ ପ୍ରେସ୍‍ରେ ୧୯୧୦ରେ ପ୍ରକାଶିତ । ସପ୍ତମ ସର୍ଗ ବିଶିଷ୍ଟ ଏ କାବ୍ୟରେ କରୁଣତାର ମନ୍ଦ୍ରଧ୍ଵନୀ ଭିତରେ କାବ୍ୟ କଳାର ରୁଚିପୂର୍ଣ୍ଣ ଅଭିସାର ଘଟିଛି । ପ୍ରେମ, ବିରହ ଏବଂ ପ୍ରେମ ପାଇଁ ଜୀବନ ଉତ୍ସର୍ଗର ମହୀୟାନ ପରମ୍ପରା ଏ କାବ୍ୟରେ ଅନୁସୃତ । ଦୁଇ ପଡ଼ୋଶୀ ରାଜ୍ୟର କୁମାର କୁମାରୀଙ୍କ ଅମର ପ୍ରେମର ପ୍ରତିବନ୍ଧକ ହୋଇଛି ରାଜଶତ୍ରୁତା । ପ୍ରେମ ଜାଗତିକ ବନ୍ଧନର ଉର୍ଦ୍ଧ୍ଵରେ ନିଜର ଅଭିସାର ରଚନା କରେ । ଦୁଇ ରାଜାଙ୍କର ଅସମ୍ମତି ପ୍ରେମକୁ ପରଖିଛି, ବଳିଷ୍ଠ କରିଛି । ପ୍ରେମର ଦାୟରେ କୁମାର କୁମାରୀ ଜୀବନ ଉତ୍ସର୍ଗ କରିଛନ୍ତି । ଏ କାବ୍ୟର କଥାବସ୍ତୁ ସାମାନ୍ୟ ଓ ବୈଚିତ୍ରହୀନ ହେଲେ ମଧ୍ୟ ଏହାର ବର୍ଣ୍ଣନା ଶୈଳୀ ମୌଳିକତାର ସ୍ଵାକ୍ଷର ବହନ କରେ ।

 

ପୂର୍ବମୁକ୍ତା ମାଳା ସହିଥିଲେ ବୋଲି

ସୂଚି-ମୁଖ-ବିଦ୍ଦ ଦୁଃଖ

ଲଭୁଛନ୍ତି ତା’ର ଫଳୁ,ବାଳାସ୍ତନ

ଅଙ୍କୁର ଚୁମ୍ଵନ ସୁଖ

* * * *

ସେ ବାଳା ମଣିର ଚରଣ ସମାନ

ହେବାକୁ କି ଶତଦଳ

ଦୁଶ୍ଚର ତପସ୍ୟା କରୁଛି ସାଧନ

ହୋଇ ଆହା ଗଳ ଜଳ । (୧୨)

 

ଉଲ୍ଲିଖିତ ଉପମା, ଯମଜ ସହିତ ମହାର୍ଘ ବିମ୍ବ ପ୍ରଦାନରେ ଏ କାବ୍ୟର ଅନନ୍ୟତା ସୁଚିତ-

 

୪.

ନୀତି ପ୍ରଦୀପ : ୧୯୦୬ରେ ବୃହତ୍ ଖେମୁଣ୍ଡିର ଗଜପତି ଭୀମଦେବ ପ୍ରେସ୍‍ରେ ମୁଦ୍ରିତ । ଜନସାଧାରଣଙ୍କୁ ନୀତିଶିକ୍ଷା ପ୍ରଦାନ ଅଭିମୁଖ୍ୟରେ ଏ ପୁସ୍ତକ ରଚିତ । ବିଭିନ୍ନ ନୀତିଶାସ୍ତ୍ରର ସାର ଗ୍ରହଣ କରି ଏ କବିତା ପରିପୃଷ୍ଟ ।

 

“କୃଷ୍ଣବର୍ଣ୍ଣ ପିକ, ହିଂସେ ବାୟସ ନନ୍ଦନ

ନିଜ ପ୍ରସୂତ ତନୟେ ନ କରେ ପାଳନ

ତଥାପି ସେ ପିକ ଅଟେ ସର୍ବଜନ ପ୍ରିୟ

ମଧୁର ବଚନ ଦୋଷ ନୁହେଁ ଗ୍ରହଣୀୟ” (୧୩)

ବା

“ ନିନ୍ଦନ୍ତୁ ସ୍ତୁତି କରନ୍ତୁ ନୀତି ଜ୍ଞାନୀଗଣ

ଆବାସେ ଆସୁବା ନାଶ ପ୍ରାପ୍ତ ହେଉ ଧନ

ଅଦ୍ୟ ଅବା ଯୁଗାନ୍ତରେ ପ୍ରବେଶୁ ମରଣ

ନ୍ୟାୟ ପଥୁ ବିଚଳିତ ନୁହନ୍ତି ସଜ୍ଜନ’’(୧୪)

 

ବିଭିନ୍ନ ନୀତି ବଚନକୁ ବିଭିନ୍ନ ଆଳରେ କାବ୍ୟ ଦୁକୁଳ ପିନ୍ଧାଇଛନ୍ତି କବି । ଏ ପର୍ଯ୍ୟାୟରେ ନୀତି ଦର୍ପଣ, ନୀତି କୁସୁମ, ନୀତି ସୁମନ, ନୀତି ବାଣୀ, ନୀତି ମାଳା ପ୍ରଭୃତି କବିତାକୁ ସ୍ମରଣ କରାଯାଇପାରେ । ସଂସ୍କୃତ ସାହିତ୍ୟର ମହିମାମୟ ଆପ୍ତକାବ୍ୟ ସମୂହର ସମାବେଶରେ ଏ କାବ୍ୟରାଜୀ ପରିପୃଷ୍ଟ ।

 

୫.

ନୀତି ଦର୍ପଣ: ଏ କବିତା ପୁସ୍ତକ ବାମଣ୍ଡା ସୁଢ଼ଳ ପ୍ରେସ୍‍ରେ ୧୯୦୧ରେ ପ୍ରକାଶିତ ଗୋଟିଏ ଦୃଷ୍ଟାନ୍ତରୁ ଏହାର ମହନୀୟତା ଉପଭୋଗ୍ୟ ।

 

ଦୁଷ୍କୃତର ଦଣ୍ଡ ଅବଶ୍ୟ ହୁଅଇ

ଅଟେ ଏହା ସୁନିଶ୍ଚିତ

ବସନ ମଳିନ ହେଲେ ହୁଏ ଯଥା

ପ୍ରସ୍ତରରେ ପ୍ରହାରିତ

ସାଧୁଙ୍କ ଯନ୍ତ୍ରଣା କଲେ ସୁଦ୍ଧା ମିଷ୍ଟ

ବଚନେ ତୋଷନ୍ତି ମନ

ଇକ୍ଷୁ ନିଷ୍ପେସିତ ହେଲେ ଯଥା ସ୍ଵାଦୁ

ରସକରେ ବିତରଣେ । (୧୫)

 

ଏ କବିତା ‘ନୀତିବାଣୀ’ ରୂପେ ସ:ହି:ରେ ୧୨/୪୨ ତା ୨୭.୨.୧୯୦୧ରେ ପ୍ରକାଶିତ-। ପରେ ନୀତି ଦର୍ପଣ ରୂପେ ପୁସ୍ତକକାରେ ପ୍ରକାଶିତ ହୋଇଥିଲା ।

 

୬.

ନୀତି କୁସୁମ: ସ:ହି ୧୨/୧୩ ତା ୧.୮.୧୯୦୦ ସଂଖ୍ୟାରେ ପ୍ରକାଶିତ ଏ କବିତାରେ ମଧ୍ୟ ନୈତିକ ଉପଦେଶର ପ୍ରାବଲ୍ୟ ଦ୍ରଷ୍ଟବ୍ୟ ।

 

“ନକଲେ ନକର ପଛେ ପର ଉପକାର

କିନ୍ତୁ କେବେ ନ ବାଞ୍ଛିବ ଅନିଷ୍ଟ କାହାର ।

କଲେ କର ପଛେ ମୌନ ବ୍ରତ ଆଚରଣ

ତଥାପି ନକହ କେବେ ଅଳୀକ ବଚନ

ଅନାହାରେ ଗଲେ ଯାଉ ପଛେ ଏ ଜୀବନ

ଭ୍ରମେ ସୁଦ୍ଧା ନ କରିବ ପରସ୍ଵ ହରଣ ।’’ (୧୬)

 

ଏ ପର୍ଯ୍ୟାୟର କବିତାଗୁଡ଼ିକ ତତ୍କାଳୀନ ସମାଜରେ ନୈତିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସଫଳ ହୋଇଛି ।

 

୭.

ଅଜବିଳାପ: ସଂସ୍କୃତ ରଘୁବଂଶ କାବ୍ୟର ଏହା ମାର୍ମିକ ଅନୁବାଦ । ସେହି ପତ୍ରିକାର ୧୨ ୨୧ ତା ୨୬.୯.୧୯୦୦ ସଂଖ୍ୟାରୁ କ୍ରମାନ୍ଵୟରେ ପ୍ରକାଶିତ ହୋଇ ୧୯୦୧ରେ ଦେ’ ଙ୍କ ଉତ୍କଳ ପ୍ରେସ୍ ବାଲେଶ୍ଵରରେ ପୁସ୍ତକ ରୁପେ ମୁଦ୍ରିତ ହୁଏ । ଏ କାବ୍ୟ ଅନୁବାଦରେ କବି ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । କବି ରାଧାନାଥଙ୍କ ସ୍ଵୀକାରୋକ୍ତି ରତ୍ନାକରଙ୍କ ଅନୁବାଦ ଶକ୍ତିର ପ୍ରମାଣପତ୍ର । “ଶ୍ରୀଯୁକ୍ତ ରତ୍ନାକର ଶର୍ମାଙ୍କ ଅନୁଦିତ ଅଜବିଳାପ ମୁଁ ଆଦ୍ୟୋପ୍ରାନ୍ତ ପାଠ କରି ପ୍ରୀତ ହୋଇଅଛି । ଅନୁବାଦ ଆଶାନୁରୂପ ଲଳିତ ଏବଂ ପ୍ରାଞ୍ଜଳ ହୋଇଅଛି । ରତ୍ନାକର ବାବୁ ସୁଲେଖକ ବୋଲି ଉତ୍କଳୀୟ ସାହିତ୍ୟ ସଂସାରରେ ପରିଚିତ । ଅଜବିଳାପ ତାହାଙ୍କ ପ୍ରତିଷ୍ଠାର ଅନୁପଯୁକ୍ତ ହୋଇନାହିଁ ।’’ (୧୭)

 

ଅଜବିଳାପ ସମାଲୋଚନା ଆଳରେ ସୁସାହିତ୍ୟିକ ଦାମୋଦର କର ଏହାର ଭୂୟସୀ ପ୍ରଶଂସା କରନ୍ତି “ମୋହ ମତରେ କୌଣସି ଗ୍ରନ୍ଥ ରଚନା କରିବା ଅପେକ୍ଷା ଅନିବାଦ କରିବାରେ ଅଧିକ ପ୍ରତିଭା ଏବଂ ଗବେଷଣାର ଆବଶ୍ୟକ । କାରଣ ରଚନାରେ କବିଙ୍କର ସ୍ଵାଧୀନତା ଅଛି; ମାତ୍ର ଅନୁବାଦରେ ସେ ସୁବିଧା ନାହିଁ । ସଂସ୍କୃତ ରଚନାରେ ଭାବ ଅତୁଟ ରଖି ମିତ୍ରାକ୍ଷର ପାଳନ କରି ଲଳିତ ପଦବିନ୍ୟାସ କରତଃ ଅନୁବାଦରେ କୃତକାର୍ଯ୍ୟ ହେବା ସାମାନ୍ୟ କବିର କ୍ଷମତା ସାଧ୍ୟ ନୁହେଁ । ଗ୍ରନ୍ଥ ପାଠ କଲାବେଳେ କାଠିଣ୍ୟ ପଦ ଯୋଜନାରୁ ତାହା ଅନୁଦିତ ଗ୍ରନ୍ଥ ବୋଲି ସ୍ଵତଃ ଉପଲବ୍ଧି ହୋଇଥାଏ; ମାତ୍ର ଆନନ୍ଦର ବିଷୟ ଏହି ଯେ, ଅଜବିଳାପର ଅନୁବାଦ ଏ ରୂପ ଲଳିତ ଓ ପ୍ରାଞ୍ଜଳ ହୋଇଅଛି ଯେ, ତାହା ଅନୁଦିତ ଗ୍ରନ୍ଥ ବୋଲି ଅନୁଭୂତ ହେବାକୁ ନାହିଁ ।’’ (୧୮)

 

ରଘୁବଂଶର ଅଷ୍ଚମକ ସର୍ଗକୁ କବି ଅନୁବାଦ କରିଛନ୍ତି । ଅନୁବାଦର ପ୍ରତି ଛତ୍ରେ ଛତ୍ରେ ମୂଳ କାବ୍ୟର ଭାବ ଅକ୍ଷୁର୍ଣ୍ଣ ରଖାଯାଇଛି । ସଂସ୍କୃତ କାବ୍ୟକୁ ମିତ୍ରାକ୍ଷର ପଦ୍ୟରେ ଅନୁବାଦ କରି କବି ନିଜର ବଳିଷ୍ଠ ସୃଜନ ଶକ୍ତିର ପରିଚୟ ଦେଇଛନ୍ତି । ତାଙ୍କ ଅନୁବାଦ ଶକ୍ତିର ତୁଳନାତ୍ମକ ଅଧ୍ୟୟନ ପାଇଁ ଏଠି ମୂଳ ଏବଂ ଅନୁଦିତ କାବ୍ୟରୁ ଗୋଟିଏ ପଦ ଉଦ୍ଧୃତ ହେଲା ।

 

“ଗୃହିଣୀ ସଚିବଃ ସଖିମିଥଃ ପ୍ରିୟ ଶିଷ୍ୟା ଲଳିତେ କଳା ବିଧୌ

କରୁଣା ବିମୁଖେନ ମୃତ୍ୟୁ ନା ହରଣା ତ୍ଵାଂ ବଦକିଂ ନମେହୃତମ୍

ମଦିରାକ୍ଷି ମଦନନା ର୍ପିତଂ ମଧୁପିତ୍ଵା ରସବତ୍ କଥଂ ନୁମେ

ଅନୁପାସ୍ୟତି ବାଷ୍ପ ଦୁଷିତଂ ପରଲୋକ ପନତଂ ଜଳାଞ୍ଜଳିଂ” (୧୯)

 

ଅନୁବାଦ:

“ତୁମ୍ଭେ ମୋ ଗୃହିଣୀ ତୁମ୍ଭେ ମୋର ମନ୍ତ୍ରୀ

ତୁମ୍ଭେ ରହସ୍ୟ ବୟସୀ

ସଙ୍ଗୀତାଦି କଳା ପ୍ରୟୋଗେ ମୋ ପ୍ରିୟ

ଶିଷ୍ୟା ଥିଲ ଗୋ ପ୍ରେୟସୀ ।

ଅତଏବ ସଖୀ କରୁଣା ବିମୁଖ

ନିର୍ମ୍ମମ ଖଳ ଶମନ ।

ତୁମ୍ଭଙ୍କୁ ହରଣ କରି କରି ନାହିଁ

ମୋର କି ଅପହରଣ

ମଦିରାକ୍ଷି ମଧୁ ପିଉଥିଲ ମୋର

ମୁଖୁ ହୋଇ କୁତୁହଳୀ

ପରଲୋକ ଯାଇ କି ରୁପେ ପିଇବ

ବାଷ୍ପ ଦୁପ୍ୟ ଜଳାଞ୍ଜଳି ।“ (୨୦)

 

୮.

ପାର୍ବତୀ: କବିବର ରାଧାନାଥଙ୍କ ଲିଖିତ ପାର୍ବତୀ କାବ୍ୟର ‘ଉପସଂହାର ଗଦ୍ୟ’ ଅବଲମ୍ବନରେ ଏ କାବ୍ୟ ଲିଖିତ . ଏହା ସ:ହି: ୩୦୨୦ ତା ୫.୪.୧୯୧୯ରୁ ଆରମ୍ଭ ହୋଇ ୩୦ ୩୧ ତା ୫.୭.୧୯୧୯ ସଂଖ୍ୟାରେ ସମାପ୍ତ ହୋଇଛି । ପାର୍ବତୀ କାବ୍ୟର କଳାତ୍ମକ ମାନଦଣ୍ଡ ଯାହା ହେଉନା ଏଥିରେ ବର୍ଣ୍ଣିତ ପିତାପୁତ୍ରୀର ପ୍ରଣୟ ଉପାଖ୍ୟାନ ଏହାକୁ ସମାଲୋଚିତ କରିଛି । ପାର୍ବତୀ ଏକ ଅସଂପୂର୍ଣ୍ଣ କାବ୍ୟ । ଏହାର ଉତ୍ତରାର୍ଦ୍ଧ ଗଦ୍ୟାକାରେ କବିବର ଲେଖି ଯାଇଛନ୍ତି । ରାଧାନାଥ ପ୍ରେମର ଅନ୍ତରଙ୍ଗ ଉଚ୍ଚାରଣ ଭାବେ ଏ ଅସଂପୂର୍ଣ୍ଣ କାବ୍ୟକୁ ସଫଳ କରିବା ପାଇଁ ବାମଣ୍ଡାର କବିଗଣ ଆଗଭର ହୋଇଛନ୍ତି । ଏ ପର୍ଯ୍ୟାୟରେ ବଳଭଦ୍ର ଦେବଙ୍କ ପାର୍ବତୀ ଉତ୍ତରାର୍ଦ୍ଧ କାବ୍ୟ ସ୍ମରଣ ଯୋଗ୍ୟ । (୨୧) ରାଧାନାଥଙ୍କ ଅସଂପୂର୍ଣ୍ଣ କୃତିକୁ କଳା ଭାସ୍କର୍ଯ୍ୟରେ ପୂର୍ଣ୍ଣ କରିବାରେ ରତ୍ନାକରଙ୍କ କୃତିତ୍ଵ ସ୍ଵୀକୃତ ।

 

“କହେ ଅନ୍ନପୂର୍ଣ୍ଣା

ନିବେଦୁଛି ଦେବୀ

କରନ୍ତୁ ତାହା ଶ୍ରବଣ

କି ହେତୁରୁ ମୁହିଁ

ପିତାମାତାଙ୍କର

ହେଲି ମୃତ୍ୟୁର କାରଣ

ଶାଳ୍ମଳୀ ଶଇଳ

ମେଖଳେ ଆମ୍ଭର

ଚାରୁଦୁର୍ଗ ଅବସ୍ଥିତ

ଉଭୟ ପାର୍ଶ୍ଵରେ

ଘନ ବନ ରାଜି

ରହିଛି ହୋଇ ବେଷ୍ଟିତ ।’’ (୨୨)

 

ରତ୍ନାକର ପାର୍ବତୀ ଉତ୍ତରାର୍ଦ୍ଧ ରଚନାରେ ଯଥାସାଧ୍ୟ ରାଧାନାଥୀ ସୃଷ୍ଟି କୌଶଳକୁ ଅବଲମ୍ଵନ କରିଛନ୍ତି । ରାଧାନାଥ ପ୍ରତିଭା ମୁଗ୍ଧ କବି ରତ୍ନାକର ଶର୍ମା ରାଧାନାଥଙ୍କ ପ୍ରତି ନିଜର ଅକପଟ ସମ୍ମାନ ଜଣାଇବାକୁ ଯାଇ ଏ ଅସଂପୂର୍ଣ୍ଣ କାବ୍ୟକୁ ସଂପୂର୍ଣ୍ଣ କରିଛନ୍ତି ।

 

୯.

ସଂଯୁକ୍ତା : ଐତିହାସିକ ପୃଥ୍ଵୀରାଜ ସଂଯୁକ୍ତା କାହାଣୀ ଅବଲମ୍ଵନରେ ଏ କାବ୍ୟ ରଚିତ । ସଂଯୁକ୍ତାଙ୍କ ସ୍ଵାଧୀନଚେତା ମନୋବୃତ୍ତିର ପରିଚୟ ଏ କାବ୍ୟ ପ୍ରଦାନ କରେ । ୧୯୦୭ରେ ପ୍ରକାଶିତ ଏ କାବ୍ୟ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା । (୨୩)

 

୧୦.

ଦୁଇ ସଙ୍ଗାତ: ସ:ହି: ୨୧ ୨୫ ତା ୯.୪.୧୯୧୦ରୁ କ୍ରମଶାକାରେ ଏ କାବ୍ୟ ପ୍ରକାଶିତ । ରାଜପୁତ୍ର ଓ ମନ୍ତ୍ରୀ ପୁତ୍ରର ମିତ୍ରତା । ବିଦେଶ ଭ୍ରମଣ । ବିଦେଶରେ ଅନ୍ୟ ରାଜକୁମାରୀ ସହିତ ରାଜକୁମାରର ପ୍ରେମ । ମନ୍ତ୍ରୀପୁତ୍ରର ସାହାଯ୍ୟରେ ପ୍ରେମ ସଫଳକାମ । ଏମିତି ଏକ ଗତାନୁଗତିକ କାହାଣୀକୁ ଉପଜୀବ୍ୟ କରି ଏ କାବ୍ୟ ଗଠିତ । ୧୯୧୦ରେ ଏହା ବାମଣ୍ଡା ପ୍ରେସ୍‍ରେ ପୁସ୍ତକାକାରେ ପ୍ରକାଶିତ ।

 

୧୧.

ଅନ୍ୟାନ୍ୟ କବିତା : କବିଟିଏ ଲେଖନୀ ଧରିଲା ବେଳକୁ ନିଜ ଚତୁଃପାର୍ଶ୍ଵସ୍ଥ ପରିବେଶ ତାକୁ ପ୍ରଭାବିତ କରେ । ପ୍ରକୃତି ମୁଗ୍ଧ ପ୍ରତିଭା ପ୍ରକୃତିର ବିଚିତ୍ର ରୂପ ଦ୍ଵାରା ଆକୃଷ୍ଟ ହୁଏ ଏବଂ କାବ୍ୟ କଳାରେ ତାକୁ ଋଦ୍ଧିମନ୍ତ କରେ । ରତ୍ନାକର ଶର୍ମା ପ୍ରକୃତିର ବିଭିନ୍ନ ଅବସ୍ଥା, ବିଭିନ୍ନ ରୂପ, ବଣ, ପାହାଡ଼, ନଈ, ଋତୁଚକ୍ର ଦ୍ୱାରା ପ୍ରଭାବିତ ହୋଇଥିଲେ । ଏ ସମସ୍ତ ମାଧ୍ୟମକୁ ଉପଜୀବ୍ୟ କରି ସେ କାବ୍ୟ ରଚନାରେ ମନୋନିବେଶ କରିଥିଲେ । ପ୍ରକୃତିର ବିଭିନ୍ନ ରୂପ ବର୍ଣ୍ଣନା ସହିତ ତୁଳନାତ୍ମକ ଭାବେ ମାନବ ଜୀବନର ବ୍ୟବହାରିକ ଦିଗକୁ ମଧ୍ୟ କବି ସୂଚିତ କରିଛନ୍ତି । ଏ ପ୍ରସଙ୍ଗରେ ସୂର୍ଯ୍ୟାସ୍ତ, ମେଘପ୍ରତି ପ୍ରଭାତ, ଗ୍ରୀଷ୍ମ, ପଦ୍ମ ପ୍ରତି, କୋକିଳ ପ୍ରତି, ସୂର୍ଯ୍ୟ ପ୍ରତି ପ୍ରଭୃତି କବିତାକୁ ବିଚାର କରାଯାଇପାରେ ।

 

“ସିନ୍ଦୂରିତ ଦେଖି

ବାରୁଣୀ ଦିଗକୁ

ମନରେ ହୁଏ ପ୍ରତୀତ

* * *

* * *

* * *

ଅଥବା ବାରୁଣୀ

ତରୁଣୀ ସଜାଡ଼ି

ପିନ୍ଧିଛି ରଙ୍ଗବସନ

ତା’ମଥା ସିନ୍ଦୂର

ବିନ୍ଦୁପ୍ରାୟ ରବି

ମଣ୍ଡଳ ଦିଶେ ଶୋଭନ

ନୁହଇ ସିନ୍ଦୁର

ସ୍ଵର୍ଣ୍ଣଦୀରେ ସ୍ଫୁଟ

ଏକିଲୋହିତ ନଳିନୀ

ଅବାରକ୍ତ ପିଣ୍ଡ

କରିଛିକି ଜନ୍ମ

ବାରୁଣୀ ଅଭ୍ର କରିଣୀ ।’’

(ସୂର୍ଯ୍ୟାସ୍ତ)(୨୩)(କ)

 

ପ୍ରକୃତିର ଅଭିନବ ରୂପ ବର୍ଣ୍ଣନା ସହିତ ମଣିଷ ପ୍ରତି ଏହାର ଅମୂଲ୍ୟ ଅବଦାନକୁ କବି ସ୍ମରଣ କରିଛନ୍ତି । ସାଧାରଣ ଜୀବନଚର୍ଯ୍ୟା ସହିତ ପ୍ରକୃତି ସମ୍ବୋଧିତ ହୋଇ ଅପୂର୍ବ ଶ୍ରୀଧାରଣ କରିଛି । ଜୀବ ଓ ଜଡ଼ର ଅପୂର୍ବ ମିଳନ ଦୃଶ୍ୟ ପ୍ରତିଟି କବିତାକୁ ପ୍ରାଣଦାନ କରିଛି ।

 

“ସ୍ଵକାନ୍ତ ଆଗତ ବାର୍ତ୍ତାପାଇ କୁମୁଦିନୀ ହେଲା ଉତ୍‍ଫୁଲ୍ଲିତ

ବିଚ୍ଛେଦ ବାନ୍ଧବ ସଙ୍ଗଭାବି ତାମ-ରସ ହେଲା ବିଷାଦିତ

ରଥାଙ୍ଗ ମିଥୁନ ସରଃ ବିପରୀତ ତୀରେ ଦୁଃଖ କରେ ଗତି

ସନ୍ନିକଟେ ନଗ ଅତି ସୁଖେ ଗତି କଲେ ହଂସରାଳି ତତି ।’’

(ସୂର୍ଯ୍ୟାସ୍ତ)(୨୪)

 

କେବଳ ସୁଖର ଚିତ୍ର ନୁହେଁ, ପ୍ରାଣୀଙ୍କ କଷ୍ଟ ମଧ୍ୟ କବିକୁ ବ୍ୟଥିତ କରେ ।

 

“ହୋଇ ଶୀର୍ଣ୍ଣକାୟ ନିରକ୍ଷ ପରାୟ ସେମାନେ ଥାଆନ୍ତି ରହି

ଫଳ ପୁଷ୍ପ ଶୂନ୍ୟ ହୋଇ ତରୁଗଣ କେତେ କଷ୍ଟଥାନ୍ତି ସହି

ପଶୁପକ୍ଷୀଗଣ ଯେତେକ କଷଣ ଲଭନ୍ତି କେପାରେ ରହି

ମାନବ ସକଳେ ସବିତା-ଅନଳେ ସଦା ହେଉଥାନ୍ତି ଦହି ।’’

--ମେଘର ପ୍ରତି (୨୫)

 

ରତ୍ନାକରଙ୍କ କବିତା ସମୂହରେ ଏକ ନିରଳସ ସଲ୍ଲଜ ପଲ୍ଲୀର ଦ୍ରୀଡ଼ାବନତ ଚାହାଣି ସୁସ୍ପଷ୍ଟ । ନିରାଶାର ମହାଅନ୍ଧକାର ମଧ୍ୟରେ ଆଶାର ସୂର୍ଯ୍ୟୋଦୟ । ଅସତ୍ୟର ଘୋର ଜିଗୀଷାକୁ ପରାହତ କରି ସତ୍ୟର, ପ୍ରଜ୍ଞାର ତତ୍ତ୍ଵ ପ୍ରଚାର ତାଙ୍କ କବିତାର ଆଭିମୁଖ୍ୟ । ସରଳ ଶବ୍ଦ ସଂଯୋଜନା ଅକପଟ ଭାବ ସମ୍ଫ୍ରସାରଣ ମଧ୍ୟରେ ତାଙ୍କ କବିତାର ବ୍ୟାପ୍ତି । କବିତାର ଆବେଦନ ମଧ୍ୟରେ ସାମ୍ୟ ଦର୍ଶନ ଝଙ୍କୃତ ।

 

“ଧନ୍ୟରେ କମଳ ତୋର ଗୁଣଚୟ କହିବାକୁ ମୁଖେ କେହୁ ଭାଜନ

କଳୁଷିତ ପଙ୍କୁ ଜନ୍ମି ସଉରଭ ଚତୁର୍ଦ୍ଦିଗେ କରୁତୁ ବିତରଣ

କି ରାଜା, କି ପ୍ରଜା କି ଧନୀ ନିର୍ଦ୍ଧନ ସମଜ୍ଞାନ ତୁହି କରୁ ସକଳେ

ଏପରି ମହତ ସମଦର୍ଶୀ ଜନ ଦେଖା ନାହିଁ ତ ଏ ମହୀମଣ୍ଡଳେ ।’’

(ପଦ୍ମପ୍ରତି)(୨୬)

 

ଏ କବିତାର ଫୁଟ୍‍ନୋଟ୍‍ରେ କବି ସମଦର୍ଶୀ ହେବାର ଯାଚଜ୍ଞା କରିଛନ୍ତି । “ମୁଁ ପଦ୍ମପରି ସମଦର୍ଶୀ ହୁଏ । ବନ୍ଧୁ ଦୁଃଖରେ ଦୁଃଖୀ ଓ ବନ୍ଧୁ ସୁଖରେ ସୁଖୀ ହୁଏ” (୨୭)

 

ରତ୍ନାକର କବିତା ମନ୍ତ୍ରଧ୍ଵନି ପରି ସଂସାରର ଦୁଃଖକଷ୍ଟକୁ ତିରୋହିତ କରିବାକୁ ବଦ୍ଧ ପରିକର । ପ୍ରକୃତିକୁ ଦ୍ଵାହି ଦେଇ ଆଦର୍ଶବାଦ ପ୍ରଖ୍ୟାପନ ତାଙ୍କର ଲକ୍ଷ୍ୟ । ପ୍ରକୃତିର ବଶଂବଦ ଭକ୍ତ କବି ପ୍ରକୃତି କୋଳରେ ଲାଳିତ ପାଳିତ କୃଷକ ଓ ଶ୍ରମିକଙ୍କୁ ଜୀବନର ସର୍ବଶ୍ରେଷ୍ଠ ପ୍ରଣତି ଜଣାଇଛନ୍ତି । ଉଦାରତା ଓ ସରଳତାର ମୂର୍ତ୍ତିମନ୍ତ ପ୍ରତୀକ କୃଷକ । କୃଷକର କୁଟୀର ଶାନ୍ତି ନିକେତନ । ସେଇ ହିଁ ସ୍ଵର୍ଗ—

 

** ** ** ** **

ତୋହର ସାରଲ୍ୟ ଉଦାର ହୃଦୟ ଦେଖି କେ ନୁହେ ଚକିତ

ମିଳେ ଯେଉଁ ସୁଖ ନିଜାଳୟେ ରହି ଦାରା ତନୟ ସହିତ

ତୋହ ଭାଗ୍ୟେ ଏହା ଘଟିଛିରେ ତାହା ଅପରେ ତହୁଁ ବଞ୍ଚିତ

ଏ ମର୍ତ୍ତ୍ୟ ମଣ୍ଡଳେ ତୋହ ନିକେତନ ଅଟେ ଭାଇ ସ୍ଵର୍ଗ ପରି ।

କରେ ନିବେଦନ ତୋହରି ହୃଦୟ ଦିଅନ୍ତୁ ମୋତେ ଶ୍ରୀହରି । (୨୮)

 

ଜଗତ ଜଞ୍ଜାଳ ଭିତରେ ଅତିଷ୍ଠ କବି କୋକିଳର କୁହୁତାନ ଭିତରେ ଶାନ୍ତିର ଆସ୍ଵାଦ ଖୋଜିଛନ୍ତି । ପ୍ରକୃତି ଅନ୍ତରାଳରେ ଆଧ୍ୟାତ୍ମିକତାର ମଧୁ ଗୁଞ୍ଜରଣ ଉପଲବ୍ଧି କରିଛନ୍ତି ।

 

“ପାପ ବିଷେ ମୋର ଶରୀର ପିକ ହେଉଛି ଘାରି

କାହୁଁ ବିଭୁନାମ କୀର୍ତ୍ତନ ହେବି ମୁଁ ଅଧିକାରୀ

ଆଉଥରେ ପିକ ଗାଅରେ ସେହି ସୁଧା ସଂଗୀତ

ତା’ ଶୁଣି ମୋ ମନ ଶ୍ରବଣ ହୋଇଯାଉ ପବିତ୍ର ।’’(୨୯)

 

ଅନିତ୍ୟ ସଂସାରରେ ଦୁଃଖ, ସୁଖ ସମସ୍ତ ଅଳୀକ ସମୟର ଚାତୁର୍ଯ୍ୟ ପୂର୍ଣ୍ଣ ଚାହାଣୀରେ କ୍ଷଣକରେ ଚିତ୍ରପଟ ବଦଳିଯାଏ । ପରିବର୍ତ୍ତିତ ପ୍ରେକ୍ଷାପଟ୍ଟରେ କବି ଦାର୍ଶନିକ ସୁଲଭ ଚିନ୍ତାଧାରା ପ୍ରକାଶ କରନ୍ତି । ନବ୍ୟ ବିଧବା ପ୍ରତି, ସକଳ ଅନିତ୍ୟ, ସାଗର ପ୍ରତି ସ୍ଵପ୍ନ ମହିମା, ସର୍ବେ ସ୍ଵାର୍ଥପର, ସଂସାରର ଅନିତ୍ୟତା, ଅନୁତାପ ଓ ନିବେଦନ ପ୍ରଭୃତି କବିତାରେ କବିଙ୍କର ସୂକ୍ଷ୍ମଦର୍ଶନ ପ୍ରକାଶ ପାଇଛି । (୩୦) ପାଠକଙ୍କ ଅବଗତି ନିମନ୍ତେ କିଛି କବିତାଂଶ ଏଠି ଉଦ୍ଧୃତ ହେଲା ।

 

“ପ୍ରାଣୀଗଣଙ୍କର ଜୀବନ ଅଟଇ ଗିରି ନଦୀଙ୍କର ସ୍ରୋତର ବତ

କାଳ ପାରାବାରେ ମିଶିବା ନିମନ୍ତେ ଧାଉଁ ଅଛି ସିନା ସେ ଅବିରତ ।’’

(ନବ୍ୟ ବିଧବା ପ୍ରତି) (୩୧)

“ଉବର ପଥିକ ସିନା ପାନ୍ଥଶାଳାବାସୀ

ଅନନ୍ତ ନଗରୁ ଦୁଇଦିନ ପାଇଁ ଆସି

ସଗର୍ବେ ଫୁଲାଇ ଛାତି ମୋର ମୋର ବୋଲି ମାତି

ସ୍ଵଜନ-ବିବାଦେ କି ପାଁ ହୁଅନ୍ତି ପ୍ରୟାସୀ

ନ ଭାବ ସେ କାଳ ସ୍ରୋତେ ଯିବ ବୋଲି ଭାସି ।’’

(ସଂସାରର ଅନିତ୍ୟତା) (୩୨)

 

ସଂସାରର ଅନିତ୍ୟତାକୁ ଆହୁରି ପ୍ରାଣବନ୍ତ କରିଛନ୍ତି କବି ‘ସକଳ ଅନିତ୍ୟ’ କବିତାରେ ।

 

‘ଉଷା ରାଗେ ପ୍ରାଚୀନଭ ହୋଇ କୁଙ୍କୁମିତ

କେମନ୍ତ ଅପୂର୍ବ ଶୋଭା କରେ ପ୍ରକାଶିତ

କିନ୍ତୁ ଅଳପ ସମୟ ପରେ ତା’ ଶୋଭା ବିଲୟ

ହୁଅଇ, ନୟନେ ଆଉ ନୁହଁଇ ପତନ

ସକଳ ଅନିତ୍ୟ ଏଥୁଁ ନୁହେଁ କି ଜ୍ଞାପନ ।’’ (୩୩)

 

ପ୍ରକୃତିର ସମସ୍ତ ବିଭବ କ୍ଷଣସ୍ଥାୟୀ । ଏହା ସହିତ ଜାଗତିକ ଗୁଣାଚୟ ମଧ୍ୟ ଅନିତ୍ୟ । ଏ କବିତାର ଶବ୍ଦ ସଂଯୋଜନା ଓ କଳାତ୍ମକ ଦୃଷ୍ଟି ଭଙ୍ଗୀ ବେଶ୍ ଉଚ୍ଚକୋଟୀର । ଉପଦେଶ ଧର୍ମୀ କବିତା ହେଲେ ମଧ୍ୟ ଏହା ନୀତିଦର୍ପଣ ବା ନୀତି ପ୍ରଦୀପ ପରି ସର୍ବୋତ ଭାବେ ସଂସ୍କୃତ ସାହିତ୍ୟ ରସପୃଷ୍ଟ ନୁହେଁ । ଏହାର ଆବେଦନ ମୋଳିକ ଓ ସୁଦୂର ପ୍ରସାରୀ ।

 

ପରାଧୀନତାର ଦୁଃଖ ମର୍ମେ ମର୍ମେ ଅନୁଭବି ଥିଲେ କବି । ଏ ପ୍ରସଙ୍ଗରେ ପରାଧୀନ ଦେଶର ଜଣେ ସଚେତକ ଶବ୍ଦ ଶିଳ୍ପୀ ରୁପେ ମନର ବ୍ୟଥାକ୍ତ ବେଦନାକୁ ସେ ଶବ୍ଦ ରୁପ ଦେଇଛନ୍ତି ‘ଅନୁତାପ ଓ ନିବେଦନ’ ଓ ‘ପିଞ୍ଜରାବଦ୍ଧ ଶୁକ’ କବିତାରେ । ପରାଧୀନତାର ଜ୍ଵାଳାକୁ ଉପଶମ କରିବା ପାଇଁ ମହାଭାରତୀୟ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ସେ ଆହ୍ଵାନ ଦେଇଛନ୍ତି । ଏକ ବଳିଷ୍ଠ ବ୍ୟକ୍ତି ଚରିତ୍ରର ଭିତ୍ତି ପ୍ରତିଷ୍ଠା ପାଇଁ ସେ ସତ୍ୟ ନ୍ୟାୟ, ଧର୍ମ ଓ ଅହିଂସା ପଥର ଉପାସକ ହେବାକୁ ପରାମର୍ଶ ଦେଇଛନ୍ତି ।

 

ରାଧାନାଥ ଯୁଗୀୟ କାବ୍ୟଧାରାରେ ଏକ ବହୁ ପ୍ରସୂପ୍ରଜ୍ଞାବାଦ ଦରଦୀ କବି ରୂପେ ରତ୍ନାକର ଶର୍ମା ସମ୍ମାନିତ । କୌଣସି ଯୁଗ ସନ୍ଧିକ୍ଷଣରେ ପ୍ରତିଷ୍ଠିତ କାବ୍ୟଧାରାର ନିୟାମକ ଭୂମିକାରେ କ୍ଵଚିତ୍ ଶିଳ୍ପୀ ଅବତୀର୍ଣ୍ଣ ହୁଅନ୍ତି । ଅନ୍ୟ ଅନେକ କାରିଗର ଏ ଧାରା ନିର୍ମାଣରେ ନିଜର ଶିଳ୍ପ ମର୍ଯ୍ୟାଦା, ନିଜର ଆତ୍ମଶକ୍ତିକୁ ବିନିଯୋଗ କରନ୍ତି । ଏ ସମସ୍ତଙ୍କର ସାମୁହିକ ଅବଦାନରେ ଗଢ଼ିଉଠେ କଳାର କୋଣାର୍କ । ଜଣକର ନାମ ବ୍ୟତିରେକ ଅନେକ ବେନାମୀ ନାମ ଲୋକଲୋଚନ ଅଗୋଚରରେ ରହିଯାଏ , କିନ୍ତୁ କାଳଜୟୀ କଳା ବିଶ୍ଵ ଦରବାରରେ ପୂଜାପାଏ । ଏମିତି ଏକ ଶବ୍ଦ କାରିଗର ରତ୍ନାକର ଶର୍ମା ଓଡ଼ିଆ କବିତାର ନବଜାଗରଣରେ ସେ ଜଣେ ସମର୍ଥ ଉତ୍ସର୍ଗୀକୃତ କାବ୍ୟରଥି । ତତ୍କାଳୀନ ଯୁଗରୁଚିକୁ ସମ୍ମାନ ଜଣାଇ ରାଧାନାଥ ପ୍ରବର୍ତ୍ତିତ କାବ୍ୟ ପରମ୍ପରାକୁ ପରିପୃଷ୍ଟ କରିବାକୁ ସେ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ ଏବଂ ନିଜ ଆଭିମୁଖ୍ୟରେ ସଫଳ ହୋଇଥିଲେ ।

 

ରତ୍ନାକର ଶର୍ମାଙ୍କ ଶବ୍ଦ ଉପରେ ଅପୂର୍ବ ଦଖଲ ଥିଲା । କବିତା ସମୁହ ସାବଲୀଳ ଶବ୍ଦ ସଜ୍ଜା ଏବଂ ଅନନ୍ୟ ସଂଗୀତ ଧ୍ଵନିରେ ଅନୁରଣିତ ଥିଲା । ଭାବରେ ସେ ଆଧୁନିକ । ପୌରାଣିକ କଥାବସ୍ତୁକ ଜୀର୍ଣ୍ଣ ନିର୍ମୋକ ଉନ୍ମୋଚନ କରି ସେ ଆଧୁନିକତାର ଦୁକୁଳ ପିନ୍ଧାଇଥିଲେ । ଅବବୋଧ ତାଙ୍କର ଥିଲା ପରିମାର୍ଜିତ । ରୁଚିଥିଲା ମହତ । ପ୍ରକୃତି ପ୍ରାଣକବି କବିତା ଛଳରେ ଜାତୀୟତାବୋଧ ପରିପ୍ରଚାର କରୁଥିଲେ । ସମାଜର କୁ-ସଂସ୍କାର ଓ ଅଶିକ୍ଷାର କବର ଉପରେ ଆଦର୍ଶ ଶିକ୍ଷା, ଆଦର୍ଶ ଜୀବନ ପ୍ରତିଷ୍ଠା ତାଙ୍କର ଧ୍ୟେୟ ଥିଲା ।

 

ରାଧାନାଥୀ କାବ୍ୟ ଦରବାରରେ ନିବୃତ୍ତରେ କାବ୍ୟ ରଚନା କରୁଥିବା ଏ ନୀରବ ସାଧକଙ୍କୁ ଚିହ୍ନନ୍ତୁ ସହୃଦୟ ପାଠକ, ସ୍ଵାଭିମାନୀ କବିଟିକୁ ତା’ର ପ୍ରକୃଷ୍ଟ ମର୍ଯ୍ୟାଦା ପ୍ରଦାନ କରନ୍ତୁ ।

 

ସହାୟକ ଗ୍ରନ୍ଥସୂଚୀ

୧.

ସମ୍ଵଲପୁର ହିତୈଷିଣୀ (ସ:ହି:)୨୧/୨୫ ତା ୯.୪.୧୯୧୦

୨.

ସ:ହି: ତା ୨୭.୮.୧୯୦୨

୩.

ସ:ହି:(ବାମଣ୍ଡା ସମ୍ବାଦ) ତା୧୧.୧୨.୧୯୦୨

୪.

ତତ୍ରୈବ

୫.

ସହି ୫.୧୧.୧୯୦୮

୬.

ସ:ହି :୨୧.୧୧.୧୯୦୮

୭.

ସ:ହି: ୧୯.୧୨.୧୯୦୮

୮.

ସ:ହି: ୨୮.୧୦.୧୯୧୧

୯.

ମନ୍ତବ୍ୟ: ରାଧାନାଥ ରାୟ: ହେମଲତା ୧୪.୪.୧୮୯୭

୧୦.

ହେମଲତା- ବାମଣ୍ଡା -୧୮୯୭ ପୃ-୧

୧୧.

ବପାଳିମାଳୀ : ବାମଣ୍ଡା ହିତୈଷଣୀ ପ୍ରେସ୍-୧୯୧୨ପୃ-୨୪

୧୨.

ଚମ୍ପାବତୀ :ବାମଣ୍ଡା ହିତୈଷିଣୀ ପ୍ରେସ୍-୧୯୧୦ ପୃ-୨୩

୧୩.

ନୀତି ପ୍ରଦୀପ : ବୃହତ ଖେମୁଣ୍ଡି-୧୯୦୬ ପୃ-୧

୧୪.

ନୀତି ପ୍ରଦୀପ-ପୃ-୧୩

୧୫.

ନୀତି ଦର୍ପଣ : ବାମଣ୍ଡା ୧୯୦୧, ପୃ- ୨ ଏହା ନୀତିବାଣୀ ରୁପେ ସ:ହି: ୧୨/୪୨ ତା ୨୭.୨.୧୯୦୧ରେ ମଧ୍ୟ ପ୍ରକାଶିତ ।

୧୬.

ନୀତି କୁସୁମ: ସ:ହି: ୧୨/୧୩ ତା୧.୮.୧୯୦୦

୧୭.

ମନ୍ତବ୍ୟ: ରାଧାନାଥ ରାୟ: ଅଜବିଳାପ-ଦେ’ ଙ୍କ ଉତ୍କଳ ପ୍ରେସ୍ ବାଲେଶ୍ଵର, ୧୯୦୧

୧୮.

ସଂକ୍ଷିପ୍ତ ସମାଲୋଚନା: ଦାମୋଦର କର : ସ:ହି: ୧୬/୪୮ ତା ୧୨. ୮. ୧୯୦୫

୧୯.

ରଘୁବଂଶ: ଅଷ୍ଟମ ସର୍ଗ: ୬୭,୬୮ ଶ୍ଲୋକ ।

୨୦.

ଅଜବିଳାପ: ପୃ-୧୦

୨୧.

ଏଇ ଲେଖକର- ପାର୍ବତୀ ଉତ୍ତରାର୍ଦ୍ଧ: ଏକ ଦୃଷ୍ଟିପାତ: ଝଙ୍କାର- ମେ ୧୯୯୪

୨୨.

ପାର୍ବତୀ: ରତ୍ନାକର ଶର୍ମା: ସ:ହି: ୩୦/୨୦ ତା ୫. ୪.୧୯୧୯

୨୩.

ଭୂମିକା: ଚମ୍ପାବତୀ (ଦ୍ରଷ୍ଟବ୍ୟ)

୨୩.

(କ) ସ:ହି:୪/୪୯ ତା ୧୦.୫.୧୮୯୩

୨୪.

ତତୈବ

୨୫.

ସ:ହି:୪/୫୦ ତା ୧୬.୫.୧୮୯୩

୨୬.

ସ:ହି: ୧୨/୧୧ ତା ୧୮.୭.୧୯୦୦

୨୭.

ତତୈବ ଫୁଟନୋଟ୍ ଦ୍ରଷ୍ଟବ୍ୟ (ପଦ୍ମପ୍ରତି କବିତା)

୨୮.

କୃଷକ ପ୍ରତି: ସ:ହି: ୧୨/୧୨ ତା ୨୫.୭.୧୯୦୦

୨୯.

କୋକିଳ ପ୍ରତି: ସ:ହି: ୧୨/୧୨ ତା ୨୫.୭.୧୯୦୦

୩୦.

ଏ ସମସ୍ତ କବିତା ସ:ହି: ରେ ପ୍ରକାଶିତ

୩୧.

ସ:ହି: ୧୨/୪୧ ତା ୨୦.୨.୧୯୦୧

୩୨.

ସ:ହି: ୧୨/୪୨ ତା ୨୭.୨.୧୯୦୧

୩୩.

ସ:ହି: ୮/୧୫ ତା ୯.୯.୧୮୯୬

 

 

ଗ୍ରା/ପୋ ରିଆମାଳ,

ଜି : ଦେବଗଡ଼-୭୬୮୧୦୯

***

 

ବାସୁଦେବ ସୁଢଳ ଦେବ

ଏକ ଅନନ୍ୟ ସାଧାରଣ ପ୍ରତିଭା

ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

 

(ଆଜକୁ ପ୍ରାୟ ଶହେ ବର୍ଷ ତଳେ ଉନବିଂଶ ଶତାବ୍ଦୀର ଶେଷ ଦଶକରେ ବାମଣ୍ଡା ସମଗ୍ର ଦେଶରେ ପ୍ରତିଟି କ୍ଷେତ୍ରରେ ଚରମ ସୀମାରେ ଉପନୀତ ହୋଇ ବୈଷିଷ୍ଟ୍ୟ ସଂପାଦନ କରିପାରିଥିଲା । ବୋଲିବା ବାହୁଲ୍ୟ ମାତ୍ରଯେ ବାମଣ୍ଡାର ସାଂସ୍କୃତିକ ପରମ୍ପରା ତଥା ଐତିହ ମହାନ୍-। ଯେଉଁ ପୀଠରେ ଆମେ ଆଜି ଦଣ୍ଡାୟମାନ ତା’ର ମାଟି, ଧୂଳିକଣା ମଧ୍ୟ ଦିନେ ଗୌରବଗାଥା ଗାନ କରୁଥିଲା । ତେଣୁ ତା’ର ଦାୟାଦ ହିସାବରେ ଆମ୍ଭମାନଙ୍କର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି ତାକୁ ଉଚ୍ଚକୋଟୀର ପରିବେଶରେ ଗଢ଼ି ତୋଳିବା ପାଇଁ ।)

 

ଓଡ଼ିଶାର ଗଙ୍ଗବଂଶର ଏକ ଶାଖା ତ୍ରୟୋଦଶ ଶତାବ୍ଦୀ ଆଡ଼କୁ ଆସି ବାମଣ୍ଡା (ଗଡ଼ଜାତ)ରେ ରାଜତ୍ଵ କଲେ । ପ୍ରଥମ ରାଜା ଥିଲେ ସରଜୁଦେବ । ସେହି ବଂଶର ୨୬ତମ ରାଜା ବ୍ରଜସୁନ୍ଦର ଦେବ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରାଜତ୍ଵ କରି ବାମଣ୍ଡାର ସାଂସ୍କୃତିକ ଭିତ୍ତିଭୂମି ପ୍ରତିଷ୍ଠା ଏବଂ ସଂସ୍କୃତ ବିଦ୍ୟାଳୟ ଓ ମନ୍ଦିର ଆଦି ନିର୍ମାଣ କଲେ । ତେଣୁ ତାଙ୍କରି ସମୟରେ ବାମଣ୍ଡା ଉନ୍ନତିର ଅୟମାରମ୍ଭ ହେଲା; ମାତ୍ର ସେ ନିଃସନ୍ତାନ ଥିଲେ ।

 

ତାଙ୍କର ତୃତୀୟ ଭ୍ରାତା ହରିହରଦେବଙ୍କ ଜ୍ୟେଷ୍ଠପୁତ୍ରରୂପେ ବାସୁଦେବ ତା ୧୬.୫.୧୮୫୦ରେ ଆବିର୍ଭୂତ ହେଲେ । ବ୍ରଜସୁନ୍ଦରଦେବ ତାଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କଲେ-। ୧୮୬୮ରେ ତାଙ୍କର ଦେହାନ୍ତ ଘଟିଲା । ତେଣୁ ବାସୁଦେବ ୧୮୬୯ରେ ସିଂହାସନ ଆରୋହଣ କଲେ । ମାତ୍ର ପିତା ହରିହରଦେବ ରାଜକାର୍ଯ୍ୟ ସଂପାଦନରେ ସାହାଯ୍ୟ କଲେ । ସେ ୧୮୭୫ରେ ବାମଣ୍ଡାର ପ୍ରତ୍ୟକ୍ଷ ଶାସନ କାର୍ଯ୍ୟରେ ମନୋନିବେଶ କଲେ ।

 

ରାଜା ବାସୁଦେବଙ୍କ ରାଜନୈତିକ ତଥା ପ୍ରଶାସନିକ, ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ତଥା ସାହିତ୍ୟିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା ଦ୍ୱାରା ମହତ୍ ଗୁଣାଦର୍ଶ ସଂପର୍କରେ ସମ୍ୟକ୍ ଧାରଣା ସୃଷ୍ଟି ଏ ପ୍ରବନ୍ଧର ପ୍ରଧାନ ଆଭିମୁଖ୍ୟ । ସେତେବେଳେ ବାମଣ୍ଡାର କ୍ଷେତ୍ରଫଳ ୧୯୮୮ ବର୍ଗମାଇଲ ଥିଲା ଓ ଲୋକସଂଖ୍ୟା ଥିଲା ୮୧.୨୮୬ । ବାର୍ଷିକ ଆୟ ଥିଲା ଟ.୬୦୦୦/-। ତେଣୁ ଆୟ ପରିମାଣ ବୃଦ୍ଧି ଓ ପ୍ରଶାସନର ସୁବିଧା ଦୃଷ୍ଟିରୁ ।

 

(କ)

ସମଗ୍ର ରାଜ୍ୟ ତିନୋଟି ତହସିଲରେ ବିଭକ୍ତ ହେଲା ଯଥା:- ଦେବଗଡ଼, କୁଚିଣ୍ଡା ଓ ବାରକୋଟ । ପ୍ରଥମ ଦୁଇ ତହସିଲରେ ପ୍ରଥମ ଶ୍ରେଣୀ ବିଚାରପତି ଓ ତୃତୀୟ ତହସିଲ୍‍ରେ ଦ୍ଵିତୀୟ ଶ୍ରେଣୀ ବିଚାରପତି ନିଯୁକ୍ତ ଥିଲେ । ଫଳତଃ ପ୍ରଶାସନ ଦିଗରେ ସୁବିଧା ସୃଷ୍ଟି ହେଲା

(ଖ)

ଜମିର ଉନ୍ନତି କଳ୍ପେ ଜମି ଔଲ୍ ବା ଅୟଂ, ଦ୍ଵୟଂ ଏବଂ ସ୍ଵୟଂ ବା ସରଦର ତିନି ଭାଗରେ ବିଭକ୍ତ ହେଲା ।

(ଗ)

ଜମିର ସ୍ଥାୟୀ ଅସ୍ଥାୟୀ ସ୍ଵତ୍ଵ ଭେଦରେ ପାଞ୍ଚ ପ୍ରକାର ସ୍ଵତ୍ଵ ଯଥା ଭୋଗରା, ତୟାବିଜ୍, ଏକପଦୀ, ରକବା, ରୟତି ପ୍ରଚଳିତ ହେଲା ।

(ଘ)

ଏହି ସମୟରେ (ଜମି ଖରିଦ ବନ୍ଦୋବସ୍ତ ବିଭାଗ ଓ ରାଜସ୍ଵବିଭାଗ ସ୍ଥାପିତ ହେବା ଫଳରେ ପ୍ରଜାମାନେ ଉପକୃତ ହେଲେ । ରାଜସ୍ଵ ପରିମାଣ କ୍ରମଶଃ ବୃଦ୍ଧି ଲାଭ କଲା ।

(ଙ)

କାରାଗାର ନିର୍ମାଣ ଓ ବନ୍ଦୀମାନଙ୍କର ଚରିତ୍ର ସଂଶୋଧନ ।

(ଚ)

ଦେବଗଡ଼ରେ ଉଚ୍ଚ ଆଦାଲତ/ନିମ୍ନ ଅଦାଲତମାନଙ୍କ ପ୍ରତିଷ୍ଠା ।

(ଛ)

ଦରବାର ପରିବର୍ତ୍ତେ ‘ରାଜସଭା’କୁ ପରିଷଦ ଆଖ୍ୟା ପ୍ରଦାନ । ଏସବୁ ଉଚ୍ଚକୋଟିର ଶାସନ ପଦ୍ଧତିର ପରିଚାୟକ ।

 

ଏତଦ୍‍ବ୍ୟତୀତ ବ୍ୟବସାୟ ବାଣିଜ୍ୟର ଉନ୍ନତି ବିଧାନ ନିମନ୍ତେ କୃଷିଜାତ ଦ୍ରବ୍ୟ, ଜଙ୍ଗଲଜାତ ଦ୍ରବ୍ୟ, ଖଣିଜାତ ଦ୍ରବ୍ୟର ସଦ୍‍ବିନିଯୋଗ ହେବା ଫଳରେ ଆୟ ପରିମାଣ ବୃଦ୍ଧି ଲାଭ କଲା ।

 

ସେହି ସମୟରେ ଓଡ଼ିଶାର ରାଜଧାନୀ କଟକ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ଶୀର୍ଷ ସ୍ଥାନ ଲାଭ କରିଥିଲା । ତେଣୁ କଟକ ସହିତ ବାଣିଜ୍ୟ ସଂପର୍କ ସ୍ଥାପିତ ହେଲା । ଏକ ‘ବାଣିଜ୍ୟ କୋଠି’ ନିର୍ମିତ ହେଲା । ସେତେବେଳେ ସ୍ଥଳ ପଥରେ ଗମନାଗମନର ସୁବିଧା ନ ଥିବାରୁ ଜଳପଥରେ ବାଣିଜ୍ୟ ବ୍ୟବସାୟ ପ୍ରଚଳିତ ହେଲା ।

 

ଏହି ସମୟରେ ସାଂସ୍କୃତିକ ଭିତ୍ତିଭୂମିକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ।

 

ରାଜ୍ୟରେ ପ୍ରଥମେ :-

(କ)

ଡାକ ବିଭାଗ ପ୍ରତିଷ୍ଠା (୨ ପ୍ରକାର ସ୍ଵତନ୍ତ୍ର ଡାକ ଟିକଟ ପ୍ରଚଳନ)

(ଖ)

ଟେଲିଫୋନ ବ୍ୟବସ୍ଥା—(ବାମଣ୍ଡାରୁ ବାରକୋଟ) ୭୮ ମାଇଲ

(ଗ)

ଅରଣ୍ୟ ମଧ୍ୟରେ ରାଜରାସ୍ତା ନିର୍ମାଣ ।

(ଘ)

ପ୍ରଧାନପାଟ ଜଳପ୍ରପାତର ଜଳକୁ ନଳ ଦ୍ଵାରା ନଗରରେ ଯୋଗାଣ ।

(ଙ)

‘ମହୀଶୂର’ ନଗର ପରିକଳ୍ପନା ଅନୁସାରେ ଦେବଗଡ଼ ପରିକଳ୍ପନା ନିର୍ମାଣ ।

(ଚ)

‘ରାଜୋଦ୍ୟାନ’ ନିର୍ମାଣ ଓ ବିଭିନ୍ନ ଫଳ, ପୁଷ୍ପବୃକ୍ଷ ରୋପଣ ଓ ତହିଁରେ ବିଭିନ୍ନ ମୂର୍ତ୍ତି ସଂସ୍ଥାପନ ।

(ଛ)

ବ୍ରାହ୍ମଣ ସମାଜର ଉନ୍ନତି କଳ୍ପେ ପୁରୋହିତ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ।

(ଜ)

କୃଷିର ଉନ୍ନତି କଳ୍ପେ ଜଳସେଚନ ବ୍ୟବସ୍ଥା (ବନ୍ଧ, ସେତୁ ଆଦି ନିର୍ମାଣ)

(ଝ)

ଚିନିକଳ ବ୍ୟବସ୍ଥା –

(ଞ୍ଜ)

ରାଜ୍ୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନିମିତ୍ତ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ।

(ଟ)

ରାଜ୍ୟରେ ଉପଯୁକ୍ତ ଶିକ୍ଷାର ପ୍ରସାର ନିମନ୍ତେ ନିମ୍ନ/ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ।

(ଠ)

ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ରାଜକୁମାର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ।

(ଡ)

ରାଜ୍ୟରେ ବୈଜ୍ଞାନିକ ଶିକ୍ଷାର ବିକାଶ ନିମିତ୍ତ ମାନମନ୍ଦିର ଓ ବିଜ୍ଞାନଗାର ପ୍ରତିଷ୍ଠା ।

(ଢ)

ରାଜ୍ୟରେ ସର୍ବପ୍ରଥମେ ମଟରଗାଡ଼ିର ବ୍ୟବହାର ।

(ଣ)

ଗୃହପାଳିତ ପଶୁ ହାତୀ, ଘୋଡ଼ା, ଗୋସଂପଦ ନିମିତ୍ତ ଗୃହନିର୍ମାଣ ବ୍ୟବସ୍ଥା ।

(ତ)

ମୁଦ୍ରାଳୟର ପ୍ରତିଷ୍ଠା, ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି (ଜଗନ୍ନାଥ ବଲ୍ଲଭ ପ୍ରେସ୍, କାଳିକା ପ୍ରେସ୍ ସ୍ଥାପନ) କଳ୍ପେ ।

(ଥ)

ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ନିମିତ୍ତ ପତ୍ରପତ୍ରିକାର ମୁଦ୍ରଣ ଓ ପ୍ରକାଶନ–(ସମ୍ବଲପୁର ହିତୈଷିଣୀ, ବିଜୁଳି, ଆଲୋଚନା, ଉତ୍କଳ ମଧୁପ)

(ଦ)

ବହୁ ଗୁଣୀ, ଜ୍ଞାନୀ ତଥା ପଣ୍ଡିତଙ୍କ ସମାଦର । ସ୍ଥଳବିଶେଷରେ ଆର୍ଥିକ ସାହାଯ୍ୟ ପ୍ରଦାନ ।

(ଧ)

ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ଓ ଆର୍ଥିକ ପାରିତୋଷିକ ପ୍ରଦାନ ।

 

ତେଣୁ ଅନ୍ୟାନ୍ୟ ଦେଶୀୟ ରାଜ୍ୟ ତୁଳନାରେ ବାମଣ୍ଡା ଏ କ୍ଷେତ୍ରରେ ଅଗ୍ରଗଣ୍ୟ ଥିଲା ବୋଲିବା ବାହୁଲ୍ୟ ମାତ୍ର । ଯାହାର ବାର୍ଷିକ ଆୟ ପରିମାଣ କ୍ରମୋନ୍ନତି ଲାଭ କରି ୧୯୦୩ ବେଳକୁ ଟ ୧,୭୨,୩୧୦ ଥିଲା । ସଂସ୍କୃତଜ୍ଞ ପଣ୍ଡିତ ରାଜା ନୀତିନିଷ୍ଠ, କର୍ମଠ ଓ ଚଞ୍ଚଳ ପ୍ରକୃତିର ଥିଲେ । ସେ ପ୍ରଥମେ ସମାଜରୁ ଯାବତୀୟ କୁସଂସ୍କାରର ମୂଳୋତ୍ପାଟନ ନିମିତ୍ତ ପଦକ୍ଷେପ ଗ୍ରହଣ କଲେ ତେଣୁ ଶଂସିତ କାଳରେ ବାମଣ୍ଡାର ସାମାଜିକ ଚେତନାକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ସମାଜରେ ପ୍ରଥମେ—

 

୧.

ପୂର୍ବ ପ୍ରଚଳିତ ବାଲ୍ୟବିବାହ ନିଷେଧ ।

୨.

ଯୌତୁକ ପ୍ରଥାର ବିରୋଧ .

୩.

ପିତୃମାତୃହୀନ ସନ୍ତାନ ପ୍ରତି ସାହାଯ୍ୟ ବ୍ୟବସ୍ଥା .

୪.

ବିଧବାମାନଙ୍କୁ ସାହାଯ୍ୟ ପ୍ରଦାନ ।

୫.

ବିବାହ ପରେ ରାଜକନ୍ୟାର ପିତ୍ରାଳୟଗମନ ବ୍ୟବସ୍ଥା .

୬.

ନିଶା ନିବାରଣ ବ୍ୟବସ୍ଥା- ରାଜଧାନୀର ୧୦ ମାଇଲ ବ୍ୟାସାର୍ଦ୍ଧ ପରିମିତ ସ୍ଥାନ ପର୍ଯ୍ୟନ୍ତ ନିଶାଦ୍ରବ୍ୟ ବ୍ୟବହାର ନିଷେଧ ।

୭.

ଅନ୍ୟ ରାଜ୍ୟକୁ ଶ୍ରମିକ ଚାଲାଣ- ନିଷେଧ ।

 

ଏ ପ୍ରକାର ବିଧିବ୍ୟବସ୍ତା ପ୍ରଚଳନରେ ଏକ ଉଚ୍ଚକୋଟୀର ସାମାଜିକ ଚେତନା ସୃଷ୍ଟି ହୋଇ ପାରିଥିଲା ।

 

ପର୍ଯ୍ୟଟନ ପ୍ରିୟ ରାଜା ବାସୁଦେବ ଉତ୍ତର ଭାରତ, ଦକ୍ଷିଣ ଭାରତ, ପଶ୍ଚିମ ଭାରତ ଓ ପୂର୍ବ ଭାରତ ପରିଭ୍ରମଣରେ ପ୍ରଭୂତ ପ୍ରତ୍ୟକ୍ଷ ଜ୍ଞାନ ଲାଭ ଓ ନିଜ ରାଜ୍ୟରେ ତାର ପ୍ରୟୋଗ ପୂର୍ବକ ଉନ୍ନତ ଧରଣର ପରିମାର୍ଜିତ ଶାସନ ପ୍ରଣାଳୀର ପ୍ରଚଳନ ଏକ ପ୍ରଧାନ ବୈଶିଷ୍ଟ । ପର୍ଯ୍ୟଟନ କୌଣସି ବିଳାସ ବ୍ୟସନ ପାଇଁ ଉଦ୍ଦିଷ୍ଟ ନ ଥିଲା ।

 

ଏହାର ପ୍ରଧାନ ଆଭିମୁଖ୍ୟ :–

୧.

ବିଭିନ୍ନ ରାଜ୍ୟରୁ ନାନା ବୈଷୟିକ, ଆଧ୍ୟାତ୍ମିକ ଜ୍ଞାନ ଲାଭ ।

୨.

ଉପଲବ୍ଧ ଜ୍ଞାନ ଅନୁଯାୟୀ ରାଜ୍ୟରେ ସୁଶାସନ ପ୍ରଚଳନ ।

୩.

ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ ସଂପାଦନ ।

୪.

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟ ସହିତ ଘନିଷ୍ଠ ସଂପର୍କ ସ୍ଥାପନ ।

୫.

ବିଭିନ୍ନ ସ୍ଥାନର ଉଚ୍ଚଶିକ୍ଷିତ ବ୍ୟକ୍ତି (ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର, କାଶୀପଣ୍ଡିତ ରମାବାଇ)ଙ୍କ ସଙ୍ଗେ ଶାସ୍ତ୍ରାଲୋଚନାରେ ନିଜର ବ୍ୟକ୍ତିତ୍ଵର ପରିଚୟ ପ୍ରଦାନ

୬.

ସ୍ଥଳ ବିଶେଷରେ, ବହୁ ପଣ୍ଡିତ, ଧର୍ମାନୁଷ୍ଠାନମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନରେ ଆତ୍ମ ସନ୍ତୋଷ ।

୭.

ବିଭିନ୍ନ ସ୍ଥାନରୁ ନୂତନ ଦ୍ରବ୍ୟ ଆହରଣ ଓ ନିଜ ରାଜ୍ୟରେ ବିନିଯୋଗ ପୂର୍ବକ ନୂତନ ସଂସ୍କାର ବିଧାନ ।

 

ତେଣୁ ଋଷିଆର ରାଜା ପଟରିଙ୍କ ଅନୁରୂପ ଶାସନ ପ୍ରଣାଳୀ ପ୍ରଚଳନ ରାଜା ବାସୁଦେବଙ୍କ ଶାସନ ପ୍ରଣାଳୀ କୌଣସି ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ ନ ଥାଇ ସଂପ୍ରସାରିତ ହୋଇ ପ୍ରତିଟି କ୍ଷେତ୍ରରେ (ରାଜନୈତିକ ତଥା ପ୍ରଶାସନିକ, ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ) ବାମଣ୍ଡା ଶୀର୍ଷସ୍ଥାନ ଲାଭ କରି ଏକ ଉଚ୍ଚକୋଟୀର ପରିବେଶ ସୃଷ୍ଟି କରି ପାରିଥିଲା । ତେଣୁ ପ୍ରଥମେ ବ୍ରଟିଶ ସରକାର ୧୮୮୯ରେ (Commander of Indian Empire- C.C.I ) ଓ ଏହାର ଉତ୍କର୍ଷ ଚରମ ସୀମାରେ ପହଞ୍ଚିବାରୁ ୧୮୯୫ରେ Knight Commander of Indian Empire-K.C.I.E ଉପାଧି ପ୍ରଦାନ କଲେ ।

 

ସେ ସମୟରେ ବାମଣ୍ଡା ‘ଛତିଶଗଡ଼’ ଅନ୍ତର୍ଭୁକ୍ତ ଏକ ସାମନ୍ତବାଦୀ ରାଜ୍ୟ ଥିଲା । ତା’ର ନିକଟସ୍ଥ ବଣାଇ, ପାଲଲହଡ଼ା, ରେଢ଼ାଖୋଲ ପ୍ରଭୃତି କରଦ ରାଜ୍ୟ ଥିଲେ । ସାମନ୍ତବାଦୀ ରାଜ୍ୟ ହେତୁ ଏହାର ରାଜା ପ୍ରଭୂତ କ୍ଷମତାଶାଳୀ ଥିଲେ । ପ୍ରାଣଦଣ୍ଡ ବିଧାନ କାର୍ଯ୍ୟକାରୀ କରିବାର କ୍ଷମତା ପ୍ରାପ୍ତ ହୋଇଥିଲେ । ରାଜା ବାସୁଦେବ ସାମ, ଦାନ, ଦଣ୍ଡ, ଭେଦ ନୀତି ପ୍ରୟୋଗ ପୂର୍ବକ ନ୍ୟାୟ ମାର୍ଗରେ ପ୍ରଜାଶାସନ କରୁଥିଲେ । ତେଣୁ ସରକାର ତାଙ୍କର ଶାସନଗତ ଉଚ୍ଚାଦର୍ଶରେ ପ୍ରୀତ ହୋଇ ଏ ପ୍ରକାର ଉଚ୍ଚ ସମ୍ମାନ ପ୍ରଦାନ କଲେ । ଯାହା ପାଇଁ ଅନ୍ୟ ରାଜ୍ୟର ରାଜାମାନେ ଗର୍ବ ଓ ଗୌରବ ଅନୁଭବ କଲେ ।

 

ଏତଦ୍‍ବ୍ୟତୀତ ରାଜା ବାସୁଦେବ ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରେଷ୍ଠ ଅନୁରାଗୀ ଥିଲେ । ତେଣୁ ଓଡ଼ିଆ ସାହିତ୍ୟ ଜଗତରେ କାବ୍ୟକୃତି ସଂପାଦନ ପୂର୍ବକ ଓଡ଼ିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କଲେ । ତାଙ୍କ ପ୍ରଣୀତ ସାହିତ୍ୟକୃତି ସଂପଦ (ଗ୍ରନ୍ଥାବଳୀ) ମୂଳତଃ କ୍ଷୁଦ୍ର ହେଲେ ହେଁ, ତହିଁରେ ବୈଶିଷ୍ଟ ପରିଲକ୍ଷିତ । କୃତି ସଂପଦ ମଧ୍ୟରେ-

 

୧.

ଅଳଙ୍କାର ବୋଧୋଦୟ

୨.

‘ଚିତ୍ରୋତ୍ପଳା’ –କାବ୍ୟ

୩.

ବୀରବାମାକାବ୍ୟ

୪.

କବିତା – ଜହ୍ନମାମୁଁ, ଜଣାଣ

୫.

ହିନ୍ଦୀ – ଧର୍ମଶିକ୍ଷା

୬.

କିସ୍କିନ୍ଧ୍ୟା ବିବରଣ

ଏସବୁର ସୂକ୍ଷ୍ମ ପର୍ଯ୍ୟାଲୋଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ସମ୍ୟକ୍ ପରିଚୟ ମିଳେ ।

୭.

ସଂସ୍କୃତ ପଣ୍ଡିତ ବୈୟାକରଣ ବିଶ୍ଵନାଥ କବିରାଜଙ୍କ ପ୍ରଣୀତ ‘ସାହିତ୍ୟ ଦର୍ପଣ’ ଏକ ଅଳଙ୍କାର ଶାସ୍ତ୍ର । ତହିଁରେ ଦୁର୍ବୋଧ୍ୟତା ପରିହାର ପୂର୍ବକ ଛାତ୍ର ସମାଜ ପାଇଁ ସୁଖପାଠ୍ୟ କରିବା ଅଭିପ୍ରାୟରେ ଅଳଙ୍କାର ବୋଧୋଦୟର ପ୍ରଣୟନ ଏଥିରେ ୩ଟି ପରିଛେଦରେ କାବ୍ୟ, ବାକ୍ୟ, ରସ, ଦୋଷ, ଗୁଣ ଏବଂ ଧ୍ଵନି ସଂପର୍କରେ ତଥ୍ୟ ପ୍ରଦତ୍ତ-। ଏହା ତାଙ୍କର ଏକ ଉଚ୍ଚକୋଟୀର କୃତି ।

 

ତେଣୁ ରାଧାନାଥ ପ୍ରକାଶ କଲେ “ଓଡ଼ିଆ ଭାଷାର କଥା ଦୂରେ ଥାଉ । ବଙ୍ଗଳାରେ ସୁଦ୍ଧା ଏପରି ଅଳଙ୍କାର ଗ୍ରନ୍ଥ ଅଦ୍ୟାବଧି ଦେଖିନାହିଁ ।”

 

ଏହାର ଗୁଣାତ୍ମକ ମୂଲ୍ୟବୋଧ ଦୃଷ୍ଟିରୁ ସ୍କୁଲ ପାଠ୍ୟପୁସ୍ତକ ରୂପେ ଅନୁମୋଦିତ ହୋଇଥିଲା ।

 

ଚିତ୍ରୋତ୍ପଳା:- କବି ବାସୁଦେବଙ୍କର ଏକ ଶ୍ରେଷ୍ଠ ପ୍ରକୃତି କାବ୍ୟ । ‘ନୀଳାଦ୍ରି ମହୋଦୟ’ ‘ବ୍ରହ୍ମ ପୁରାଣ’ ଆଦିରେ ମହାନଦୀ ‘ଚିତ୍ରୋତ୍ପଳା’ ନାମରେ ଖ୍ୟାତ । ରାଜା ଜଳପଥରେ କଟକ ଗମନ କାଳରେ ଏହାର ତଟ ପ୍ରଦେଶସ୍ଥ ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ । ତେଣୁ ତାଙ୍କର କବି ପ୍ରାଣ ଏ ପ୍ରକାର ପ୍ରକୃତି କାବ୍ୟକୁ ବିଂଶାକ୍ଷରୀ ବୃତ୍ତରେ ରସସିକ୍ତ ଓ ଜୀବନ୍ତ ଭାବରେ ରୂପ ପ୍ରଦାନ କଲେ । ତହିଁରୁ କେତେକ ପଂକ୍ତି ଉଦ୍ଧାର କରାଗଲା ।

 

ଚିତ୍ରୋତ୍ପଳାର ଉତ୍ପତ୍ତି ପ୍ରସଙ୍ଗରେ ବର୍ଣ୍ଣନା କଲେ,

 

“ମଧ୍ୟ ପ୍ରଦେଶର କୀୟଦଂଶ ଦେଇ ଉତ୍କଳର ବକ୍ଷ ସ୍ଥଳେ

ପ୍ରବାହିତ ହେଉଅଛି ଚିତ୍ରୋତ୍ପଳା ମହାନଦୀ ନାମ ଛଳେ ।’’

 

ସମ୍ଵଲପୁରର ନାମକରଣ ପ୍ରସଙ୍ଗରେ,

 

ନିର୍ମଳ ଶୀତଳ ପ୍ରବାହ ସ୍ଵର୍ଦ୍ଧିନୀ ସୁପୂଜିତା ରକ୍ତକାୟା

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଇ ମହାମାୟା ।

ଦେବୀ ଅଭିଧାରେ ଖ୍ୟାତ ହୋଇଅଛି ସମ୍ବଲପୁର ସହର,

ଧନୁ ଆକାରରେ ଗଦ୍ୟୁତି ପ୍ରମାଣେ ନଗର ଅତି ସୁନ୍ଦର ।

କଟକ ନଗରର ସୌନ୍ଦର୍ଯ୍ୟ ବର୍ଣ୍ଣନା କଲେ,

କଟକ ଛଟକ ଦେଖି ଅଟକିଲା ଦ୍ଵୀପବତୀର ସୁମନ

କାଠଯୋଡ଼ି ବାହୁ ବିସ୍ତାରୀ କୁତୁକେ କରିଅଛି ଆଲିଙ୍ଗନ ।

+ + + +

ଶ୍ଵେତାଙ୍ଗ ସଦନ ଶୁଭ୍ର ଅଟ୍ଟାଳିକା ମଣ୍ଡିତ ତୀର ବିପଣି

ବିଭବ ସମ୍ଭାରେ ନଗର ହୋଇଛି ଅମରାବତୀ ବରଣୀ ।

ରାଧାନାଥ ରାୟଙ୍କ ଖେଦୋକ୍ତିକୁ ପ୍ରକାଶ କଲେ,

ତୋ ତୀର ବିହାରୀ ରାୟ କବିବର ଚିନ୍ତାଶୀଳ ଅବିରତେ,

ମହାନଦୀ ନାମ ରହିଲା ଗୁପତେ ବୋଲି ଭାବୁଥାନ୍ତି ତୋତେ ।

 

ପୁଲକିତ ପଦ ସଂଯୋଜନା, ଭାବଗାମ୍ଭୀର୍ଯ୍ୟ ଓ ଭାବମାଧୁର୍ଯ୍ୟ ଯୋଗୁଁ ଏହା ଏକ ଉଚ୍ଚକୋଟୀର ପ୍ରକୃତି କାବ୍ୟ ।

 

ବୀରବାମା :- ବୀରବାମା ଦୁଇସର୍ଗ ବିଶିଷ୍ଟ ଏକ ଐତିହାସିକ କାବ୍ୟ । ଝାନ୍ସୀ- ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ସାମନ୍ତ ରାଜ୍ୟ । ତା’ର ରାଣୀ ଲକ୍ଷ୍ମୀବାଈ ତଦାନୀନ୍ତନ ବ୍ରିଟିଶ ସରକାରର ଆକ୍ରମଣକୁ ପ୍ରତିହତ କରିବାରେ ଯେଉଁ ଶୌର୍ଯ୍ୟ ପ୍ରକାଶ ପୂର୍ବକ ନାରୀଜାତିର ସ୍ଵାଭିମାନ ରକ୍ଷା କଲେ ତା’ର ଏହା ନିଚ୍ଛକ ପରିପ୍ରକାଶ । ଏହା ଚତୁର୍ଦ୍ଦଶାକ୍ଷରୀ ବୃତ୍ତରେ ବୀରତ୍ଵ ବ୍ୟଞ୍ଜନ ଭାଷାରେ ବର୍ଣ୍ଣିତ । ଏ ପ୍ରକାର ବର୍ଣ୍ଣନାର ଉଦ୍ଦେଶ୍ୟ—

 

“ଅବୀରେ ବୀରତା ଭକ୍ତି ହୁଏ ଚମତ୍କାର

ତେଣୁ ଭାରତ ବଧିର ବୀରତ୍ଵ ପ୍ରକାର

କରିବାକୁ ସହୃଦୟେ ହୃଦୟ ସହିତ

ଉନ୍ମାହିତ ହେଲି ବାରେ ଶୁଣ ଏ ଚରିତ “.

ଯୁଗେ ଯୁଗେ ଧର୍ମ ତା’ର ଗୁରୁତ୍ଵ ରକ୍ଷା କରେ

“ସବୁକାଳେ ଭୁ-ମାତାର ଧର୍ମ ଏକା ସାକ୍ଷୀ

ଅଧର୍ମ ହୋଇଲେ ଉଠେ ସେ ରୁଧିର ମାଖି ।’’

 

ଏଥିରେ କେତେକ ଅଳଙ୍କାରର ପ୍ରୟୋଗ ପରିଲିକ୍ଷିତ ହୁଏ ‘ଜହ୍ନମାମୁଁ’ ଏକ ହାସ୍ୟରସାତ୍ମକ କବିତା ‘ଜଣାଣ’ – କବିତା ମଧ୍ୟଯୁଗୀୟ ରଚନାଶୈଳୀର ଅନୁବର୍ତ୍ତୀ ଆଧ୍ୟାତ୍ମିକ ଚେତନା ସମ୍ବଳିତ । ଭାଷାର ଗୁରୁତ୍ଵ ଓ ଭାବର ଗାମ୍ଭୀର୍ଯ୍ୟ ଯୋଗୁଁ ହୃଦୟସ୍ପର୍ଶୀ ଯଥା :–

 

ବାମଣ୍ଡା ବାସୁଦେବ ନୃପତି ନିତି ଶରଣ ମାଗେ କରି ବିନତି

ଆରତ ତ୍ରାଣ ଦୁଃଖନାଶକ ଦୁଃଖକୁ ମୋର କର ମୋଚନ

ଦାସ ଗଲେ ନାଶ, ଲଭିବ କି ଯଶ

ନିନ୍ଦା ପାଇବ ଆପଣ ।

 

ଧର୍ମଶିକ୍ଷା’ :- ହିନ୍ଦୀରେ ବିରଚିତ, ଦେବନାଗରୀ ଅକ୍ଷରରେ ଲିଖିତ ତିନୋଟି ଭାଗରେ ବିଭକ୍ତ ଯଥା ୧ମ ଭାଗ ମଙ୍ଗଳାଚରଣ, ୨ୟ ଭାଗ ହିନ୍ଦୁଧର୍ମ ପ୍ରସଙ୍ଗ, ୩ୟ ଭାଗ ବ୍ୟାବହାରିକ ଧର୍ମ । ତାଙ୍କ ମତରେ ୩ ପ୍ରକାର ଧର୍ମ (ପାରଲୌକିତ, ପାରମାର୍ଥିକ ଓ ବ୍ୟାବହାରିକ ଧର୍ମ) ବେଦର ପ୍ରକାରଭେଦ, ଅଷ୍ଟାଦଶ ପୁରାଣ ଆଦି ପ୍ରସଙ୍ଗ ଉଲ୍ଲିଖିତ ।

 

କିସ୍କିନ୍ଧ୍ୟାବିବରଣ;- ରାଜା ବାସୁଦେବ ଦାକ୍ଷିଣାତ୍ୟ ଭ୍ରମଣ କାଳରେ ‘କିସ୍କିନ୍ଧ୍ୟା ନଗରୀ’ ପରିଦର୍ଶନରେ ପ୍ରୀତ ହେଲେ ଏତଦ୍‍ବ୍ୟତୀତ ପମ୍ପା ସରୋବର, ମାଲ୍ୟବନ୍ତ, ପବିତ୍ର ତୁଙ୍ଗଭଦ୍ରା ନଦୀ ଆଦିର ସନ୍ଦର୍ଶନରେ ଭାବରାଜିକୁ ରୁପାୟିତ କଲେ ।

 

ଏସବୁ ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ ରାଜା ବାସୁଦେବ ଶ୍ରେଷ୍ଠ ପ୍ରକୃତି ଉପାସକ କବି-। ଆଧ୍ୟାତ୍ମିକତା ସଙ୍ଗେ ପ୍ରକୃତି ପ୍ରାଣତାର ଅପୂର୍ବ ସମନ୍ଵୟ ତାଙ୍କ କାବ୍ୟକୃତିରେ ପରିଲିକ୍ଷିତ ହୋଇଥାଏ ତେଣୁ ଏହା କାବ୍ୟିକ ମହତ୍ତ୍ଵ ପ୍ରତିପାଦନ କରେ ।

 

ରସଜ୍ଞ ପଣ୍ଡିତ ରାଜା ବାସୁଦେବ ସଂସ୍କୃତ ସାହିତ୍ୟର ଉନ୍ନତି କଳ୍ପେ କେତେକ ସଂସ୍କୃତ ଗ୍ରନ୍ଥ (‘ଗଦାଧର ପଦ୍ଧତି’, ‘ଦଶକର୍ମ ପଦ୍ଧତି’, ‘ମୁଣ୍ଡକୋପନିଷଦ୍’, ‘କବି କଳ୍ପଲତା’, ‘ସାହିତ୍ୟ ରତ୍ନାକର’)ର ଟୀକା ଓ ଅନୁବାଦ ସହ ପୁନର୍ମୁଦ୍ରଣ ତଥା ପ୍ରକାଶନ କରି ମହୋପକାର ସାଧନ କଲେ ।

 

୧୮୮୫-୧୯୦୦;- ଏହି ପନ୍ଦର ବର୍ଷକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଶଂସିତ କାଳରେ ବାମଣ୍ଡା ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଅଗ୍ରଗାମୀ ଥିଲା ବୋଲିବା ବାହୁଲ୍ୟ ମାତ୍ର । ଏହି ସମୟରେ ଚାରୋଟି ପତ୍ର-ପତ୍ରିକା ଆତ୍ମପ୍ରକାଶ କଲେ ଯଥା- ସମ୍ଵଲପୁର ହିତୈଷିଣୀ (୧୮୮୯), ବିଜୁଳି (୧୮୯୩), ଆଲୋଚନା (୧୯୦୦) ଓ ଉତ୍କଳମଧୁପ (୧୯୦୦) ଏମାନଙ୍କ ମଧ୍ୟରେ ସମ୍ଵଲପୁର ହିତୈଷିଣୀ ସାପ୍ତାହିକ ପତ୍ରିକା ଏକ ଉଚ୍ଚକୋଟୀର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ରାଜନୈତିକ ଚେତନା ଜାଗ୍ରତ କରି ଏକ ଯୁଗାନ୍ତର ସୃଷ୍ଟି କରିପାରିଥିଲା । ରାଜକୁମାର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏହାର ମୁଖ୍ୟ ସଂପାଦକ ରୁପେ (୧୮୮୯-୧୯୦୨) କାର୍ଯ୍ୟ ସଂପାଦନ କରି ପ୍ରଶଂସା ଭାଜନ ହୋଇପାରିଥିଲେ-। ରାଜା ବାସୁଦେବ ବର୍ଷକୁ ଟ୫୦୦/- ଆର୍ଥିକ ସାହାଯ୍ୟ ପ୍ରଦାନ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ବିଷୟର ତତ୍ତ୍ଵ ନେଉଥିଲେ । ଏଥିରେ ସମଗ୍ର ଓଡ଼ିଶାର ଲେଖକ/ଲେଖିକାମାନେ ସ୍ଵରଚନାକୃତି ପ୍ରକାଶ କରି ଉଚ୍ଚକୋଟୀର ସାହିତ୍ୟିକ ବାତାବରଣ ସୃଷ୍ଟି କରିଥିଲେ ତେଣୁ କବି ଗଙ୍ଗାଧର ମେହେର ବର୍ଣ୍ଣନା କଲେ—

 

ବୁଧ ହଂସ କେଳିସର ଦେବଦୁର୍ଗଧାମେ

ଜନମିଲା ସୁପତ୍ରିକା ହିତୈଷିଣୀ ନାମେ ।

ଉତ୍କଳରେ ହେଲା ନବଯୁଗର ଆରମ୍ଭ,

ଦିଗେ ଦିଗେ ବ୍ୟାପିଗଲା ସାହିତ୍ୟ ସୌରଭ ।

କବି ଫକିର ମୋହନଙ୍କ ଭାଷାରେ,

ହେ ସୁଢ଼ଳ ମହାରାଜ କରେ ନମସ୍କାର

ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର ।

 

ତେଣୁ ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆନୟନ କରି ପାରିଥିଲା ।

 

‘ବିଜୁଳି’ ‘ରାଧାନାଥ ରାୟ’ ସାହିତ୍ୟିକ ଗୌରବ ପ୍ରଖ୍ୟାପକ ରୂପେ ୯/୧୮୯୩ରେ ଆତ୍ମପ୍ରକାଶ କଲା । କଟକରୁ ପ୍ରକାଶିତ ‘ଉପେନ୍ଦ୍ର ଭଞ୍ଜ’ ୨ୟ ଗୌରବ ପ୍ରଖ୍ୟାପକ ପତ୍ରିକାର (ଇନ୍ଦ୍ରଧନୁ) ପ୍ରତିବାଦ ସ୍ଵରୁପ ୮/୧୮୯୩) । ଉଭୟେ ସାମୟିକ ପତ୍ରିକା କେବଳ ସାହିତ୍ୟିକ ବିବାଦର ସୃଷ୍ଟି ପାଇଁ ଅଭିପ୍ରେତ ହେତୁ କ୍ଷଣସ୍ଥାୟୀ । ମାତ୍ର ଏହି ସନ୍ଧିକ୍ଷଣରେ ବହୁ ସାହିତ୍ୟିକଙ୍କର ଅଭ୍ୟୁଦୟ ଘଟିଲା ।

 

ଆଲୋଚନା: ରାଜକୁମାର ହାଇସ୍କୁଲର ତଦାନୀନ୍ତନ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ଦାସଙ୍କ ସହଚର୍ଯ୍ୟରେ ୨୪ ପୃଷ୍ଠା ବିଶିଷ୍ଟ ‘ଆଲୋଚନା’ ପତ୍ରିକା ପ୍ରକାଶ ଲାଭପୂର୍ବକ ସାହିତ୍ୟିକ ଚେତନା ଜାଗ୍ରତ କଲା ।

 

‘ଉତ୍କଳମଧୂପ’:- ଆଠପୃଷ୍ଠା ବିଶିଷ୍ଟ ବିଭିନ୍ନ ବିଷୟକ ପତ୍ରିକା ଶଂସିତ କାଳରେ ଉପରୋକ୍ତ ପତ୍ର ପତ୍ରିକାମାନ ବାମଣ୍ଡାର ସାହିତ୍ୟିକ, ସାଂସ୍କୃତିକ, ସାମାଜିକ ତଥା ରାଜନୈତିକ ଜୀବନକୁ ବିଶେଷ ରୁପେ ଅନୁପ୍ରାଣୀତ କରିଥିଲେ ବୋଲିବା ବାହୁଲ୍ୟ ମାତ୍ର ।

 

ପଣ୍ଡିତ ସମାଦର ରାଜା ବାସୁଦେବଙ୍କ ଏକ ବିଶିଷ୍ଟ ଗୁଣ ଥିଲା । ତେଣୁ ବୀକ୍ଷାଗୁରୁ ପଣ୍ଡିତ ଭୁବନେଶ୍ଵର ବଡ଼ପଣ୍ଡା ରାଜାଙ୍କ ପଣ୍ଡିତ ସଭାର ନବରତ୍ନଙ୍କ ମଧ୍ୟରେ କାଳିଦାସ ସଦୃଶ ଶୋଭା ପାଉଥିଲେ । ଏତଦ୍‍ବ୍ୟତୀତ ତଦାନୀନ୍ତନ ବହୁ ପଣ୍ଡିତ ଯଥା:- ମିଥିଳା ରାଜସଭାର ପଣ୍ଡିତ ବାରତଝା, ଭାରତ ମାର୍ତ୍ତଣ୍ଡ ଶିବକୁମାର ଶାସ୍ତ୍ରୀ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ସୁଦର୍ଶନ ନ୍ୟାୟରତ୍ନ, ପଣ୍ଡିତ ଦାମୋଦର ମିଶ୍ର ପଦ୍ୟାଳଙ୍କାର, ପଣ୍ଡିତ ବନମାଳୀ ଗୁରୁ, ପଣ୍ଡିତ ଭାଗୀରଥୀ ରଥ, ପଣ୍ଡିତ ମଧୁସୂଦନ ମିଶ୍ର ତର୍କ ବାଚସ୍ପତି, ପଣ୍ଡିତ ଯମେଶ୍ଵର ନନ୍ଦ କାବ୍ୟତୀର୍ଥ, ପଣ୍ଡିତ ବ୍ରଜବନ୍ଧୁ ମିଶ୍ରଶର୍ମା ପ୍ରଭୃତି ପଣ୍ଡିତଗଣ ସଭାମଣ୍ଡନ କରୁଥିଲେ ।

 

ରାଜା ବାସୁଦେବଙ୍କର ପାରିବାରିକ ଜୀବନକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ବିବାହ କଳାହାଣ୍ଡି ରାଜଜେମା ଗିରିରାଜ କୁମାରୀଙ୍କ (ସାଂସ୍କୃତଜ୍ଞ ଓ ସଂଗୀତ ପ୍ରବୀଣା) ସଙ୍ଗେ ସମ୍ପନ୍ନ ହେଲା ୧୮୭୧ ମସିହାରେ । ତା ୩.୫.୭୨ରେ ସଚ୍ଚିଦାନନ୍ଦଙ୍କର ଆବିର୍ଭାବ ମାତ୍ର ତାର କେତେକାଳ ପରେ ପତ୍ନୀବିୟୋଗ ହେତୁ ସେ ମାନସିକ କ୍ଲେଶ ଭୋଗରେ ତୀର୍ଥାଟନ କଲେ । ପରେ ମୟୁରଭଞ୍ଜ ଗୁରୁଆଂରୁ ୨ଟି ଓ ଖରସୁଆଁରୁ ଏକ ରାଜକନ୍ୟାର ପାଣି ଗ୍ରହଣ କଲେ । ଏହି ତିନି ରାଣୀଙ୍କ ଗର୍ଭରୁ ଆଠଟି ପୁତ୍ର ଓ ଏଗାରଟି କନ୍ୟା ସନ୍ତାନ ଲାଭ କରି ଗଙ୍ଗବଂଶର ମୁଖ ଉଜ୍ଜ୍ଵଳ କଲେ ।

 

ଏମାନଙ୍କ ମଧ୍ୟରେ ଜ୍ୟେଷ୍ଠପୁତ୍ର ଟୀକାୟତସଚ୍ଚିଦାନନ୍ଦ ପିତାଙ୍କ ଗୁଣ ଓ ଆଦର୍ଶରେ ଅନୁପ୍ରାଣୀତ । ତେଣୁ କାବ୍ୟ ଶାସ୍ତ୍ରାଦି ପ୍ରଣୟନ ଓ ପ୍ରଶାସନରେ ସହାୟକ ହେଲେ । ବଡ଼ କୁମାର ବଳଭଦ୍ର ଦେବ ମଧ୍ୟ କାବ୍ୟାଦି ପ୍ରଣୟନ କଲେ ତାଙ୍କ ଜୀବିତାବସ୍ଥାରେ । ରାଜକୁମାରଙ୍କ ଶିକ୍ଷା, ଭରଣ ପୋଷଣ ଇତ୍ୟାଦି ବ୍ୟବସ୍ଥାରେ ଜଣେ ଆଦର୍ଶ ପିତା ତଥା ପରିବାରର ଉପଯୁକ୍ତ ବ୍ୟବସ୍ଥାରେ ଜଣେ ଆଦର୍ଶ ଗୃହସ୍ଥ ରୂପେ ବିବେଚିତ ହେଲେ ।

 

ତାଙ୍କର ମହନୀୟ ବ୍ୟକ୍ତିତ୍ଵ ଓ ଉଚ୍ଚ ଆଦର୍ଶରେ କବି ଲେଖକମାନଙ୍କ ଉକ୍ତି ଯଥା-

 

(କ)

ରାଧାନାଥ ରାୟ ପ୍ରକାଶ କଲେ, “ପୂର୍ଣ୍ଣ ମନୁଷ୍ୟର ସଦ୍‍ଗୁଣ ସୁଢ଼ଳଦେବଙ୍କଠାରେ ବିଦ୍ୟମାନ । ++ ସୁଢ଼ଳଦେବ ଯେପରି ଚିନ୍ତାଶୀଳ, ସେପରି କାର୍ଯ୍ୟଶୀଳ । ଯେ ରୂପ ସରସ୍ୱତୀ ଭକ୍ତ, ସେ ରୂପ ଲକ୍ଷ୍ମୀ ଭକ୍ତ ।’’ ଉକ୍ତିଟି ପ୍ରଣିଧାନ ଯୋଗ୍ୟ ।

(ଖ)

‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାର ସୁନାମଧନ୍ୟ ସଂପାଦକ ବିଶ୍ଵନାଥ କରଙ୍କ ଭାଷାରେ “ଉତ୍କଳର ରାଜନ୍ୟବର୍ଗଙ୍କ ମଧ୍ୟରେ ସୁଢ଼ଳଦେବ ଆଦର୍ଶ ପୁରୁଷ ।’’

(ଗ)

ବ୍ୟାସକବି ଫକିରମାହନଙ୍କ ଭାଷାରେ, କବିତ୍ଵ ସାହିତ୍ୟ ଚର୍ଚ୍ଚା ଶିଳ୍ପାଦି ସହିତ, ଉତ୍କଳର ଉଜ୍ଜୟିନୀ ବାମଡ଼ା ବିଦିତ ଓଡ଼ିଶା ବିକ୍ରମାଦିତ୍ୟ ସୁବର୍ଣ୍ଣ ଅକ୍ଷରେ, ଇତିହାସେ ଲେଖା ରହିଥିବ ଜଗତରେ ।

(ଘ)

ସ୍ଵଭାବ କବି ଗଙ୍ଗାଧର ମେହେର ଗାଇଲେ.,

“ଧନ୍ୟ ଧନ୍ୟ ବାସୁଦେବ ମହୀପାଳ ମଣି, ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି

++++

କରିଅଛ ଯେତେ ଯେତେ ମୋର ଉପକାର ହୃଦେ ମୋର ରହିଅଛି ସ୍ଵର୍ଣ୍ଣମୟ ଗାର”

(ଙ)

ବାସୁଦେବଙ୍କ ରାଜତ୍ଵ କାଳରେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିକୁ ଲକ୍ଷ୍ୟ କରି କବିବର ବର୍ଣ୍ଣନା କଲେ-

“ପାହିଲାଣି ଘୋର ତାମସୀ ଯାମିନୀ, ଫୁଟିବ ଉତ୍କଳ ଭାଷା କମଳିନୀ

ସେ ଘୋର ଯାମିନୀ ଅବସାନ ଶଂସୀ, କାବ୍ୟତାରା ରୁପେ ବୀରଗଙ୍ଗବଂଶୀ

ଉଦିଲେ ପ୍ରଥମେ ବାମଣ୍ଡା ରାଜନ, ବାସୁଦେବ ବିଶ୍ଵକଲ୍ୟାଣ ଭାଜନ ।’’

(ଚ)

ଭକ୍ତ କବି ମଧୁସୂଦନ ବର୍ଣ୍ଣନା କଲେ—

ଉତ୍କଳ ସାହିତ୍ୟାକାଶେ ଉଇଁ ଶୁଭକ୍ଷଣେ

ଭାଷା ଯୋଗେ ଭବିଷ୍ୟମିଳନେ,

ସୂଚିଲ ହେ ଦୂରଦର୍ଶୀ ଅରୁଣ ଯେସନେ

ସୂଚେ ମାଧ୍ୟ ଦିନଆଗମନେ ।’’

 

ଉପରୋକ୍ତ ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ ସାର୍ ବାସୁଦେବ ସୁଢ଼ଳଦେବ ସମଗ୍ର ଓଡ଼ିଶା ତଥା ଭାରତରେ ଜଣେ ସୁଦକ୍ଷ, ପ୍ରଶାସକ, ଦୂରଦର୍ଶୀ ଚିନ୍ତାଶୀଳ ବିଚାରକ, ମନସ୍ଵୀ ବିଚାରପତି ।

 

ଉଚ୍ଚକୋଟୀର ସାହିତ୍ୟିକ, ସ୍ଥିତପ୍ରଜ୍ଞ କବି, ପ୍ରକୃତି ପ୍ରେମିକ, ରସଜ୍ଞ ପଣ୍ଡିତ, ଉନ୍ନତିକାମୀ ପ୍ରଜାବତ୍ସଳ ରାଜା, ଛାତ୍ର ହିତେଛ୍ଛୁ , ବିଜ୍ଞାନପ୍ରେମୀ, ସର୍ବଧର୍ମପ୍ରିୟ, ସମାଜ ସଂସ୍କାରକ, ଶିକ୍ଷା ସଂସ୍କାର ପ୍ରୟାସୀ, ନାରୀଜାତି ସ୍ଵାଭିମାନ ରକ୍ଷକ, କର୍ମନିଷ୍ଠ, ଦୃଢ଼ପ୍ରତିଜ୍ଞ ପ୍ରତ୍ୟକ୍ଷ ପରୋପକାରୀ ବ୍ୟକ୍ତି, ଆଦର୍ଶ ଗୃହସ୍ଥ ତଥା ଏକ ଜାତୀୟ ଅନୁଷ୍ଠାନ । ଏକ ଅନନ୍ୟ ସାଧାରଣ ପ୍ରତିଭା ।

 

ଏହି ମହାମନୀଷୀଙ୍କର ମହାପ୍ରୟାଣ ଘଟିଲା ତା ୧୨.୧୧.୧୯୦୩ ମସିହାରେ ମଧ୍ୟାହ୍ନରେ ୫୩ ବର୍ଷ ବୟସରେ । ଉକ୍ତ ଦିନ ସମଗ୍ର ଓଡ଼ିଶା ତଥା ଭାରତରେ ଶୋକର ଛାୟା ଖେଳିଗଲା ।

 

କବି ବର୍ଣ୍ଣନା କଲେ “ଶୋକ ଲହରୀ”:ରେ

 

“ଉତ୍କଳ ଗଗନ ରବି ଦେବଶ୍ରୀ ସୁଢ଼ଳ

ଅସ୍ତମିତ ଦିବା ଦ୍ଵିପ୍ରହରେ

ଘୋର ଅନ୍ଧକାରେ ମଗ୍ନ କାତର ଉତ୍କଳ

ବିକଳେ କାନ୍ଦଇ ଆର୍ତ୍ତସ୍ଵରେ ।’’

 

ବ୍ରିଟିଶ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କଲେ ।

 

General Review – Administration Report 1903 ରେ ପ୍ରକାଶ ପାଇଲା,

 

“The officiating chief commissionor notes with much regret the death of Raja Sri Sudhal Dev, K.C.I.E of Bamra. The death of Raja Sudhal Dev was a serious loss.”

 

ଉପସଂହାର:

ସାର୍ ବାସୁଦେବ ସୁଢ଼ଳଦେବଙ୍କ ତିରୋଧାନର ୧୪/୧୫ ବର୍ଷ ପରେ ବଙ୍ଗଳାର ଚଣ୍ଡୀଚରଣ ବନ୍ଦୋପାଧ୍ୟାୟଙ୍କ ଦ୍ଵାରା ପ୍ରଣୀତ ଓ କଲିକତା Indian Publising House ଦ୍ଵାରା “ସାର ବାସୁଦେବଙ୍କର ଜୀବନୀ ପ୍ରକାଶିତ ହେଲା ଓ ସମଗ୍ର ଭାରତରେ ତାଙ୍କର ଅଲୌକିକ ପ୍ରତିଭାର ତେଳ ବିକୀରିତ ହେଲା । ତା’ ପରେ ୧୯୫୬ ମସିହାରେ ତାଙ୍କ ପୌତ୍ର ରବୀନ୍ଦ୍ର ନାଥ ଦେବଙ୍କ ଉଦ୍ୟମରେ ‘ବାସୁଦେବ ଗ୍ରନ୍ଥାବଳୀ’ (୧ମ ସଂସ୍କରଣ) ଓଡ଼ିଆରେ ଆତ୍ମ ପ୍ରକାଶ କଲା ।

 

ଓଡ଼ିଶାର ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଅନୁଷ୍ଠାନ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୯୩ ମସିହାରେ “ସାର ବାସୁଦେବ ସୁଢ଼ଳ ଦେବ” (ଐକିକ ଲିପି) ଓଡ଼ିଆରେ ପ୍ରକାଶ ପୂର୍ବକ ଅଶେଷ ପ୍ରଶଂସା ଭାଜନ ହୋଇପାରିଛନ୍ତି । ସାର୍ ବାସୁଦେବ ସୁଢ଼ଳଦେବଙ୍କ ତିରୋଧାନର ଦୀର୍ଘ ୯୬ ବର୍ଷ ଅତିକ୍ରାନ୍ତ ହେଲାଣି । ତାଙ୍କର ମାଟିଦେହ ଅନ୍ତର୍ହିତ ହେଲେ ହେଁ ଯଶୋଦେହରେ ସେ ଆଜି ଆୟୁଷ୍ମାନ । ଯେଉଁଥି ପାଇଁ ଆଜି ତାଙ୍କର ଅଶେଷ ଗୁଣାବଳୀର ତଥା ସ୍ମୃତିଚାରଣ ଅବିନାଶୀ ପ୍ରତିଭାର ପୂଜାଉତ୍ସବ ଚାହୁଁ ଚାହୁଁ ବିଂଶ ଶତାବ୍ଦ ଅତିକ୍ରାନ୍ତ । ଆଉ ଏକ ବର୍ଷ ପରେ ଏକ ବଂଶ ଶତାବ୍ଦୀର ଶୁଭ ଆଗମନ । ଆଜକୁ ପ୍ରାୟ ଶହେ ବର୍ଷ ତଳେ ଉନବିଂଶ ଶତାବ୍ଦୀର ଶେଷ ଦଶକରେ ବାମଣ୍ଡା ସମଗ୍ର ଦେଶରେ ପ୍ରତିଟି କ୍ଷେତ୍ରରେ ଚରମ ସୀମାରେ ଉପନୀତ ହୋଇ ବୈଶିଷ୍ଟ ସଂପାଦନ କରିପାରିଥିଲା । ବୋଲିବା ବାହୁଲ୍ୟ ମାତ୍ରଯେ ବାମଣ୍ଡାର ସାଂସ୍କୃତିକ ପରମ୍ପରା ତଥା ଐତିହ୍ୟ ମହାନ୍ । ଯେଉଁ ପୀଠରେ ଆମେ ଆଜି ଦଣ୍ଡାୟମାନ ତା’ର ମାଟି, ଧୂଳିକଣା ମଧ୍ୟ ଦିନେ ଗୌରବଗାଥା ଗାନ କରୁଥିଲା । ତେଣୁ ତା’ର ଦାୟାଦ ହିସାବରେ ଆମ୍ଭମାନଙ୍କର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି ତାକୁ ଉଚ୍ଚକୋଟୀର ପରିବେଶରେ ଗଢ଼ି ତୋଳିବା ପାଇଁ ।

 

ବିଂଶ ଶତାବ୍ଦୀକୁ ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାହିତ୍ୟର ବିଭିନ୍ନ ବିଭାବ ଯଥା ପ୍ରବନ୍ଧ, ଉପନ୍ୟାସ, ଗଳ୍ପ, କବିତା, ସମାଲୋଚନା, ନାଟକ, କାବ୍ୟ ପ୍ରତିଟି କ୍ଷେତ୍ରରେ ବିକାଶ ସାଧିତ ହୋଇପାରିଛି । ସଂପ୍ରତି ବିଜ୍ଞାନ ଯୁଗରେ ବିଜ୍ଞାନର ବାର୍ତ୍ତା କୋଣେ ଅନୁକୋଣେ ପ୍ରଚାରିତ, ପ୍ରସାରିତ । ତେଣୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ସାହିତ୍ୟ ମଧ୍ୟ ତା’ର ଗତିପଥରେ ଅଗ୍ରଗାମୀ । ଏକବିଂଶ ଶତାବ୍ଦୀର ଆହ୍ଵାନ ବାଣୀ ମନ୍ଦ୍ରେ ମନ୍ଦ୍ରେ ସାହିତ୍ୟ ଜଗତକୁ ଉଦ୍‍ବୁଦ୍ଧ କଲାଣି ।

 

ଅବସରପ୍ରାପ୍ତ ଅଧ୍ୟକ୍ଷ

ଧନୁପାଲି, ସମ୍ବଲପୁର-୭୬୮୭୦୦

***

 

ଜୟଦେବ ଓ ଗୀତଗୋବିନ୍ଦର

ସାଂସ୍କୃତିକ ପୃଷ୍ଠଭୂମି*

ଡକ୍ଟର ବନମାଳୀ ରଥ

 

ଆଜି ସମଗ୍ର ପାଠକ ମହଲରେ ‘ରାଧା’ ଗୋଟିଏ ଚମତ୍କାର ମଧୁର ପରିକଳ୍ପନା । ପ୍ରେମ ପରାକାଷ୍ଠାର ବର୍ଣ୍ଣାଢ଼୍ୟ ବୈଚିତ୍ର୍ୟରେ ସେ ଆଜି ଅନନ୍ୟ ସାଧାରଣ । କମନୀୟ ସାରସ୍ଵତ ସାଧନାରେ ସେ ଜଣେ ସାର୍ଥକ ତଥା ମନୋଜ୍ଞ ଅବିବ୍ୟକ୍ତି । କବି କଳ୍ପନାର ନିର୍ଝରିଣୀ, ଭାବୁକ ମନର କୁହୁକିନୀ ରସୋତ୍ତୀର୍ଣ୍ଣ ନାରୀ । ମନେହୁଏ, ଏହି ଗୋଟିଏ ରାଧାର ଅଭାବରେ କୋଟିଏ ପ୍ରାଣର ବୁକୁଫଟା ଆର୍ତ୍ତନାଦ ଅକୁହା ରହିଯାଇଥାନ୍ତା । ଦେହ ମଧ୍ୟ ଦେଇ ବିଦେହର ଅନୁଭୂତି, ରୁପ ମଧ୍ୟ ଦେଇ ଅପରୂପର ଉପଲବ୍ଧି, ଚିନ୍ତା ମଧ୍ୟ ଦେଇ ଅଚିନ୍ତ୍ୟର ସାକ୍ଷାତକାର, କିପରି କରିବାକୁ ହୁଏ, ତାହାର ସମ୍ମୁଜ୍ଜ୍ଵଳ ନିଦର୍ଶନ ଭାବରେ ଏହି ରାଧା ଯୁଗେ ଯୁଗେ ଜୟଦେବଙ୍କ ଅବଦାନର ମହତ୍ତ୍ଵ କୀର୍ତ୍ତନ କରୁଥିବ । ଜଞ୍ଜାଳ ଜଟିଳ ମାନବ ସମାଜକୁ ଅନୁପ୍ରାଣିତ କରୁଥିବ, ଦିଗ୍‍ଦର୍ଶନ ଦେଉଥିବ ।

 

କବିରାଜ ଜୟଦେବଙ୍କ ଗୀତଗୋବିନ୍ଦ ସଂସ୍କୃତ ସାହିତ୍ୟରେ ଏକ ଅନୁପମ ସୃଷ୍ଟି । କାବ୍ୟଟିରେ ରାଧାକୃଷ୍ଣଙ୍କ ପ୍ରଣୟଲୀଳା ବ୍ୟକ୍ତ ହୋଇଅଛି । ଏହାର ସୃଷ୍ଟି-କୁଶଳତା, ଧର୍ମୀୟ ତାତ୍ପର୍ଯ୍ୟ- ମାଧୁର୍ଯ୍ୟପୂର୍ଣ୍ଣ ରଚନାଶୈଳୀ, ଭକ୍ତିପ୍ରବଣତା , ସୁମଧୁର ରାଗରାଗିଣୀ ଓ ମଧୁର କୋମଳ କଣ୍ଟା ପଦାବଳୀ ସମଗ୍ର ଭାରତୀୟ ସାହିତ୍ୟରେ ଅନନ୍ୟ । ଏହି ସୃଷ୍ଟି ଓ ସ୍ରଷ୍ଟାଙ୍କ ସାଂସ୍କୃତିକ ପୃଷ୍ଠଭୂମିର ଚିତ୍ର ଉପସ୍ଥାପନା କରିବାକୁ ହେଲେ କବିଙ୍କ ଜନ୍ମଭୂମି, କର୍ମକ୍ଷେତ୍ର, ସୃଷ୍ଟିବୈଚିତ୍ର୍ୟ ଓ ପ୍ରେରଣାର ଉତ୍ସ ଅନୁସନ୍ଧାନ କରିବାକୁ ହେବ । ଏ ପ୍ରବନ୍ଧର ସୀମିତ ପରିସର ମଧ୍ୟରେ ସମଗ୍ର ବିଷୟଟିର ପ୍ରାଞ୍ଜଳ ପର୍ଯ୍ୟାଲୋଚନା ସମ୍ଭବ ହେଉନଥିବାରୁ ଏଠାରେ ତାହାର ସାମାନ୍ୟ ସୂଚନା ମାତ୍ର ଦିଆଯାଇଛି ।

 

ଓଡ଼ିଶାର ପ୍ରାଚୀ ଉପତ୍ୟକାରେ ଅବସ୍ଥିତ କେକୁଳି ଶାସନ ଓ ଶ୍ରୀକ୍ଷେତ୍ର ଯେ କବିଙ୍କ ଜନ୍ମଭୂମି ଓ କର୍ମକ୍ଷେତ୍ର ଥିଲା ତାହା ଆନ୍ତର୍ଜାତିକ ବିଦ୍‍ବତ୍ ସଂଗୋଷ୍ଠୀରେ ନିର୍ବିବାଦରେ ସ୍ଵୀକୃତ ହୋଇସାରିଛି । ଏ ସମ୍ପର୍କରେ ଏହି ଲେଖକଙ୍କର ‘Orissa, The Home land of jayadeva’ ନିବନ୍ଧଟି ଦ୍ରଷ୍ଟବ୍ୟ । ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ଜୟଦେବ ତାହାଙ୍କ ଗୀତଗୋବିନ୍ଦ ରଚନା କରିଥିବାରୁ ତା ପୂର୍ବରୁ ଓ ସେ ସମୟରେ ପ୍ରାଚୀ ଉପତ୍ୟକା ଓ ବୃହତ୍ତର ଓଡ଼ିଶାର ସାଂସ୍କୃତିକ ପରିବେଶ କ’ଣ ଥିଲା ଦେଖିବାର କଥା । ଏ ସମ୍ପର୍କରେ ଅନେକ ପ୍ରାଚୀନ ଶିଳାଲେଖ, ତାମ୍ରଶାସନ, ଜରାଜର୍ଜର ଦେଉଳ, ଧର୍ମପୀଠ, ପ୍ରସ୍ତର ମୂର୍ତ୍ତି ଋଷିମୁନ୍ୟାଶ୍ରମର ଭଗ୍ନାବଶେଷ, ଧାର୍ମିକ ସାହିତ୍ୟ, ନଥିପତ୍ର ଓ ଅନେକ ଐତିହାସିକଙ୍କୁ ଆମକୁ ସେ ସମୟର ଗୋଟିଏ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଚିତ୍ର ପ୍ରଦାନ କରିଥାନ୍ତି ।

 

ସୋମବଂଶୀ କେଶରୀ ନରପତିମାନଙ୍କର ଦୀର୍ଘ ଦୁଇଶହବର୍ଷ ଶାସନ କାଳରେ (୮୮୦-୧୧୧୦ ଖ୍ରୀଷ୍ଟାବ୍ଦ) ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ଘଟିଥିଲା । ସେମାନେ ଓ ତାହାଙ୍କ ପରବର୍ତ୍ତୀ ଗଙ୍ଗରାଜାମାନେ ପ୍ରାଚୀ ଉପତ୍ୟକାରେ ଓ ଅନ୍ୟତ୍ର ଅନେକ ମାଧବ ମନ୍ଦିର ସହିତ ଶତାଧିକ ବିଷ୍ଣୁ ମନ୍ଦିର ଓ ବ୍ରାହ୍ମଣ ଶାସନମାନ ପ୍ରତିଷ୍ଠା କରିଥିଲେ । ଶାସନଗୁଡ଼ିକ ଗୋଟିଏ ଗୋଟିଏ ସାଂସ୍କୃତିକ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା । ଜୟଦେବଙ୍କ ଆବିର୍ଭାବ ସମୟରେ ବିସ୍ତୃତ ଉତ୍କଳଖଣ୍ଡ କିପରି ଶହ ଶହ ଶାସନ, ଦେବମନ୍ଦିର, ଦୀପସ୍ତମ୍ଭ, ତଡ଼ାଗ, ମଠ, ପୂଜାସ୍ଥଳୀ, ମଣ୍ଡପ, ସତ୍ରାଗାର, ସୁରମ୍ୟ ଉପବନ, ଦ୍ରୁମ ଓ ସେତୁମାନଙ୍କ ଦ୍ୱାରା ମଣ୍ଡିତ ହୋଇଥିଲା ତାହାର ଗୋଟିଏ ଚମତ୍କାର ଚିତ୍ର ଶୋଭନେଶ୍ଵର ମନ୍ଦିର ଓ ମେଘେଶ୍ଵର ମନ୍ଦିରରୁ ଦୁଇଟି ଅଭିଲେଖରେ ବର୍ଣ୍ଣିତ ହୋଇଛି । ଯଥା:—

 

କ୍ଵଚିଦ୍ଦେବେ ଦୀପାଃ କ୍ଵଚିଦପି ତଡ଼ାଗାଃ କ୍ଵଚିଦ୍ଦ୍ରୁମାଃ

ମଠାଃ ପୂଜାଃକ୍ଵାପି କ୍ଵଚିଦପି ତଥା ମଣ୍ଡପଚୟାଃ

ପ୍ରପାଃ କ୍ଵାପିକ୍ଵାପି ପ୍ରତିପଦ ମୁଦାରା କ୍ଷିତି ରହେ ।

ବିଭ୍ରାନ୍ତି, କ୍ଷ୍ମାଚକ୍ରେ ଜଳଧି ବଳୟେ ଯସ୍ୟ ପରିତଃ !!

ଶୋଭେନେଶ୍ଵର ମନ୍ଦିର ଅଭିଲେଖ(JOBRS Vol XVII)

 

ଅପାଂ ଶାଳାମାଳାଃ ପଥି ପଥି ତଡ଼ାଗାଃ ପ୍ରତିପୁରମ୍

ପ୍ରଦୀପାଃ ସମ୍ପୂର୍ଣ୍ଣା ପ୍ରତିପୂର ଗୃହଂ ଯସ୍ୟ ବିମଳାଃ

ମଠାଃ ବେଦାଦୀନାଂ ଦ୍ଵିଜପୁର ବିହାରାଃ ପ୍ରତିଦିଶଂ

ବିରାଜନ୍ତେ ପତ୍ରାଣ୍ୟପି ଚ ପରିତଃ ସେତୁ ନିବହାଃ

ମେଘେଶ୍ଵର ମନ୍ଦିର ଅଭିଲେଖ(E.I.Vol.VI)

 

ଏହିପରି ଜ୍ଞାନଦୀପ୍ତ ବେଦବିଦ୍ୟା ପ୍ରବଣ, ପୁରାଣ ପ୍ରସିଦ୍ଧ ଗୋଟିଏ ପବିତ୍ର, ଧାର୍ମିକ ପରିବେଶରେ କବି ଜୟଦେବ ଜନ୍ମଗ୍ରହଣ କରିଥିଲେ ଓ ପରିପାଳିତ ହୋଇଥିଲେ । ତାଙ୍କର ଶିକ୍ଷାଦୀକ୍ଷା, ଆଚାର-ବିଚାର, ମାଧବ ଭକ୍ତି ସାଧନା, ଗୀତଗୋବିନ୍ଦ ରଚନା ପାଇଁ ଏହି ପରିବେଶ ଅତ୍ୟନ୍ତ ଅନୁକୂଳ ଥିଲା ଓ ପ୍ରେରଣାଦାୟକ ଥିଲା । ଗୀତଗୋବିନ୍ଦର ସାଂସ୍କୃତିକ ପୃଷ୍ଠଭୂମି ସମ୍ପର୍କରେ ତଥ୍ୟଭିତ୍ତିକ ବିସ୍ତୃତ ଆଲୋଚନା ପାଇଁ ଏଇ ଲେଖକଙ୍କର A study on the Srikrshna Lilamritam ଗ୍ରନ୍ଥ ଦ୍ରଷ୍ଟବ୍ୟ ।

 

ଗୀତଗୋବିନ୍ଦ କାବ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କଲେ ତାହାର ଯୁଗାନ୍ତକାରୀ ପାଞ୍ଚଟି ବୈଶିଷ୍ଟ ଆମର ଦୃଷ୍ଟିଗୋଚର ହୁଏ । ଯାହା ଆଜି ଗୀତଗୋବିନ୍ଦ ପୃଥିବୀ ପ୍ରସିଦ୍ଧ ଓ ଏତେ ଲୋକପ୍ରିୟ ।

 

ପ୍ରଥମ କଥାଟି ହେଲା ବିପୁଳ ସଂସ୍କୃତ ସାହିତ୍ୟ, କାବ୍ୟକଳାରେ ଓ ସୁକୁମାର ଛନ୍ଦୋବଦ୍ଧ ଲଳିତ ସାହିତ୍ୟ ପରିକଳ୍ପନାରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ, ଜୟଦେବ ସର୍ବପ୍ରଥମେ ଗୀତଗୋବିନ୍ଦ ମାଧ୍ୟମରେ ଓଡ଼ିଆ ପଦ୍ୟଶୈଳୀ ସଂସ୍କୃତରେ ମାତ୍ରା ବୃତ୍ତ ଛନ୍ଦରେ ପ୍ରୟୋଗ କରି ଲଳିତ କଳାତ୍ମକ ଅପୂର୍ବ ଛାନ୍ଦ ମାଧୁରୀ ସୃଷ୍ଟି କରିପାରିଲେ । ଓଡ଼ିଶାର ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଯେଉଁ ସବୁ ଚର୍ଯ୍ୟାଗୀତିକା ପ୍ରନ୍ଓଡ଼ିଆ ଭାଷା ଛନ୍ଦରେ ଲେଖିଛନ୍ତି ତାହା ହିଁ ଜୟଦେବଙ୍କ ମାତ୍ରାବୃତ୍ତ ଛନ୍ଦ ପ୍ରୟୋଗର ପ୍ରେରଣାର ଉତ୍ସ । ଉଦାହରଣ ସ୍ଵରୂପ- ଗୀତଗୋବିନ୍ଦର ନବମ ପ୍ରବନ୍ଧର ପ୍ରଥମ ପଦ

 

ସ୍ତନ ବିନିହିତମପିହାର ମୁଦାରମ୍

ସାମନୁତେ କୃଶତନୁ ରତି ଭାରତ୍

ତୁଳନା

କାଆ ତରୁବର ପଞ୍ଚ ବିଡ଼ାଳ

ଚଞ୍ଚଳ ଚିଏ ପଇପ କାଳ-

ଚର୍ଯ୍ୟା ଗୀତିକା /୧ମ ଗୀତ

 

ଦ୍ଵିତୀୟ କଥାଟି ହେଲା, ଗୀତଗୋବିନ୍ଦକୁ ଗୋଟିଏ ସରସ କାବ୍ୟ, ଗୋଟିଏ ଗୀତିକବିତା, ଗୋଟିଏ ମେଲୋଡ୍ରାମା, ଗୋଟିଏ ଧାର୍ମିକ ଗ୍ରନ୍ଥ, ଗୋଟିଏ ସଂଗୀତର ସମାହାର ଓ ଗୋଟିଏ ଗାଥାକାବ୍ୟର ଗୌରବ ପ୍ରଦାନ କରାଯାଏ । ବିଶେଷ କରି ମଧୁର କୋମଳକାନ୍ତ ପଦାବଳୀ ରଚନା ସହିତ ଅପୂର୍ବ ସଙ୍ଗୀତ ସ୍ଵର ମୂର୍ଚ୍ଛନାର ସହଯୋଗରେ କାବ୍ୟଶ୍ରୀ ବିମଣ୍ଡିତ କରିବାରେ ସିଦ୍ଧହସ୍ତ ଜୟଦେବ ଅଗ୍ରଗଣ୍ୟ ଗୌରବରେ ମହିମାନ୍ଵିତ ହୋଇପାରିଛନ୍ତି । ଏହା ପୂର୍ବରୁ ସମଗ୍ର ସଂସ୍କୃତ ସାହିତ୍ୟରେ ଏହିପରି କୌଣସି ଗୋଟିଏ କାବ୍ୟ ନଥିଲା ।

 

ତୃତୀୟ ବୈଶଷ୍ଟଟି ହେଲା ଗୀତଗୋବିନ୍ଦ ଧର୍ମ ଓ ସାହିତ୍ୟର ପ୍ରଥମ ସମ୍ମିଶ୍ରିତ କାବ୍ୟ, ନିଜେ ଜୟଦେବ ତାଙ୍କ କାବ୍ୟର ଶ୍ରେଷ୍ଠ ଉପଜୀବ୍ୟ ଭାବେ ଘୋଷଣା କରି ଲେଖିଛନ୍ତି-

 

ଯଦି ହରିସ୍ମରରଣେ ସରସଂ ମନଃ

ଯଦିବିଳାସ କଳାସୁ କୁତୂହଳଂ

ମଧୁର କୋମଳ କାନ୍ତ ପଦାବଳୀଂ

ଶ୍ରୁଣୁ ତଦା ଜୟଦେବ ସରସ୍ଵତୀଂ ।

 

ଏହା ପୂର୍ବରୁ କୌଣସି ଧାର୍ମିକ ଗ୍ରନ୍ଥର ପ୍ରଣେତା ତାହାଙ୍କ କାବ୍ୟର ଏହିପରି ଦ୍ଵିବିଧ ଆଭିମୁଖ୍ୟ ଘୋଷଣା କରି ନ ଥିଲେ ।

 

ଚତୁର୍ଥ ବୈଶିଷ୍ଟ୍ୟଟି ହେଲା, ଗୀତଗୋବିନ୍ଦ ସମଗ୍ର ସଂସ୍କୃତ ସାହିତ୍ୟରେ ଏପରି ଗୋଟିଏ ବିଲକ୍ଷଣ କାବ୍ୟ ଯାହା ଆମୁଳଚୂଳ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣନାରେ ପରିପୂର୍ଣ୍ଣ । ଏହା ପୂର୍ବରୁ ରାଧାକୃଷ୍ଣ ପ୍ରେମଲୀଳାତ୍ମକ ମୁକ୍ତକ ଶ୍ଲୋକ ଥିଲେ ମଧ୍ୟ କୌଣସି ଗୋଟିଏ ସଂପୂର୍ଣ୍ଣ କାବ୍ୟରେ ତାହା ସ୍ଥାନ ପାଇନଥିଲା । ଜୟଦେବ ସର୍ବପ୍ରଥମେ ଗୀତଗୋବିନ୍ଦ ସୃଷ୍ଟି କରି ଏ କ୍ଷେତ୍ରରେ ଅଗ୍ରଣୀ ହେଲେ ।

 

ପଞ୍ଚମ ବୈଶିଷ୍ଟଟି ହେଉଛି ଗୀତଗୋବିନ୍ଦ ପୂର୍ବରୁ ଅନେକତ୍ର ରାଧା ଜଣେ ସାମାନ୍ୟ ପ୍ରେମଶୀଳା ଲୌକିକ ନାରୀ ଥିଲେ, ଜୟଦେବ ରାଧାଙ୍କୁ ମାନବୀରୁ ମୁକ୍ତି ଦେଇ ଦେବୀତ୍ଵ ପ୍ରଦାନ କଲେ । ରାଧା ଗୀତଗୋବିନ୍ଦରେ କୃଷ୍ଣଙ୍କ ଶକ୍ତି ଭାବରେ ପ୍ରତିଷ୍ଠା ଲାଭକଲେ । ଏଠାରେ ଦେଖିବାର କଥା- ‘ରାଧା’ ଶବ୍ଦଟି ସାହିତ୍ୟ ଓ ଧର୍ମ ରାଜ୍ୟରେ ଗୋଟିଏ ଅନବଦ୍ୟ ସୃଷ୍ଟି । କେତେ ଯେ ସାହିତ୍ୟ-ରସିକ ଓ ରାଗାନୁଗା ଭକ୍ତ ବିଗତ ଶହ ଶହ ବର୍ଷ ଧରି ଗୋଟିଏ ରାଧା ଶବ୍ଦର କାଉଁରୀ ସ୍ପର୍ଶରେ ଆଶ୍ଚର୍ଯ୍ୟଚକିତ, ପୁଲକିତ ଓ ବିମୋହିତ ହୋଇଛନ୍ତି, ତାହାର ଇୟତ୍ତା ନାହିଁ । ରାଧାର ପ୍ରେମମୟ ମଧୁର ରୂପ ପରିକଳ୍ପନା ଓ ରାଧା ଭାବର ସ୍ଵର୍ଗୀୟ ଚେତନା ସୃଷ୍ଟି କରିବାରେ ଏ ଦେଶର ଅଗଣିତ ଯଶସ୍ଵୀ କବି, ସେମାନଙ୍କ ପ୍ରଚଣ୍ଡ ପ୍ରତିଭା ପ୍ରସୂତ କବିତ୍ଵପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନରେ ଯେଉଁ କୃତିତ୍ଵ ଅର୍ଜନ କରିଯାଇଛନ୍ତି, ତାହା ଯୁଗେ ଯୁଗେ ଜନତାର ଧର୍ମଧାରଣା ଓ ସାହିତ୍ୟ ଜିଜ୍ଞାସାକୁ ଚରିତାର୍ଥ କରିବାରେ ଅପୂର୍ବ ସଫଳତା ହାସଲ କରିଆସିଛି ।

 

ଯେଉଁ ରାଧାର ପ୍ରେମମୟ ମୂର୍ତ୍ତି ଆଜି ସର୍ବବିଦିତ ଓ ଯେଉଁ ରାଧାର ଐକାନ୍ତିକ ପ୍ରେମନିଷ୍ଠା ପରିପ୍ରକାଶରେ ସମଗ୍ର ଭାରତୀୟ ସାହିତ୍ୟ ଆଜି ମୁଖରିତ, ସେ ରାଧାର ଐତିହ୍ୟ କ’ଣ, ଉତ୍ପତ୍ତି କେଉଁଠି ଏବଂ କିପରି ସେ ଆମର ଏତେ ଆପଣାର ହୋଇଉଠିଲେ, ସେ କଥା ଏବେ ଆଲୋଚକମାନଙ୍କର ଗବେଷଣାର ବିଷୟ ।

 

ଯଦ୍ୟପି ଦକ୍ଷିଣ ଭାରତୀୟ ଆଲଓ୍ଵାର ଭକ୍ତମାନଙ୍କ କବିତାରେ ସ୍ପଷ୍ଟ ଭାବରେ ‘ରାଧା’ଙ୍କ ନାମୋଲ୍ଲେଖ କରାଯାଇନାହିଁ ତଥାପି ସେମାନଙ୍କ ଦ୍ୱାରା ରଚିତ ପ୍ରାୟ ଚାରିହଜାର ପଦରେ ଅନ୍ୟାନ୍ୟ ଗୋପିକାମାନଙ୍କ ସହିତ ଶ୍ରୀକୃଷ୍ଣ ଓ ଗୋଟିଏ ପ୍ରମୁଖ ଗୋପୀର ବର୍ଣ୍ଣନା ଦେଖିବାକୁ ମିଳେ । ଏହି ପ୍ରମୁଖ ଗୋପିକାର ନାମ ‘ନାପ୍‍ପିନାଇ’ । ଅନୁମାନ କରାଯାଏ ଏହାର ପରବର୍ତ୍ତୀ ନାମାନ୍ତର ହିଁ ରାଧା । ଏହି ପଦ୍ୟମାନଙ୍କରେ ଶ୍ରୀକୃଷ୍ଣ ହିଁ ଏକମାତ୍ର ପୂଜ୍ୟ ପୁରୁଷ ଭାବେ ଚିତ୍ରିତ । ଭକ୍ତ କବିଗଣ ନିଜକୁ ନାୟିକା (ସ୍ତ୍ରୀ) ଭାବରେ ଗ୍ରହଣ କରି ନିଜ ନିଜର ଐକାନ୍ତିକ ପ୍ରେମ ନିବେଦନ କରିଛନ୍ତି । ତତ୍‍ପରବର୍ତ୍ତୀ ଶ୍ରୀମଦ୍‍ଭାଗବତରେ ଗୋପୀକୃଷ୍ଣଲୀଳାର ବିଶଦ ବିସ୍ତାର ଦେଖିବାକୁ ମିଳେ । ଭାଗବତ ନୀତିଗତ ଭାବେ ଗ୍ରହଣ କରିଛି ଯେ, ଗୋପୀମାନେ କୃଷ୍ଣଙ୍କ ପ୍ରତି କେବଳ କାମଭାବ ପ୍ରକାଶ କରି ମୁକ୍ତି ପାଇଲେ । ‘ଗୋପ୍ୟଃ କାମାଦ୍’ ଏଥିରେ ଚିତ୍ରିତ ରାସଲୀଳାରେ କୃଷ୍ଣ ଓ ଗୋପିକାମାନଙ୍କ ମଧ୍ୟରେ ଘଟିଥିବା ବହୁ ଦୁର୍ବାର ବାସନାଦୀପ୍ତ ଶୃଙ୍ଗାରିକ ସମ୍ଭୋଗ ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ମଧ୍ୟ ଗୋଟିଏ ବିଶିଷ୍ଟ ଗୋପିକାର କୃଷ୍ଣଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତି ପ୍ରକାଶିତ ହୋଇଅଛି । ସେହି ବିଶିଷ୍ଟ ଗୋପିକାଟି ନିଶ୍ଚିତ ଭାବେ ‘ରାଧା’ ବୋଲି ଆଲୋଚକମାନେ ମନେ କରନ୍ତି । ଏଠାରେ ଦେଖିବାର କଥା ଜୟଦେବଙ୍କ ଆବିର୍ଭାବ କାଳ ଦ୍ଵାଦଶ ଶତାବ୍ଦୀ ସୁଦ୍ଧା ଗୋପୀ ଓ କୃଷ୍ଣଙ୍କ ମଧ୍ୟରେ କାମଲୀଳାପୂର୍ଣ୍ଣ ଶୃଙ୍ଗାରିକ ଭକ୍ତିଚେତନାର ଯଥେଷ୍ଟ ବ୍ୟାପ୍ତି ଘଟିଥିଲେ ମଧ୍ୟ ଏ ବର୍ଣ୍ଣନାପ୍ରବାହରେ ‘ରାଧା’ଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । ଅପରପକ୍ଷରେ ଜୟଦେବଙ୍କ ପୂର୍ବରୁ ଏକୋଇଶିଟି ଗ୍ରନ୍ଥର କ୍ଵଚିତ୍ ପ୍ରେମ ବ୍ୟାପାର ବର୍ଣ୍ଣନାରେ କୃଷ୍ଣଙ୍କ ସହିତ ରାଧାଙ୍କ ନାମ ଉଲ୍ଲିଖିତ ହୋଇଥିଲେ ମଧ୍ୟ ସେଥିରେ ଶୃଙ୍ଗାରିକ ଭକ୍ତି ଚେତନାର କୌଣସି ସୂଚନା ନାହିଁ । ଏତିକିବେଳେ କବି ଜୟଦେବ ଆବିର୍ଭୁତ ହୋଇ ତାଙ୍କର ଯୁଗାନ୍ତକାରୀ ‘ଗୀତଗୋବିନ୍ଦ’ରେ ଏହି ଦୁଇ ତତ୍ତ୍ଵର ମଧୁର ସମନ୍ଵୟ ବିଧାନ କଲେ । ସାହିତ୍ୟ ଓ ଧର୍ମୀୟ ଚେତନାରେ ନୂତନ ଯୁଗ ପ୍ରବର୍ତ୍ତନ କଲେ, ସାହିତ୍ୟ ରାଜ୍ୟର ସୁପ୍ରସିଦ୍ଧ ପ୍ରେମମୟୀ ସାମାନ୍ୟ ନାରୀ ରାଧା, ଦେବୀତ୍ଵ ଗାରିମା ଅର୍ଜନ କରିବା ସଙ୍ଗେ ସଙ୍ଗେ ଭକ୍ତମାନଙ୍କ ଦ୍ୱାରା ଆରାଧିକା ହୋଇଉଠିଲେ । ମାନବୀ ରାଧାଙ୍କୁ ଦେବୀର ଦୀପ୍ତିରେ ଉଦ୍‍ଭାସିତ କରିବାରେ ଭକ୍ତକବି ଜୟଦେବଙ୍କ କୃତିତ୍ଵ ଅବିସମ୍ବାଦିତ । ସାହିତ୍ୟ ରସିକ ମହଲରେ ଏବଂ ଶୃଙ୍ଗାର ଭକ୍ତ ସମ୍ପ୍ରଦାୟମାନଙ୍କରେ ‘ଗୀତଗୋବିନ୍ଦ’ର ଯୁଗାନ୍ତକାରୀ ପ୍ରଭାବ, ବର୍ଣ୍ଣନାର ବିଷୟ ନୁହେଁ ।

 

ଏଠାରେ ପ୍ରଶ୍ନ ଉଠେ ଗୀତଗୋବିନ୍ଦର ପ୍ରଣେତା କବି ଜୟଦେବ ହରିସ୍ମରଣ ତତ୍ପର ଭକ୍ତ ଓ ବିଳାସ କଳା କୁତୂହଳୀ ସାଧାରଣ ପାଠକମାନଙ୍କର ତୃପ୍ତି ସାଧନ ପାଇଁ ଯେଉଁ ଅନବଦ୍ୟ କାବ୍ୟ ଖଣ୍ଡିକ ସୃଷ୍ଟି କରିଗଲେ, ତାହା କ’ଣ ସ୍ଵାଭାବିକ ଭାବରେ ଆତ୍ମପ୍ରକାଶ କରିଥିଲା ? ନା ରାଧା ଭାବର ଏହି ପରିଣତି ପାଇଁ କିଛି ଅନିବାର୍ଯ୍ୟ ଐତିହାସିକ, ସାମାଜିକ ତଥା ସାଂସ୍କୃତିକ ପରିବେଶ ଦାୟୀ ? ଏ ବିଷୟରେ ସମ୍ୟକ୍ ଆଲୋଚନା ଅନ୍ୟତ୍ର କରାଯାଇଛି । ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ କବି ତାଙ୍କ ‘ଗୀତଗୋବିନ୍ଦ’ରେ କିପରି, କାହିଁକି ଓ କେଉଁ ପରିସ୍ଥିତିରେ ଲୌକିକ ରାଧାଙ୍କୁ ଅଲୌକିକତା ପ୍ରଦାନ କଲେ ଏ ସବୁ ବିଷୟରେ ସତ୍ୟାନୁସନ୍ଧାନ କରିବାକୁ ହେଲେ ଜୟଦେବଙ୍କ କର୍ମଭୂମି, ସାଧନାପଦ୍ଧତି ତଥା ଧର୍ମବିଶ୍ଵାସ ଉପରେ ଯଥେଷ୍ଟ ଆଲୋକପାତ କରିବାକୁ ହେବ । ତ୍ରିକଳିଙ୍ଗ ଜୟଦେବଙ୍କ ଜନ୍ମସ୍ଥାନ ଓ କର୍ମଭୂମି ଥିଲା- ଏ ବିଷୟରେ ବହୁ ଆଲୋଚନା ହୋଇଯାଇଛି । ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମହାପରାକ୍ରମୀ ଉତ୍କଳର ରାଜା ଅନଙ୍ଗଭୀମଦେବ ଦ୍ଵିତୀୟଙ୍କ ଦ୍ଵାରା ପୁରୀର ଜଗନ୍ନାଥ ମନ୍ଦିର ତିଆରି ହୋଇସାରିବା ପରେ ବହୁ ସାମ୍ପ୍ରଦାୟିକ ମତବାଦର ସମ୍ମିଶ୍ରଣରେ ସୁସମ୍ୱନ୍ଧ ଜଗନ୍ନାଥ ଧର୍ମର ପ୍ରତିଷ୍ଠା ଓ ପ୍ରସାର ହେବାକୁ ଲାଗିଲା । ଅନଙ୍ଗଭୀମଦେବ ପରମ ବୈଷ୍ଣବ ଓ ଦୁର୍ଗାଙ୍କ ବରପୁତ୍ର ଥିଲେ । ଏଣୁ ସେ ସମୟରେ ଶ୍ରୀବୈଷ୍ଣବ ଧର୍ମ ତଦାନୀନ୍ତନ ପ୍ରଚଳିତ ଶାନ୍ତ ଓ ବୌଦ୍ଧ ମହାଯାନୀ ଚିନ୍ତାଧାରାକୁ ନିଜର ଅନ୍ତର୍ଗତ କରିନେଇଥିଲା । ଜଗନ୍ନାଥ ମନ୍ଦିର ବେଢ଼ାରେ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଜଗନ୍ନାଥ ଧର୍ମ ଦର୍ଶନରେ ସର୍ବଧର୍ମ ସମନ୍ଵୟର ଏକ ପ୍ରକୃଷ୍ଟ ଉଦାହରଣ । ଚୋଡ଼ଗଙ୍ଗଦେବ ଓ ତାଙ୍କ ପୁତ୍ର କାମାର୍ଣ୍ଣବଦେବ ଶ୍ରୀବୈଷ୍ଣବ ଧର୍ମ ସମ୍ପ୍ରଦାୟର ପ୍ରବର୍ତ୍ତକ ରାମାନୁଜଙ୍କ ଶିଷ୍ୟ ଥିଲେ । ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଶ୍ରୀକୂର୍ମମ ପ୍ରଥମେ ଶ୍ରୀ ସମ୍ପ୍ରଦାୟର ଓ ବିଶେଷ କରି ସମ୍ମିଳିତ ଜଗନ୍ନାଥ ଧର୍ମର ପ୍ରଧାନ ପୀଠ ଥିଲା । ଗଙ୍ଗରାଜାମାନେ ଏହାର ପୃଷ୍ଠପୋଷକ ଥିଲେ । ବୈଷ୍ଣବ ଗୁରୁମାନେ ଏହି ଆସ୍ଥାନରେ ରହି ଧର୍ମପ୍ରଚାର କାର୍ଯ୍ୟରେ ଲିପ୍ତ ଥିଲେ । କବି ଜୟଦେବ ଏହି ପୀଠର ଜଣେ ପ୍ରଧାନ ସାଧୁ ଥିଲେ । ଜଗନ୍ନାଥ ଧର୍ମ ଓ ଚେତନାରେ ଶୈବ, ଶାନ୍ତ ଓ ବୌଦ୍ଧ ଚିନ୍ତାଧାରାକୁ ଉଦାର ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା । ଜୟଦେବ ଜଣେ କୃଷ୍ଣଭକ୍ତ ବୈଷ୍ଣବ କବିଥିଲେ ଏବଂ ସ୍ଵୟଂ ଜଗନ୍ନାଥ ଭାବେ ଆଗରୁ ସ୍ଵୀକୃତ ହୋଇସାରିଥିଲେ । ବୈଷ୍ଣବମାନେ ବିଷ୍ଣୁଙ୍କ ଶକ୍ତି ଭାବରେ ଯୋଗମାୟାଙ୍କୁ ପରିକଳ୍ପନା କରିଛନ୍ତି । ପରେ ବୈଷ୍ଣବମାନଙ୍କ ଦ୍ୱାରା ଜଗନ୍ନାଥ ଯେତେବେଳେ ନାରାୟଣ ରୂପରେ ଦେଖାଦେଲେ ସେତେବେଳେ ଯୋଗମାୟା ଲକ୍ଷ୍ମୀରୂପେ ନାରାୟଣଙ୍କ ଶକ୍ତି ଭାବରେ ସ୍ଵୀକୃତ ହେଲେ । ପୁଣି ପରମ୍ପରା କ୍ରମେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଗ୍ରହଣ କରାଗଲେ ମଧ୍ୟ କୃଷ୍ଣଙ୍କ କୌଣସି ଶକ୍ତି ପ୍ରତିଷ୍ଠା କରାଯାଇ ନ ଥିଲା । ସେତେବେଳେ ଧର୍ମ ଜଗତରେ ଶକ୍ତି ଧାରଣାଟି ଏତେ ପ୍ରବଳ ଥିଲା ଯେ, ବିନା ଶକ୍ତିର ସାହଚର୍ଯ୍ୟରେ ‘ଶକ୍ତିମାନ’ର ପରିକଳ୍ପନା ଅସମ୍ଭବ ଥିଲା । ଏଣୁ କୃଷ୍ଣଭକ୍ତ କବି ଜୟଦେବ ସୁପ୍ରସିଦ୍ଧ କୃଷ୍ଣ ପ୍ରେମିକା-ନାରୀ ରାଧାଙ୍କୁ କୃଷ୍ଣଙ୍କ ଶକ୍ତିଭାବେ ପ୍ରତିଷ୍ଠା କରି ଦେବୀର ଗୌରବ ଅର୍ପଣ କଲେ । ଫଳରେ ରାଧାକୃଷ୍ଣ, ଯୋଗମାୟାବିଷ୍ଣୁ, ଲକ୍ଷ୍ମୀନାରାୟଣଙ୍କ ପରି ପ୍ରତିଷ୍ଠା ଲାଭ କଲେ । ଶ୍ରୀ ବୈଷ୍ଣବମାନଙ୍କ ସାମ୍ପ୍ରଦାୟିକ ଦର୍ଶନରେ ପ୍ରତିଷ୍ଠିତ ‘ଲକ୍ଷ୍ମୀ’ ହିଁ ଜୟଦେବଙ୍କ ‘ଗୀତଗୋବିନ୍ଦ’ରେ ରାଧା ଭାବରେ ଦେଖା ଦେଇଛନ୍ତି । ଏହାର ପ୍ରମାଣ ସ୍ଵରୂପ ରାମାନୁଜଙ୍କ ଶ୍ରୀ ବୈଷ୍ଣବ ଧର୍ମର ବହୁ ପ୍ରଭାବ ‘ଗୀତଗୋବିନ୍ଦ’ର ଛତ୍ରେ ଛତ୍ରେ ଦେଖିବାକୁ ମିଳେ । ଉଦାହରଣ ସ୍ଵରୁପ ‘ଗୀତଗୋବିନ୍ଦ’ର ଦ୍ଵାଦଶ ସର୍ଗର ଏକବିଂଶ ଶ୍ଲୋକଟି ଉଦ୍ଧାର କରାଯାଇପାରେ । ସେଥିରେ ‘କୃଷ୍ଣ’ ‘ରାଧା’ଙ୍କୁ କହିଛନ୍ତି ଯେ, ସେ (ରାଧା) ପୂର୍ବଜନ୍ମରେ ‘ଲକ୍ଷ୍ମୀ’ ଥିଲେ । ସମୁଦ୍ର ବେଳାରେ ସେ (ରାଧା) ତାଙ୍କୁ (କୃଷ୍ଣଙ୍କୁ) ସ୍ଵାମୀ ଭାବରେ ବରଣ କରିବାକୁ ଶିବ ମର୍ମାହତ ହୋଇ ବିଷପାନ କରିଥିଲେ । ଏହା ବ୍ୟତୀତ ଗୀତଗୋବିନ୍ଦରେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ‘ମାଧବ’ ଶବ୍ଦଟିର ବହୁ ପ୍ରଚଳନ ଦେଖାଯାଏ । ମା’ ମାନେ ‘ଲକ୍ଷ୍ମୀ’ ଇନ୍ଦିରା ଲୋକମାତା ମା’ ଧବ ମାନେ ‘ସ୍ଵାମୀ’ । ଏଠାରେ ଲକ୍ଷ୍ମୀ ରାଧାଙ୍କ ବ୍ୟତୀତ ଆଉ କେହି ନୁହନ୍ତି ।

 

ଏଣୁ ‘ଗୀତଗୋବିନ୍ଦ’ର ‘ରାଧାମାଧବ’ଙ୍କୁ ରାମାନୁଜଙ୍କ ‘ଲକ୍ଷ୍ମୀନାରାୟଣ’ଙ୍କ ସହିତ ସହଜରେ ଚିହ୍ନିତ କରାଯାଇପାରେ । ସେତେବେଳେ ଶ୍ରୀବୈଷ୍ଣବମାନଙ୍କ ଧର୍ମପୀଠ ଶ୍ରୀକୂର୍ମଠାରୁ ମାଧବ ପୂଜା ପଦ୍ଧତି ଓଡ଼ିଶାର ପୁରୀ ଓ କଟକ ଜିଲ୍ଲାରେ କିପରି ପ୍ରସାର ଓ ପ୍ରତିଷ୍ଠା ଲାଭ କରିଥିଲା ତାର ବହୁ ଐତିହାସିକ ପ୍ରମାଣ ରହିଛି । ଏହିପରି ଭାବେ ଲୌକିକ ସାହିତ୍ୟର କୃଷ୍ଣପ୍ରିୟା ରାଧା, ଜୟଦେବଙ୍କ ଦ୍ଵାରା କୃଷ୍ଣପ୍ରିୟା ଦେବୀ ଭାବେ ଅଧିଷ୍ଠିତା ହୋଇସାରିବା ପରେ ନିମ୍ବାର୍କ, ବିଷ୍ଣୁସ୍ଵାମୀ, ମାଧ୍ଵଚାର୍ଯ୍ୟ ଓ ଶ୍ରୀଚୈତନ୍ୟ ସେମାନଙ୍କର ଦାର୍ଶନିକ ସିଦ୍ଧାନ୍ତ ମାଧ୍ୟମରେ ‘ରାଧାକୃଷ୍ଣ’ ଚିନ୍ତାଧାରାକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରିଛନ୍ତି ।

 

ଆଜି ସମଗ୍ର ପାଠକ ମହଲରେ ‘ରାଧା’ ଗୋଟିଏ ଚମତ୍କାର ମଧୁର ପରିକଳ୍ପନା । ପ୍ରେମ ପରାକାଷ୍ଠାର ବର୍ଣ୍ଣାଢ଼୍ୟ ବୈଚିତ୍ର୍ୟରେ ସେ ଆଜି ଅନନ୍ୟ ସାଧାରଣ । କମନୀୟ ସାରସ୍ଵତ ସାଧନାରେ ସେ ଜଣେ ସାର୍ଥକ ତଥା ମନୋଜ୍ଞ ଅଭିବ୍ୟକ୍ତି । କବି କଳ୍ପନାର ନିର୍ଝରିଣୀ, ଭାବୁକ ମନର କୁହୁକିନୀ ରସୋତ୍ତୀର୍ଣ୍ଣ ନାରୀ । ମନେହୁଏ, ଏହି ଗୋଟିଏ ରାଧାର ଅଭାବରେ କୋଟିଏ ପ୍ରାଣର ବୁକୁଫଟା ଆର୍ତ୍ତନାଦ ଅକୁହା ରହିଯାଇଥାନ୍ତା । ଦେହ ମଧ୍ୟ ଦେଇ ବିଦେହର ଅନୁଭୂତି, ରୂପ ମଧ୍ୟ ଦେଇ ଅପରୂପର ଉପଲବ୍ଧି, ଚିନ୍ତା ମଧ୍ୟଦେଇ ଅଚିନ୍ତ୍ୟର ସାକ୍ଷାତକାର, କିପରି କରିବାକୁ ହୁଏ, ତାହାର ସମ୍ମୁଜ୍ଜ୍ୱଳ ନିଦର୍ଶନ ଭାବରେ ଏହି ରାଧା ଯୁଗେ ଯୁଗେ ଜୟଦେବଙ୍କ ଅବଦାନର ମହତ୍ତ୍ଵ କୀର୍ତ୍ତନ କରୁଥିବ । ଜଞ୍ଜାଳ ଜଟିଳ ମାନବ ସମାଜକୁ ଅନୁପ୍ରାଣିତ କରୁଥିବ, ଦିଗ୍‍ଦର୍ଶନ ଦେଉଥିବ ।

 

 

ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟକ୍ଷ

ମେଡ଼ିକାଲ ବ୍ୟାଙ୍କ କଲୋନୀ

ବ୍ରହ୍ମପୁର-୭୬୦୦୦୪

 

***

 

Unknown

ଗୀତଗୋବିନ୍ଦ—ଟୀକା ଓ ଅନୁବାଦ*

ଡକ୍ଟର ଭଗବାନ ପଣ୍ଡା

 

ଓଡ଼ିଶାର ସଂସ୍କୃତ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ଗୀତଗୋବିନ୍ଦର ଆଙ୍ଗିକ ଓ ଆତ୍ମିକ ପ୍ରଭାବ କିପରି ଗଭୀରଭାବେ ପଡ଼ିଛି, ସେ ବିଷୟରେ ବିଶଦ ଆଲୋଚନାତ୍ମକ ଗ୍ରନ୍ଥ ପ୍ରକାଶିତ ହୋଇନାହିଁ । କେବଳ ସେତିକି ନୁହେଁ, ତଥାକଥିତ ଗବେଷକମାନେ ଜୟଦେବଙ୍କ ଜନ୍ମସ୍ଥାନ ସମ୍ବନ୍ଧୀୟ ବାଗ୍‍ବିଳାସରେ ସମୟ ଅତିବାହିତ କରିଥିବାରୁ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଗୀତଗୋବିନ୍ଦର କାବ୍ୟସୌନ୍ଦର୍ଯ୍ୟ, ରସ, ଭାବ, ଭାଷା ପଦାବଳୀ, ସଙ୍ଗୀତ, ଧର୍ମ ଦର୍ଶନ ଓ ପ୍ରତିପାଦ୍ୟ ତତ୍ତ୍ଵ ସମ୍ବନ୍ଧରେ ଯେପରି ସମୀକ୍ଷା ହେବା ଆବଶ୍ୟକ ତାହା କରାଯାଇ ପାରିନାହିଁ ।

 

ସଂସ୍କୃତ ସାହିତ୍ୟର ଇତିହାସରେ ଗୀତଗୋବିନ୍ଦ ଏକ ଅପୂର୍ବ ଓ ଅନୁପମ ସୃଷ୍ଟି । ଶ୍ରୀକୃଷ୍ଣ-ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଓ ପରମବୈଷ୍ଣବ କବିରାଜ ଜୟଦେବ (୧୧୪୭-ଖ୍ରୀ.ଅ) ପୁରୁଷୋତ୍ତମ ପୁରୀରେ ଏହି ଅମର କାବ୍ୟ ରଚନା କରିଥିଲେ ।

 

ଶ୍ରୀଗୀତଗୋବିନ୍ଦ ମହାକାବ୍ୟର ପ୍ରଣେତା କବିରାଜ ଜୟଦେବ ଥିଲେ ପୁରୀ ଜିଲ୍ଲା ଅନ୍ତର୍ଗତ କେନ୍ଦୁବିଲ୍ଵ (କେନ୍ଦୁଲି) ଶାସନ ନିବାସୀ ପଣ୍ଡିତ ଭୋଜଦେବ ଓ ରାମା (ବାମା ବା ରାଧା) ଦେବୀଙ୍କ ଯଶସ୍ଵୀ ପୁତ୍ର । ନୃତ୍ୟ ପ୍ରବୀଣା ପଦ୍ମାବତୀ ଥିଲେ ପ୍ରିୟତମା ପତ୍ନୀ ଓ କବିଙ୍କର ଘନିଷ୍ଠ ବନ୍ଧୁ ଥିଲେ ସଙ୍ଗୀତ ବିଶାରଦ ପରାଶର । ଗୀତଗୋବିନ୍ଦରେ ଥିବା ଉଲ୍ଲେଖରୁ ହିଁ ଏହାର ସ୍ପଷ୍ଟ ସୂଚନା ମିଳେ । ୧ ମୈଥିଳ କବି ଚନ୍ଦ୍ରଦତ୍ତ (୧୭୫୦-ଖ୍ରୀ.ଅ.) ସ୍ଵରଚିତ ଭକ୍ତମାଳା ଗ୍ରନ୍ଥ ଅନ୍ତର୍ଗତ ଜୟଦେବ ଚରିତରେ ଏହି ବିଷୟ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି –

 

ଜଗନ୍ନାଥପୁରୀ ପ୍ରାନ୍ତେ ଦେଶେ ଚୈବୋଲକାଭିଧେ ।

କିନ୍ଦୁବିଲ୍ଵ ଇତି ଖ୍ୟାତୋ ଗ୍ରାମୋ ବ୍ରାହ୍ମଣ ସଂକୁଳଃ ।

ତତ୍ରୋତ୍କଳେ ଦ୍ଵିଜୋ ଜାଣେ ଜୟଦେବ ଇତି ଶ୍ରୁତଃ ।

ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମ ପୂଜକଃ ।

ନିର୍ମାୟ ଗୀତଗୋବିନ୍ଦଂ ପୁସ୍ତକଂ ପୁରୁଷୋତ୍ତମେ ।

ନିବେଦ୍ୟ କୃତକୃତ୍ୟୋଽଭୁଜ୍ଜୟଦେବ ମହାମନାଃ ।୨

 

ଭାରତୀୟ ହିନ୍ଦୁ ଜନତାର ସର୍ବଶ୍ରେଷ୍ଠ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଗୀତଗୋବିନ୍ଦ ମହାକାବ୍ୟର ମୂଳ ଉପଜୀବ୍ୟ । ଜଗଦୀଶ ଜଗନ୍ନାଥ ହିଁ ଦଶାବତାରୀ ‘କୃଷ୍ଣ ଏବଂ କୃଷ୍ଣସ୍ତୁ ଭଗବାନ୍ ସ୍ଵୟଂ’ ବୋଲି କବି ଜୟଦେବ ଏଥିରେ ପ୍ରତିପାଦନ କରିଛନ୍ତି । ତେଣୁ କବିଙ୍କ ବର୍ଣ୍ଣନାରେ ଜଗନ୍ନାଥ ହିଁ ଜଗଦିଶ, ହରି, ମୁରାରି, ମଧୁରିପୁ ମାଧବ, କେଶବ ଓ କୃଷ୍ଣ ।୩

 

ଶ୍ରୀଗୀତଗୋବିନ୍ଦର ମଙ୍ଗଳାଚରଣ ଶ୍ଲୋକରେ ଉଲ୍ଲିଖିତ ଥିବା ‘ରାଧାମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃକେଳୟ’ ଉକ୍ତିରୁ କବି ରାଧାମାଧବଙ୍କ ରହଃକେଳି ବା ରହସ୍ୟ ଲୀଳାକୁ କାନ୍ତ କୋମଳ ସରସ ପଦାବଳୀ ମଧ୍ୟରେ ହରିନାମ କୀର୍ତ୍ତନ ପାଇଁ ବର୍ଣ୍ଣନା କରିଥିବାର ସୂଚନା ଦେଇଛନ୍ତି :

 

ଯଦି ହରିସ୍ମରଣେ ସରସଂ ମନୋ

ଯଦି ବିଳାସକଳାସୁ କୁତୂହଳମ୍

ମଧୁର କୋମଳକାନ୍ତ ପଦାବଳୀଂ

ଶୃଣୁ ତଦା ଜୟଦେବ ସରସ୍ଵତୀମ୍ ।।

।।ଗୀତ ଗୋବିନ୍ଦ-୧-୩ ।।

 

କାବ୍ୟର ଉପସଂହାରରେ କବିରାଜ ଜୟଦେବ ଗାନ୍ଧର୍ବ କଳାରେ ଜ୍ଞାନାର୍ଜନ, ବୈଷ୍ଣବ ତତ୍ତ୍ଵର ଅନୁଧ୍ୟାନ ଓ ଶୃଙ୍ଗାର ରସଚର୍ଚ୍ଚାରେ ପାରଦର୍ଶିତା ଲାଭ କରିବା ପାଇଁ ଗୀତଗୋବିନ୍ଦର ଅନୁଶୀଳନ ନିମିତ୍ତ ପାଠକମାନଙ୍କୁ ନିବେଦନ କରିବାକୁ ଯାଇ କହିଛନ୍ତି:

 

ଯଦ୍‍ଗାନ୍ଧର୍ବକଳାସୁ କୌଶଳମନୁଧ୍ୟାନଂ ଚ ଯଦ୍‍ବୈଷ୍ଣବଂ

ଯଚ୍ଛୃଙ୍ଗାର ବିବେକତତ୍ତ୍ଵମପି ଯତ୍କାବ୍ୟେଷୁଲୀଳାୟିତମ୍

ତତ୍ସର୍ବଂ ଜୟଦେବ ପଣ୍ଡିତ କବେଃ କୃଷ୍ଣୈକତାନାତ୍ମନଃ

ସାନନ୍ଦା ପରିଶୋଧାୟନ୍ତୁ ସୁଧିୟଃ ଶ୍ରୀ ଗୀତଗୋବିନ୍ଦତଃ ।।

।।ଗୀତଗୋବିନ୍ଦ-୧୨-୮ ।।

 

ଶ୍ରୀରାଧା ଓ ଶ୍ରାକୃଷ୍ଣଙ୍କ ପ୍ରେମ, ବିରହ ଓ ମିଳନକୁ ଆଧାର କରି ପ୍ରଣୀତ ଗୀତକାବ୍ୟ ଗୀତଗୋବିନ୍ଦ ୧୨ ସର୍ଗ, ବିଭିନ୍ନ ରାଗରେ ଓ ବୃତ୍ତରେ ରଚିତ ୨୪ଟି ପ୍ରବନ୍ଧ ବା ଗୀତ ଓ ୭୨ବା ୭୭ଟି ଶ୍ଲୋକରେ ବିଭକ୍ତ । ପ୍ରବନ୍ଧଗୁଡ଼ିକ ମଧ୍ୟରୁ ପ୍ରଥମ ସର୍ଗର ପ୍ରଥମ ପ୍ରବନ୍ଧ ୧୧ ପଦ ଓ ପଞ୍ଚମ ସର୍ଗ ଅନ୍ତର୍ଗତ ୧୦ମ ପ୍ରବନ୍ଧ ୫ପଦ ବିଶିଷ୍ଟ ଏବଂ ଅନ୍ୟ ୨୨ଟି ପ୍ରବନ୍ଧ ଅଷ୍ଟାପଦୀ ଗୀତ ରୁପେ ସୁବିଦିତ । ଓଡ଼ିଶାର ପରମ୍ପରା ଅନୁସାରେ କାବ୍ୟର ଶ୍ଲୋକସଂଖ୍ୟା ୭୨ ବୋଲି ଉଲ୍ଲେଖ ଅଛି:

 

ସର୍ଗୈର୍ଦ୍ଵାଦଶଭିଶ୍ଚ ତଦ୍ଦ୍ଵିଗୁଣିତୈର୍ଗାଥାତ୍ମ ସର୍ଗାଂଶକୈଃ

ଶ୍ଲୋକୈ ଷଢଗୁଣିତୈଃ ସୁବୃତ୍ତଭଣିତୈ ରାନନ୍ଦସନ୍ଦୋହଦମ୍ ।

ପ୍ରୀତ୍ୟୈ ଶ୍ରୀପୁରୁଷୋତ୍ତମସ୍ୟ ଚରିତଂ ଶ୍ରୀ ଗୀତଗୋବିନ୍ଦକଂ

ଜୀୟାଚ୍ଛୀଜୟଦେବ ପଣ୍ଡିତ ବରେଣେଦଂ ସମନ୍ତାତ୍ପରମ୍ ।। ୪

 

କିନ୍ତୁ ଗୀତଗୋବିନ୍ଦର ପ୍ରାଚୀନତମ ଟୀକା ‘ସର୍ବାଙ୍ଗସୁନ୍ଦରୀ’ରେ ୭୭ଟି ଶ୍ଳୋକଥିବାର ଦେଖାଯାଏ । ସମ୍ଭବତଃ ପ୍ରକ୍ଷିପ୍ତ ହୋଇଥିବା ପାଞ୍ଚଟି ଶ୍ଲୋକ ସେଥିରୁ ବାଦ୍ ଦେଲେ ୭୨ଟି ଶ୍ଲୋକ ପରମ୍ପରା ଅନୁମୋଦିତ ହୋଇପାରିବ । କାଳକ୍ରମେ ପ୍ରସ୍ତୁତ ପ୍ରତିଲିପି ଓ ପ୍ରକାଶିତ ଗୀତଗୋବିନ୍ଦର ବିଭିନ୍ନ ସଂସ୍କରଣରେ ଅଧିକରୁ ଅଧିକ ପ୍ରକ୍ଷିପ୍ତ ଶ୍ଲୋକର ସମାବେଶ ଦ୍ଵାରା ସମ୍ପ୍ରତି ଏହାର ଶ୍ଲୋକ ସଂଖ୍ୟା ୭୨ରୁ ୧୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

 

ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରଚିତ ଏହି କ୍ଷୁଦ୍ରାକାର ଗୀତଗୋବିନ୍ଦ କାବ୍ୟ ପ୍ରାୟ ଶହେ ବର୍ଷ ପରେ ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗରେ ଗଙ୍ଗସମ୍ରାଟ ଦ୍ଵିତୀୟ ନରସିଂହଦେବ ବା କବି ନରସିଂହ ଦେବ (୧୨୭୮-୧୩୦୯ଖ୍ରୀ.ଅ)ଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ନିତ୍ୟ ସେବାର ଅଙ୍ଗୀଭୁତ ହୋଇଥିଲା । ତେଣୁ କାଳକ୍ରମେ ଏହା ଏକ ଧର୍ମଗ୍ରନ୍ଥ ଅଭିନବ, ଦର୍ଶନଗ୍ରନ୍ଥ, ସରସ କାବ୍ୟଗ୍ରନ୍ଥ ବା ଗାନ୍ଧର୍ବକଳାତ୍ମକ ଗ୍ରନ୍ଥରୂପେ ଜନ୍ମଭୂମି ଓଡ଼ିଶାର ସୀମା ଅତିକ୍ରମ କରି ସମଗ୍ର ଭାରତର ଜନଗଣମନ ଅଧିକାର କରିବା ସଙ୍ଗେ ସଙ୍ଗେ ତାର ଆଙ୍ଗିକ ଓ ଆତ୍ମୀକ ଭାବଧାରା ଦ୍ଵାରା ଭାରତୀୟ ସାହିତ୍ୟ ସଙ୍ଗୀତ ଓ କଳାକ୍ଷେତ୍ରକୁ ଯେପରି ପରିପ୍ଲାବିତ କରିଥିଲା ତାହା କଳ୍ପନା କରିବା ସମ୍ଭବ ନୁହେଁ ।

 

କବିରାଜ ଜୟଦେବଙ୍କ ପ୍ରଣୀତ ଗୀତଗୋବିନ୍ଦର ଅପୂର୍ବ ରସମାଧୁରୀ ଦ୍ଵାରା ଆକୃଷ୍ଟ ହୋଇ ଭାରତର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା କବିକୋବିଦ ଓ କଳାକାରମାନେ ଏହାର ବହୁ ଅନୁକୃତି ଟୀକା ଓ ଭାଷାନୁବାଦ ଗ୍ରନ୍ଥ ରଚନା କରିଛନ୍ତି । ଅଦ୍ୟାବଧି ପ୍ରକାଶିତ ପାଣ୍ଡୁଲିପି ବିବରଣାତ୍ମକ ଗ୍ରନ୍ଥଗୁଡ଼ିକରୁ ଗୀତଗୋବିନ୍ଦର ୧୩୫ଟି ଅନୁକୃତି, ୫୪ଟି ଟୀକା ଗ୍ରନ୍ଥ ଓ ଶହ ଶହ ଗଦ୍ୟାତ୍ମକ ଓ ପଦ୍ୟାତ୍ମକ ଭାଷାନୁବାଦ ଗ୍ରନ୍ଥର ସୂଚନା ମିଳିଛି । ଗର୍ବ ଓ ଗୌରବର କଥା, କାବ୍ୟର ଜନ୍ମଭୂମି ଓଡ଼ିଶାରେ ଓଡ଼ିଆ କବି ପଣ୍ଡିତ ମାନଙ୍କ ଦ୍ଵାରା ଗୀଚଗୋବିନ୍ଦର ପ୍ରଥମ ଅନୁକୃତି, ପ୍ରଥମଟୀକା ଓ ପ୍ରଥମ ଅନୁବାଦ ରଚିତ ହୋଇଛି । ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ସର୍ବାଧିକଟୀକା, ଅନୁବାଦ ଓ ଅନୁକୃତି ଗ୍ରନ୍ଥ ଓଡ଼ିଶାରେ ରଚନା କରାଯାଇଛି । ଓଡ଼ିଶାରେ ଗୀତଗୋବିନ୍ଦର ପରମ୍ପରା କିପରି ସମୃଦ୍ଧ ଥିଲା ଏବଂ ଜନସାଧାରଣ କିପରି ଏହାର ଆଦର କରୁଥିଲେ । ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ । ସେହି ପରମ୍ପରା ଆଜି ମଧ୍ୟ ସଙ୍ଗୀତ, ନୃତ୍ୟ, ଅଭିନୟ, ସ୍ତୁତି ଓ ସ୍ତୋତ୍ର ମାଧ୍ୟମରେ ଓଡ଼ିଶାରେ ଉଜ୍ଜୀବିତ ରହିଥିବାର ଦେଖାଯାଏ ।

 

ଶ୍ରୀ ଗୀତଗୋବିନ୍ଦର ଟୀକା ଓ ଅନୁବାଦ ଶୀର୍ଷକ ବିଷୟ ଅତି ବ୍ୟାପକ | ଭାରତର ବିଭିନ୍ନ ଅଞ୍ଚଳରେ ଗୀତଗୋବିନ୍ଦର ଏକାଧିକ ଟୀକା ଓ ଅନୁକୃତି ଏବଂ ପାଞ୍ଚରୁ ଅଧିକ ସଂଖ୍ୟକ ଅନୁବାଦ ରଚିତ ହୋଇଥିବାର ଜଣାଯାଏ । ତେଣୁ ପ୍ରସ୍ତୁତ ଲେଖାରେ ଓଡ଼ିଶା ବାହାରେ ରଚିତ ଭାଷାନୁବାଦ ଗ୍ରନ୍ଥକୁ ବାଦ ଦେଇ ଗୀତଗୋବିନ୍ଦର ଟୀକା ଓ ଟୀକାକାରଙ୍କ ବିଷୟରେ ନାମତଃ ସୂଚନା ଦେବା ସଙ୍ଗେ ସଙ୍ଗେ ଓଡ଼ିଆ ଟୀକାକାର ଓ ଓଡ଼ିଶାରେ ରଚିତ ଟୀକା ସହିତ ଓଡ଼ିଆ ଭାଷାର ଅନୁବାଦ ସମ୍ପର୍କରେ ଯଥା ସଂକ୍ଷିପ୍ତ ଆଲୋଚନା ଉପସ୍ଥାପନ କରିଯାଇପାରେ ।

 

ଓଡ଼ିଶା ବାହାରେ ରଚିତ ଗୀତଗୋବିନ୍ଦର ଟୀକା ମଧ୍ୟରେ ପଣ୍ଡିତ ଧୃତିଦାସଙ୍କ (ଆ.୧୩୨୦-ଖ୍ରୀ.ଅ.) ସନ୍ଦର୍ଭଦୀପିକା, ମାନାଙ୍କ ନୃପତିଙ୍କ(ଆ.୧୪୦୦-ଖ୍ରୀ.ଅ) ଟିପ୍ପଣୀକା, ରାଢ଼, ଦେଶୀୟ ବୃହସ୍ପତି ମିଶ୍ରଙ୍କ (୧୪୩୧-ଖ୍ରୀ.ଅ) ଗୀତଗୋବିନ୍ଦ ଟୀକା, ମିବାରର ରାଣା କୁମ୍ଭଙ୍କ (୧୪୫୦-ଖ୍ରୀ.ଅ.) ରସିକ ପ୍ରିୟା, ମୈଥିକ ପଣ୍ଡିତ ଓ କବି ଜଗଦ୍ଧରଙ୍କ (୧୪୫୦- ଖ୍ରୀ.ଅ.) ସାରଦୀପିକା, ଅନ୍ୟତମ ମୈଥଳ ପଣ୍ଡିତ ମହାମହୋପାଧ୍ୟାୟ ଶଙ୍କର ମିଶ୍ରଙ୍କ (୧୪୫୦-ଖ୍ରୀ.ଅ) ରସମଞ୍ଜରୀ, ବୃନ୍ଦାବନର ପଣ୍ଡିତ ଭଗବତ୍ ଦାସଙ୍କ (୧୫୫୦-ଖ୍ରୀ.ଅ.) ରସକଦମ୍ଵକଲ୍ଲୋଳିନୀ, କାଶୀର ବନମାଳୀ ଭଟ୍ଟଙ୍କ(୧୫୭୫-ଖ୍ରୀ.ଅ.) ସଂଜୀବନୀ, ମୈଥିଳ କୃଷ୍ଣଦତ୍ତଙ୍କ (୧୬୦୦-ଖ୍ରୀ.ଅ) ଗଙ୍ଗାଟୀକା ଏବଂ ଶୈବ ଓ ବୈଷ୍ଣବ ଉଭୟ ପକ୍ଷକୁ ବୁଝାଉଥିବା ଶଶୀଲେଖା ଟୀକା ଶେଷ କମଳା କରଙ୍କ (୧୬୦୦-ଖ୍ରୀ.ଅ) ସାହିତ୍ୟ ରତ୍ନମାଳା, ବଙ୍ଗୀୟ ଚୈତନ୍ୟ ଦାସଙ୍କ (୧୬୧୫-ଖ୍ରୀ.ଅ) ବାଳବୋଧିନୀ, କେରଳର ପଣ୍ଡିତ ନାରାୟଣଙ୍କ (୧୬୨୭-ଖ୍ରୀ.ଅ) ପଦଜ୍ୟୋତନିକା, ଯମୁନା ନଦୀ କୂଳବର୍ତ୍ତୀ ଗୋପାଳ ପଣ୍ଡିତଙ୍କ (୧୬୫୦-ଖ୍ରୀ.ଅ) ସର୍ବାର୍ଥବୋଧିନୀ ପଣ୍ଡିତ ନାରାୟଣ ଭଟ୍ଟଙ୍କ (୧୬୫୦-ଖ୍ରୀ.ଅ) ରସ ତରଙ୍ଗିଣୀ, ବିକାନୀର ରାଜା ଅନୁପ ସିଂହଙ୍କ (୧୬୭୪-ଖ୍ରୀ.ଅ) ଅନୁପୋଦୟ ଟୀକା, ବଙ୍ଗୀୟ ଗୋପାଳଚକ୍ରବର୍ତ୍ତୀଙ୍କ ୯୧୬୭୭-ଖ୍ରୀ.ଅ) ଅର୍ଥ ରତ୍ନାବଳୀ ଶ୍ରୀକାନ୍ତ ମିଶ୍ରଙ୍କ (୧୬୭୫-ଖ୍ରୀ.ଅ) ପଦଭାବାର୍ଥ ଚନ୍ଦ୍ରିକା, ମହାରାଷ୍ଟ୍ରୀୟ ପଣ୍ଡିତ ରଙ୍ଗନାଥ ଆରଡ଼େଙ୍କ (୧୭୨୫-ଖ୍ରୀ.ଅ) ମାଧୁରୀ ଟୀକା, ପୂର୍ବ ବଙ୍ଗବାସୀ ନାରାୟଣ ଶର୍ମାଙ୍କ (୧୭୨୮-ଖ୍ରୀ.ଅ) ସର୍ବାଙ୍ଗ ସୁନ୍ଦରୀ ଟୀକା ପ୍ରଭୃତିର ନାମ ଉଲ୍ଲେଖନୀୟ ।

 

ପରବର୍ତ୍ତୀ କାଳରେ ପ୍ରକାଶିତ ବିବରଣାତ୍ମକ ପୋଥି ତାଲିକାରୁ ଚିଦାନନ୍ଦଭିକ୍ଷୁକୃତ ଗୀତଗୋବିନ୍ଦ ଟିପ୍ପଣୀ, ରାମତାରଣ ଚୂଡ଼ାମଣି କୃତ ମାଧୁରୀଟୀକା, ରମାକାନ୍ତ ମିଶ୍ର କୃତ ଗୀତଗୋବିନ୍ଦ ପ୍ରବୋଧ, ପଣ୍ଡିତ ରୁପଦେବ କୃତ ଗୀତଗୋବିନ୍ଦ ବିବରଣ, ମହାରାଜ ଶୁକ୍ଳଧ୍ଵଜକୃତ ‘ସରସ୍ଵତୀ ଟୀକା’, ଚୈତନ୍ୟ ଦାସଙ୍କ ଅର୍ଥ ରତ୍ନାବଳୀ ବିଠ୍‍ଠଲ ଦୀକ୍ଷିତଙ୍କ ବିବୃତ୍ତି, ବିଶ୍ଵେଶ୍ଵର ଭଟ୍ଟଙ୍କ ଶ୍ରୁତିରଞ୍ଜନୀ. ହୃଦୟାଭରଣଙ୍କ ଚିଳକୋତ୍ତମ, କୁମାରଖାନ୍‍ଙ୍କ ସଙ୍ଗହଦୀପିକା, ଭଟ୍ଟରତ୍ନାକରକୃତ ରସସନ୍ଦିପନୀ, କୃଷ୍ଣଦତ୍ତ ଓ କୃଷ୍ଣ ଦାସଙ୍କ ଅର୍ଥ ରତ୍ନାବଳୀ, ପିତାମ୍ବର କୃତ ରସକଦମ୍ବ କଲ୍ଲୋଳିନୀ, ଭାବାଚାର୍ଯ୍ୟ କୃତ ମାଧୁରୀ, ରାମଦତ୍ତଙ୍କ ସାନନ୍ଦଗୋବିନ୍ଦ, ଶାଳୀନାଥକୃତ ସାହିତ୍ୟ ରତ୍ନାକର ଶ୍ରୀ ହର୍ଷକୃତ ଗୀତଗୋବିନ୍ଦ ତିଳକୋତ୍ତମ ବଂଶୀ ଦାସଙ୍କ ଗୀତଗୋବିନ୍ଦ ଟୀକା , ଭରତ ସେନଙ୍କ ସୁବୋଧା ଟୀକା, ଚଣ୍ଡି ଦାସ କୃତ ପ୍ରକାଶ କୌମୁଦୀ ଶ୍ରାରାମ ରାୟଙ୍କ ତତ୍ତ୍ଵ ଦୀପିକା, ପ୍ରବୋଧାନନ୍ଦ ସରସ୍ୱତୀଙ୍କ ଗୀତଗୋବିନ୍ଦ ବ୍ୟାଖ୍ୟାନ, ପଣ୍ଡିତ ରତ୍ନାକର କନ୍ଦଳୀଙ୍କ ସାରଦୀପିକା, ଗୋପାଳକୃତ ଦୀପିକା, ବାସୁଦେବଙ୍କ ପଦାଭିନୟମଞ୍ଜରୀ ପ୍ରଭୃତି ଟୀକାଗ୍ରନ୍ଥଗୁଡ଼ିକର ସୂଚନା ମିଳେ ।

 

୧.

ଓଡ଼ିଶାରେ ଆବିର୍ଭୂତ ଗୀତଗୋବିନ୍ଦର ଟୀକାକାରମାନଙ୍କ ମଧ୍ୟରେ ପ୍ରଥମେ ଟୀକାକାର ହେଲେ କବି ଉଦୟନ ଆଚାର୍ଯ୍ୟ । ସେ ଥିଲେ କବିରାଜ ଜୟଦେବଙ୍କ ସମକାଲୀନ ଓ ପ୍ରିୟବନ୍ଧୁ । ତାଙ୍କ ପ୍ରଣୀତ ‘ଭାବବିଭାବିନୀ’ ଟୀକା ଭାରତ ବର୍ଷର ପ୍ରଥମ ଟୀକା ଭାବେ ସ୍ଵୀକୃତ । ଖ୍ରୀଷ୍ଟ୍ରୀୟ ୧୧୭୦ ବେଳକୁ ଏହା ରଚିତ ହୋଇଥିବାର ଅନୁମାନ କରାଯାଏ । ଶ୍ଲୋକାକାରରେ ରଚିତ ଏହି ଟୀକା ଗ୍ରନ୍ଥରେ ୧୦୦ଟି ପତ୍ର ଓ ପ୍ରାୟ ୧୦୦୦ଟି ଶ୍ଲୋକଥିବାର ଜଣାଯାଏ । ଦୁର୍ଭାଗ୍ୟବଶତଃ ଏହା ଆଜି ଦୁଷ୍ପ୍ରାପ୍ୟ । କିନ୍ତୁ ଏହା ଦୁଷ୍ପ୍ରାପ୍ୟ କି ନୁହେଁ ତାହା ମଧ୍ୟ ଏପର୍ଯ୍ୟନ୍ତ ନିଶ୍ଚିତ ଭାବେ ଜାଣିବା ପାଇଁ କୌଣସି ଉଦ୍ୟମ ହୋଇନାହିଁ ।

 

କବି ଉଦୟନ ଆଚାର୍ଯ୍ୟ ଥିଲେ ‘ଆର୍ଯ୍ୟାସପ୍ତଶତୀ’ ଗ୍ରନ୍ଥ ପ୍ରଣେତା କବି ଗୋବର୍ଦ୍ଧନ ଆଚାର୍ଯ୍ୟଙ୍କ ସାନଭାଇ ଏବଂ ନିଆଳି ନିକଟବର୍ତ୍ତୀ ଶୋଭନେଶ୍ଵର ମନ୍ଦିର (୧୧୭୦-ଖ୍ରୀ.ଅ) ଓ ଶୈବ କ୍ଷେତ୍ର ଭୁବନେଶ୍ଵରରେ ଥିବା ମେଘେଶ୍ଵର ମନ୍ଦିର (୧୧୯୦-ଖ୍ରୀ.ଅ) ଶିଳାଲେଖର ପ୍ରଣେତା-। ତାଙ୍କ ରଚିତ ‘ଭାବବିଭାବିନୀ’ ଟୀକାର ଏକ ପାଣ୍ଡୁଲିପି ମଧ୍ୟପ୍ରଦେଶ ଅନ୍ତର୍ଗତ ନାଗପୁରଠାରେ ଏସ୍.ଲକ୍ଷ୍ଣଣ ବାସକୁ ଜନୈକ ବ୍ୟକ୍ତିଙ୍କ ସଂଗ୍ରହରେ ଥିବାର ସୂଚନା ମିଳେ । କବି ଉଦୟନ ଅନ୍ୟତମ ଉତ୍କଳୀୟ କବି ଶ୍ରୀ ହର୍ଷଙ୍କ ‘ନୈଷଧ ମହାକାବ୍ୟ’ର ଉଦୟ କରି ନାମରେ ଏକ ଟୀକା ମଧ୍ୟ ରଚନା କରିଥିବାର ଜଣାଯାଏ ।୯

୨.

କବି ଉଦୟନ ଆଚାର୍ଯ୍ୟଙ୍କ ପରେ ଓଡ଼ିଶାର ସୁପ୍ରସିଦ୍ଧ ପଣ୍ଡିତ କବିରାଜ ନାରାୟଣ ଦାସ (୧୩୦୭-ଖ୍ରୀ.ଅ) ଗୀତଗୋବିନ୍ଦର ‘ସର୍ବାଙ୍ଗସୁନ୍ଦରୀ’ ନାମ୍ନୀ ଟୀକା ରଚନା କରିଛନ୍ତି । ଭାରତରେ ଅଦ୍ୟାବଧି ଉପଲବ୍ଧ ଗୀତଗୋବିନ୍ଦର ଟୀକାଗ୍ରନ୍ଥ ମଧ୍ୟରେ ଏହା ପ୍ରାଚୀନତମ । ଗୀତଗୋବିନ୍ଦର ତାତ୍ତ୍ଵିକ ଅବବୋଧ ଓ ଯଥାର୍ଥ ବିଶ୍ଲେଷଣରେ ଏହାର ଭୂମିକା ଗୁରୁତ୍ତ୍ଵପୂର୍ଣ୍ଣ । ଏହି ଟୀକାରେ ଗୀତଗୋବିନ୍ଦର ୭୭ଟି ଶ୍ଲୋକ ସନ୍ନିବେଶିତ ହୋଇଛି । ପୂର୍ବ ସୂଚନା ଅନୁସାରେ ଟୀକାକର ନାରାୟଣ ଦାସଙ୍କ ସମୟକୁ ପ୍ରକ୍ଷିପ୍ତ ହୋଇଥିବା ପାଞ୍ଚଟି ଶ୍ଲୋକକୁ ବାଦ୍ ଦେଲେ ପରମ୍ପରା କ୍ରମେ ଗୀତଗୋବିନ୍ଦର ଶ୍ଲୋକ ସଂଖ୍ୟା ୭୨ରେ ସୀମାବଦ୍ଧ ରହିବ-

 

ସର୍ବାଙ୍ଗସୁନ୍ଦରୀ ଟୀକାରେ କବିରାଜ ନାରାୟଣ ଦାସ ଗୀତଗୋବିନ୍ଦର ‘ବାଚଃପଲ୍ଲବୟତ୍ୟୁମାପତିଧରଃ’ (୧/୪)ଶ୍ଲୋକର ପ୍ରକୃତ ଓ ଯଥାର୍ଥ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ କବି ଜୟଦେବଙ୍କ ଜନ୍ମଗ୍ରାମ ‘କେନ୍ଦୁବିଲ୍ଵ’ ଏକ ବ୍ରାହ୍ମଣ ଶାସନ ଥିଲାବୋଲି ଦୃଢ଼ ସ୍ଵରରେ ଘୋଷଣା କରିଛନ୍ତି । ତେଣୁ କବି ଜୟଦେବ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ଏବଂ ବଙ୍ଗର ଲକ୍ଷ୍ମଣ ସେନଙ୍କ ସଭା ସହିତ ତାଙ୍କ କୌଣସି ସଂପର୍କ ନାହିଁ ବୋଲି ଏହି ପ୍ରାଚୀନତମ ଟୀକା ଦ୍ଵାରା ପ୍ରମାଣିତ । ୧୦

 

୩.

ଓଡ଼ିଶାର ତୃତୀୟ ଟୀକାକାର ହେଲେ ଦ୍ଵିଜ ଧନଞ୍ଜୟ । ସେ କବିରାଜ ନାରାୟଣ ଦାସଙ୍କ ‘ସର୍ବାଙ୍ଗସୁନ୍ଦରୀ’ ଟୀକା ଅନୁକରଣରେ ଗୀତଗୋବିନ୍ଦ ‘ସର୍ବାଙ୍ଗସୁନ୍ଦରୀ’ ନାମ୍ନୀ ଏକ ଟୀକା ରଚନା କରିଛନ୍ତି । ବିଭିନ୍ନ ଗ୍ରନ୍ଥ ଓ ଗ୍ରନ୍ଥକାରଙ୍କ ଉଦ୍ଧୃତି ସହିତ ବିଭିନ୍ନ ପୁରାଣ କୋଷ ଅଳଙ୍କାର, ବ୍ୟାକରଣ, ଆଗମ, ସଙ୍ଗୀତ ଓ କାମଶାସ୍ତ୍ର ପ୍ରଭୃତି ବାକ୍ୟାବଳୀରେ ପୂର୍ଣ୍ଣ ଏହି ବୃହଦାକାର ଟୀକାର ରଚନା ଖୁରୁଧା ଗଜପତି ମୁକୁନ୍ଦ ଦେବଙ୍କ ୩୯ ଅଙ୍କ କନ୍ୟାକୃଷ୍ଣ ପ୍ରତିପତ୍ ତିଥି ଗୁରୁବାର ଦିନ ଅର୍ଥାତ୍ ୨୮.୮.୧୬୮୮ ତାରିଖରେ ସମାପ୍ତ ହୋଇଥିବା ନିମ୍ନୋଦ୍ଧୃତ ଗ୍ରନ୍ଥପୁଷ୍ପିକାରୁ ଜଣାଯାଏ –

 

ବୀରେନ୍ଦ୍ରସ୍ୟ ମୁକୁନ୍ଦ ସିନ୍ଧୁର ପତେର୍ଦୀନୈକବନ୍ଧୋର୍ନବ-

ତ୍ରିଂଶେରଙ୍କେ ପ୍ରତିପତ୍ତିଥୌ ଗୁରିଦିନେ କନ୍ୟାଂଗତେ ଭାସ୍କରେ ।

ଟାକାଂ ପୁତ୍ତୁଳିକାନ୍ଵିତଂ ବିଲିଖିତଂ ଶ୍ରୀଗୀତଗୋବିନ୍ଦକଂ

କାବ୍ୟଂ ଚାରୁ ଧନଞ୍ଜୟାଖ୍ୟଧରଣୀଦେବେନ ପକ୍ଷେଽସିତେ ।

 

କବିରାଜ ନାରାୟଣ ଦାସଙ୍କ ବ୍ୟାଖ୍ୟାତ ଗୀତଗୋବିନ୍ଦର ପାଠ ଏଥିରେ ଗୃହୀତ ହୋଇଛି-। (ଏଥିରେ ୭୫ଟି ଶ୍ଲୋକର ବ୍ୟାଖ୍ୟା କରାଯାଇଛି ।) (୧୧) ଗୀତଗୋବିନ୍ଦ ଚିତ୍ର ସମ୍ବଳିତ ଏହି ଟୀକାର ପୋଥି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପୋଥିବିଭାଗରେ ଅଛି ।

 

୪.

କୃଷ୍ଣ ଦାସ କବିରାଜ ନାମକ ଅନ୍ୟତମ ଓଡ଼ିଆ ପଣ୍ଡିତ ମଧ୍ୟ ଗୀତଗୋବିନ୍ଦର ‘ସର୍ବାଙ୍ଗସୁନ୍ଦରୀ’ ନାମ୍ନୀ ଏକ ଟୀକା ରଚନା କରିଛନ୍ତି । ସର୍ବାଙ୍ଗସୁନ୍ଦରୀ ଶୀର୍ଷକ ଏହି ତୃତୀୟ ଟୀକାର ପୋଥି ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଅଛି । ଖୁରୁଧା ରାଜା ଦିବ୍ୟସିଂହ ଦେବଙ୍କ ୧୭ଶ ଅଙ୍କ ଅର୍ଥାତ୍ ୧୭୦୨ ଖ୍ରୀଷ୍ଟାବ୍ଦ ଜ୍ୟେଷ୍ଠମାସ ଶୁକ୍ଲଚତୁର୍ଥୀ ବୁଧବାର ଦିନ ଏହି ଟୀକାର ରଚନା ଶେଷ ହୋଇଥିବା ଗ୍ରନ୍ଥପୁଷ୍ପିକାରୁ ଜଣାଯାଏ-

 

ଜ୍ୟେଷ୍ଠେ ମାସି ସିତେ ବୁଧସ୍ୟ ଦିବସେ ପକ୍ଷେ ଚତୁର୍ଥୀତିଥା

ବଙ୍କେ ସପ୍ତଦଶେ ନୃପସ୍ୟ ସୁଧିୟା ଶ୍ରୀ ଦିବ୍ୟସିଂହସ୍ୟ ଚ

* * * *

ଏହି ଟୀକା ସର୍ବଙ୍କଷା ନାମରେ ମଧ୍ୟ ଅଭିହିତ ।

 

୫.

ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ନିଵାସୀ ଶ୍ରୀ ରାଧାକୃଷ୍ଣଙ୍କ ପରମଭକ୍ତ ପଣ୍ଡିତ ଲକ୍ଷ୍ମଣ ଭଟ୍ଟ ହେଲେ ଓଡ଼ିଶାର ପଞ୍ଚମ ଟୀକାକାର । ତାଙ୍କ ପ୍ରଣୀତ ଗୀତଗୋବିନ୍ଦ ଟୀକାର ନାମ ‘ରସିକରଙ୍ଗଦା’ । ଏହି ଟୀକା ୧୬୬୪ ଶକାବ୍ଦ ବା ୧୭୪୨ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା । ସେ ଶ୍ରୀକୃଷ୍ଣ ଲୀଳାମୃତ ନାମକ ଏକ ଓଡ଼ିଆ କାବ୍ୟ ମଧ୍ୟ ରଚନା କରିଛନ୍ତି । ଏହି ଓଡ଼ିଆ କାବ୍ୟଟି ୧୭୭୮ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିବାର ଜଣାଯାଏ ।

 

ତଦ୍‍ବ୍ୟତୀତ ବିଭିନ୍ନ ସୂତ୍ରରୁ ଅନ୍ୟ କେତେକ ଟୀକାକାରଙ୍କ ନାମ ସୂଚନା ମିଳୁଥିଲେ ମଧ୍ୟ ସେମାନଙ୍କ ପ୍ରଣୀତ ଟୀକାଗ୍ରନ୍ଥ ଅଦ୍ୟାବଧି ଲୋକଲୋଚନକୁ ଆସିପାରି ନାହିଁ ।

 

ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତ ଓ ସମାଜ ଉପରେ ଗୀତଗୋବିନ୍ଦର ଯେପରି ବ୍ୟାପକ ଓ ଗଭୀର ପ୍ରଭାବ ପଡ଼ିଛି ତା’ର ଦୃଷ୍ଟାନ୍ତ ଭାରତର ଅନ୍ୟ ଅଞ୍ଚଳରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ କବିମାନଙ୍କ ଲେଖନୀରେ ସଂସ୍କୃତ ଗୀତଗୋବିନ୍ଦର ରସ, ଭାବ, ଭାଷା ପଦଯୋଜନା ଓ ବାକ୍ୟରଚନା ଶୈଳୀ ଯେପରି ଯୁଗେ ଯୁଗେ ରୁପାୟିତ ହୋଇଆସିଛି ତା’ର ପଟାନ୍ତର ନାହିଁ । ମହାକବି ସାରଳା ଦାସଙ୍କ ଠାରୁ ଆରମ୍ଭ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ କବି କୋବିଦଗଣ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଜନସାଧାରଣଙ୍କୁ ଗୀତଗୋବିନ୍ଦର ରସ ଓ ସୌରଭ କିପରି ପରିବେଷଣ କରିଆସୁଛନ୍ତି ତାହା ଅନୁଶୀଳନ କଲେ ବିସ୍ମିତ ନ ହୋଇ ରହିହେବ ନାହିଁ ।

 

୧.

ଶ୍ରୀ ଗୀତଗୋବିନ୍ଦର ଓଡ଼ିଆ ଅନୁବାଦ ମଧ୍ୟରେ ଦ୍ଵିଜ ଧରଣୀଧରଙ୍କ ପଦ୍ୟାନୁବାଦ ପ୍ରାଚୀନତମ । ଧରଣୀଧରଙ୍କ ଅନୁଦିତ ଗୀତଗୋବିନ୍ଦ ଷୋଳଟି ଛାନ୍ଦରେ ବିଭକ୍ତ । ବିଭିନ୍ନ ରାଗ ଓ ବାଣୀରେ ରଚିତ ଛାନ୍ଦଗୁଡ଼ିକର ଭାଷା ସରଳ । କୋମଳ ଓ ମଧୁର ହୋଇଥିବାରୁ ଏହି ଅନୁବାଦ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟତା ଅର୍ଜନ କରିଛି । ଓଡ଼ିଶାରେ ସର୍ବତ୍ର ଏହାର ପୋଥି ଉପଲବ୍ଧ । ଏହାର ବହୁ ସଂସ୍କରଣ ପ୍ରକାଶିତ ହୋଇଛି । ଏହି ଅନୁବାଦରେ ଷୋଡ଼ଶ ଶତାବ୍ଦୀର ପ୍ରଥମ ପାଦରେ ରଚିତ ଅର୍ଜୁନ ଦାସଙ୍କ ‘ରାମବିଭା’ ଓ ‘କଳ୍ପଲତା’ ଏବଂ ନରସିଂହ ସେଣଙ୍କ ପ୍ରଣୀତ ‘ପରିମଳା’ କାବ୍ୟର ବାଣୀ ସନ୍ନିବେଶିତ ହୋଇଥିବାରୁ ଅନୁବାଦକ ଧରଣୀଧର ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତାଙ୍କ ଗୀତଗୋବିନ୍ଦ ରଚନା କରିଥିବାର ଜଣାଯାଏ । ଧରଣୀଧରଙ୍କ ଅନୁବାଦର ଏକ ଉଦାହରଣ—

 

କଂସାରିରପି ସଂସାରବାସନାବଦ୍ଧଶୃଙ୍ଖଳାମ୍

ରାଧାମୀଧାୟ ହୃଦୟେ ତତ୍ୟାଜ ବ୍ରଜସୁନ୍ଦରୀଃ ।।୩-୧ ।।

ଯହୁଁ ସେ ରାଧା ଗମନ କୃଷ୍ଣର ଅତି ବିମନ

ତେଜିଲେ ବିବିଧ କେଳି ବ୍ରଜକାମିନୀ ।

ସେ ରାଧା ରୂପ ପ୍ରକାଶ ସଂସାର ବନ୍ଧନ ପାଶ

ତେଣୁ ସେ ହୃଦୟେ ତାପ ଅମ୍ଵୁଜପାଣି ।

ପ୍ରିୟାକୁ ସେ ଧରିଣ ମନେ,

ଚାହାନ୍ତି ଚଞ୍ଚଳ ଚିତ୍ତେ ମଧୁସୂଦନେ ।.

 

୨.

ବୈଷ୍ଣବ କବି ବୃନ୍ଦାବନ ଦାସଙ୍କ (୧୬୧୦ଖ୍ରୀ.ଅ.) ଅନୂଦିତ ଗୀତଗୋବିନ୍ଦ ‘ରସବାରିଧି’ କାବ୍ୟ ନାମରେ ସୁବିଦିତ । ଓଡ଼ିଶାର ପରମ୍ପରା ଅନୁସାରେ ସେ ସଂସ୍କୃତ ଗୀତଗୋବିନ୍ଦର ଦ୍ଵାଦଶସର୍ଗ ସ୍ଥିତ ୨୪ଟି ଗୀତ ଓ ୭୨ଟି ଶ୍ଲୋକର ଅନୁବାଦ କରିଛନ୍ତି । ରସବାରିଧି କାବ୍ୟଟି ୨୦ଟି ଛାନ୍ଦରେ ବିଭକ୍ତ । ଏଥିରେ ଥିବା ଗୀତଗୁଡ଼ିକ ଗୀତଗୋବିନ୍ଦର ମାଳବ, ଗୁଜ୍ଜରୀ, ରାମକେରୀ ଓ ବରାଡ଼ୀ ରାଗ ସହିତ କବି ଚାନ୍ଦଦାସଙ୍କ (୧୫୬୮-ଖ୍ରୀ.ଅ.) ପ୍ରଣୀତ କୃଷ୍ଣପ୍ରେମ ରସାଶ୍ରିତ ‘ଗୋପୀଜୀବନଚଉତିଶା’ ବାଣୀ, ଜଳକ୍ରୀଡ଼ା ବାଣୀ, ମାଧବଚଉତିଶା ବାଣୀ, ରାମବିଭା ପ୍ରଥମଛାନ୍ଦ ବାଣୀ ପ୍ରଭୃତିରେ ରଚିତ ହୋଇଛି । ଏହି କାବ୍ୟରେ ଆରମ୍ଭରୁ ଗୀତଗୋବିନ୍ଦପାଠର କ୍ରମଭଙ୍ଗ ହୋଇଥିଲେ ମଧ୍ୟ ଚତୁର୍ଥ ଛାନ୍ଦରେ ‘ବସନ୍ତେ ବାସନ୍ତି’ ଶ୍ଲୋକଠାରୁ ବିଷୟବସ୍ତୁର ଧାରାବାହିକତା ରକ୍ଷା କରାଯାଇଛି ।

 

୩.

କବି ଦୀନବନ୍ଧୁ ଦାସ (୧୬୪୦-୧୬୯୦ ଖ୍ରୀ.ଅ.) ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ ବର୍ଣ୍ଣିତ ଗୋପଲୀଳା ଓ ଗୀତଗୋବିନ୍ଦର ଅନୁବାଦକୁ ମିଶାଇ ‘ଅମୃତସାଗର ବୋଲି’ ଶୀର୍ଷକ ୪୫ ଛାନ୍ଦ ବିଶିଷ୍ଟ ଏକ ବୃହତ୍ କାବ୍ୟ ରଚନା କରିଛନ୍ତି । ଏହି କାବ୍ୟର ପ୍ରଥମ ଦ୍ଵାଦଶ ଛାନ୍ଦରେ ଶ୍ରୀକୃଷ୍ଣଙ୍କ ଗୋପଲୀଳା, ତ୍ରୟୋଦଶରୁ ଦ୍ଵାତ୍ରିଂଶ ଅର୍ଥାତ୍ ପରବର୍ତ୍ତୀ ୨୦ଟି ଛାନ୍ଦରେ ଗୀତଗୋବିନ୍ଦର ସରଳ, ସୁଲଳିତ ପଦ୍ୟାନୁବାଦ ଓ ଶେଷ ୧୩ଟି ଛାନ୍ଦରେ କଂସବଧ ଓ ଉଗ୍ରସେନଙ୍କ ସିଂହାସନାରୋହଣ ବିଷୟ ବର୍ଣ୍ଣିତ ହୋଇଛି ।

 

୪.

ଢେଙ୍କାନାଳର ଅଶୋକଖୋଲ ନିବାସୀ କବି ବଜରୀ ଦାସ (୧୬୫୦ ଖ୍ରୀ.ଅ.) ଗଜପତି ମୁକୁନ୍ଦଦେବଙ୍କ ୨୧ ଅଙ୍କ ଅର୍ଥାତ୍ ୧୬୭୪ ଖ୍ରୀ.ଅ. ମାର୍ଚ୍ଚମାସରେ ନବାକ୍ଷରୀ ଭାଗବତ ବୃତ୍ତରେ ଗୀତଗୋବିନ୍ଦର ଅନୁବାଦ ଶେଷ କରିଥିଲେ । ଏହି ଅନୁଦିତ ଗ୍ରନ୍ଥର ନାମ ‘ଅର୍ଥଗୋବିନ୍ଦ’ । ଅର୍ଥଗୋବିନ୍ଦ କାବ୍ୟ ୨୭ ଅଧ୍ୟାୟରେ ବିଭକ୍ତ । ଏଥିରେ ଗୀତଗୋବିନ୍ଦର ୨୪ଟି ଗୀତ ୭୨ଟି ଶ୍ଲୋକର ଅନୁବାଦ କରାଯାଇଛି । କବି ବଜରୀ ଦାସଙ୍କ ଭାଷାରେ—

 

ଚୌବିଂଶ ଗାଥା ଗୀତମତେ, ବାଆସ୍ତରି ଶ୍ଲୋକ ସଚିତ୍ତେ ।

ଲେଖନ କରିବି ଗୋସାଇଁ, ଅର୍ଥ ଗୋବିନ୍ଦ ନାମେ ମୁହିଁ ।

 

୫.

କମାର ଜାତିର ଉଦ୍ଧବ ଦାସ ନାମକ ଜୈନିକ କବି ନିଜର ଗୁରୁ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଦ୍ୱାରା ସ୍ଵପ୍ନାଦିଷ୍ଟ ହୋଇ ନବାକ୍ଷରୀ ବୃତ୍ତରେ ଗୀତଗୋବିନ୍ଦରେ ପଦ୍ୟାନୁବାଦ କରିଥିବା ନିମ୍ନୋଦ୍ଧୃତ ପଦାବଳୀରୁ ଜଣାଯାଏ—

 

 

ଶ୍ରୀ ଜଗନ୍ନାଥ ମିଶ୍ରେ ଆସି । ସପ୍ନେ ମୋହର ପାଶେ ବସି ।।

ବୋଇଲେ ଶୁଣ ମୋରପୁତ୍ର । ଜୟଦେବର କର ଅର୍ଥ ।।

ମୁଁ ଅର୍ଥ କରିଅଛି ଯାହା । ତୁ ଗୀତ କରି କହ ତାହା ।।

 

କବି ଉଦ୍ଧବ ଦାସ, ପ୍ରଥମ ଅନୁବାଦକ ଧରଣୀଧରଙ୍କ ଅନୁବାଦକୁ ଅନୁସରଣ କରି ନବାକ୍ଷରୀ ବୃତ୍ତରେ ତାହାକୁ ଉପସ୍ଥାପନ କରିଥିବାର ଦେଖାଯାଏ । ଆଲୋଚକମାନେ ଉଦ୍ଧବ ଦାସଙ୍କୁ ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅର୍ଥାତ୍ ୧୭୨୦-୧୭୪୦ ମଧ୍ୟରେ ଅବସ୍ଥାପିତ କରିଛନ୍ତି ।

 

୬.

ତ୍ରିଲୋଚନ ଦାସ ନାମକ ନାପିତ କୁଳଜାତ ଜନୈକ କବି ଗୀତଗୋବିନ୍ଦର ପଦ୍ୟାନୁବାଦ କରିଥିବାର ଜଣାଯାଏ । କବି ଦ୍ୱାଦଶସର୍ଗର ଅନୁବାଦରେ ଯଥାକ୍ରମେ ଭାରତବାଣୀ, କଲସାବାଣୀ, କଉଶିକ ରାଗ, ମୁନିବର ବାଣୀ, ଦେଶୀ ବରାଡ଼ି ରାଗ, ଗୁଜ୍ଜରୀ, ମାଳବଗଉଡ଼ା, ଭୈରବରାଗ, ବସନ୍ତ ରାମକେରୀ ଓ ପଡ଼ିଆ ଗୁଜ୍ଜରୀ ରାଗ ବ୍ୟବହାର କରିଛନ୍ତି । ଗ୍ରନ୍ଥ ଶେଷରେ କବି ଓଡ଼ିଶାର ପରମ୍ପରାକୁ ସ୍ଵୀକାର କରି ଲେଖିଛନ୍ତି-

 

ଶ୍ଲୋକ ସମ୍ପୂର୍ଣ୍ଣ ହୋଇଲା ବାଆସ୍ତରୀ । ଉଉବିଂଶଗାଥା ସ୍ତୁତି ଆଦି କରି ।।

ପୂର୍ଣ୍ଣ ଦ୍ୱାଦଶ ସର୍ଗଏ ମହାକାବ୍ୟ । ଅଷ୍ଟାଦଶ ପୁରାଣାଦି ଏ ବେଦଭାବ ।।

* * * *

ଭଣେ ଶ୍ରୀଜୟଦେବ ଭାବନାଭାବେ । ଧନଜନ ସମ୍ପଦ ମଙ୍ଗଳଲାଭେ ।।

* * * *

ଗୀତ ପ୍ରବନ୍ଧେ ଭଣିଲା ତ୍ରିଲୋଚନ । ଓକ୍ଷକୁଳେ ଜାତିରେ ସେବକ ହୀନ ।।

ସେବା ଭକ୍ତିଜ୍ଞାନ କିଛି ନଜାଣଇ । ସାଧୁଗୋଷ୍ଠୀର କ୍ଷଣେ ହେଁ ନବସଇ ।।

 

ଉଦ୍ଧବ ଦାସ ଓ ତ୍ରିଲୋଚନ ଦାସଙ୍କ ଅନୁବାଦରୁ ଓଡ଼ିଶାର ଜନଜୀବନରେ ଗୀତଗୋବିନ୍ଦର କିପରି ଗଭୀର ପ୍ରଭାବ ପଡ଼ିଥିଲା ତାହା ଅନୁମାନ କରାଯାଇପାରେ ।

 

୭.

ପଣ୍ଡିତ କବି ଜଗନ୍ନାଥ ମିଶ୍ର ଗୀତଗୋବିନ୍ଦର ଏକ ସରଳ ଗଦ୍ୟାନୁବାଦ କରିଥିବାର ଜଣାଯାଏ । ଆଲୋଚକମାନେ ସଂସ୍କୃତ ଅଳଙ୍କାର ଗ୍ରନ୍ଥ ‘ରସକଳ୍ପ ଦ୍ରୁମ’ର ପ୍ରଣେତା ଓ ଗଦ୍ୟାନୁବାଦକ ଜଗନ୍ନାଥଙ୍କୁ ଏକ ବ୍ୟକ୍ତିଭାବେ ଚିହ୍ନିତ କରନ୍ତି । କବି ଜଗନ୍ନାଥ ମିଶ୍ର ଗଜପତି ହରେକୃଷ୍ଣ ଦେବଙ୍କ (୧୭୧୫-୧୭୧୯) ଖ୍ରୀ.ଅ.) ସମକାଳୀନ ଓ କବି ଉଦ୍ଧବ ଦାସଙ୍କ ଗୁରୁ ଥିଲେ ।

 

୮.

ପୁରୀ ଜିଲ୍ଲାର ବେଗୁନିଆ ଅନ୍ତର୍ଗତ ସାନପଦର ନାମକ ଗ୍ରାମରେ ଆବିର୍ଭୂତ ବୈଷ୍ଣବ କବି ପିଣ୍ଡିକ ଶ୍ରୀଚନ୍ଦନ ତତ୍କାଳୀନ ଭକ୍ତ ସମାଜର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ବଙ୍ଗଳା ମିଶା ଓଡ଼ିଆ ଭାଷାରେ ଗୀତଗୋବିନ୍ଦର ଅନୁବାଦ କରିଥିଲେ । ଏହି ଅନୁବାଦର ନାମ ‘ବସନ୍ତ ରାସ’ । ସଙ୍ଗୀତାତ୍ମକ ଏହି ଗ୍ରନ୍ଥ ୧୩ଟି ସର୍ଗରେ ବିଭକ୍ତ ।

 

କବି ଶ୍ରାଚନ୍ଦନ ଗଜପତି ପ୍ରଥମ ବୀରକେଶରୀ ଦେବଙ୍କ (୧୭୩୭-୧୭୯୩ ଖ୍ରୀ.ଅ.) ସମକାଳୀନ ଥିଲେ । ବସନ୍ତରାସରେ ବଙ୍ଗଳା ଗୀତର ଆଧିକ୍ୟ ଥିଲେବି ମଧ୍ୟେ ମଧ୍ୟେ ଓଡ଼ିଆ ଗୀତ ଓ କବିଙ୍କ ସ୍ଵରଚିତ ସଂସ୍କୃତ ଶ୍ଲୋକ ସନ୍ନିବେଶିତ ହୋଇଥିବାର ଦେଖାଯାଏ । ଯୁକ୍ତ ରଙ୍ଗ ମଞ୍ଚରେ ଅଭିନୟ ଉଦ୍ଦେଶ୍ୟରେ ଏହା ରଚିତ ହୋଇଥିଲା । ଭାଷାର ଲାଳିତ୍ୟ ଓ ଅଭିନୟରେ ପରିବେଷଣ ଉପଯୋଗୀ ଏହା ଓଡ଼ିଶା ଓ ବଙ୍ଗଳାର ଭକ୍ତସମାଜରେ ବିଶେଷ ଆଦରଲାଭ କରିଥିଲା ।

 

୯.

କଟକ ଜିଲ୍ଲା ଅନ୍ତର୍ଗତ ବଳରାମପୁର ଗ୍ରାମନିବାସୀ କ୍ଷତ୍ରିୟ କୁଳଜାତ ଗୋପୀନାଥ ଧୀର ଜଗଦ୍ଦେବଙ୍କ ଅନୂଦିତ ଗୀତଗୋବିନ୍ଦ ‘ସଙ୍ଗୀତ ଗୀତଗୋବିନ୍ଦ’ ନାମରେ ଅଭିହିତ । ଏତିରେ ଗୀତଗୋବିନ୍ଦର ଶ୍ଲୋକଗୁଡ଼ିକ ପୋଈ ବୃତ୍ତରେ ଏବଂ ଗୀତଗୁଡ଼ିକ ବିଭିନ୍ନ ରାଗରାଗିଣୀରେ ପଦ୍ୟାକାରରେ ଅନୁଦିତ ହୋଇଛି । ପ୍ରାଚୀନ ଓଡ଼ିଆ କାବ୍ୟପରମ୍ପରା ଅନୁଯାୟୀ ଏହି ଅନୁବାଦ ବିଭିନ୍ନ ଚିତ୍ରବନ୍ଧ, ଅନ୍ତର୍ଲିପି, ବହିର୍ଲିପି ପ୍ରଭୃତି ରୀତିରେ ରଚିତ ହୋଇଛି ।

 

୧୦.

ଭକ୍ତକବି ଗୋପାଳକୃଷ୍ଣଙ୍କ ସମକାଳୀନ ପାରଳାଖେମୁଣ୍ଡି ନିବାସୀ ଗୌରହରି ପରିଚ୍ଛା ଗୀତଗୋବିନ୍ଦର ଏକ ଅନୁବାଦ ରାଗ ତାଳ ନିବଦ୍ଧ ସଙ୍ଗୀତରେ କରିଛନ୍ତି । ଏହି ଅନୁବାଦ ‘ସଙ୍ଗୀତ ଗୀତଗୋବିନ୍ଦ’ ନାମରେ ଅଭିହିତ ।

 

୧୧.

ହଳଦିଆ ରାଜ୍ୟର ଜମିଦାର ଶ୍ୟାମସୁନ୍ଦର ଭଞ୍ଜ ଉନ୍ନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଗୀତଗୋବିନ୍ଦର ଏକ ଅନୁବାଦ ରଚନା କରିଛନ୍ତି । ଏହାର ନାମ ‘ବସନ୍ତ କ୍ରୀଡ଼ା ସମୁଜ୍ଜଳ ରସାବଳୀ’ । କବି ପିଣ୍ଡକ ଶ୍ରୀଚନ୍ଦନଙ୍କ ‘ବସନ୍ତରାସ’ ଅନୁକରଣରେ ଏହାର ଗୀତଗୁଡ଼ିକ ବଙ୍ଗଳା ମିଶା ଓଡ଼ିଆରେ ରଚିତ ହୋଇଛି ।

 

୧୨.

ଗଜପତି ପ୍ରଥମ ଦିବ୍ୟସିଂହ ଦେବଙ୍କ (୧୬୮୮-୧୭୧୬ ଖ୍ରୀ.ଅ ) ସମକାଳୀନ ବାଣୀଭୂଷଣ ଅନନ୍ତ ରଥ ନାମକ ଜନୈକ ପଣ୍ଡିତ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ଗୀତଗୋବିନ୍ଦର ଓଡ଼ିଆ ପଦ୍ୟାନୁବାଦ ରଚନା କରିଛନ୍ତି ।

 

୧୩.

ବାସୁଦେବ ମିଶ୍ର ନାମକ ଜନୈକ ପଣ୍ଡିତ ଗୀତ ଗୋବିନ୍ଦର ‘ବାଳବୋଧିନୀ’ ଶୀର୍ଷକ ଏକ ଗଦ୍ୟାନୁବାଦ କରିଥିବାର ଜଣାଯାଏ ।

 

ଉପର୍ଯ୍ୟୁକ୍ତ ଅନୁବାଦ ବ୍ୟତୀତ ଜୟକୃଷ୍ଣ ଦାସ ଗୀତ ଗୋବିନ୍ଦର ପଦ୍ୟାନୁବାଦ, ରାଧାମାଧବ ଦାସ ଗଦ୍ୟାନୁବାଦ ଓ ଦିବ୍ୟସିଂହ ଦେବ ‘ରସମଞ୍ଜରୀ’ ଶୀର୍ଷକ ପଦ୍ୟାନୁବାଦ କରିଥିବାର ଜଣାଯାଏ । ଗୀତଗୋବିନ୍ଦର କେବଳ ‘ଦଶାବତାରସ୍ତୁତି’କୁ କବି ଚୈତନ୍ୟ ଦାସ ଓ କବି ଭିକାରୀ ଦାସ ନିଜ ନିଜ ଶୈଳୀରେ ଅନୁବାଦ କରିଥିବାର ଦେଖାଯାଏ ।

 

ଉପର୍ଯ୍ୟୁକ୍ତ ଆଲୋଚନାରେ ଉପସ୍ଥାପିତ ଗୀତଗୋବିନ୍ଦର ଟୀକା ଓ ଅନୁବାଦ ଗ୍ରନ୍ଥଗୁଡ଼ିକୁ ପୂର୍ଣ୍ଣାଙ୍ଗ ସୂଚୀରୁପେ ଗ୍ରହଣ କରାଯାଇ ନ ପାରେ । କାରଣ, ଓଡ଼ିଶାରେ ଉପଲବ୍ଧ ଗୀତଗୋବିନ୍ଦ ତାଳପତ୍ର ପୋଥିର ବିବରଣାତ୍ମକ ପୁସ୍ତକ ପ୍ରକାଶ ପାଇ ନାହିଁ କି ଗୀତ ଗୋବିନ୍ଦ ପୋଥି ସମ୍ବନ୍ଧରେ ସର୍ବେକ୍ଷଣ ହୋଇନାହିଁ ।
 

ଓଡ଼ିଶାରେ ଉପଲବ୍ଧ ଗୀତଗୋବିନ୍ଦର ପାଞ୍ଚଟି ସଂସ୍କୃତ ଟୀକା ମଧ୍ୟରୁ କବିରାଜ ନାରାୟଣ ଦାସଙ୍କ ‘ସର୍ବାଙ୍ଗ ସୁନ୍ଦରୀ’ ଟୀକା ବ୍ୟତୀତ ଅନ୍ୟ ଟୀକା ଗ୍ରନ୍ଥ ପ୍ରକାଶନ ପାଇଁ କୌଣସି ଉଦ୍ୟମ ହୋଇନାହିଁ । ତଦ୍‍ବ୍ୟତୀତ ଚିତ୍ର ସମ୍ବଳିତ ଗୀତଗୋବିନ୍ଦ ଓ ଗୀତଗୋବିନ୍ଦ ଚିତ୍ରାବଳୀ ମଧ୍ୟ ପ୍ରକାଶ ପାଇନାହିଁ । ଓଡ଼ିଶାର ସଂସ୍କୃତ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ଗୀତଗୋବିନ୍ଦର ଆଙ୍ଗିକ ଓ ଆତ୍ମିକ ପ୍ରଭାବ କିପରି ଗଭୀରଭାବେ ପଡ଼ିଛି, ସେ ବିଷୟରେ ମଧ୍ୟ ବିଶଦ ଆଲୋଚନାତ୍ମକ ଗ୍ରନ୍ଥ ପ୍ରକାଶିତ ହୋଇନାହିଁ । କେବଳ ସେତିକି ନୁହେଁ, ତଥାକଥିତ ଗବେଷକମାନେ ଜୟଦେବଙ୍କ ଜନ୍ମସ୍ଥାନ ସମ୍ବନ୍ଧୀୟ ବାଗ୍‍ବିଳାସରେ ସମୟ ଅତିବାହିତ କରିଥିବାରୁ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଗୀତଗୋବିନ୍ଦର କାବ୍ୟସୌନ୍ଦର୍ଯ୍ୟ, ରସ, ଭାବ, ଭାଷା ପଦାବଳୀ, ସଙ୍ଗୀତ, ଧର୍ମ; ଦର୍ଶନ ଓ ପ୍ରତିପାଦ୍ୟ ତତ୍ତ୍ଵ ସମ୍ବନ୍ଧରେ ଯେପରି ସମୀକ୍ଷା ହେବା ଆବଶ୍ୟକ ତାହା ମଧ୍ୟ କରାଯାଇ ପାରିନାହିଁ । ତେଣୁ ଏ ବିଷୟରେ ଗବେଷକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ସଂସ୍କୃତ-ସଂସ୍କୃତି ସମ୍ବନ୍ଧରେ ଯଥା- ଶକ୍ତି କାର୍ଯ୍ୟ କରିବା ପାଇଁ ନିବେଦନ କରୁଛି । ବର୍ତ୍ତମାନ ନିମ୍ନମତେ ଜୟଦେବଙ୍କ ପ୍ରଶସ୍ତି ଉଦ୍ଧାର ପୂର୍ବକ ପ୍ରବନ୍ଧର ଉପସଂହାର କରୁଛି ।

 

ସାଧ୍ଵୀ ମାଧ୍ଵୀକଚିନ୍ତା ନ ଭବତି ଭବତଃ ଶର୍କରେ କର୍କରାସି

ଦ୍ରାକ୍ଷେ ଦ୍ରକ୍ଷନ୍ତି କେ ତ୍ଵାମମୃତ ମୃତମସି କ୍ଷୀର ନୀରଂ ରସସ୍ତେ ।

ମାକନ୍ଦ କ୍ରନ୍ଦ କାନ୍ତାଧର ଧରଣୀତଳଂ ଗଛ ଯଛନ୍ତି ଯାବଦ୍

ଭାବଂ ଶୃଙ୍ଗାର ସାରସ୍ଵତ ମିହ ଜୟଦେବସ୍ୟ ବିଶ୍ଵଗ୍‍ବଚାଂସି ।।୧୨-୯ ।।

 

ଆଳଙ୍କାରିକ କେଶବ ମିଶ୍ରଙ୍କ ଭାଷାରେ—

ପ୍ରାକ୍ ପ୍ରତ୍ୟକ ପୃଥିବୀଭୃତୋ ପରିଷଦି ପ୍ରଖ୍ୟାତ ସଂଖ୍ୟାବତା

ମହ୍ଲାୟାଦା୍ ଭୂତ ତର୍କ କର୍କଶ ତୟା ବିଚ୍ଛିଦ୍ୟ ବିଦ୍ୟାପଦମ୍

ଯେ କେଽପ୍ୟୁତ୍କଳ ଭୂପତେ ତବ ସଭା ସଂଭାବିତାଃ ପଣ୍ଡିତାଃ

ପତ୍ରଂ ଶ୍ରୀ ଜୟଦେବ ପଣ୍ଡିତ କବିସ୍ତନମୂର୍ଦ୍ଧି ବିନ୍ୟସ୍ୟତି ।।

(ଅଳଙ୍କାର ଶେଖର- ପୃ-୧୭)

 

ସହାୟକ ଗ୍ରନ୍ଥସୂଚୀ—

୧.

ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ—କେହାର ନାଥ ମହାପାତ୍ର, କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ଵର—୧୯୯୭ ।

୨.

ଓଡ଼ିଶାର କବି ଜୟଦେବ—ଡକ୍ଟର କାହ୍ମୁଚରଣ ମିଶ୍ର, ଓଡ଼ିଶା ସଂସ୍କୃତି ପରିଷଦ, ଭୁବନେଶ୍ଵର, ୧୯୮୬ ।

୩.

ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ—ସଂ: ଡକ୍ତର ଭଗବାନ ପଣ୍ଡା,.ସଂସ୍କୃତି ନିର୍ଦ୍ଦେଶାଳୟ, ଭୁବନେଶ୍ଵର, ୧୯୮୫ ।

 

 

୪.

ଶ୍ରୀ ଗୀତଗୋବିନ୍ଦ—ସଂ: ପଣ୍ଡିତ ନୀଳମଣି ମିଶ୍ର, ଗ୍ରନ୍ଥ ମନ୍ଦିର, କଟକ, ୧୯୯୫ ।

୫.

କବିରାଜ ଶ୍ରୀ ଜୟଦେବ ଚରିତ—ଅନୁ: ଡକ୍ତର ଭଗବାନ ପଣ୍ଡା ରାଷ୍ଟ୍ରଭାଷା ସମବାୟ ପ୍ରେସ୍, କଟକ, ୧୯୮୬ ।

୬.

ଅର୍ଥଗୋବିନ୍ଦ –ସଂ : ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶାଳୟ, ଭୁବନେଶ୍ଵର, ୧୯୭୦ .

୭.

ଗୀତଗୋବିନ୍ଦ—ସଂ: ଶ୍ରୀମତୀ ପ୍ରମିଳା ମିଶ୍ର, ଏଜନ୍, ୧୯୮୩ .

୮.

Souvenir on jayadeva—Dr.N.K.Sahu, BBSR, 1968.

୯.

History of classical Sanskrit Literature—M.Krishnamacharya, Madras, 1974 .

୧୦.

A Descriptive cat of Sankrit Mss. in Orissa- Vol-II, K.N.Mahapatra.

Orissa Sahitya Akademi, Bhubaneswar, 1959.

 

୧୧.

Jayadeva and Gitagovinda in the tradition of Orissa Ed. D.Pathi,

B.Panda, B.K> Rath, New Delhi, 1995

୧୨.

History of Orissa—Dr.K.C. Panigrahi, Cuttack, 1981.

୧୩.

History of Oriya Literature- Dr.M.Mansingh, New Delhi, 1962.

୧୪.

Orissa Review—Vol. LI No.10, May, 1995.

୧୫.

The cult of Jagannath-Dr. K.C. Mishra, Calcutta, 1971 .

୧୬.

Kamadeva’s Pleasure Garden, Orissa T.E. Donald Son, Delhi, 1987.

୧୭.

A study on the Imitations of Gitagovinda—Dr. B. Rath, Brahmapur, 1984 .

୧୮.

Gitagovinda of Jayadeva of Orissa-N.Panigrahi, Bhubaneswar, 1982

 

 

ଶିବାଶ୍ରମ

ପ୍ଲଟ୍ ନଂ : ୩୧୮୧୮୨,

କୋଟିତୀର୍ଥ ରୋଡ଼

ଭୁବନେଶ୍ଵର-୨

 

***

 

ଅନୁବାଦ ସାହିତ୍ୟ

ସ୍ପାନିଶ୍ ଭାଷାର ନୋବେଲ ବିଜେତା

ଯତୀନ୍ଦ୍ର ମୋହନ ମହାନ୍ତି

 

୧୯୯୮ର ହିସାବଦ୍ଵାରା ଜଣାଯାଏ ପୃଥିବୀରେ ସ୍ପାନିଶ୍ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ୪୮ କୋଟିରୁ ଅଧିକ ଓ ଏମାନେ ସ୍ପେନ୍ ଦେଶରେ ଓ ଦକ୍ଷିଣ ଓ ମଧ୍ୟ ଆମେରିକାର ଲାଟିବ ଆମେରିକା ବୋଲି କୁହାଯାଉଥିବା ଦେଶମାନଙ୍କରେ ରହିଛନ୍ତି । ଏପରିକି ଉତ୍ତର ଆମେରିକା, ବିଶେଷ କରି ଯୁକ୍ତରାଷ୍ଟ୍ରରେ ସ୍ପାନିଶ୍ ଭାଷା କହୁଥିବା ବହୁତ ଲୋକ ଅଛନ୍ତି । ସ୍ପାନିଶ୍ ଭାଷାର ଆରମ୍ଭ ପ୍ରାୟ ଅଷ୍ଟମ ଶତାବ୍ଦୀରୁ । ପରେ ରେନେସାଁ ବା ନବଜାଗରଣ ସମୟରେ ଏହା ପରିମାର୍ଜିତ ହୋଇ, ବର୍ତ୍ତମାନ ଯାହାକୁ ଆଧୁନିକ ସ୍ପାନିଶ୍ ଭାଷା କୁହାଯାଉଛି, ତା’ର ଆରମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭରୁ । ସ୍ପାନିଶ୍ ଭାଷାରେ ପ୍ରଥମ ସାହିତ୍ୟିକ ଲେଖା ଦ୍ଵାଦଶ ଶତାବ୍ଦୀର ମଝାମଝି ସମୟରୁ ଆରମ୍ଭ ହେଲା, ଓ ପଞ୍ଚଦଶ ଶତାବ୍ଦୀ ବେଳକୁ ସ୍ପାନିଶ୍ ଭାଷା ପୂର୍ଣ୍ଣ ସାହିତ୍ୟିକ ଭାଷା ଭାବରେ ପ୍ରତିଷ୍ଠିତ ହୋଇ ପାରିଥିଲା । ନୋବେଲ ପୁରସ୍କାର ୧୯୦୧ ମସିହାରୁ ଦିଆହୋଇ ଆସୁଛି ଓ ୧୯୦୪ରେ ସ୍ପେନର ଲେଖକ ଜୋସ୍ ଅଚ୍ଚାଗାରି ମିଳିତ ଭାବରେ ଫ୍ରାନ୍ସର ଲେଖକ ଫ୍ରେଡେରିକ୍ ମିଷ୍ଟ୍ରାଲଙ୍କ ସହିତ ସ୍ପାନିଶ୍ ଭାଷାରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ପାଇଥିଲେ । ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ପାଇଥିବା ଅନ୍ୟ ସ୍ପେନୀୟ ଲେଖକମାନେ ହେଲେ - ଜାସିଣ୍ଟୋ ବାନାବାଣ୍ଟି (୧୯୨୨), ଜୁଆନ୍ ରାମନ୍ କିମାନାସ୍ (୧୯୫୬), ଭିସେଣ୍ଟ ଅଲସାନଡ଼୍ରା (୧୯୭୭) ଓ କାମିଲୋ ଜୋସ୍ ଥାଲା (୧୯୮୯) ସେହିପରି ଲାଟିନ୍ ଆମେରିକାରୁ ନୋବେଲ ପୁରସ୍କାର ପାଇଥିବା ଲେଖକମାନେ ହେଲେ, ଗାବ୍ରିୟେଲ ମିଷ୍ଟ୍ରାଲ (ଚିଲି,୧୯୪୫), ମୁଗେଲ ଆନଜେଲ, ଆଷ୍ଟିରିଆସ୍ (ଗୁଆଟେମାଲା, ୧୯୬୭), ପାବ୍ଲୋ ନେରୁଦା (ଚିଲି, ୧୯୭୧), ଗ୍ରାବ୍ରିଏଲ ଗାର୍ସିଆ ମାରକାସ୍ (କଲମ୍ଵିଆ, ୧୯୮୨) ଓ ଅକ୍ଟାଭିଓ ପାଜ୍ (ମେକ୍ସିକୋ, ୧୯୯୦) । ତଳେ ଏହି ନୋବେଲ ବିଜେତାମାନଙ୍କର ସଂକ୍ଷିପ୍ତ ବିବରଣୀ ଦିଆଗଲା ।

 

ସ୍ପେନ୍

୧. ଜୋସ୍ ଅଚ୍ଚାଗାରି—ନାଟ୍ୟକାର (Jose Echegaray)

ଜନ୍ମ ୧୮୩୩, ଓ ମୃତ୍ୟୁ ୧୯୧୬ରେ । ଉଭୟ ମାଡ୍ରିଡ୍ ସହରରେ । ଅଚ୍ଚାଗାରି ଇଂଜିନିୟରି ପାଠ ପଢ଼ିଥିଲେ । ପ୍ରଥମ ଜୀବନରେ ଗଣିତରେ ପ୍ରଫେସର ଥିଲେ ଓ ଇଂଜିନିୟରିଂ ବିଦ୍ୟାର ବିଭିନ୍ନ ବିଭାଗ ସଂପର୍କରେ ଲେଖାଲେଖି କରୁଥିଲେ । ୧୮୬୮ରେ ସରକାରୀ ଚାକିରୀରେ ଯୋଗ ଦେଇ ୧୮୭୪ ବେଳକୁ ଦେଶର ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । କିନ୍ତୁ ସେହିବର୍ଷ ରାଜନୈତିକ କାରଣ ଯୋଗୁଁ ତାଙ୍କୁ ସ୍ପେନରୁ ଯାଇଁ ଫ୍ରାନସ୍‍ରେ ରହିବାକୁ ପଡ଼ିଲା, ଓ ଫ୍ରାନସ୍‍ରେ ନିର୍ବାସିତ ହୋଇ ରହିଥିବା ସମୟରେ ହିଁ ସେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ।

 

ଅଚ୍ଚାଗାରି ଅତ୍ୟନ୍ତ ତରୁଣ ବୟସରୁ ନାଟକ ଓ ନାଟକ ପ୍ରଦର୍ଶନ ବିଷୟରେ ଆଗ୍ରହୀ ଥିଲେ ଓ ନିଜେ ଗୋଟିଏ ଦିଓଟି ନାଟକ ବି ଲେଖିଥିଲେ, କିନ୍ତୁ ତାଙ୍କର ପ୍ରଥମ ନାଟକ ‘The checkbook’ ୧୮୭୪ରେ ଅବିନୀତ ହୋଇ ୧୮୭୫ରେ ପ୍ରକାଶ ପାଇଥିଲା ଓ ବେଶ ଜନପ୍ରିୟ ବି ହୋଇଥିଲା । ନାଟକଟିରେ ନୈତିକ ଆଭିମୁଖ୍ୟର ସଂଗଠନରେ ମୁଖ୍ୟତଃ ଈର୍ଷା ଓ ବ୍ୟଭିଚାର ମୁଖ୍ୟ ବିଷୟବସ୍ତୁ ଭାବରେ ଉପସ୍ଥାପିତ ହୋଇଥିଲା । ପରେ ପରେ, ବର୍ଷକୁ ଦୁଇଟି କରି ଅନେକ ନାଟକ ସେ ଲେଖିଥିଲେ, ଓ ପରିଣାମରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ସେ ସ୍ପେନର ପ୍ରମୁଖ ନାଟ୍ୟକାର ଭାବରେ ସ୍ଵୀକୃତି ପାଇଥିଲେ । ତାଙ୍କର କେତୋଟି ବିଶିଷ୍ଟ ନାଟକ ହେଲା ‘Folly or Saintliness’ (୧୮୭୭) ଯେଉଁଠି ପାରିବାରିକ ଦାୟିତ୍ଵ ସହିତ ସାଧୁତାର ସଂଘର୍ଷରେ ସାଧୁତା ହିଁ ଜୟଲାଭ କରିଛି; ‘The Great Galeatd’ (୧୮୮୧); ‘Two Fanaticism’ (୧୮୮୭); ‘Son of Don Juan’ (୧୮୯୨); ‘The Mad God’ (୧୯୦୦) ଓ ‘The Disturbed Woman’ (୧୯୦୪) । ପ୍ରଥମେ ପ୍ରଥମେ ଅଚ୍ଚାଗାରିଙ୍କ ନାଟକରେ ରୋମାଣ୍ଟିକ୍ କଳ୍ପନାର ଆଧିକ୍ୟ ଥିଲା । କିନ୍ତୁ ସମୟ କ୍ରମରେ ତାଙ୍କର ପରବର୍ତ୍ତୀ ନାଟକମାନଙ୍କରେ ଅଧିକରୁ ଅଧିକ ସାମାଜିକ ସମସ୍ୟା ଓ ସମକାଳୀନ ସମସ୍ୟା ସଂପର୍କରେ ଚିନ୍ତାଧାରା ମୁଖ୍ୟ ହୋଇ ଉଠିଲା । ‘The son of Don Juan’ ଏହିପରି ଗୋଟିଏ ନାଟକ ଯାହାକି ଇବ୍‍ସେନ୍‍ଙ୍କର ‘Ghosts’ ନାଟକ ଦ୍ୱାରା ଅନୁପ୍ରାଣୀତ ହୋଇଥିଲା । ଅଚ୍ଚାଗାରିଙ୍କ ନାଟକ ସବୁ ସ୍ପେନୀୟ ନାଟକର ମହାନ ଐତିହ୍ୟକୁ ପୁନର୍ଜୀବିତ କରିଥିଲା ଯାହା ଫଳରେ ତାଙ୍କର ନାଟକ ସବୁ ଅତ୍ୟନ୍ତ ଲୋକପ୍ରିୟ ହେବା ସଙ୍ଗେ ସଙ୍ଗେ, ତାଙ୍କର ନାଟ୍ୟକାର ଖ୍ୟାତି ସମଗ୍ର ଯୁରୋପରେ ବ୍ୟାପି ଯାଇଥିଲା । ୧୯୦୪ରେ ଫ୍ରାନସର ପ୍ରଭେନ୍ସାଲ ସାହିତ୍ୟର ବିଖ୍ୟାତ କବି ଫ୍ରେଡେରିକ ମିଷ୍ଟାଲଙ୍କ ସହିତ ତାଙ୍କୁ ଯୁଗ୍ମ ଭାବରେ ନୋବେଲ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 

୨. ଜାସିଣ୍ଟୋ ବାନାବାଣ୍ଟି –ନାଟ୍ୟକାର (Jacinto Benavente)

ଜନ୍ମ ୧୮୬୬, ମୃତ୍ୟୁ ୧୯୫୪ । ଉଭୟ ମାଡ୍ରିଡ଼ ସହରରେ । ବିଂଶ ଶତାବ୍ଦୀର ଆରମ୍ଭ ସମୟରେ ସ୍ପେନର ପ୍ରମୁଖ ନାଟ୍ୟକାର ଓ ସାମାଜିକ ସମସ୍ୟାର ଆଲୋଚକ ଭାବରେ ସ୍ଵୀକୃତ । ତାଙ୍କର ନାଟକମାନଙ୍କରେ ଚରିତ୍ରମାନଙ୍କର ମନସ୍ତାତ୍ତ୍ଵିକ ଉପସ୍ଥାପନ ଓ ଘଟଣା ଓ ସାମାଜିକ ସମସ୍ୟାର ବିଶ୍ଲେଷଣରେ ଶ୍ଲେଷାତ୍ମକ ଆଭିମୁଖ୍ୟ, ବିଶେଷ କରି ସମକାଳୀନ ବ୍ୟକ୍ତିମାନଙ୍କର ଅର୍ଥ ଓ କ୍ଷମତାର ଲାଳସା ପ୍ରତି ତୀବ୍ର ବ୍ୟଙ୍ଗ ଓ ବିଦ୍ରୂପ, ତାଙ୍କୁ ସମକାଳୀନ ୟୁରୋପୀୟ ନାଟକରେ ଏକ ବିଶିଷ୍ଟ ସ୍ରଷ୍ଟା ଭାବରେ ଖ୍ୟାତି ଆଣି ଦେଇଥିଲା । ସେ ସମୁଦାୟ୧୫୦ରୁ ଉର୍ଦ୍ଧ୍ଵ ନାଟକ ଲେଖିଥିଲେ ଯେଉଁଯୋଗୁଁ ତାଙ୍କୁ ସ୍ପେନର ସୁବର୍ଣ୍ଣ ଯୁଗର ନାଟ୍ୟକାର ଲୋପଡ଼ି ବାଗାଙ୍କ (୧୫୬୨-୧୬୩୫) ସହିତ ତୁଳନା କରାଯାଏ । ବାନାବୀଣ୍ଵିଙ୍କର କେତୋଟି ବିଶିଷ୍ଟ ନାଟକ ହେଲା- ‘Saturday Night’ (୧୯୦୩); The Evil Doers of Good’ (୧୯୦୫); The Bond of Interest’ ସବୁଠାରୁ ପ୍ରସିଦ୍ଧ ନାଟକ, ମାଡ଼୍ରିଡ଼ର ସ୍ଵାର୍ଥାନ୍ଵେଷୀ ଧନୀ ଓ ପଦସ୍ଥ ବ୍ୟକ୍ତିଙ୍କ ସଂପର୍କରେ ; ‘Senira Ama’(୧୯୦୮), ଗୋଟିଏ ସରଳ, ଶାନ୍ତ, ମନୋରମ ନାଟକ, ନାଟ୍ୟକାରଙ୍କର ପ୍ରିୟ ନାଟକ କୁହାଯାଏ; ‘The passion Flower’(୧୯୧୩), ଯୌନ ଅନାଚାର ଭିତ୍ତିକ ଗ୍ରାମ୍ୟ ପରିବେଶର ଟ୍ରାଜେଡ଼ି । ୧୯୨୮ରେ ‘Toward Heaven and the Alters’ ନାଟକରେ ତତ୍‍କାଳୀନ ସ୍ପେନୀୟ ରାଜଶକ୍ତି ବିରୁଦ୍ଧରେ ଲେଖାଯାଇଥିବାରୁ ନାଟକଟିକୁ ନିଷିଦ୍ଧ କରାଯାଇଥିଲା । କିନ୍ତୁ ୧୯୪୧ ବେଳକୁ ସେ ପୁଣି ନାଟ୍ୟ ଜଗତକୁ ଫେରିଆସି ନାଟକ ‘The Incredible’ ଦ୍ଵାରା ନିଜକୁ ପୁନଃପ୍ରତିଷ୍ଠିତ କରିପାରି ଥିଲେ । ବାନାବୀଣ୍ଟିଙ୍କୁ ୧୯୨୨ରେ ନୋବେଲ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା ।

 

୩. ଜୁଆନ ରାମନ କିମାନାସ –କବି (Juan Ramon Jimenez)

ଜନ୍ମ ୧୮୮୧ରେ, ସ୍ପେନର ମୋଗୁଅର ସହରରେ ଓ ମୃତ୍ୟୁ ୧୯୫୮ରେ, ପୁଏର୍ଭୋରିକୋର ସାନ ଜୁଆନ ସହରରେ । ସାଲାମାଙ୍କୋ ବିଶ୍ଵ ବିଦ୍ୟାଳୟରେ କିଛି ଦିନ ପଢ଼ିଲା ପରେ କିମାନାସ ୧୯୦୦ରେ ମାଡ୍ରିଡ଼ ସହରକୁ ଆସିଥିଲେ ଓ ତାଙ୍କର ପ୍ରଥମ ଦୁଇଟି କବିତା ସଂକଳନ ‘Souls of Violet’ ଓ ‘Waterlilis’ ସେହିବର୍ଷ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ଦୁଇଟି କବିତା ବହିର ଅତ୍ୟଧିକ ଭାବୁଳତା କିମାନାସଙ୍କୁ ବ୍ୟଥିତ କରାଇଥିଲା ଓ ସେ ଏହି ଦୁଇଟି ବହିର ରହିଥିବା ସବୁ ମୁଦ୍ରିତ ଖଣ୍ଡମାନଙ୍କୁ ନଷ୍ଟ କରିଦେଇଥିଲେ । କଳିଙ୍କର ପ୍ରଥମ ସମୟର ଅନ୍ୟାନ୍ୟ କେତେକ ବିଶିଷ୍ଟ କବିତା ବହିଗୁଡ଼ିକ ହେଲା— ‘Distant Gardens’ (୧୯୦୫) ‘Pure Elegies’ (୧୯୦୮)’ ‘Pastoral’ (୧୯୧୧) । ଏହିସବୁ କବିତାଗୁଡ଼ିକରେ କବିଙ୍କର ନିଜର ଜନ୍ମସ୍ଥାନ ଅଣ୍ଡାଲୁସିଆ ଅଞ୍ଚଳର ଅପୂର୍ବ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସବୁର ଚିତ୍ର ଅତ୍ୟନ୍ତ ଜୀବନ୍ତ ଓ ମନୋମୁଗ୍ଧକର ।

 

କିଛିଦିନ ମାଡ୍ରିଡରେ ପତ୍ରପତ୍ରିକାର ସଂପାଦକ ଭାବରେ କାର୍ଯ୍ୟ କରି କିମାନାସ ନିୟୁୟର୍କ ସିଟିକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିବା ସମୟରେ ସେଠାରେ ଜେନୋବିଆ ଆୟାମାରଙ୍କ ସାଙ୍ଗରେ ଦେଖାହେଲା । ଜେନେବିଆ ରବିନ୍ଦ୍ରନାଥଙ୍କର କବିତାସବୁ ସ୍ପାନିଶ ଭାଷାରେ ଅନୁବାଦ କରୁଥିଲେ । କିମାନାସ ଜେନୋବିଆଙ୍କୁ ବିବାହ କଲେ ଓ କୁହାଯାଏ ଉଭୟଙ୍କର ବୈବାହିକ ଜୀବନ ଅତ୍ୟନ୍ତ ପ୍ରୀତିକର ହୋଇଥିଲା ।

 

ବିବାହ ପରେ, ସ୍ପେନକୁ ଫେରିଆସିବା ପରେ, କବିଙ୍କର ଯେଉଁ ବିଶିଷ୍ଟ କବିତା ବହି ପ୍ରକାଶ ପାଇଥିଲା ସେ ହେଲା, ‘Diary of a poet Recently Married’ (୧୯୧୭) । ପରେ ୧୯୪୮ରେ ସେହି ବହି ‘Diary of poet and the Sea’ ନାମରେ ପ୍ରକାଶ ପାଇଥିଲା । ଏ କବିଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ କବିତାଗ୍ରନ୍ଥ, ଯେଉଁଠୁ କବିଙ୍କର କବିତାର ଧାରା ବଦଳି ଗଲା । ପୂର୍ବର କଳ୍ପନା, ଆବେଗମୟତା ଓ ପ୍ରକୃତିର ପରିବେଶରେ ଆନନ୍ଦର ଅନୁଭୂତି ପରିବର୍ତ୍ତେ ଗୋଟାଏ ପ୍ରକାର ‘ନଗ୍ନ ବାସ୍ତବତା’ର ସଂଗଠନ ମୁଖ୍ୟ ହୋଇ ଉଠିଲା ଓ କବିତାର ବାହ୍ୟ ଆଭରଣ ଓ ସଜ୍ଜା ଗୌଣ ହୋଇଗଲା । କବି କ୍ରମଶଃ ସମକାଳୀନ ରାଜନୀତିରେ ଜଡ଼ିତ ହୋଇ ପଡ଼ିଲେ ଓ ସ୍ପାନିଶ୍ ଗୃହଯୁଦ୍ଧରେ (୧୯୩୬-୧୯୩୯) ସେ ନିଜକୁ ସ୍ପଷ୍ଟ ଭାବରେ ପ୍ରଜାତାନ୍ତ୍ରିକ ଦଳ ସହିତ ସାମିଲ କରିଦେଲେ । ଏହାପରେ ସ୍ପେନରେ ରହିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ ଓ ସେ ସ୍ଵ ଇଚ୍ଛାରେ ନିର୍ବାସନ ନେଇ ପୁଏର୍ତ୍ତୋରିକୋକୁ ଚାଲିଗଲେ । କବିଙ୍କର ଅବଶିଷ୍ଟ ଜୀବନ ପୁଏର୍ତ୍ତୋରିକୋରେ ହିଁ କଟିଥିଲା ।

 

ଯେଉଁ ବହି ପାଇଁ କିମାନାସ ଯଥେଷ୍ଟ ଲୋକପ୍ରିୟ ହୋଇପାରିଥିଲେ, ସେ କୌଣସି କବିତା ବହି ନୁହେଁ, ଗୋଟିଏ ଗଦ୍ୟ କାହାଣୀ—Platero and I’(୧୯୧୭) କବିଙ୍କର, ଗୋଟିଏ ଗଧ ସହିତ ସଂପର୍କର ବିବରଣୀ, ଅନୁଭୂତି ଯେପରି ଘନିଷ୍ଠ ସେହିପରି କାବ୍ୟ ଅନୁଭବରେ ପୂର୍ଣ୍ଣ । କିମାନାସ ଅସଂଖ୍ୟ କବିତା ଲେଖିଥିଲେ ଓ ତାଙ୍କର ଅନେକ କବିତା ବହି ପ୍ରକାଶ ପାଇଛି । କୋତେଟି ପରିଚିତ କବିତା ଗ୍ରନ୍ଥ ହେଲା- ‘Spiritual Sonnets’ (୧୯୧୬), ‘Stone snd Sky’ (୧୯୧୯), ‘Poetry in Verse’ (୧୯୨୩), ‘ Poetry in prose and verse’ (୧୯୩୨), ‘Voices of My Song’ (୧୯୪୫) ଓ ‘Animal at Bottom’ (୧୯୪୭) । କିମାନାସଙ୍କର ନିଜ ଜନ୍ମସ୍ଥାନ ଅଣ୍ଡାଲୁସିଆ, ନିଜ ଘର ଖାଜୁଲ୍ ମାରିନୋ, ସ୍ପେନଠାରୁ ଦୂରବର୍ତ୍ତୀ ଆମେରିକା ଓ ପୁଏର୍ତ୍ତୋରିକୋରେ ନିଜର ଅଭିଜ୍ଞତା ଓ ନିଜର ଆନନ୍ଦ ପରିପୂର୍ଣ୍ଣ ବୈବାହିକ ଜୀବନ ସହିତ ନିଜର ଦୀର୍ଘକାଳୀନ ଶାରୀରିକ ଅସୁସ୍ଥତାର ଅନୁଭୁତି ସବୁ ତାଙ୍କର କବିତାରେ ମିଶି ଯାଇଥିଲା । ଫଳରେ ତାଙ୍କର କବିତାର ସାମଗ୍ରିକ ସଂଗଠନରେ ଯାହା ଆମେ ଲକ୍ଷ୍ୟ କରୁ ଗୋଟାଏ ଦିଗରେ ହତାଶା ଓ ବିଷର୍ଣ୍ଣତା ଓ ଅନ୍ୟ ଦିଗରେ ଶକ୍ତି, ଆନନ୍ଦ ଓ ଜ୍ଞାନର ବିଚକ୍ଷଣତା । କିମାନସ ୧୯୫୬ରେ ନୋବେଲ ପୁରସ୍କାରର ସ୍ଵୀକୃତି ପାଇଥିଲେ ।

 

୪.ଭିସେଣ୍ଟ ଅଲସାନଡ୍ରା –କବି (Vicente Alexandre)

ଜନ୍ମ, ୧୮୯୮ରେ, ସ୍ପେନର ସେଭାଇଲ୍ ସହରରେ ଓ ମୃତ୍ୟୁ ୧୯୮୪ରେ ମାଡ୍ରିଡ଼ରେ । ଅଲସାନଡ୍ରା ଆଇନ ଓ ବ୍ୟବସାୟ ପରିଚାଳନାରେ ଶିକ୍ଷା ପାଇଥିଲେ ଓ ୩ ବର୍ଷ,୧୯୨୦ରୁ ୧୯୨୨, ବାଣିଜ୍ୟିକ ଆଇନର ଅଧ୍ୟାପକ ଥିଲେ । ୧୯୨୫ରେ ସେ ଗୁରୁତର ଶାରୀରିକ ଅସୁସ୍ଥତାରେ ପୀଡ଼ିତ ହେଲେ , କିନ୍ତୁ ସେହିବର୍ଷ, ଅସୁସ୍ଥତାର ଉପଶମ ହେବା ପରେ ପରେ, ସେ କବିତା ଲେଖିବାକୁ ଆରମ୍ଭ କଲେ । ସ୍ପେନର ଗୃହଯୁଦ୍ଧ ସମୟରେ ସେ ସ୍ପନରେ ହିଁ ରହିଥିଲେ । କିନ୍ତୁ ସେ ଗୃହଯୁଦ୍ଧରେ ଲିପ୍ତ ନ ଥିଲେ, ଯଦିଓ ତାଙ୍କର କବିତା ସବୁ ୧୯୩୬ରୁ ୧୯୪୪ ପର୍ଯ୍ୟନ୍ତ ନିଷିଦ୍ଧ ହୋଇଥିଲା, ଅଲ୍‍ସାନଡ଼୍ରା ୧୯୩୬ରେ ସ୍ପାନିଶ୍ ରୟାଲ ଏକାଡେମୀକୁ ନିର୍ବାଚିତ ହୋଇଥିଲେ ।

 

ଅଲ୍‍ସାନଡ଼୍ରାଙ୍କ୍ର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ରଚନା ‘Destuction of Love’ (୧୯୩୫) ସାହିତ୍ୟ ପାଇଁ ସ୍ପେନର ଜାତୀୟ ପୁରସ୍କାର ପାଇଥିଲା । କିନ୍ତୁ ତାଙ୍କର ପରବର୍ତ୍ତୀ କବିତାମାନଙ୍କରେ ମଣିଷର ଜୀବନ ଓ ମଣିଷର ସହୃଦୟତା ସଂପର୍କରେ କବିଙ୍କର ଚିନ୍ତାଧାରାର ତୀକ୍ଷ୍ମତା ଲକ୍ଷ୍ୟ କରାଯାଇ ପାରେ । ଏହି କବିତା ବହିଗୁଡ଼ିକ ହେଲା— ‘History of the Heaet’ (୧୯୫୪) ଓ ‘In a Vast Domain’ (୧୯୬୨) । ପରବର୍ତ୍ତୀ ସମୟର କବିତା ସବୁରେ ଅନୁଭୂତି ମୁଖ୍ୟତଃ ଅଧିବିଦ୍ୟାମୂଳକ—ମୃତ୍ୟୁ, ଜ୍ଞାନ ଓ ସୂକ୍ଷ୍ମତର ଅଭିଜ୍ଞତାର ଅନୁସନ୍ଧାନ ଓ ଏହି ସମୟର ବିଶିଷ୍ଟ ଗ୍ରନ୍ଥ ହେଉଛି, (୧୯୬୮)ଓ (୧୯୭୪) । ଅଲସାନଡ୍ରାଙ୍କର କବିତାର ମୌଳିକତା ଓ ଗଭୀରତା ଦ୍ଵିତୀୟ ମହାଯୁଦ୍ଧ ପରବର୍ତ୍ତୀ ସ୍ପେନିଶ୍ କବିତାରେ ଅତୁଳନୀୟ ଓ ସେହି ସମୟର କବିମାନଙ୍କ ଉପରେ ତାଙ୍କର ପ୍ରଭାବ ଅତ୍ୟନ୍ତ ବ୍ୟାପକ । କବିତା ଛଡ଼ା ତାଙ୍କର ଯେଉଁ ଗଦ୍ୟ ରଚନା ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା, ସେ ହେଉଛି— ‘The Meetings’ (୧୯୫୮), ତାଙ୍କର ସମସାମୟିକ ଲେଖକମାନଙ୍କର ସଂପର୍କରେ ସହୃଦୟତାପୂର୍ଣ୍ଣ ବିବରଣୀ । ଅଲ୍‍ସାନଡ଼୍ରାଙ୍କୁ ୧୯୭୭ରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

 

୫. କାମିଲୋ ଜୋସ୍ ଥାଲା—ଔପନ୍ୟାସିକ (Camilo Jose cela)

ଜନ୍ମ ୧୯୧୬, ସ୍ପେନର ଇରିଆ ଫ୍ଲେଭିଆରେ । ବାପା ସ୍ପାନିଶ, ମା ଇଂରାଜୀ । ସ୍ପେନ ଗୃହଯୁଦ୍ଧ ପୂର୍ବରୁ ଓ ପରେ ସେ ମାଡ୍ରିଡ ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଗୃହଯୁଦ୍ଧ ସମୟରେ ସେ ଫ୍ରାନ୍ସୋଙ୍କ ସହିତ ଯୋଗ ଦେଇଥିଲେ । କିନ୍ତୁ ଯୁଦ୍ଧ ପରେ ପରେ ସେ ଫ୍ରାନ୍ସୋଙ୍କ ପ୍ରତି ସଂପୂର୍ଣ୍ଣ ବୀତସ୍ପୃହ ହୋଇ ପଡ଼ିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ, ‘The Family of Pascal Duarte’ ୧୯୪୨ରେ ପ୍ରକାଶ ପାଇବା ସାଙ୍ଗେ ସାଙ୍ଗେ ଯଥେଷ୍ଟ ଲୋକପ୍ରିୟ ହୋଇଥିଲା ଓ ସୁଧୀ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉପନ୍ୟାସ ତିନିଥର ହତ୍ୟା କରିଥିବା ଓ ଫାଶି ପାଇଁ ଅପେକ୍ଷା କରୁଥିବା ଜଣେ ହତ୍ୟାକାରୀର ସ୍ମୃତିଚାରଣ ଓ ସ୍ପେନୀୟ ଗ୍ରାମାଞ୍ଚଳର ଉନ୍ମାଦଜନକ ଗଣହତ୍ୟା, ରକ୍ତପାତ ଓ ହିଂସା ପ୍ରତିହିଂସାର ବିବରଣୀରେ ପୂର୍ଣ୍ଣ । ଏହି ପ୍ରଥମ ଉପନ୍ୟାସରୁହିଁ ସେ ସାରା ୟୁରୋପରେ ଜଣାଶୁଣା ହୋଇଗଲେ ଓ ଜଣେ ନୂତନ ପୀଢ଼ିର ଔପନ୍ୟାସିକ ଭାବରେ ସ୍ଵୀକୃତି ପାଇଲେ । ଥାଲାଙ୍କର ଦ୍ଵିତୀୟ ଉପନ୍ୟାସ ‘The Hive’ (୧୯୫୧) ଦ୍ଵିତୀୟ ମହାଯୁଦ୍ଧ ପରେ ମାଡ୍ରିଡ୍ ସହରର ଅପରିଷ୍କାର, ଦାରିଦ୍ର୍ୟପୀଡ଼ିତ ଅଞ୍ଚଳର ୧୬୦ ଜଣ ଅଧିବାସୀଙ୍କର ଅତ୍ୟନ୍ତ ଦୁଃଖଦାୟକ କାହାଣୀ । ଉପନ୍ୟାସମାନଙ୍କର ଅକୁଣ୍ଠ ସମର୍ଥନ ପାଇଥିଲା । କିନ୍ତୁ ଫ୍ରାନ୍ସୋ ସରକାର ଉପନ୍ୟାସର ପ୍ରସାର ସରକାରୀ ଭାବରେ ନିଷିଦ୍ଧ କରିଦେଲେ-

 

ପରବର୍ତ୍ତୀ ସମୟରେ ଥାଲା ପ୍ରାୟ ସଂପୂର୍ଣ୍ଣ ଭାବରେ ନିଜର ସମୟ ଲେଖାଲେଖିରେ ନିୟୋଜିତ କରିଥିଲେ ଓ ନୂଆ ନୂଆ ଭାବରେ ଉପନ୍ୟାସ ଲେଖିବା ସମୟରେ ସାଧାରଣ ଭାବରେ ତାଙ୍କର ଲେଖାର ଶକ୍ତି, ବିଚିତ୍ରତା ଓ ଶୈଳୀ ପାଠକମାନଙ୍କୁ ଅଭିଭୂତ କରିଥିଲା । ତାଙ୍କର ଜୀବନ ବି ସେହିପରି ଥିଲା- ପ୍ରାଚୀନତା ପ୍ରତି ସଂପୂର୍ଣ୍ଣ ବିରୋଧ ଓ ସବୁପ୍ରକାର କର୍ତ୍ତୃପକ୍ଷଙ୍କ ପ୍ରତି ତୀବ୍ର ଘୃଣା, ଯାହା ଫଳରେ ଗୃହଯୁଦ୍ଧ ସମୟରେ ଫ୍ରାନ୍ସୋଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଲୋକେ ଶୀଘ୍ର ଭୁଲିଗଲେ ଓ ଜଣେ ସାହସୀ ଲେଖକ ଭାବରେ ସେ ସମ୍ମାନ ପାଇଲେ ଓ ଫ୍ରାନ୍ସୋଙ୍କ ମୃତ୍ୟୁ ପରେ (୧୯୭୫) ଯେତେବେଳେ ସ୍ପେନର ନୂଆ ସଂବିଧାନ ଲେଖାହେଲା ଥାଲାଙ୍କୁ ସେଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।

 

ଥାଲାଙ୍କର ଅନ୍ୟ କେତେକ ପ୍ରସିଦ୍ଧ ଉପନ୍ୟାସ ହେଲା, ‘San Camila’ (୧୯୩୫), ଯାହାକି ମନର ଅବଚେତନ ଧାରାରେ ଲେଖା ଯାଇଥିଲା; ‘Mazurka for two Dead People’ (୧୯୮୩) ଓ ‘Christ Verssn Arizona’(୧୯୮୮) । ଉପନ୍ୟାସ ବ୍ୟତୀତ ଥାଲା କେତୋଟି ଉଚ୍ଚକୋଟିର ଭ୍ରମଣ କାହାଣୀ ଲେଖିଥିଲେ, ଯାହାକି ଅନୁଭୂତିର ବ୍ୟାପକତା ଓ ବର୍ଣ୍ଣନାର ଉତ୍କର୍ଷ ଯୋଗୁ ଉପନ୍ୟାସ ପରି ପ୍ରସିଦ୍ଧି ଲାଭ କରିଥିଲା । କେତେକ ବିଶିଷ୍ଟ ଭ୍ରମଣ କାହାଣୀ ହେଲା- ‘Journey to the Alcaria’ (୧୯୪୮), ‘From the Mino to the Bidosoa’ (୧୯୫୨) ଏବଂ ‘Jews, moors and Christians’ (୧୯୫୬) । ଥାଲା ଅନେକକ୍ଷୁଦ୍ର ଉପନ୍ୟାସ ବି ଲେଖିଛନ୍ତି । ଯେପରିକି, ‘The Passing Clouds’ (୧୯୪୫) ଓ ‘The Wind Mill and Other Short Fiction’ (୧୯୫୬) ପ୍ରଭୃତି । ତାଙ୍କର ଅନେକ ପ୍ରବନ୍ଧ, କବିତା ଓ ସ୍ମୃତି ଚାରଣ ବି ଅଛି । ୧୯୫୫ରୁ ସେ ପଶ୍ଚିମ ଭୂମଧ୍ୟ ସାଗରର ମାଜୋରକା ଦ୍ଵୀପରେ ସ୍ଥାୟୀ ଭାବରେ ରହି ଆସୁଛନ୍ତି । ଥାଲାଙ୍କୁ ୧୯୮୯ରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

 

ଲାଟିନ ଆମେରିକା

୧.ଗାବ୍ରିୟେଲା ମିଷ୍ଟ୍ରାଲ –କବି (Gabriela Mistral)

ଜନ୍ମ ୧୮୮୯, ଭିକୁନା, ଚିଲି; ଓ ମୃତ୍ୟୁ ୧୯୫୭, ହାମ୍ପଷ୍ଟେଡ଼, ନିଉୟର୍କ । ନିଜର ପରିବାର ନା ଗୋଥୟ ଆଲକାୟାଗା । (Lucita Godoy Alcayaga) । ପରେ ନିଜର ଦୁଇ ପ୍ରିୟ କବି ଗାବ୍ରିୟେଲ ଡି ଆନୁନଜିଓ ଓ ଫ୍ରେଡେରିକ ମିଷ୍ଟ୍ରାଲଙ୍କ ନାଁରେ ନିଜର ନାଁ ବଦଳେଇ ଗାବ୍ରିୟେଲ ମିଷ୍ଟ୍ରାଲ ରଖିଥିଲେ । ପନ୍ଦର ବର୍ଷ ବୟସରେ ସେ ସ୍କୁଲ ଶିକ୍ଷକତା ଆରମ୍ଭ କରି, ପରେ କଲେଜ ଅଧ୍ୟାପକ ହୋଇଥିଲେ ଓ ପରେ ସେ ଶିକ୍ଷାବିତ୍, ସଂସ୍କୃତି ମନ୍ତ୍ରୀ ଓ କୁଟନୀତି ବିଶାରଦ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ନିଜର ପ୍ରେମିକର ଅକସ୍ମାତ ଆତ୍ମହତ୍ୟା ପରେ, ଯେଉଁଥିରେ ତାଙ୍କର କିଛି ଭୂମିକା ନ ଥିଲା, ସେ ଆଉ ବିବାହ କରି ନ ଥିଲେ, ଓ ଏହି ଘଟଣାର ପରିଣତି ସ୍ଵରୂପ ତାଙ୍କର ଲେଖାରେ ଗୋଟିଏ ବିଷର୍ଣ୍ଣତାର ସ୍ଵର ଓ ଫଳପ୍ରଦ ହୋଇ ନଥିବା ମାତୃତ୍ଵର ଅଭିଲିପ୍ସା ପ୍ରାୟ ଦେଖିବାକୁ ମିଳେ । ତାଙ୍କର କବିତା ପାଇଁ ୧୯୧୪ରେ ସେ ପ୍ରଥମେ ଜାତୀୟ ସମ୍ମାନ ପାଇଥିଲେ । ତାଙ୍କର ପ୍ରଥମ ପ୍ରସିଦ୍ଧ କବିତା ସଂକଳନ ‘Desolation’ (୧୯୨୨), ଯାହାକି ମୁଖ୍ୟତଃ ବ୍ୟକ୍ତିଗତ ଯନ୍ତ୍ରଣା, ଅସମାହିତ ମାତୃତ୍ଵର ଅନୁଭବ ଓ ପ୍ରକୃତି ଓ ଧାର୍ମିକ ଅନୁଭବ ଉପରେ ଆଧାରିତ । ପରବର୍ତ୍ତୀ କବିତା-ସଂକଳନ ‘Tenderness’ (୧୯୨୪, ପରିବର୍ଦ୍ଧିତ୧୯୪୫)ରେ ମଧ୍ୟ Desolation ର କାବ୍ୟ-ଧାରା ରହିଛି, କେବଳ ପରେ ‘Destruction’ (୧୯୩୮) ସଂକଳନରେ ଓ ଆହୁରି ପରେ ‘The Wine Press’ (୧୯୫୪) ଓ ‘The Wine Press II’ (୧୯୯୧) ରେ ଅନ୍ୟାନ୍ୟ ଅନୁଭବ, ଯେପରି ମାନବଜାତି ସଂପର୍କରେ ବ୍ୟାପକତର ଅନୁଭୂତିର ପରିଚୟ ରହିଛି । ଚିଲିରେ ଜନ୍ମହୋଇ ସେ ଅଧିକାଂଶ ସମୟ ଚିଲିରେ ରହିଥିଲେ ବି, ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଥିଲେ ଓ ତାଙ୍କ ଶେଷ ଜୀବନର ଅନେକ ବର୍ଷ ଫ୍ରାନସ୍ ଓ ଇଟାଲୀରେ କଟେଇଥିଲେ । ଗାବ୍ରିୟେଲାଙ୍କୁ ୧୯୪୫ରେ ନୋବେଲ ପୁରସ୍କାର ଦିଆଯାଇ ଥିଲା ଓ ଏହି ପୁରସ୍କାର ପାଇବାରେ ସେ ଲାଟିନ ଆମେରିକାର ପ୍ରଥମ ଲେଖିକା ।

 

୨. ମିଗେଲ ଆଞ୍ଜେଲ ଅଷ୍ଟୁରିଆସ୍ – ଔପନ୍ୟାସିକ (Miguel Angel Asturias)

ଜନ୍ମ ୧୮୯୯ରେ ଗୁଏଟେମାଲା ସିଟି; ମୃତ୍ୟୁ ୧୯୭୪, ମାଡ୍ରିଡ । ଅଷ୍ଟୁରିଆସ ଗୁଏଟେମାଲା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ (୧୯୨୩) ଓ ପରେ ପାରିସର ସୋରବୋଁ ବିଶ୍ଵବିଦ୍ୟାଳୟରେ ମାୟା ସଭ୍ୟତାର ପ୍ରସିଦ୍ଧ ବିଦ୍ଵାନ ପ୍ରଫେସର ରେନଡ଼ଙ୍କ ନିକଟରେ ମାୟା ସଂପର୍କରେ ଅଧ୍ୟୟନ କରିଥିଲେ । ମାୟା ସଭ୍ୟତା ମଧ୍ୟ ଆମେରିକାର ପୁରାତନ ସଭ୍ୟତା ଓ ଗୁଏଟେମାଲା ରାଷ୍ଟ୍ରର ପୁରାତନ ଐତିହ । ଅଷ୍ଟୁରିଆସ ଏହି ଐତିହ ସଂପର୍କରେ ଅଭିହିତ ଥିଲେ ଓ ସେ ବିଷୟରେ ଅଧ୍ୟୟନ ତାଙ୍କର ସୃଜନାତ୍ମକ ଦୃଷ୍ଟିଭଙ୍ଗିକୁ ପ୍ରଭାବିତ କରିଥିଲା । ୧୯୩୭ରେ ସେ ମାୟା ‘ବାଇବାଲ’ ‘Pupul Vuh’ କୁ ସ୍ପାନିଶ ଭାଷାରେ ଅନୁବାଦ କରିଥିଲେ ଓ ତାଙ୍କର ପ୍ରଥମ ସୃଜନାତ୍ମକ ଲେଖା ‘Legends of Guate mela’ (୧୯୩୦) ମାୟା ସଭ୍ୟତାର ବିଭିନ୍ନ କିମ୍ବଦନ୍ତୀ ଓ ଘଟଣାର ବିବରଣୀ ।

 

ଅଷ୍ଟୁରିଆସ୍‍ଙ୍କର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସିଦ୍ଧ ଉପନ୍ୟାସ ‘The President’ ୧୯୪୬ରେ ପ୍ରକାଶ ପାଇଥିଲେ ମଧ୍ୟ ଅନେକ ଆଗରୁ ଲେଖା ଯାଇଥିଲା । କିନ୍ତୁ ଏକଛତ୍ରବାଦୀ ଶାସକ ଉବିକୋଙ୍କ ଶାସନ କାଳରେ ପ୍ରକାଶ ପାଇବା ସମ୍ଭବ ହୋଇ ନ ଥିଲା । ‘ପ୍ରେସିଡେଣ୍ଟ’ ବା ସଭାପତିର ଚରିତ୍ର ଏକଛତ୍ରବାଦୀ ଶାସକ ଏଷ୍ଟ୍ରେଡ଼ି କାବ୍ରେରାଙ୍କର ଛାୟାରେ କଳ୍ପିତ ହୋଇଥିଲା, ଯାହାଙ୍କର ଶାସନ ଓ ଅତ୍ୟାଚାର ସଂପର୍କରେ ଅଷ୍ଟୁରିଆସଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ଥିଲା, କିନ୍ତୁ ଉପନ୍ୟାସ କେବଳ କୌଣସି ଜଣେ ଏକଛତ୍ରବାଦୀ ଶାସକ ବା ତା’ର ଶାସନ ସଂପର୍କରେ ନୁହେଁ । କଳ୍ପନା ପ୍ରବଣ ଭାଷାର ବ୍ୟବହାର ଓ ବିଚକ୍ଷଣ ସଂଗଠନର ମାଧ୍ୟମରେ ଆମେ ଯାହା ପାଉ ସେ ମାନସିକ ଭୟର ସ୍ଵପ୍ନ ବାସ୍ତବ-ମିଶା ଏକ ଭୟଙ୍କର ପୃଥିବୀ ଯେଉଁଠି ସହରର ସମସ୍ତ ବାସିନ୍ଦା, ମନ୍ତ୍ରୀଙ୍କ ଠାରୁ ଭିକ୍ଷୁକ ପର୍ଯ୍ୟନ୍ତ, ଜଡ଼ିତ ଓ ପୀଡ଼ିତ, ସବୁ ମାନବିକ ମୂଲ୍ୟବୋଧ ନଷ୍ଟ ଓ ଭ୍ରଷ୍ଟ ଓ ସଇତାନର ଅବତାର ‘ପ୍ରେସିଡେଣ୍ଟ’ ହିଁ ଭଗବାନ ଓ ତା ବିରୁଦ୍ଧରେ ବିଦ୍ରୋହ କରୁଥିବା ପ୍ରତ୍ୟେକ ମହାପାପୀ ଓ ଦଣ୍ଡର ଯୋଗ୍ୟ । ୧୯୪୯ରେ ଅଷ୍ଟୁରିଆସଙ୍କର ଦ୍ଵିତୀୟ ଗୁରୁତ୍ଵପୂର୍ଣ୍ଣ ଉପନ୍ୟାସ ‘Man of cor’ ପ୍ରକାଶ ପାଇଥିଲା । ଏଥିରେ ମୁଖ୍ୟତଃ କେନ୍ଦ୍ର ଆମେରିକାର ମୂଳ ଅଧିବାସୀ ଭାରତୀୟମାନଙ୍କର ସୀମିତ ସଭ୍ୟତା କିପରି ୟୁରୋପୀୟ ଗୋରା ସଭ୍ୟତାର ସଂପର୍କରେ ଆସି ନଷ୍ଟଭ୍ରଷ୍ଟ ହୋଇଗଲା ତା’ର ବିବରଣୀ ଓ ଏ ସବୁକୁ ସେହି ମୂଳ ଅଧିବାସୀ ଭାରତୀୟର ଚେତନା ପ୍ରବାହ ସହିତ ଜଡ଼ିତ କରି ମିଥ୍‍ର ମାଧ୍ୟମରେ ଉପସ୍ଥାପିତ କରାଯାଇଛି । ଅଷ୍ଟୁରିଆସଙ୍କର ଅନ୍ୟାନ୍ୟ ଉପନ୍ୟାସମାନଙ୍କରେ ମଧ୍ୟ ସାମାଜିକ-ରାଜନୈତିକ ବାସ୍ତବତା, ସଭ୍ୟତା ଓ ସଂସ୍କୃତିର ସଂଘର୍ଷ ଓ ମିଥ୍‍ର ଚେତନା ପ୍ରଭୃତି ସମାନ ଭାବରେ ପ୍ରକାଶ ପାଇଛି । କେତୋଟି ବିଶିଷ୍ଟ ଉପନ୍ୟାସ ହେଲା- ‘ The Cyclone’ (୧୯୫୦), ‘The green Pope’ (୧୯୫୪), ‘THe Malatta and Mr. Fly (୧୯୬୦) ଓ ‘Week-end in Guatemal’ (୧୯୫୪) । ଅଷ୍ଟୁରିଆସଙ୍କୁ ୧୯୬୭ରେ ନୋବେଲ ପୁରସ୍କାର ଦିଆଯାଇଥିଲା ।

 

୩. ପାବ୍ଲୋ ନେରୁଦା –କବି (Pablo Neruda)

ଜନ୍ମ ୧୯୦୪, ଚିଲିର ପାରାଲରେ; ମୃତ୍ୟୁ ୧୯୭୩, ଚିଲିର ସାଣ୍ଟିଆଗୋରେ । ନିଜର ପ୍ରଥମ ନାଁ ରୟେସ୍ ବାସୋଆଲଟୋ (Naftail Ricardo Reyes Basoalto)। ୧୯୨୦ରେ ପାବ୍ଲୋ ନେରୁଦା ନାଁ ବ୍ୟବହାର କରିବାକୁ ଆରମ୍ଭ କଲେ ଓ ୧୯୪୬ରେ ଏହି ନାଁକୁ ଆଇନ୍ ସମ୍ମତ କରିଦେଲେ । ନେରୁଦା କେନ୍ଦ୍ର ଚିଲିର ପ୍ରାଦେଶିକ ସହର ପାରାଲରେ ଜନ୍ମ ହୋଇଥିଲେ ବି, ତାଙ୍କ ବାପା ଯେ କି ରେଳବାଇ ବିଭାଗରେ କାମ କରୁଥିଲେ, ତାଙ୍କୁ ଦକ୍ଷିଣ ଚିଲିର ସୀମାନ୍ତ ଅଞ୍ଚଳ ଟେମୁକୋକୁ ପଠାଇଥିଲେ ଓ ସେହିଠାରେ ତାଙ୍କର କିଶୋର ବୟସର ଅନେକ ଦିନ କଟିଥିଲା । ଏହି ଅଞ୍ଚଳମାନଙ୍କର ବର୍ଷା, ନଦୀ, ସମୁଦ୍ର, ବିଶେଷ କରି ସିକ୍ତ, ରହସ୍ୟଘନ, ଜାଙ୍ଗଲିକ ପରିବେଶ ନେରୁଦାଙ୍କର କବିତାମାନଙ୍କର ମୂଳ ପ୍ରେରଣା ଥିଲା । ଟେମୁକୋରେ ନେରୁଦାଙ୍କର ଗାବ୍ରିୟେଲ୍ ମିଷ୍ଟ୍ରାଲ୍‍ଙ୍କ ସହିତ ପ୍ରଥମ ପରିଚୟ ହୋଇଥିଲା ଓ ସେ କିଛିଦିନ ଗାବ୍ରିୟେଲାଙ୍କର ଛାତ୍ର ଥିଲେ । ପିଲାଦିନରୁ ନେରୁଦା ପ୍ରତିଭା-ସଂପନ୍ନ ଥିଲେ ଓ ଟେମୁକୋର ଦୈନିକ ସମ୍ବାଦପତ୍ର (La Manana) ର ସାହିତ୍ୟ ସଂପାଦକ ଥିଲେ । ତାଙ୍କୁ ସେତେବେଳେ ୧୪ ବର୍ଷ । ୧୯୨୦ରେ ସେ ରାଜଧାନୀ ସାଣ୍ଟିଆଗୋ ସହରକୁ ଉଚ୍ଚତର ଶିକ୍ଷା ପାଇଁ ଫେରିଆସିଲେ ଓ ଏହିଠାରେ ତାଙ୍କର ପ୍ରଥମ କବିତା ଛପା ହେଲା (୧୯୨୧) । ପରେ ପରେ ଦ୍ଵିତୀୟ କବିତା ବହି ‘Crepusculario’ (୧୯୨୩) ଓ ତୃତୀୟ କବିତା ବହି ‘Twenty Love poems and a song of Despair’(୧୯୨୪) ନେରୁଦାଙ୍କୁ କବି ଭାବରେ ପ୍ରଚୁର ଖ୍ୟାତି ଓ ସ୍ଵୀକୃତି ଆଣିଦେଲା । ଏହି ପ୍ରାରମ୍ଭିକ ସମୟରେ ନେରୁଦାଙ୍କର ଅନ୍ୟ କେତୋଟି ବିଶିଷ୍ଟ କବିତା ବହି ହେଲା— ‘Attempt of the Infinite Man’ (୧୯୨୬) ‘Rings’ (୧୯୨୬); ‘The Enthusiastic Slingshooter’ (୧୯୩୩) । ‘Twenty Love Poems’ ସ୍ପେନିଶ୍ ଭାଷାରେ ଅନ୍ୟତମ ଅତ୍ୟନ୍ତ ଲୋକପ୍ରିୟ କବିତା ବହି । ଗୋଟିଏ ପ୍ରାଦେଶିକ ପରିବେଶରୁ ରାଜଧାନୀର ବ୍ୟାପକତାର ପରିବେଶକୁ ଆସିବାର ଅଭିଜ୍ଞତା ଓ ଏହି ଅଭିଜ୍ଞତା ସହିତ ଜଡ଼ିତ ସଂଘର୍ଷପୂର୍ଣ୍ଣ ପ୍ରେମର ଅନୁଭୂତି କବିତାଗୁଡ଼ିକର ପ୍ରଧାନ ଉପଜୀବ୍ୟ, ଯେଉଁଠି ନାୟକ ଅନୁଭବ ଅସ୍ଥିର ଓ ବିଷାଦଗ୍ରସ୍ତ ।

 

୧୯୨୭ରୁ ୧୯୪୩ ପର୍ଯ୍ୟନ୍ତ ନେରୁଦା ସରକାରୀ ଭାବରେ ବିଭିନ୍ନ କୁଟନୀତିଜ୍ଞ ପଦବୀରେ ଚିଲି ବାହାରେ ରହିଥିଲେ । ଏହି ସମୟରେ ପ୍ରାୟ ୫ ବର୍ଷ କାଳ ସେ ଦକ୍ଷିଣ ଏସିଆରେ ରହିଥିଲେ (ରେଙ୍ଗୁନ ଓ ଜାଭା) ଓ ଏହି ସମୟରେ ସେ ଲେଖିଥିବା କବିତା ସବୁ ତାଙ୍କର ପ୍ରସିଦ୍ଧ ବହି ‘Residence an Earth’ ର ବିଭିନ୍ନ ବିଭାଗରେ ସଂକଳିତ ହୋଇଥିଲା-। ପ୍ରଥମେ ଦୁଇଟି ବିଭାଗ ଓ ପରେ ତୃତୀୟ ବିଭାଗ (୧୯୨୫-୧୯୩୧, ୧୯୪୭) । ବିଶେଷ କରି ପ୍ରଥମ ଦୁଇଟି ବିଭାଗର କବିତାଗୁଡ଼ିକରେ ଏକ ଅଦ୍ଭୁତ ଏକାକୀତ୍ଵର ଅନୁଭୁତି । ଯେପରି କିଛି ସ୍ଥିର ନୁହେଁ, କିଛି ସ୍ଥାୟୀ ନୁହେଁ । ସମୟର ଅତ୍ୟାଚାରରେ ପୀଡ଼ିତ ଏ ଜୀବନ ଯେପରି ମୂଲ୍ୟହୀନ, ଏ ପୃଥିବୀ ସେହିପରି ବିଶୃଙ୍ଖଳିତ ଓ ନିଜର ସ୍ଥାନ, ଅଞ୍ଚଳ ବା ପରିବେଶର ସ୍ଥାୟିତ୍ଵ କେତେ ତା ବି ଯଥେଷ୍ଟ ସନ୍ଦେହଜନକ ।ଏହି ସମୟରେ ବି ସ୍ପେନୀୟ ଗୃହଯୁଦ୍ଧର ପରିସ୍ଥିତି ସହିତ ନେରୁଦା ଜଡ଼ିତ ହୋଇ ପଡ଼ିଲେ ଓ ସ୍ପେନରୁ ପଳାତକ ପ୍ରଜାତନ୍ତ୍ରୀମାନଙ୍କୁ ସେ ପାରିସରେ ନାନାଭାବରେ ସାହାଯ୍ୟ କରୁଥିଲେ । ବିଶେଷ କରି ୧୯୩୬ରେ ତାଙ୍କର ବନ୍ଧୁ ପ୍ରସିଦ୍ଧ କବି ଓ ନାଟ୍ୟକାର ଲୋରକାଙ୍କର ଜଘନ୍ୟ ହତ୍ୟା ତାଙ୍କୁ ଅତ୍ୟନ୍ତ ଆଘାତ ଦେଇଥିଲା ଓ ୧୯୩୭ରେ ପ୍ରକାଶିତ ତାଙ୍କର କବିତା ‘Spain In My Heart’ ତାଙ୍କର ତୀବ୍ର ବିରକ୍ତି ଓ କ୍ରୋଧ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଚିନ୍ତାଧାରାରେ ରାଜନୈତିକ ଚେତନା ସ୍ପଷ୍ଟ ହୋଇଉଠିଲା । ଯୁଦ୍ଧ ପରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।

 

୧୯୪୫-୧୯୭୦, ଏହି ସମୟ ଭିତରେ ନେରୁଦା ନାନା ଭାବରେ ଚିଲିର ରାଜନୈତିକ ପରିସ୍ଥିତି ସହିତ ଜଡ଼ିତ ହୋଇପଡ଼ିଲେ । ଏକ ସମୟରେ, ଚିଲିର ଶାସନ ଦକ୍ଷିଣପନ୍ଥୀ ହେବା ସମୟରେ, ପ୍ରାୟ ୧୯୫୨ ପର୍ଯ୍ୟନ୍ତ, ସେ ଓ ତାଙ୍କର ଅନେକ ବନ୍ଧୁ ପ୍ରାୟ ଲୁଚିକରି ରହିଥିଲେ ଓ ଦେଶ ଛାଡ଼ି ବାହାରକୁ ଚାଲିଯାଇଥିଲେ କିନ୍ତୁ ରାଜନୈତିକ ପରିସ୍ଥିତି ବଦଳିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରତିପତ୍ତି ବଢ଼ିଯାଇଥିଲା ଓ ୧୯୭୦ରେ ତାଙ୍କୁ ଚିଲିର ସଭାପତି ପଦ ପାଇଁ ମନୋନିତ କରାଯାଇଥିଲା, ଯାହାକି ସେ ତାଙ୍କର ବନ୍ଧୁ ଆଲେଣ୍ଡେଙ୍କ ସପକ୍ଷରେ ଛାଡ଼ି ଦେଇଥିଲେ । ନେରୁଦାଙ୍କ କବିତାରେ କ୍ରମଶଃ ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଚେତନା ଓ ସାମାଜିକ ପ୍ରତିବନ୍ଧତା ସୃଷ୍ଟ ହୋଇ ଉଠିଥିଲା ଓ ତାଙ୍କର ନିଜର ବିଷର୍ଣ୍ଣତା ଓ ଅସ୍ଥିରତା ସହିତ ଦେଶ ଓ ଜାତି ପ୍ରତି ସହାନୁଭୁତି ଓ ସହୃଦୟତାର ଶକ୍ତି ମିଶିଗଲା ।

 

ଏହି ସମୟର କବିଙ୍କର ପ୍ରସିଦ୍ଧ ଲେଖା ‘Canto General’ (General Song, 1950) ଯାହାକି କବିଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଓ ମହାକାବ୍ୟଧର୍ମୀ । ମୁଳତଃ ଏହା ଚିଲିର ସଙ୍ଗୀତ କିନ୍ତୁ, କବିଙ୍କର ସାମଗ୍ରୀକ ସଂଗଠନରେ ଏହା କେବଳ ଚିଲି ନୁହେଁ ସମଗ୍ର ଆମେରିକା ମହାଦେଶର ମହାକାବ୍ୟ—ଆମେରିକା ଜାତି ,ସ୍ଥିତି , ଉନ୍ନତି ଓ ଚେତନାର ଅପୂର୍ବ କାବ୍ୟ ଆଲେଖ୍ୟ । ବିଶେଷକରି ଲାଟିନ୍ ଆମେରିକା ସଂପର୍କରେ ଏକ ଅଦ୍ଵିତୀୟ ରଚନା । ତାଙ୍କର ଅନ୍ୟ କେତେକ ବିଶିଷ୍ଟ କାବ୍ୟ ହେଲା –‘Extravagris’ (୧୯୫୮), ‘Memorial de Illa Negra’ (୧୯୬୪),ଓ ‘La Rosa Separada’ (୧୯୭୩) । ନେରୁଦାଙ୍କୁ ଲାଟିନ୍ ଆମେରିକାର ଅନ୍ୟତମ ଶ୍ରେଷ୍ଠ ଲେଖକ ଭାବେ ବିଚାର କରାଯାଏ । ନେରୁଦାଙ୍କୁ ୧୯୭୧ରେ ନୋବେଲ ପୁରସ୍କାର ଦିଆଯାଇଥିଲା ।

 

୪.ଗାବ୍ରିୟେଲ୍ ଗାର୍ସିଆ ମାରକାସ—ଔପନ୍ୟାସିକ (Gabriel Garcia Marquez)

ଜନ୍ମ ୧୯୨୮, ଆରାକାଟାକା, କଲମ୍ଵିଆ । ଗୋଟିଏ ବଡ଼ ପରିବାରରେ ଜନ୍ମ ଓ ପିଲାଦିନ କଲମ୍ବିଆର ଆଟଲାଣ୍ଟିକ୍ କୂଳକୁ ଲାଗିଥିବା ଅଞ୍ଚଳରେ (କାରିବିଆନ୍ ସାଗର) ମାମୁଁ ଘରେ କଟିଥିଲା । ଏହି ଅଞ୍ଚଳର ଗରମ ଜଳବାୟୁ ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯିବାର ଅନୁଭୂତି ପରବର୍ତ୍ତୀ ସମୟରେ ତାଙ୍କର ବିଶିଷ୍ଟ ଉପନ୍ୟାସ ଓ ଗଳ୍ପର ସଂଗଠନରେ ମିଶିଯାଇଛି । ସେ ଆଇନ ସାମ୍ବାଦିକତା ରାଜଧାନୀ ବୋଗୋଟାର ଜାତୀୟ ବିଶ୍ଵବିଦ୍ୟାଳୟ ଓ ପରେ ଉତ୍ତର ଅଞ୍ଚଳର କାର୍ଟାକେନା ବିଶ୍ଵବିଦ୍ୟାଲୟରେ ପଢ଼ିଥିଲେ । ୧୯୪୮ରୁ ମାରକାସ ସାମ୍ଵାଦିକ ଭାବରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ ଓ ପରେ ପରେ ପ୍ରାୟ ୧୦ ବର୍ଷ କାଳ ସେ କଲମ୍ଵିଆର ବିଭିନ୍ନ ସ୍ଥାନ, ରୋମ, ପ୍ୟାରିସ୍, ଭେନଜୁଏଲା ପ୍ରଭୃତିରେ କଟେଇଲେ । ୧୯୬୦ ପରେ କିଛି ବର୍ଷ ସେ ମେକ୍ସିକୋ ସିଟିରେ ସମ୍ବାଦପତ୍ର, ବିଜ୍ଞାପନ କମ୍ପାନୀ ଓ ଚଳଚ୍ଚିତ୍ର ପାଇଁ କାମ କରିଥିଲେ । ୧୯୭୩ରେ ସେ ସ୍ପେନର ଭୂମଧ୍ୟସାଗର କୂଳର ସହର ବାର୍ସାଲୋନାରେ ରହିଲେ ଓ ପରେ ଅଷ୍ଟମ ଦଶକର ଶୋଷ ଆଡ଼କୁ ମେକ୍ସିକୋକୁ ଫେରିଗଲେ ।

 

ତାଙ୍କର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ଉପନ୍ୟାସ (ନଭେଲା)’ Leaf Storm’ ୧୯୫୫ରେ ପ୍ରକାଶ ପାଇଲା । ଗଳ୍ପର ଘଟଣାସ୍ଥଳ ହେଉଛି କଲମ୍ଵିଆର ଗୋଟିଏ କାଳ୍ପନିକ ଛୋଟ ସହର ମାକୋଣ୍ଡୋ, ଯାହାକି ମାରକାସ୍‍ଙ୍କର ଅନେକ ପରବର୍ତ୍ତୀ ଲେଖାରେ ମଧ ଦେଖିବାକୁ ମିଳେ ଓ ଲେଖାର ସଂଗଠନରେ ଯେପରି ଭାବରେ ବାସ୍ତବତା ସହିତ ଉଦ୍ଭଟ କଳ୍ପନା ମିଶିଯାଇଛି, ତାହା ତାଙ୍କ ଲେଖାଶୈଳୀର ଏକ ପ୍ରଧାନ ବିଶେଷତ୍ଵ । ତାଙ୍କର ଦ୍ଵିତୀୟ ଗୁରୁତ୍ଵପୂର୍ଣ୍ଣ ଲେଖା ସେହିପରି ଗୋଟିଏ କ୍ଷୁଦ୍ର ଉପନ୍ୟାସ ‘No One Writes to the Colonel’ (୧୯୬୧) ଯାହାକି ତାଙ୍କର ଜେଜେବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିଲା ବୋଲି କୁହାଯାଏ । ଗଳ୍ପ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ବିଷୟରେ । ସେ ଗୋଟିଏ ଛୋଟ. ଦୂର ସହରରେ ରହୁଥିଲେ ଯାହାକି ବାସିନ୍ଦାମାନଙ୍କର ଈର୍ଷା, ଦ୍ଵେଷ ଓ ବିଭିନ୍ନ ଷଡ଼ଯନ୍ତ୍ରର ସଂଘର୍ଷରେ ପରିପୂର୍ଣ୍ଣ ଓ କର୍ଣ୍ଣେଲଙ୍କର ସାରା ଜୀବନ ନିଜର ପେନସନ୍‍ଙ୍କୁ ଅପେକ୍ଷା କରି କରି ଘୋର ଯନ୍ତ୍ରଣା ଓ ଦୁଃଖରେ କଟିଗଲା, କିନ୍ତୁ ପେନସମ୍ ଆସିଲା ନାହିଁ ଏହି ଦୁଇଟି ଉପନ୍ୟାସ ପରବର୍ତ୍ତୀ ସମୟରେ ‘Leaf Storm and Other Stories’ ଓ ‘No one Writes to the Conlonel and Other Stories’ ଭାବରେ ମଧ୍ୟ ପ୍ରକାଶ ପାଇଥିଲା ।

 

୧୯୬୨ରେ ଦୁଇଟି ଗଳ୍ପ-ସଂକଳନ ପ୍ରକାଶ ପାଇଥିଲା- ‘In Evil Hour’ ଓ ‘Big Mama’s Funeral’ । କିନ୍ତୁ ସପ୍ତମ ଦଶକରେ ମାରକାସ୍ ପ୍ରଥମେ ମେକ୍ସିକୋ ସିଟିରେ ଥିବା ସମୟରେ ତାଙ୍କର ବିଶ୍ଵବିଖ୍ୟାତ ଓ ଲାଟିନ୍ ଆମେରିକାର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ ‘One Hundred Years of Solitude’ ଲେଖା ଯାଇଥିଲା ଓ ୧୯୬୭ରେ ପ୍ରକାଶ ପାଇଥିଲା । ଉପନ୍ୟାସ ମାକୋଣ୍ଡୋ ସହର ଓ ବୁଏଣ୍ଡିଆ ପରିବାରର ଦୀର୍ଘ ଛଅ ପିଢ଼ିର ଉତ୍‍ଥାନ ଓ ପତନର ଇତିହାସ । କିନ୍ତୁ ଏ କେବଳ ମାକୋଣ୍ଡୋ ସହର ନୁହେଁ, ସମଗ୍ର ଭାବରେ କଲମ୍ବିଆ ଓ ଲାଟିନ୍ ଆମେରିକାର ସଂକ୍ଷିପ୍ତସାର, ଯେଉଁଠି ସଂଗଠନରେ ଶ୍ଲେଷ ଓ ପରିହାସ ସହିତ ବାସ୍ତବତା ଓ ଉଦ୍ଭଟ କଳ୍ପନା ମିଶିଯାଇଛି (ମେଜିକ୍ ବାସ୍ତବତା) ଓ ସବୁ ରୂପକ ଓ ପ୍ରତୀକତା ସତ୍ତ୍ଵେ ଯାହା ପାଠକଙ୍କୁ ବାରମ୍ବାର ଅଭିଭୂତ କରେ ସେ ଏଇ ପୃଥିବୀରେ ମଣିଷର ଜୀବନ ଯନ୍ତ୍ରଣାର ତୀବ୍ର ଅନୁଭୂତି ଓ ଏକ ଅପରିଚିତ ରହସ୍ୟ ଘନ ମହାଦେଶର ଆଚମ୍ବିତ କାହାଣୀ ।

 

ମାରକାସ୍‍ଙ୍କର ପରବର୍ତ୍ତୀ ଲେଖା ସବୁ ହେଲା- ‘Innocent Erendira and Other Stories’ (୧୯୭୨), ‘The Autumn of the Patriarcn’ (୧୯୭୫), ‘Chronicle of a Death Foretold’ (୧୯୮୧), ‘Fragrance of Guava’ (୧୯୮୨), ‘Love in the Time of Cholera’ (୧୯୮୫), ‘The General in this Labyrimth’ (୧୯୮୯) ପ୍ରଭୃତି । ମାରକାସ୍‍ଙ୍କୁ ୧୯୮୨ରେ ନୋବେଲ ପୁରସ୍କାର ଦିଆଯାଇଥିଲା ।

 

୫.ଅକ୍ଟାଭିଓ ପାଜ୍ –କବି (Octavio Paz)

ଜନ୍ମ ୧୯୧୪, ମେକ୍ସିକୋ ସିଟି, ମେକ୍ସିକୋ । ପଢ଼ାପଢ଼ି ମେକ୍ସିକୋ ବିଶ୍ଵବିଦ୍ୟାଳୟରେ । ସ୍ପେନ ଗୃହଯୁଦ୍ଧ ସମୟରେ ପାଜ୍ ମାଡ୍ରିଡରେ ଥିଲେ ଓ ସ୍ପେନ୍ ଗୃହଯୁଦ୍ଧର ଭୟାବହତା ତାଙ୍କୁ ଅନେକ ପରିମାଣରେ ଅଭିଭୂତ କରିଥିଲା । ମାନସିକ ସ୍ତରରେ ସେ ସ୍ପେନ୍ ପ୍ରଜାତନ୍ତ୍ରୀମାନଙ୍କୁ ସମର୍ଥନ କରୁଥିଲେ । କିନ୍ତୁ ସ୍ପେନ୍ ଗୃହଯୁଦ୍ଧ ପୂର୍ବରୁ ତାଙ୍କର ପ୍ରଥମ କବିତା ବହି ‘Sovage Moon’ ୧୯୩୩ରେ ପ୍ରକାଶ ପାଇଥିଲା । ପରେ ସ୍ପେନ ଗୃହଯୁଦ୍ଧ ସମୟରେ ତାଙ୍କ ଅନୁଭୂତି ପରବର୍ତ୍ତୀ କବିତା ବହି ‘Beneath your Clear Shadow and Other Poems’ରେ ୧୯୩୭ରେ ପ୍ରକାଶ ପାଇଥିଲା । ପାଜ୍ ତାଙ୍କ ଦେଶ ପକ୍ଷରୁ ବହୁ କୂଟନୀତିଜ୍ଞ ପଦବୀରେ ପୃଥିବୀର ବିଭିନ୍ନ ଦେଶରେ ବହୁ ବର୍ଷ ଧରି ଅବସ୍ଥାପିତ ହୋଇଥିଲେ । ଭାରତବର୍ଷରେ ବି ସେ କିଛି ବର୍ଷ ମେକ୍ସିକୋର ରାଷ୍ଟ୍ରଦୂତ ଥିଲେ (୧୯୬୨—୧୯୬୮) । ଫଳରେ ସମସାମୟିକ ପୃଥିବୀର ବିଭିନ୍ନ ଆନ୍ଦୋଳନର ଧାରା ଓ ଚିନ୍ତାଧାରା ବି ତାଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା-। ସେ ସବୁ ମୁଖ୍ୟ ଭାବରେ ହେଲା ମାର୍କସୀୟ ଚିନ୍ତାଧାରା, ଫରାସୀ ଶିଳ୍ପକଳା ଓ ସାହିତ୍ୟର ଅଧିବାସ୍ତବବାଦ ଆନ୍ଦୋଳନ, ଅସ୍ତିତ୍ଵବାଦ ଆନ୍ଦୋଳନ ଓ ବୌଦ୍ଧ ଧର୍ମ ଓ ହିନ୍ଦୁ ଧର୍ମର ଚିନ୍ତାଧାରା । ଏ ସବୁର ପରିଚୟ ତାଙ୍କ ଲେଖାରେ ରହିଛି । କିନ୍ତୁ ଏ ସବୁର ଊର୍ଦ୍ଧ୍ଵରେ ଯାହା ତାଙ୍କ ଲେଖାର ଗଭୀରତମ ଉପଲବ୍ଧି ସେ ହେଲା ମାନବିକତା ଘନିଷ୍ଠତା ଓ ଜୀବନ ପ୍ରତି ଘନିଷ୍ଟ ନୈତିକ ପ୍ରତିକ୍ରିୟା-

 

ପାଜ୍‍ଙ୍କର ପ୍ରଥମ ସମୟର ଗୁରୁତ୍ଵପୂର୍ଣ୍ଣ କବିତା ବହି ସବୁ ହେଲା—‘They shall not pass’ (୧୯୩୭), ‘Freedom under Parole’ (୧୯୪୯), ‘Eagle or Sun’ (୧୯୫୧), ‘Sun Stone’ (୧୯୫୭) । କବି ତାଙ୍କ କବିତାରେ ବାରମ୍ବାର ସମକାଳୀନ ବିଧ୍ଵସ୍ତ ଯୁରୋପକୁ ବନ୍ୟତା ରହିଥିବା ମେକ୍ସିକୋ ସହିତ ତୁଳନା କରିଛନ୍ତି ଓ ଏକାକୀ ରହିବା ଯେ ମାନସିକ ବ୍ୟାଧି ନୁହେଁ, ଗୋଟାଏ ଭିନ୍ନ ଜୀବନଧାରା ଏହା ହିଁ ସ୍ପଷ୍ଟ କରିବାକୁ ଚାହିଁଛନ୍ତି । ବିଶେଷ କରି ତାଙ୍କର ଅନ୍ୟତମ ଶ୍ରେଷ୍ଠକୃତି ‘Sun Stone’ରେ ଯାହାକୁ କି ଆଲୋଚକମାନେ କେତେକ ପରିମାଣରେ ଟି.ଏସ୍. ଏଲିୟଟଙ୍କର ‘Four Quartets’ ସହିତ ତୁଳନା କରିଥାନ୍ତି, ପ୍ରାଚୀନ ଆଜଟେକ୍ ସଭ୍ୟତାର ପ୍ରତୀକତାକୁ ଆଧୁନିକ ପୃଥିବୀ ସହିତ ଜଡ଼ିତ କରାଯାଇଛି । ଅର୍ଥାତ୍, ଆଜଟେକ୍‍ମାନଙ୍କର ପ୍ରାଚୀନ ପଥରରେ ଖୋଳାଯାଇଥିବା କାଲେଣ୍ଡରକୁ ଉପଲକ୍ଷ୍ୟ କରି ମୁକ୍ତ ସାମାଜିକ ମୂଲ୍ୟବୋଧକୁ ସୀମିତ ଆଶ୍ରମବାସିକ ମୂଲ୍ୟବୋଧ ସହିତ, ମୁହୂର୍ତ୍ତକୁ ଅସୀମ ସହିତ, ଦେହଜ ପ୍ରେମକୁ ନିର୍ଜନତାର ସହିତ ଓ ଇତିହାସକୁ ଅନନ୍ତ କାଳ ସହିତ ଏକ ସମନ୍ଵୟର ସୂତ୍ରରେ ସଂଗଠିତ କରାଯାଇଛି ଓ ଜୀବନ ପ୍ରତି ଆଭିମୁଖ୍ୟ ଏକ ଗଭୀର ମାନବିକ ପ୍ରତିକ୍ରିୟାରେ ନିହିତ ।

 

୧୯୬୨ ପରେ ପାଜଙ୍କର ଅନ୍ୟାନ୍ୟ କବିତା ବହିସବୁ ହେଲା - ‘Salamandra’ (୧୯୬୨), ‘Viento entere’ (୧୯୬୬), ‘White’ (୧୯୬୭), ‘East Slope’ (୧୯୭୧), ‘Air Born’ (୧୯୭୯), ଓ ‘The Collected Poems of Octavio Paz ‘1957-1987’ (୧୯୮୭) । ଭାରତବର୍ଷ ସମ୍ପର୍କରେ ମଧ୍ୟ ସେ ଅନେକ କବିତା ଲେଖିଛନ୍ତି । କବିତା ଛଡ଼ା ତାଙ୍କର ଅନେକ ଆଲୋଚନା ଓ ପ୍ରବନ୍ଧ ରହିଛି ଓ ତାଙ୍କର ଗୋଟିଏ ପ୍ରସିଦ୍ଧ ରଚନା ହେଉଛି ‘The Labyrinth of Solitude’ (୧୯୫୦) ଯାହାକି ମେକ୍ସିକୋର ଚରିତ୍ର, ଇତିହାସ ସମ୍ପର୍କରେ ଏକ ମନୋଜ୍ଞ ଆଲୋଚନା । ସେ ଅନେକ ପ୍ରଭାବଶାଳୀ ପତ୍ରିକାର ସମ୍ପାଦନା କରିଥିଲେ, ଯଥା ‘Workshop’ (୧୯୩୯), ‘The Prodigal Son’ (୧୯୪୩) ଓ ଅଷ୍ଟମ ଦଶକରେ ‘Plural’ । ସେ ୧୯୯୦ରେ ପୁରସ୍କାର ପାଇଥିଲେ ।

 

***

 

ନାଡାଇନ୍ ଗୋର୍ଡିମର

ଅଧ୍ୟାପକ ରାହୁଲ ଗୌତମ

 

ଜଣେ ଲେଖକର ସାମାଜିକ ଅଙ୍ଗୀକାର, ମାନବ ଅଧିକାର ସୁରକ୍ଷା ଦେବାର ଅନୁବଦ୍ଧତା ବା ମାନବ ସମାଜର ବିକାଶ ଦିଗରେ କିଛି ପ୍ରତିଶୃତି ରହିବା ଆବଶ୍ୟକ କି ? ବିଶ୍ଵ ଜନମାନସକୁ ପ୍ରଭାବିତ କଲାଭଳି ଶ୍ରୁଜନକ୍ରିୟାରେ ବିଶ୍ଵାସ ରଖିଥିବା ଲେଖକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ନିଜର ସାହିତ୍ୟ ଜରିଆରେ ଅହରହ ସଂଗ୍ରାମ ରତ୧୯୯୧ର ନୋବେଲ ବିଜେତା ଲେଖିକା ନାଡାଇନ୍ ଗୋର୍ଡ଼ିମର । ସେ କେଉଁ ପୁସ୍ତକ ରଚନା କରୁଛନ୍ତି ତାହା କାହାକୁ ଜଣାନଥିଲେ ବି ତାଙ୍କର ଲେଖାର ବିଷୟବସ୍ତୁ ଓ ଆଭିମୁଖ୍ୟ କଣ ହେବ ତାହା ବହୁ ଆଗରୁ ଜଣାପଡ଼ିଯାଏ । ପ୍ରତିକ୍ରିୟା ପ୍ରକାଶ କରି ସେ ନିଜେ ମଧ୍ୟ କହିଥିଲେ..‘‘Since It is there part of substance of life within which my instinct as a writer must struggle”.

 

ତାଙ୍କ ଉପରେ ଜାରି କରାଯାଇଥିବା ନିଷେଧାଦେଶ ଏଵଂ ବର୍ଣ୍ଣବୈଷମ୍ୟବାଦ ବିରୁଦ୍ଧରେ ତାଙ୍କର ସଂଗ୍ରାମ ସମ୍ବନ୍ଧରେ ଏହାହିଁ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରତିକ୍ରିୟା । ସେ ଲେଖକର ନୈତିକତା ଓ ସାମାଜିକ ଦାୟିତ୍ଵ ଉପରେ ବିଶ୍ଵାସ କରନ୍ତି । ସାର୍ତ୍ତଙ୍କର ବିପରୀତଧର୍ମୀ ଗୋର୍ଡ଼ିମରଙ୍କ ମତରେ ସାହିତ୍ୟ ଯଦି ବିଶ୍ଵ ମାନବ ସେବାରେ ଲାଗି ନ ପାରିଲା ତାହା ସାହିତ୍ୟ ପଦବାଚ୍ୟ ନୁହେଁ ।

 

“Whether it is fighting in colour bar or, the momentary renunciation of literature in order to educate the people etc. is a betrayal.

 

ଦକ୍ଷିଣ ଆଫ୍ରିକାର ଲୋକମାନେ ଯଦି ୟୁରୋପରେ ଉଚ୍ଚଶିକ୍ଷିତ ହୋଇ ସେଠାରେ ଅଧ୍ୟାପନା କରିବେ, ସେଠାକାର ବାସିନ୍ଦା ହେବେ ଓ ସାହିତ୍ୟ ରଚନା କରିବେ ତେବେ ନିଜ ଦେଶକୁ ନେତୃତ୍ଵ ଦେବ କିଏ ? ଏହାହିଁ ଥିଲା ତାଙ୍କର କ୍ଷୋଭ ।

 

ଏହି ମହିୟସୀ ଲେଖିକା ନାଡ଼ାଇନ୍ ଗୋର୍ଡ଼ିମରଙ୍କର ଜନ୍ମ ଦକ୍ଷିଣ ଆଫ୍ରିକାର ଟ୍ରାନସଭଲରେ ୧୯୨୩ ମସିହା ନଭେମ୍ବର ମାସ ୨୦ ତାରିଖରେ । ଏକ ମିଶନାରୀ ସ୍କୁଲରେ ସେ ତାଙ୍କର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କଲା ପରେ ଓ୍ଵିଟସ୍ ଓ୍ଵାଟସ୍ ଓ ପରେ ଜୋହାନସବର୍ଗ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କଲେ । ୧୯୪୯ ମସିହାରେ ଗ୍ୟାବରନ୍‍ଙ୍କୁ ବିବାହ କଲେ ମାତ୍ର ଏହା ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ । ଗ୍ୟାବରନ୍ ସମମନୋଭାବାପନ୍ନ ନଥିବାରୁ ମାତ୍ର ପାଞ୍ଚବର୍ଷ ପରେ ୧୯୫୪ରେ ସେ ତାଙ୍କୁ ଛାଡ଼ପତ୍ର ଦେଇ ରିନ୍‍ହୋଲ୍‍ଡ଼ କ୍ୟାସିରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓ ଦୁଇଟି ସନ୍ତାନର ଜନନୀ ହେଲେ । ୧୯୬୧ରେ ଓ୍ଵାଶିଂଟନର ଇନଷ୍ଟିଚ୍ୟୁଟ୍ ଅଫ୍ କଣ୍ଟେମ୍ପୋରାରୀ ଆର୍ଟସ୍‍କୁ ଅତିଥି ଅଧ୍ୟାପକ ଭାବେ ଯାଇଥିଲେ ।

 

୧୯୫୨ରେ ‘ଦି ସଫ୍ଟଭଏସ୍ ଅଫ୍‍ ଦି ସରପେଣ୍ଟ ଏଣ୍ଡ୍ ଅଦର ଷ୍ଟୋରିଜ” ଗଳ୍ପ ଗ୍ରନ୍ଥ ପରେ ୧୯୫୩ରେ ଗୋର୍ଡ଼ିମରଙ୍କ ପ୍ରଥମ ଉପନ୍ୟାସ ‘ଦି ଲାଇଙ୍ଗ୍ ଡେଜ୍’ ପ୍ରକାଶିତ ହେଲା । ଏହି ଉପନ୍ୟାସରେ ମୁଖ୍ୟ ଚରିତ୍ର ହେଲେନ୍ ସ’ ଏକ ସୁସ୍ଥ ସୁନ୍ଦର ସମାଜର ସ୍ଵପ୍ନ ଦେଖିଛି ଯେଉଁଠି ସମାଜରେ ପ୍ରତିଟି ମନୁଷ୍ୟର ଜୀବନ ନିର୍ଭୟ ଓ ପ୍ରାଣପ୍ରାଚୁଜ୍ୟରେ ଭରପୂର । ୧୯୫୮ରେ ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଏ ଓ୍ଵାର୍ଲଡ୍ ଅଫ୍ ଷ୍ଟ୍ରେଞ୍ଜରସ୍’ ପ୍ରକାଶିତ ହେଲା । ଏହି ଉପନ୍ୟାସର ମୂଖ୍ୟଚରିତ୍ର ଟବି ହୁଡ୍ ହିଁ କଥା ପୁରୁଷ ଓ ସେ କୃଷ୍ଣକାୟ ଏବଂ ଶ୍ଵେତକାୟ ମଧ୍ୟରେ ବୁଝାମଣା ପ୍ରତିଷ୍ଠା କରିବାକୁ ଯାଇ ବିଫଳ ହୋଇଛି । ମାତ୍ର ପ୍ରଥମ ଉପନ୍ୟାସରେ ଶୈଶବ ଓ କୈଶୋର ଅବସ୍ଥାର ଚିତ୍ର ରହିଥିବା ବେଳେ ଦ୍ଵିତୀୟ ଉପନ୍ୟାସରେ ସହର ଏବଂ ସହରତଳି ଅବସ୍ଥା ବର୍ଣ୍ଣିତ । ୧୯୫୬ରେ ‘ସିକ୍ସ ଫିଟ୍ ଅଫ୍ ଦି କଣ୍ଟ୍ରି’ ଏବଂ ୧୯୬୦ରେ ‘ଫ୍ରାଇଡେ’ସ ଫୁଟପ୍ରିଣ୍ଟ୍ ଏଣ୍ଡ ଅଦର ଷ୍ଟୋରିଜ୍’ ପ୍ରକାଶିତ ହୋଇ ତାଙ୍କୁ ଜଣେ ପ୍ରତିଷ୍ଠିତ କଥାକାରର ମାନ୍ୟତା ଦେଇସାରିଥିଲା । ଏଥିପାଇଁ ୧୯୬୧ରେ ତାଙ୍କୁ ସ୍ମିଥ୍ ଲିଟେରାରୀ ଆଓ୍ଵାର୍ଡରେ ସମ୍ମାନୀତ କରାଯାଇଥିଲା ।

 

୧୯୬୯ରେ ଗୋର୍ଡ଼ିମର ହାର୍ଭର୍ଡ, କେମ୍ଵ୍ରିଜ ଓ ତା’ପରେ ମାସାଚ୍ୟୁସେଟସ୍ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ଏହି ସମୟରେ ତାଙ୍କର ତିନୋଟି ଉପନ୍ୟାସ ପ୍ରକାଶିତ ହୋଇଥିଲା । ୧୯୬୬ରେ ପ୍ରକାଶିତ, ‘ଦି ଲେଟ ବୁର୍ଜ୍ଜୁଆ ଓ୍ଵାର୍ଲଡ୍, ୧୯୬୪ରେ ଦକ୍ଷିଣ ଆଫ୍ରିକାର ରାଜନୈତିକ ହଟଚମଟର ବର୍ଣ୍ଣନାରୁ ଆରମ୍ଭ ହୋଇ ଅନ୍ତିମ ଭାଗରେ ମଧ୍ୟମବର୍ଗୀୟ ଶ୍ଵେତାଙ୍ଗ ସମାଜର ମୃତ୍ୟୁଘୋଷଣା କରିଛି । ୧୯୭୧ରେ ପ୍ରକାଶିତ ‘ଏ ଗେଷ୍ଟ୍ ଅଫ୍ ଅନର୍’ ଉପନ୍ୟାସ ଆଧୁନିକ ସ୍ଵାଧୀନ ଦକ୍ଷିଣ ଆଫ୍ରିକାରେ ଜେମସ ବ୍ରେ ନାମକ ଜଣେ ମଧ୍ୟ ବୟସ୍କ ଇଂରେଜ ସହିତ ବେକି ନାମକ ଏକ ତରୁଣୀର ପ୍ରଣୟ କାହାଣୀ ବର୍ଣ୍ଣିତ । ଗୋର୍ଡ଼ିମରଙ୍କର ଏହା ସର୍ବଶ୍ରେଷ୍ଠ କୃତି ବୋଲି କୁହାଯାଏ । କାରଣ ଜେମସ୍ ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷ କରି ମୃତ୍ୟୁବରଣ କରିଛି ଓ ତା’ର ପ୍ରଣୟ ଅମରତ୍ଵ ଲାଭ କରିଛି । ୧୯୭୫ରେ ପ୍ରକାଶିତ ‘ଦି କଞ୍ଜରଭେସନିଷ୍ଟ’ ଉପନ୍ୟାସରେ ଗଭୀର ଜୀବନଦର୍ଶନ ଦେଖିବାକୁ ମିଳେ । ଜୀବନ ଉପରେ ବର୍ଣ୍ଣବୈଷମ୍ୟ ନୀତିର ପ୍ରଭାବ ଏଥିରେ ନିଖୁଣ ଭାବେ ଚିତ୍ରିତ । ଜଣେ କୃଷକ ଆକସ୍ମିକ ଭାବେ ଏକ ଧନୀ ଶିଳ୍ପପତି ହୋଇଯିବା ପରେ ବି କିଭଳି ଆତଙ୍କିତ ଜୀବନଯାପନ କରୁଛି ତାହାର ମର୍ମସ୍ପର୍ଶୀ ଜୀବନ କାହାଣୀ ବର୍ଣ୍ଣିତ ହୋଇଛି ।

 

ଗୋର୍ଡ଼ିମରଙ୍କର ଏହି ତିନୋଟି କାଳଜୟୀ ଉପନ୍ୟାସ ବ୍ୟତୀତ ୧୯୬୫ରେ ପ୍ରକାଶିତ ‘ନଟ୍ ଫର ପବ୍ଲିକେଶନ ଏଣ୍ଡ ଅଦର ଷ୍ଟୋରିଜ୍’ ୧୯୭୦ରେ ‘ପେଙ୍ଗୁଇନ୍’ ମଡର୍ଣ୍ଣ ଷ୍ଟୋରିଜ୍ ୧୯୭୨ରେ ପ୍ରକାଶିତ । ‘ଦି ଲିଭିଂ ଷ୍ଟୋନସ୍ କମ୍ପାନିଅନ୍‍ସ’ ଯଥେଷ୍ଟ ସୁନାମ ଆଣି ଦେଇଥିଲା । ଏଥିପାଇଁ ୧୯୬୯ରେ ତାଙ୍କୁ ଥୋମାସ୍ ପ୍ରିଙ୍ଗଲ୍ ଆଓ୍ଵାର୍ଡ, ୧୯୭୨ରେ ବ୍ଲାକ ମେମୋରିଆଲ ପୁରସ୍କାର ଏବଂ ୧୯୭୪ରେ ସମ୍ମାନଜନକ ବୁକ୍‍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

 

ଦକ୍ଷିଣ ଆଫ୍ରିକୀୟ ସାରସ୍ଵତ ପରମ୍ପରାରେ ଏକ ଅନନ୍ୟ ଧାରା ସୃଷ୍ଟି କରିବାରେ ଉଦ୍ୟମରତ କତିପୟ କଥାକାରଙ୍କ ମଧ୍ୟରେ ଗୋର୍ଡ଼ିମର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି; ଆଲାନ୍ ପାଟନ୍, ଡାନ୍ ଜାକବସନ୍ ଏବଂ ଜ୍ୟାକ୍ କୋପଙ୍କ ପରି ତାଙ୍କ ଉପନ୍ୟାସଗୁଡ଼ିକ ସମସାମୟିକ ଜୀବନର ନିଚ୍ଛକ ପ୍ରତିଛବି । ବିଶେଷ କରି ଦକ୍ଷିଣ ଆଫ୍ରିକାର ଶ୍ଵେତାଙ୍ଗମାନଙ୍କର ଆଧିପତ୍ୟ ଥିବା ସମାଜରେ ରହିଥିବା ବର୍ଣ୍ଣବିଦ୍ଵେଷ ଜନିତ ଉତ୍ତେଜନା, ବନ୍ଧୁତ୍ଵ ଓ ପ୍ରେମ ସମ୍ପର୍କ ମଧ୍ୟ ଭୟମୁକ୍ତ ନୁହେଁ-। ପ୍ରେମିକ ପ୍ରେମିକାଙ୍କର ସମ୍ପର୍କର ଅନ୍ତରାଳରେ ବର୍ଣ୍ଣବୈଷମ୍ୟକୁ ନେଇ ମୃତ୍ୟୁର ଭୟ ଓ ଆତଙ୍କ ହିଁ ମୁଖ୍ୟତଃ ତାଙ୍କର ଉପନ୍ୟାସର ବିଷୟବସ୍ତୁ । “ଲେଟ ବୁର୍ଜ୍ଜୁଆ ଓ୍ଵାର୍ଲ୍ଡ”ରେ ଦକ୍ଷିଣ ଆଫ୍ରିକୀୟ ସମାଜର ଅନେକ କୁତ୍ସିତ ଦୃଶ୍ୟ ଚିତ୍ରିତ ।

 

ଗୋର୍ଡ଼ିମରଙ୍କ ଅଧିକାରୀ କାହାଣୀ ଓ ଉପନ୍ୟାସ ଦକ୍ଷିଣ ଆଫ୍ରିକାର ସ୍ଵର୍ଣ୍ଣନଗରୀ ଜୋହାନ୍‍ସବର୍ଗକୁ କେନ୍ଦ୍ର କରି ଗଢ଼ି ଉଠିଛି । କାରଣ ଆଧୁନିକ ଦକ୍ଷିଣ ଆଫ୍ରିକାର କ୍ଷୁଦ୍ରରୂପ ହିଁ ଜୋହାନବର୍ଗ ଯେଉଁଠି ନଭଶ୍ଚୁମ୍ଵୀ ଅଟ୍ଟାଳିକା ସହ ଝୁମ୍ପୁଡ଼ି ରହିଛି । ଆଧୁନିକ ୟୁରୋପ ସହିତ ଅନୁନ୍ନତ ଆଫ୍ରିକୀୟମାନଙ୍କର ଅଦ୍ଭୁତ ସମ୍ମେଳନ ଘଟିଛି । ଯେଉଁଠି କୃଷ୍ଣକୀୟ ଜନତାର ଗହଳିରେ ନିର୍ଜ୍ଜନତାର ସଫେଦ୍ ଆଚରଣ ଦେଖିବାକୁ ମିଳେ । ଗୋର୍ଡ଼ିମରଙ୍କ ଚରିତ୍ରମାନେ ଶିକ୍ଷିତ, ମାନସିକ ସଚେତନ, ସମ୍ବେଦନଶୀଳ ସମାଜର ମଧୁର ସ୍ଵପ୍ନର ସୌଦାଗର ।

 

ଗୋର୍ଡ଼ିମରଙ୍କ କୌଣସି ପୁସ୍ତକ ରାଜନୈତିକ ନଥିଲା କିନ୍ତୁ ଦକ୍ଷିଣ ଆଫ୍ରିକା ତାଙ୍କୁ ନିଜ ଦେଶର ଲେଖକଭାବେ ସ୍ଵୀକୃତି ଦେଇଥିଲା । ତାଙ୍କ ଚାରିପଟେ ରାଜନୈତିକ ପରିସ୍ଥିତି ଦେଶର ଅଗଣିତ ଜନତାଙ୍କର ଜୀବନଧାରାରେ କିଭଳି ପରିବର୍ତ୍ତନ ଆଣିଛି । କୃଷ୍ଣକାୟମାନେ ଶ୍ଵେତାଙ୍ଗମାନଙ୍କ ଦ୍ଵାରା କିଭଳି ଅତ୍ୟାଚାରିତ ହୁଅନ୍ତି । ଶବ୍ଦ ଜରିଆରେ ତାର ନିଖୁଣ ଚିତ୍ର ଆଙ୍କି ଦେଇଛନ୍ତି । ଗୋର୍ଡ଼ିମରଙ୍କ ଭାଷାରେ—

 

“In South Africa, Society is the political situation….politics is the character in South Africa.” ସେ କେବଳ ଦକ୍ଷିଣ ଆଫ୍ରିକୀୟ ସାମାଜିକ ବ୍ୟବସ୍ଥାକୁ ହିଁ ବିଷୟବସ୍ତୁ ରୂପେ ଗ୍ରହଣ କରନ୍ତି ।

 

ସେ କିପରି ଲେଖନ୍ତି ବୋଲି ପଚରା ଯିବାରୁ ମେ ମାସ ୧୯୬୫ ମସିହାରେ “ଲଣ୍ଡନ୍ ମ୍ୟାଗାଜିନ୍”ର ଆଲାନ୍‍ରସ୍‍ଙ୍କୁ ଦେଇଥିବା ସାକ୍ଷାତକାରରେ କହିଥିଲେ—

 

“When stories arise out of my actual experiences of my own there is a lapse of months or even years between the happening and writing…….

 

ବିଶ୍ଵ ସାହିତ୍ୟକୁ ତାଙ୍କର ଅମୂଲ୍ୟ ଅବଦାନ ନିମନ୍ତେ ୧୯୯୧ରେ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ଦିଆଯାଇଥିଲା ।

 

 

ବି—୭, ସେଣ୍ଟ୍ରାଲ ଓ୍ଵାର୍କସପ୍ କଲୋନୀ

ବନ୍ଧବାହାଲ

 

***

 

ତୃତୀୟ ଅବସର

ମୂଳରଚନା : ଗ୍ରାବିୟେଲ ଗାର୍ସିୟା ମାର୍କୁଏଜ୍

ଅନୁବାଦ : କ୍ଷୀରୋଦ ପରିଡ଼ା

 

ପୁନଶ୍ଚ ସେଇ କୋଳାହଳ । ସେଇ ଶୀତଳ, ସାନ୍ଦ୍ର, ଊର୍ଦ୍ଧ୍ଵାୟନ କୋଳାହଳ ଯାହାକୁ ସେ ଅନୁଭବ କରିଛି ବେଶ କିଛି ଦିନ ହେଲା । ଏବେ କିନ୍ତୁ ତାହା ଅଧିକ ବେଦନାଦାୟକ ଓ ତୀକ୍ଷ୍‍ଣ ଯାହାକୁ ସହ୍ୟ କରିନେବା ଖୁବ୍ କଷ୍ଟପ୍ରଦ ହୋଇଉଠିଛି ତା’ପାଇଁ ।

 

ଏବେ ସେଇ କୋଳାହଳ ଘୂରି ବୁଲୁଛି ତା’ର ଶ୍ୟୂ ମସ୍ତିଷ୍କ ଭିତରେ ଯେମିତି ତା’ ଖପୁରୀର ଚାରିକାନ୍ଥ ଭିତରେ ଏକ ମହୁଫେଣା ବଢ଼ି ଉଠୁଛି । ବର୍ତ୍ତୃଳାକାର ଭାବରେ ଥାକ ଥାକ ହୋଇ ଅଧିକରୁ ଅଧିକ ବଢ଼ି ଚାଲିଛି, ପିଟି ଚାଲିଛି ଭିତରପଟୁ, ଅଙ୍ଗ ସଞ୍ଚାଳନ ଭିତରେ ସୁଷୁମ୍ନାରେ ଖେଳେଇ ଦେଉଛି ମୃଦୁ ଉଦ୍‍ବେଳନ । ଫଳତଃ ତା’ର ଶରୀର ସଠିକ୍ ଭାବରେ କାମ କରୁଥିବା ବେଳେ ଏବେ ମାଂସହୀନ ଶୁଖିଲା କଙ୍କାଳ ହାଡ଼ର ଚାପୁଡ଼ା ସ୍ମରଣ କରାଇ ଦେଉଛି ଜୀବନର ସବୁଠୁ କଷ୍ଚପ୍ରଦ ଅନୁଭବର କଥା । ତା’ର ଥିଲା ପଶୁ ପରି ଶକ୍ତି ମୁଠା କରିବାକୁ ଓ ଆପଣାର କପାଳକୁ ଚିପି ଧରିବାକୁ । ସେ ଭାବୁଥିଲା ସେଇ କୋଳାହଳକୁ ଠାବ କରିବାକୁ ଯାହା ତାହାର ସମ୍ବେଦନଶୀଳ ହାତମୁଠାରେ ସ୍ପର୍ଶ କରୁଥିଲା ହୀରକ ବିନ୍ଦୁକୁ । ତା’ର ମାଂସପେଶୀରେ ଅଙ୍କା ଯାଇଥିବା ବିଲେଇ ଚିତ୍ରଟି ଚିହିଙ୍କି ଉଠୁଥିଲା ଜ୍ଵର ତାତିରେ କମ୍ପି ଉଠୁଥିବା ମୁଣ୍ଡ ଭିତରେ । ଏବେ ସେ ତା’କୁ ଧରି ପକାଇବ । ନା । ସେ କୋଳାହଳମୟ ଶବ୍ଦ ଥିଲା ମସୃଣ ଓ ଅସ୍ପୃଶ୍ୟ । କିନ୍ତୁ ସେ ଥିଲା ସଚେଷ୍ଟ ତା’ର ଅଭିଜ୍ଞତା ଓ କୌଶଳରେ ଧରି ପକାଇବାକୁ । ନୀରନ୍ଧ୍ର ଅନ୍ଧକାରର ଗଭୀର ଅଭ୍ୟନ୍ତରରୁ ଉଠି ଆସୁଥିବା ଶବ୍ଦକୁ ସେ ଏଥର ପ୍ରବେଶ କରିବାକୁ ଛାଡ଼ିବ ନାହିଁ କାନ ଭିତରକୁ, ପାଟି ପାଖ ଦେଇ, ଆଖି ସାମ୍ନା ଦେଇ –ଯାହା ମୁଦ୍ରିତ ହୋଇଯାଇଛି କେତେବେଳଠୁଁ ।

 

ସେ କଚାଡ଼ି ଭାଙ୍ଗିବାକୁ ଦେବ ନାହିଁ ଖଣ୍ଡ ଖଣ୍ଡ କାଚ ଖଣ୍ଡକୁ କାରଣ ଠିକ୍ ସେମିତି ତାହା ହୋଇଯିବ ସେଇ କୋଳାହଳ ପରି ଶବ୍ଦ । ପ୍ରକୃତିର କଠିଣ ବସ୍ତୁ ସହିତ ସଶକ୍ତ ଧକ୍କାର ଶବ୍ଦ, କଂକ୍ରିଟ୍ କାନ୍ଥରେ ଛୋଟ ପିଲାର ମୁଣ୍ଡ ବାଡ଼େଇବା ପରି ଶବ୍ଦ – ଏ ସବୁକୁ ସେ ବିଛିନ୍ନ କରିପାରିଲେ, ଦୂରେଇ ଦେଇପାରିଲେ ସେ ଆଉ ଆତଙ୍କିତ ହେବାର କଥା ଉଠିବ ନାହିଁ । ଯାଅ, ନିଜ ଛାଇର ସେଇ ପରିବର୍ତ୍ତିତ ଚିତ୍ରକୁ କାଟି ଅଲଗା ଅଲଗା କରିଦିଅ । ଶେଷ କରିଦିଅ, ନିପାତ କର, ସଙ୍କୁଚିତ କରି ଦିଅ ଥରକରେ, ସବୁଦିନ ସକାଶେ । ସମସ୍ତ ଶକ୍ତି ଦେଇ ନିଃଶେଷ କରି ଦିଅ ସେଇ ଶବ୍ଦକୁ ଯାହା ଭୟଭୀତ କରିଆସୁଛି, ପାଗଳ କରିଆସୁଛି ଏଯାଏଁ । ତା’ ପରେ ପୂର୍ଣ୍ଣାଙ୍ଗ ମୃତ୍ୟୁର ସୋପାନକୁ ଏକ ଭୂମି ପ୍ରସ୍ତୁତ ହୋଇଯିବ ।

 

କିନ୍ତୁ ତାର କ୍ରୋଧକୁ ପ୍ରଶମିତ କରିବା ଥିଲା ତା’ ପକ୍ଷରେ ଅସମ୍ଭବ । ତା’ର ହାତ, ଗୋଡ଼ ଏପରିକି ସମୁଦାୟ ଅବୟବ ହୋଇଯାଇଛି ଖର୍ବକାୟ । ତା’ର ମୁଣ୍ଡକୁ ହଲାଇବାକୁ ସେ ଚେଷ୍ଟାକଲା । ହଲେଇଲା ବି । ଏବେ ତା’ର ମୁଣ୍ଡ ଭିତରେ ଶବ୍ଦ କମ୍ପନ ଅଧିକ ବେଗରେ ଆରମ୍ଭ ହୋଇଗଲା । ଅନୁଭୂତ ହେଲା ଆହୁରି ପ୍ରକମ୍ପିତ ଭାବରେ, ବିଶାଳ ଆକାରରେ । ଶବ୍ଦଟି ଥିଲା ସଶକ୍ତ ଓ ସଂପ୍ରସାରିତ । ଠିକ୍ ଏମିତି ଏକ ଶବ୍ଦକୁ ଥରେ ସେ ଧ୍ଵଂସ କରି ଦେଇଥିଲା । ସତେ ଯେମିତି ମୁକୁଳି ଆସୁଥିବା ଏକ ଅନନ୍ୟ ଫୁଲର ପାଖୁଡ଼ା ସବୁକୁ ସେ ତୋଳି ନେଇଥିଲା ।

 

ଠିକ୍ ସେହିପରି ଶବ୍ଦ ଶୁଣିଲା ଯେମିତି ଶୁଣିଥିଲା ସେଇ କୋଳାହଳକୁ । ସେ ଯେତେବେଳେ ପ୍ରଥମଥର ପାଇଁ ମରିଥିଲା ଠିକ୍ ସେମିତି ଏକ କୋଳାହଳ ଶୁଣିଥିଲା । ସେତେବେଳେ ସେ ଏକ ଶବକୁ ଦେଖିଥିଲା ଓ ଅନୁଭବ କରିଥିଲା ସିଏ ତାହାରି ହିଁ ଶବ । ସେ ତାକୁ ଚାହିଁଥିଲା ଓ ସ୍ପର୍ଶ ବି କରିଥିଲା । ପ୍ରକୃତରେ ସେ ଥିଲା ଗୋଟେ ଶବ, ମୃତ୍ୟୁର ଗତିପଥକୁ ସେ ଦେଖିଥିଲା ତା’ର ତରୁଣ ଓ ରେଶମୀ ଶରୀରର ପଥ ଦେଇ । ତା’ ଘରର ବାତାବରଣ ହୋଇଉଠିଥିଲା କଠିଣରୁ କଠିଣତର ଯେମିତି ଇଟା ସିମେଣ୍ଟରେ ଭର୍ତ୍ତି । ଅଗଣା ମଝିରେ ତାକୁ ରଖାଯାଇଥିଲା କଫିନ୍ ଭିତରେ, ଖୁବ୍ କଠିଣ ଅଥଚ ସ୍ଵଚ୍ଛ ସିମେଣ୍ଟରେ ଆଚ୍ଛାଦିତ ଯେମିତି । ସେଇ ‘କୋଳାହଳ’ ଠିକ୍ ସେମିତି ଗୁଞ୍ଜରିତ ହେଉଥିଲା ତା’ ମୁଣ୍ଡ ଭିତରେ ସେତେବେଳେ । ସେଇ କଫିନ୍‍ଟି ତା’ ପାଇଁ ଥିଲା ଅଧିକ ଲମ୍ଵର । ସେ ଅନୁଭବ କରି ପାରୁ ନ ଥିଲା ତା’ ଦୈର୍ଘ୍ୟକୁ । ତା’ ପାଦ-ତଳିପା ଛୁଇଁ ପାରୁନ ଥିଲା ଅପରପକ୍ଷର ଧାରକୁ ଯେଉଁଠି ତା’ ପାଦତଳେ ସେମାନେ ରଖି ଦେଇଥିଲେ ତକିଆଟିଏ । ସେମାନେ ତା’ ଶରୀରକୁ ବେଖାପ୍ ହେଉଥିବା ଭଳି ଅଧିକ ଲମ୍ଵର ଏକ କଫିନ୍‍ର ବ୍ୟବସ୍ଥା କରିଥିଲେ , ଠିକ୍ ସେମିତି ତା’ର ଶେଷତମ ନୂଆ ପୋଷାକର ଦୈର୍ଘ୍ୟତା । ସେମାନେ ଘୋଡ଼ାଇ ଦେଇଥିଲେ ତା’ର ଦେହ ଉପରେ ଏକ ଧଳା ଚାଦର ଓ ପାଟିରେ ବାନ୍ଧିଦେଇଥିଲେ ଗୋଟେ ରୁମାଲ , ଖୁବ୍ ସୁନ୍ଦର ରୁମାଲ ।

 

ସେ ଶୋଇ ରହିଥିଲା କଫିନ୍ ଭିତରେ , କବରର ପ୍ରତିକ୍ଷାରେ । ଏବଂ ସେ ଜାଣିଥିଲା ଯେ, ସେ ଏ ଯାଏ ମରିନାହିଁ, ଜୀବନ୍ତ । ଯଦି ଚାହିଁବ ଉଠିଆସି ପାରିବ ଖୁବ୍ ଅନାୟସରେ; ଅନ୍ତତଃ ଆଧ୍ୟାତ୍ମିକ ଅର୍ଥରେ । କିନ୍ତୁ ତା’ ହେବ ତା’ ପାଇଁ ଅଧିକ ଦୁର୍ବିସହ । ବରଂ ଭଲ ସେମିତି ମରିବା ଭଳି କଫିନ୍ ଭିତରେ କବରକୁ ଅପେକ୍ଷା କରି ପଡ଼ିରହିବା । ବୋଧହୁଏ ତାହାହି ତାର ରୋଗ, ଭୋଗାଭୋଗ । ନିଷ୍କରଣ ଭାବରେ ଦିନେ ଡାକ୍ତର ତା’ର ମା’ଙ୍କୁ କହିଥିଲେ: ‘ମହାଶୟା, ଆପଣଙ୍କ ପୁଅ ଏକ ସାଂଘାତିକ ରୋଗରେ ପୀଡ଼ିତ । ସେ ମୃତ ।’ ସେମିତି କହିଚାଲିଲେ— ‘ଆମେ ଚେଷ୍ଟା କରିବୁ ମୃତ୍ୟୁକୁ ଦୂରେଇ ଦେଇ ତାକୁ ବଞ୍ଚାଇବାକୁ ଚେଷ୍ଟା କରିବୁ । ଏକ ସ୍ଵୟଂକ୍ରିୟ ପୁଷ୍ଟିକର ଜଟିଳ ଚିକିତ୍ସା ମାଧ୍ୟମରେ ଆମେ ତା’ର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ସଚଳ ରଖିବାକୁ ସଫଳ ହେବୁ ନିଶ୍ଚୟ । କେବଳ ତା’ର ଚଳମାନ ଶକ୍ତି କଥା ଅଲଗା । ସାଧାରଣ ତାହା ଜୀବନର ଯାହା କିଛି ଅଭିବୃଦ୍ଧି ହେବ ଆମେ ତାକୁ ଲକ୍ଷ୍ୟ କରିବୁ । ଅତି ସରଳ ଭାବରେ କହିଲେ ଇଏ ହେଉଛି ‘ଏକ ଜୀବନ୍ତ ମୃତ୍ୟୁର’ ଅବସ୍ଥା । ଏକ ପ୍ରକୃତ ଓ ସତ୍ୟ—ମୃତ୍ୟୁ ….।’’

 

ସେ ଏସବୁ କଥା ମନେ ରଖିଥିଲା ଦ୍ଵନ୍ଦ୍ଵଗ୍ରସ୍ତ ଭାବରେ । ସମ୍ଭବତଃ ଏକଥା ପୂର୍ବରୁ କେବେ ଶୁଣି ନ ଥିଲା ଏବଂ ଏ ସବୁ ଥିଲା ତା’ ମସ୍ତିଷ୍କର ସୃଜନ କାରଣ ଟାଇଫଏଡ୍ ଜ୍ଵରରେ ତା’ର ଶରୀରର ତାପମାତ୍ରା ଖୁବ୍ ଅଧିକ ବଢ଼ିଯାଇଥିଲା ।

 

ସେତେବେଳେ ସେ ପାଗଳପ୍ରାସ ହୋଇଯାଉଥିଲା ଆଉ ପଢ଼ୁଥିଲା ଡ୍ରଗ ଦ୍ଵାରା ଆକ୍ରାନ୍ତ ଇଜିପଟ୍ ରାଜାର କାହାଣୀ । ଜ୍ଵରର ତାପ ବଢ଼ି ଚାଲିଥିଲା । ସେ ଅନୁଭବ କରୁଥିଲା ତହିଁରେ ଯେମିତି ସେ ଏକ ମୁଖ୍ୟ ଚରିତ୍ର ହୋଇ ଉଠୁଛି । ତା’ ଭିତରେ ଏକ ଶୂନ୍ୟତାକୁ ସେ ପ୍ରତ୍ୟକ୍ଷ କରୁଛି ସେଇଠି । ତେବେଠାରୁ ସେ ତା’ର ବାସ୍ତ ଜୀବନ ଓ ଏଇ ଔଷଧ ଦ୍ଵାରା ଆକ୍ରାନ୍ତ ଜୀବନ ଭିତରେ ପ୍ରଭେଦ ବୁଝି ପାରୁ ନଥିଲା କି ଆଉ କୌଣସି ଘଟଣାକୁ ସ୍ମରଣ କରିପାରୁ ନ ଥିଲା । ସେ ହୋଇ ଉଠିଥିଲା ଦ୍ଵନ୍ଦ୍ଵଗ୍ରସ୍ତ ଯେହେତୁ ଡାକ୍ତର ସେହି ଆଶ୍ଚର୍ଯ୍ୟ ରୋଗ ‘ଜୀବନ୍ତ ମୃତ’ ବିଷୟରେ କିଛି ବୁଝାଇ କହି ନ ଥିଲେ । ଇଏ ତା’ ପାଇଁ ଥିଲା ଅଯୌକ୍ତିକ, ଦ୍ଵନ୍ଦ୍ନମୟ ଓ ସରଳଭାବରେ କହିଲେ ବିରୋଧାତ୍ମକ । ତେଣୁ ତା’ର ସନ୍ଦେହ ଥିଲା –ସତରେ କ’ଣ ସେ ଏଇ ଅଠର ବର୍ଷ ଧରି ମୃତ !

 

ଯେତେବେଳେ ଏଇ ରୋଗରେ ପ୍ରଥମେ ଆକ୍ରନ୍ତ ହୋଇଥିଲା ତାକୁ ମାତ୍ର ସାତ ବର୍ଷ ବୟସ । ସେତେବେଳେ ତା’ ମା ଛୋଟ ପିଲାଟିଏ ପାଇଁ ଉଦ୍ଦିଷ୍ଟ ଗୋଟେ କଫିନ୍ ତିଆରି କରିଥିଲେ । ଅଥଚ ଡାକ୍ତରଙ୍କ ପରାମର୍ଶ ଥିଲା ତିଆରି ହେବ ଏକ ସାଧାରଣ ବଡ଼ମଣିଷ ଆକାରର କଫିନ୍ । କାରଣ ତା’ର ଶାରୀରିକ ଅଭିବୃଦ୍ଧି ହେବ ଏକ ବିଲକ୍ଷଣ ଜୀବନ୍ତ ଲୋକପରି ଅଥବା ରୋଗଗ୍ରସ୍ତ ଲୋକପରି ଧୀରେ ଧୀରେ । ଏଇ ଅଭିବୃଦ୍ଧି ହେବ ରୋଗୀ ସୁସ୍ଥତା ଆଡ଼କୁ ଗତି କରିବାର ପ୍ରହେଳିକା ପ୍ରାୟ ଅନୁଭବ ହେବ । ଡାକ୍ତରଙ୍କର ଏଇ ତାଗିଦ୍ କାଗଣରୁ ହିଁ ତା’ର ମଆ ତା’ ପାଇଁ ତିଆରି କରିଥିଲେ । ଏକ ପୁର୍ଣ୍ଣାଙ୍ଗ ମଣିଷ ପାଇଁ ଉଦ୍ଧିଷ୍ଟ କଫିନ୍ ଏବଂ ପାଦ କଡ଼ରେ ରଖିଦେଇଥିଲେ ତିନୋଟି ତକିଆ ଯାହା କଳକ୍ରମେ ତା’ର ଅଭିବୃଦ୍ଧି ହେବାକୁ ଥିବା ଶରୀରକୁ ଖାପ ଖୁଆଇ ପାରିବ ।

 

କାଳକ୍ରମେ ଯେତେବେଳେ ସେ କପିନ୍ ଭିତରେ ବଢ଼ିବାକୁ ଲାଗିଲା ସେତେବେଳେ ଗୋଟିଏ ଗୋଟିଏ କରି ତକିଆରୁ ଉଲ ବାହାର କରି ନେଇ ତା ଶରୀର ପାଇଁ ତଥୋଚିତ ସ୍ଥାନ ପ୍ରସାରଣ କରିପାରୁଥିଲେ । ଏମିତି ସେ ବିତେଇଛି ଅଠର ବର୍ଷର ଆୟୁଷ୍କାଳ । ଏବେ ହେଲାଣି ତାକୁ ପଚିଶ ବର୍ଷ ଏବଂ ପହଞ୍ଚିଗଲାଣି ତାର ସାଧାରଣ ତଥା ଆବଶ୍ୟକୀୟ ଉଚ୍ଚତାରେ ଏବେ ଡାକ୍ତର ଓ ବଢ଼େଇ ସେମାନଙ୍କ ହିସାବରେ ଭୁଲ କରି ତିଆରି କରିଥିଲେ ଆହୁରି ଦୁଇଫୁଟ ଅଧିକ ଲମ୍ବର କଫିନ୍ । କାରଣ ସେମାନଙ୍କର ଗୋଟେ ଧାରଣା ଥିଲା ଯେ ଇଏ ତା’ର ବାପାଙ୍କ ପରି ଏକ ଦୀର୍ଘଦେହୀ, ଆଶୁରିକ ଚେହେରାର ମଣିଷଟିଏ ହୋଇପାରେ । ପୈତୃକ ସୂତ୍ରରେ ସେ ତା’ର ବାପାଙ୍କର ଗହଳ ଦାଢ଼ି ହିଁ ପାଇଥିଲା । କଫିନ୍ ଭିତରେ ସୁନ୍ଦର ଦିଶିବା ସକାଶେ ତା’ର ମଆଙ୍କର ଏଥିପ୍ରତି ଥିଲା ବିଶେଷ ଯତ୍ନ । କିନ୍ତୁ ପ୍ରଚଣ୍ଡ ଖରାରେ ଏଇ ଦାଢ଼ିଥିଲା ତା ପାଇଁ ଅତ୍ୟନ୍ତ କ୍ଲିଷ୍ଟକର ।

 

‘ସେଇ କୋଳାହଳ’ ଠାରୁ ତା’ ପାଇଁ ଆହୁରି ଅତିଷ୍ଠକର ଥିଲା ଘର ଭିତରର ମୂଷା ସବୁ ! ତା’ ପିଲାବେଳୁ ମୂଷାଙ୍କଠାରୁ ଅଧିକ କୌଣସି କଥା ତାକୁ କେବେ ଏତେ ଚିନ୍ତିତ କରୁ ନ ଥିଲା କି ଭୀତିପ୍ରଦ ନ ଥିଲା ତା’ ପାଇଁ । ଏଇ ଅବାଞ୍ଛିତ ପ୍ରାଣୀର ଥିଲା କଫିନ୍‍ର ପାଦ ପାଖରେ ଜଳୁଥିବା ମହମବତୀ ପ୍ରତି ଏକ ଅହେତୁକ ଆକର୍ଷଣ ।

 

ୟା’ ଭିତରେ ମୂଷାମାନେ କଫିନ୍‍ରେ ତାର ପୋଷାକକୁ ରୁକୁଟି ସାରିଥିଲେ ଆଉ ଖୁବ ଶୀଘ୍ର ତା’ ଶରୀରକୁ ରୁକୁଟି ଖାଇବା ଅପେକ୍ଷା ହିଁ ଥିଲେ । ଦିନେ ସେ ଦେଖିପାରିଲା କଫିନ୍ ଗୋଡ଼ଦେଇ ଉଠିଆସୁଥିବା ସେଇ ପାଞ୍ଚଟି ମୁଲାୟମ’ ଚିକ୍କଣ ମୂଷାଙ୍କୁ । ଆଉ ନିଷ୍ଠୁର ଭାବରେ ରୁକୁଟି ଖାଇବାକୁ ଆରମ୍ଭ କରିଥିଲେ ସେମାନେ । ଏଇ ସମୟରେ ତା’ ମା’ ଏଇ ଦୃଶ୍ୟକୁ ବି ଦେଖିଥିଲେ ଏବଂ ଭାବିଥିଲେ ପୁଅର କେବଳ କଠିଣ ଶୀତଳ ହାଡ଼ କେତେଖଣ୍ଡ ଛଡ଼ା ଆଉ କିଛି ଅବଶେଷ ରହିବ ନାହିଁ ଏଇମାନଙ୍କ ପ୍ରକୋପରୁ । ସବୁଠୁ ଭୟଙ୍କର ଥିଲା ତା’ ପାଇଁ ମୂଷାମାନଙ୍କ ଆକ୍ରମଣ ନୁହେଁ ବରଂ ଏକ ନରକଙ୍କାଳ ହୋଇ ବଞ୍ଚିରହିବାର କଥା । କ୍ରମେ ଏଇ ଭୟଙ୍କର ଦୃଶ୍ୟ ତା ସମ୍ମୁଖରେ ଉଭା ହେଲା । ମୂଷାମାନେ ଚର୍ମର ଅନ୍ଦିସନ୍ଧିରେ ପଷିବାକୁ ଲାଗିଲେ, ସାରା ଶରୀର ଉପରେ ଦୌଡ଼ିଲେ ଏବଂ ସେମାନଙ୍କ ନରମ ପାଦରେ ତା’ର ଓଠକୁ ଘସିବାକୁ ଆରମ୍ଭ କଲେ । ଗୋଟିଏ ମୂଷା ତାର ଆଖିପତା ଉପରକୁ ଉଠିଗଲା ଓ ଆଖି ଡୋଳାକୁ ରୁକୁଟିବାକୁ ପ୍ରୟାସ କଲା । ସେ ଦେଖିଲା ଏକ ବଡ଼ ବଳିଷ୍ଠ ମୂଷା ଆଖି ଡୋଳାକୁ ଖୋଳିବା ଆରମ୍ଭ କରଇଛି । ଏବେ ସେ ଭାବିଲା ପୁଣି ଏକ ନୂଆ ମରଣ ହିଁ ଆରମ୍ଭ ହେଲା ଆଉ ସଂପୂର୍ଣ୍ଣ ଭାବରେ ସେ ସମର୍ପଣ କରି ଯାଉଛି ସେଇ ଲୋଭୀ ମୂଷାମାନଙ୍କ ଆକଙ୍କ ନିକଟରେ ।

 

ସେ ସ୍ମରଣ କରୁଛି ପୂର୍ଣ୍ଣାଙ୍ଗ ଯୌବନ ପ୍ରାପ୍ତିରେ ତା’ର ପହଞ୍ଚି ଯିବାର କଥା । ଏବେ ସେ ପଚିଶ ବର୍ଷର ଏବେଠୁ ମୋଟ ଆଉ ତା’ର ଶାରିରୀକ ଅଭିବୃଦ୍ଧି ନ ହେବାର ବୟସ । ଭବିଷ୍ୟତ ହେବ ଦୃଢ଼ ଓ ଗମ୍ଭୀର । ଯେତେବେଲେ ସେ ଥିଲା ସ୍ଵାସ୍ଥ୍ୟବାନ ସେତେବେଳେ ତା’ର ଶୈଶବ କାଳର କଥା କହିବାକୁ ସକ୍ଷମ ନଥିଲା । ଯମିତି ତା’ର ଅତିତ ଚରିତାର କଥା କିଛି ହିଁ ନ ଥିଲା । ମୃତ ପ୍ରାୟ ଥିଲା ସେ ସବୁ ବିଗତ ଦିନର କଥା ।

 

ଶୈଶବରୁ ବୟୋପ୍ରାପ୍ତି ଅବଧି ଯାଏଁ ମା’ ସମସ୍ତ ପ୍ରକାର ଯତ୍ନ ନେଇଛନ୍ତି ତା’ର । ସ୍ଵାସ୍ଥ୍ୟପ୍ରଦ କଫିନ୍ ଓ ଘରର ପରଚ୍ଛନ୍ନତା ପ୍ରତି ଥିଲା ତାଙ୍କର ତୀକ୍ଷ୍‍ଣ ଦୃଷ୍ଟି । ଝରକା ଦେଇ ମୁକ୍ତ ବାୟୁର ପ୍ରବେଶ ଓ ଫୁଲଦାନୀର ଫୁଲ ପରିବର୍ତ୍ତନ କରିବା ପରି ପ୍ରାତ୍ୟହିକ କାମରେ ସେ ଥିଲେ ଖୁବ୍ ସଚେତନ । ଏକ ମାପ ଫିତାର ମଝିରେ ମଝିରେ ପୁଅର ଲମ୍ବକୁ ମାପି; ବୃଦ୍ଧି ହେବାର ସୂଚନାରେ, ତାଙ୍କର ମାତୃତ୍ଵ ଓ ମମତ୍ଵରେ ସେ ଥିଲେ ଆହ୍ଲାଦିତ । ହେଲେ ଘର ଭିତରକୁ ଅଚିହ୍ନା ଲୋକଙ୍କ ପ୍ରବେଶକୁ ସେ ପ୍ରତିହତ କରିବାକୁ ଚେଷ୍ଟିତ ଥିଲେ । କିନ୍ତୁ ଅପର ପକ୍ଷରେ ଘର ଭିତରେ ଏକ ଶବର ଦୀର୍ଘକାଳର ଅବସ୍ଥିତି ଥିଲା । ତାଙ୍କ ପାଇଁ ଅଗ୍ରହଣୀୟ ଓ ରହସ୍ୟମୟ । କାଳକ୍ରମେ ତାଙ୍କର ଆତ୍ମପ୍ରତ୍ୟୟର ଅବସାନ ଘଟୁଥିଲା । ସେ ହୋଇ ଉଠୁଥିଲେ ଏ ବାବଦରେ ଏକ ନକରାତ୍ମକ ନାରୀ । ବିଗତ ବର୍ଷମାନଙ୍କରେ ସେ ଦେଖିଛି ମାପଫିତାଟିକୁ ଦୁଃଖରେ ଧରି ଛିଡ଼ା ହୋଇଥିବାର ମା’ଙ୍କ ରୂପକୁ । ତାଙ୍କ ପୁଅର ଆଉ କିଛି ଅଭିବୃଦ୍ଧି ହେଉନାହିଁ । ଏଇ କିଛି ମାସ ହେଲା ସେ ଗୋଟିଏ ମାତ୍ର ମିଲିମିଟର ବି ବଢ଼ିନାହିଁ । ସେଇ ପ୍ରିୟ କଫିନ୍ ଭିତରେ ସାମୟିକ ଭାବରେ ଆଉ ଲମ୍ବ ପରଖିବା ବହୁ କଷ୍ଟପ୍ରଦ ହୋଇ ଉଠିଛି ମା’ଙ୍କ ପାଇଁ । ତାଙ୍କର ଭୟଥିଲା ଦିନେ ହୁଏତ ହଠାତ୍ ଦେଖିବେ ଭିତରେ ସତରେ ମୃତ୍ୟୁ ହୋଇଯାଇଛି ତାଙ୍କ ପୁଅର । କଫିନ୍ ପାଖକୁ ଆସନ୍ତି ଓ ଶୁଙ୍ଘି ଦିଅନ୍ତି ମା’ । ପ୍ରକୃତରେ ମା’ ୟା’ ଭିତରେ ଏକ ନାକାରତ୍ମ ସ୍ଥିତିର କବଳିତ ହୋଇ ସାରିଛନ୍ତି । ମାପ ଫିତା ଆଣୁ ନାହାନ୍ତି ଆଉ ସାଥୀରେ କାରଣ ସେ ଜାଣିଥିଲେ ପୁଅର ଆଉ ଶରୀର ବଢ଼ିବ ନାହିଁ । ଅବେଳରେ ସବୁ କିଛି ଘଟିଯାଉଛି ଏବଂ ସେ ଜାଣିପାରୁଛି ସେ ଏବେ ‘ସତରେ ମୃତ’ । ସେଇ ସମ୍ବେଦନଶୀଳ ନିଶ୍ଚେତକର ପ୍ରଭାବରେ ତା’ର ଅଙ୍ଗ ପ୍ରତ୍ୟଙ୍ଗ ସ୍ଥବିର ହୋଇଯାଇଛି । ନାଡ଼ି, ଧମନୀ ଆଉ ସ୍ପନ୍ଦିତ ହେଉନାହିଁ । ଓଜନିଆ ହୋଇଯାଉଛି ତାର ଶରୀର । ମାଟିର ସେଇ ଆଦିମ ଆଲିଙ୍ଗନ ଭିତରକୁ ଚାଲିଯାଉଛି ଧୀରେ ଧୀରେ । ମାଟିର ଆଧ୍ୟାକର୍ଷଣ ଶକ୍ତି ଟାଣି ନେଇଯାଉଛି ତା’ରି ଅଭ୍ୟନ୍ତରକୁ । ସେ ହୋଇ ଉଠୁଥିଲା କ୍ରମେ ଓଜନିଆ, ବାସ୍ତବତାର ଗୋଟିଏ ଶବ । ଚିର ସ୍ତବ୍ଧତାର ପଥଯାତ୍ରୀ, ମୃତ୍ୟୁର ପ୍ରତିକ୍ଷାରେ ତାକୁ ଛାଡ଼ିବାକୁ ପଡ଼ିଲା ନାହିଁ ତା’ର ଅନ୍ତିମ ନିଃଶ୍ଵାସ ।

 

କଳ୍ପନାରେ ସେ ଭାବିବାକୁ ଲାଗିଲା—ତା’ର ଆତ୍ମୀୟମାନେ ତା’କୁ ନଛୁଇଁ ଜଣ ଜଣ କରି ଅତିକ୍ରମଣ କରି ଯାଉଛନ୍ତି । ଏକ କଠିଣ ତକିଆ ଉପରେ ତା’ମୁଣ୍ଡଟି ବାମପଟକୁ ଢଳି ରହିଛି । ସେ ଭାବୁଛି ତା’ ପାଟିଟା ସାମାନ୍ୟ ଖୋଲା ରହିଛି, ଥଣ୍ଡା ମେଘରୁ ଖସିପଡ଼ୁଥିବା ବରଫ ଗୁଣ୍ଡ ତା’ ତଣ୍ଟି ଭିତରେ ପଶିଯାଉଛି । ସତେ ଯେମିତି ପଚିଶ ବର୍ଷର ଗଛଟିଏ ଭୂତଳଶାୟୀ ହୋଇ ପଡ଼ିରହିଛି । ସମ୍ଭବତଃ ସେ ତା’ର ପାଟିକ ବନ୍ଦ କରିବାକୁ ଚେଷ୍ଟା କରୁଛି ଓ ପାଟିରେ ବନ୍ଧା ଯାଇଥିବା ରୁମାଲଟି ଢିଲା ହୋଇଯାଇଛି । କ୍ରମଶଃ ପାଟିଟି ଅଧିକ ମେଲା ହୋଇଯାଉଛି । ସେ ନିଜକୁ ଏକ ସୁନ୍ଦର ଶାୟିତ ଶବ ପରି ଦୃଶ୍ୟମାନ କରିବାକୁ ବିଫଳ ହୋଇ ପଡ଼ୁଛି । ତା’ର ମାଂସପେଶୀ, ଅଙ୍ଗପ୍ରତ୍ୟଙ୍ଗ ସ୍ଥିର ଓ ସ୍ଥବିର ହୋଇଉଠୁଛି, ସ୍ନାୟୁତନ୍ତ୍ରୀ ଅଚଳ । ଅଠର ବର୍ଷ ତଳର ସେଇ ଶିଶୁଟି ପରି ଯିଏ ଯେତେବେଳେ ଯେଉଁଠିକୁ ଚାହିଁଲା ମାତ୍ରେ ହିଁ ଯାଇ ପାରୁଥିଲା ସେ ଅବସ୍ଥା ତାର ଏବେ ମୋଟେ ନାହିଁ । ବାହୁ ଦ୍ଵୟ ପଡ଼ିଯାଇଛି ଯେମିତି ସବୁଦିନ ପାଇଁ, ଲାଖିଯାଇଛି କଫିନ୍‍ରେ ପଡ଼ିଥିବା କୁଶନ ପଡ଼ିଥିବା କଡ଼କୁ , ତା’ର ପାକସ୍ଥଳୀ କଠିଣ ହୋଇ ଯାଇଛି ଯେମିତି ଗଛର ଏକ ବକଳ ପରି, ପାଦ ଲମ୍ବିଛି ନିଶ୍ଚଳରେ । ତା ଶରୀର ଶୋଇ ରହିଛି ଶାନ୍ତିରେ, ସ୍ଵଚ୍ଛନ୍ଦରେ ଯେମିତି ଏଇ ପୃଥିବୀ ସ୍ତବ୍ଧ ହୋଇଯାଇଛି ହଠାତ୍ । ଯେମିତି ପବନର ନରମ ନୀରବତାକୁ ଭଙ୍ଗ ନ କରି ପୃଥିବୀ ତାର ହୃଦଯନ୍ତ୍ରର ଶ୍ଵାସକ୍ରିୟାରୁ ନିବୃତ ରହିଛି । ଦ୍ଵିପହରର ଉଚ୍ଚ ଆକାଶରେ ମେଘ ପରି ପହଁରି ଗହଳ, ଶୀତଳ ଘାସ ଉପରେ ଏକ ଛୋଟ ପିଲାର ଖୁସିର ଅନୁଭବରେ । କୃତ୍ରିମ ରେଶମୀ କନାରେ ଢଙ୍କା ଯାଇଥିବା କଫିନ୍‍ରେ ସେ ବିଶ୍ରାମ ନେବ ଚିରଦିନ ପାଇଁ –ସେଥିରେ ସେ ପରମ ଆନନ୍ଦିତ; ଜାଣେ ଯଦିଓ ତାର ମୃତ୍ୟୁ ହୋଇଯାଇଛି ସବୁଦିନ ପାଇଁ । ସେ ଥିଲା ଖୁବ୍ ବିହ୍ୱଳିତ । ପ୍ରଥମ ମୃତ୍ୟୁ ତାକୁ କରିଦେଇଥିଲା ମାନ୍ଦା । ତା’ର ଚାରିକଡ଼ରେ ଜଳୁଥିବା ଚାରୋଟି ମହମବତୀକୁ ପ୍ରତି ତିନିମାସରେ ବଦଳା ଯାଉଥିଲା । ଏଥର କିନ୍ତୁ ସବୁ ଦିନ ପାଇଁ ପ୍ରତ୍ୟାହୃତ ହୋଇଗଲା । ଆଜି ସକାଳେ ମା’ର ସ୍ନେହରେ ସେ ଅଧିକ ନିକଟତର ହୋଇଛି, ସତେଜତା ଅନୁଭବ କରିଛି । ପାଇଛି କଇଁ ଓ ଗୋଲାପର କୋମଳତା ଓ ସୁଗନ୍ଧର ଅନୁଭବ । ଏଇ ନିଷ୍ଠୁର ସତ୍ୟ ତା’କୁ ଜଞ୍ଜାଳ କବଳିତ କରିନାହିଁ । ତାର ଏକାକୀତ୍ଵରେ ବରଂ ସେ ଖୁସି । ପରବର୍ତ୍ତୀ କାଳରେ ସେ ଭୟାର୍ତ୍ତ ହୋଇଉଠିବ କି ?

 

କିଏ କହିବ ? ଏକଥା ଭାବିବା କଠିଣ ଯେ ଯେତେବେଳେ ହାତୁଡ଼ିର ପ୍ରହାରରେ କଣ୍ଟା ସବୁ ବାଡ଼େଇ ହୋଇଯିବ କଫିନ୍‍ର ଛାତି ଉପରେ; ବନ୍ଦ କରିଦେବାକୁ ! ପୃଥିବୀର ଆକର୍ଷଣ ଟାଣି ନେବ; ମାଟି ତଳେ ସେ ପୋତି ହୋଇଯିବ ଚାରି ଗଜ ଜାଗାରେ । ସମାଧି ଖେଳାଳୀଙ୍କ ଦୀର୍ଘଶ୍ଵାସରେ ସେ ନିସ୍ତେଜ ହୋଇଯିବ । ନା । ସେ ମୋଟେ ଭୟଭୀତ ହେବନାହିଁ । ଇଏ ହେବ ତାର ଦୀର୍ଘାୟିତ ମୃତ୍ୟୁ । ନବୀନ ସ୍ଥିତିରେ ଏକ ପ୍ରାକୃତିକ ଦୀର୍ଘାବସାନ ।

 

ଏବେ ସେ ସାମାନ୍ୟତମ ଉଷ୍ମତା ଆଉ ଅନୁଭବ କରିବ ନାହିଁ ତା’ର ଶରୀରରେ । ଅସ୍ଥି ମଜ୍ଜା ଶୀତଳ ହୋଇଯିବ ଓ ବରଫର ତୀବ୍ର ଶୀତଳତା ପ୍ରବେଶ କରିଯିବ ତା’ର ଅସ୍ଥିମାଳାର ରନ୍ଧ୍ର ଭିତର ଦେଇ, ମଜ୍ଜା ମଜ୍ଜାରେ । ଏଥର ସେ ବଢ଼ିବ ଯେମିତି ଏକ ମୃତ ବ୍ୟକ୍ତି ପରି ! ଦିନେ ହୁଏତ ତାକୁ ଲାଗିବ ତା’ର କବଚ ପଡ଼ିଯାଇଛି । ସେ ଗୋଟି ଗୋଟି କରି ସ୍ମରଣ କଲେ ବି ତା’ର ଆତ୍ମୀୟମାନଙ୍କ ନାଁ ତା’ର ମନେ ପଡ଼ିବ ନାହିଁ । ତାକୁ ଲାଗିବ ତା’ର ଏକ ନିର୍ଦ୍ଧିଷ୍ଟ ଆକାର ନାହିଁ , ପରିଚୟ ନାହିଁ କୌଣସି ଜ୍ୟାମିତିକ ପରିସୀମା ନାହିଁ ତା ଅବୟବର, ଆକାରହୀନ ମୁଠାଏ ଧୂଳିରେ ପରିଣତ ହୋଇସାରିଛି ସେ । ତା’ର ପଚିଶ ବର୍ଷର ପୂର୍ଣ୍ଣାଙ୍ଗ ଶରୀରୀ-ଚିତ୍ରରୁ ସେ ଅପସରି ଯାଇଛି ଯେମିତି ।

 

ଏଇ ମୃତ୍ୟୁ-ବାଇବେଲରେ ବର୍ଣ୍ଣିତ ମୃତ୍ୟୁ ପରି । ଏବେ ହୁଏତ ଆସିବ ତାର ଅତିତଚାରିତାର କଥା, ଶରୀର ବୀକ୍ଷା ପରି ନୁହେଁ ବରଂ ତା’ର ଚର୍ମର ଧୂମାଭ ସ୍ମୃତିର କଳ୍ପନାମୟ ଏକ ଚିତ୍ର ଉଦ୍‍ଭାସିତ ହେବ ତା’ ଆଗରେ । ଦିନେ କ୍ଷୁଧାର୍ତ୍ତ ଶିଶୁପରି ଏକ ଶରତ ଋତୁରେ ଉଠିଆସିବ ଆଉ ଚଢ଼ିଯିବ ଆପେଲ୍ ଗଛର କାଠରେ ତିଆରି ଏକ ଡଙ୍ଗା ଉପରକୁ । ଏବେ ତାକୁ ଦୁଃଖ ଲାଗିବ । ତାର ସମସ୍ତ ଆତ୍ମୀୟ ପରିଜନ ତା ପାଖରେ ନଥିବେ; ଏବେ ସେ ଏକ ସାଧାରଣ ମୃତ ବ୍ୟକ୍ତି ନୁହେଁ । ବରଂ ଏକ ଅତି ସାଧାରଣ ଶବଟିଏ । ରାତ୍ରିଟି କଟିଯିବ ତାର ଏକାକୀ, ନିଜର ଶବ ସହିତ ।

 

ନବ ପ୍ରଭାତର ସୁନେଲି ସୂର୍ଯ୍ୟ କିରଣର ପ୍ରଥମ ସ୍ପର୍ଶରେ ସେ ଅନୁଭବ କରିବ ତାହାର କୋମଳ ଚର୍ମକୁ କ୍ଷଣିକମାତ୍ର । ଶାନ୍ତ, ଶକ୍ତ । ସାରା ଶରୀରରୁ ଛୁଇଁଯିବ ସୂର୍ଯ୍ୟାଲୋକ । ଏକଥାରେ ତିଳେ ହେଲେ ସନ୍ଦେହ ନାହିଁ ଯେ ଗୋଟିଏ ଗନ୍ଧ ଥିବ ସେଇଠି । ରାତିରେ ସେଇ ଗନ୍ଧ ଅଧିକ ତୀବ୍ର ହୋଇ ଉଠିବ । ସବୁ ମୃତ ଲୋକଙ୍କ ପରି ତା’ର ଅଙ୍ଗପ୍ରତ୍ୟଙ୍ଗ ଗଳିତ ହୋଇଯିବ । ସେଇ ଗନ୍ଧ-ପଚା ମାଂସର ଗନ୍ଧପରି ବାରମ୍ବାର ଆସୁଥିବ, ଖେଳି ବୁଲୁଥିବ ଅଦୃଶ୍ୟ ଭାବରେ । ପୂର୍ବ ରାତିର ଉଷ୍ମତା ତାର ଗଳିତ ଦେହକୁ ଅଧିକ ଗନ୍ଧମୟ କରିବ । ହଁ, ସେ ସଂପୂର୍ଣ୍ଣ ପଚିଯାଇଛି ତା’ର ମା’ ଆସିବ ଫୁଲ ବଦଳାଇବାକୁ । ସେତିକିବେଳେ ସେଇ ଗନ୍ଧର ସାନ୍ଧ୍ରତା ତାକୁ ଦୂରେଇ ଦେବ । ତା’ ପରେ ତାକୁ ତା’ର ଦ୍ଵିତୀୟ ମୃତ୍ୟୁରୁ ତୋଳିନେବେ । ଶୁଆଇ ପକାଇବେ । ଅନ୍ୟ ମୃତ ବ୍ୟକ୍ତିମାନଙ୍କ ଗହଣରେ ।

 

ଭୟ ! ସତରେ ଏତେ ଅର୍ଥବାହୀ ଏଇ ଶବ୍ଦ ! ହଁ ଏବେ ଏକ ବସ୍ତୁଗତ ଭୟରେ ସେ ହେଇଉଠିବ ଭୟଭୀତ । କାରଣ କ’ଣ ? ସେ ବୁଝିଛି ତା’ର ମାଂସପେଶୀ ଝୁଲିପଡ଼ିଛି , ସମ୍ଭବତଃ ସେ ମୃତ ନୁହେଁ । ଏକ ମୂଲାୟମ ଶେଯରେ, ନରମ ଓ ଆନନ୍ଦଦାୟକ କଫିନ୍ ବାକ୍ସ ଭିତରେ ତାକୁ ଶୁଆଇ ରଖିଥିଲେ । ବାସ୍ତବତାର ଝରକାରେ ସେ ଦେଖୁଛି ତାକୁ ସେମାନେ ଜୀବନ୍ତ ସମାଧି ଦେବାକୁ ନେଇଯାଉଛନ୍ତି ।

 

ତା’ର ଯେହେତୁ ସବୁ ବିଷୟରେ ଏକ ଜାଗ୍ରତ ଅନୁଭବ ଅଛି, ଜୀବନର ଘୂର୍ଣ୍ଣନ ଓ ଗୁଞ୍ଜରଣକୁ ଉପଲବ୍ଧି କରୁଛି , ସେ କେବେ ମୃତ ହୋଇପାରେନା । ଏକ ସୁଗନ୍ଧିତ ଫୁଲର ବାସ୍ନା ମୁକ୍ତ ବାତାୟନରେ ପଶିଆସୁଛି ଓ ମିଶି ଯାଉଛି ସେଇ ‘ପୁରୁଣାଗନ୍ଧ’ ସହିତ । ବିନ୍ଦୁ ବିନ୍ଦୁ ହୋଇ ପଡ଼ୁଥିବା ପାଣିଟୋପାର ଶବ୍ଦ ପ୍ରତି ସେ ଥିଲା ବେଶ୍ ସଚେତନ ।

 

ଏସବୁ କଥା ହିଁ ତା’ର ମୃତ୍ୟୁକୁ କରୁଛି ଅସ୍ଵୀକାର । ସବୁ କିଛି; କେବଳ “ସେଇ ଗନ୍ଧ” ଛଡ଼ା । ସେ କେମିତି ଜାଣିବ ଯେ ଏଇ ତା’ରି ଗନ୍ଧ ବୋଲି ହୁଏତ ହୋଇପାରେ ଫୁଲଦାନୀରେ ଥିବା ପାଣିରେ ଫୁଲତୋଡ଼ାର ଡେମ୍ଫ ଓ ଡାଳର ପଚା ଗନ୍ଧ । ଯାହାକୁ ତା’ର ମା’ ବଦଳାଇବାକୁ ଭୁଲିଯାଇଛି । ହୁଏତ ହୋଇପାରେ କଫିନ୍ ଥିବା ଘରେ ଡେଇଁ ବୁଲୁଥୁବା ମୂଷାମାନଙ୍କୁ ବିଲେଇ ମାରି ଶିଖେଇ ଦେଇଛି ଖରାରେ ! ନା । ମୋଟେ ନୁହେଁ । ‘ସେଇ ଗନ୍ଧ’ ତା’ ଶରୀରର ଗନ୍ଧ ନୁହେଁ-

 

ଏଇ କିଛି ମୂହୂର୍ତ୍ତ ପୂର୍ବରୁ ସେ ବିଭୋର ଥିଲା ତା’ର ମୃତ୍ୟୁରେ । କାରଣ ସେ ଭାବିଥିଲା ସେ ମୃତ ; ଏକ ମୃତ ଲୋକ ଖୁସି ହୋଇପାରେ ତା’ର ପରିସ୍ଥିତିକୁ ଏକ ସନ୍ତୋଷଜନକ ସ୍ଥିତିକୁ ନେଇ । କିନ୍ତୁ ଏକ ଜୀବନ୍ତ ବ୍ୟକ୍ତି କେବେ ତା’ର ଜୀବନ ସମାଧିକୁ ଗ୍ରହଣ କରିପାରିବ ନାହିଁ । ମୃତ୍ୟୁର ପ୍ରତିକ୍ଷାରେ ସେ ହୋଇଉଠୁଛି ଚିରକାଳ ଭୟଭୀତ । ତା’ର ଆତ୍ମୀୟମାନେ ତା’ର ଡାକକୁ ଶୁଣିପାରୁନାହାନ୍ତି ; ସେ ନିଜକଥା ଠିକ୍ ଭାବରେ ହୁଏତ ଇଙ୍ଗିତ କରିପାରୁ ନାହିଁ । କିନ୍ତୁ ଯେତେବେଳେ ତା’ର କଫିନ୍‍କୁ ବନ୍ଦ କରିବାକୁ ସେମାନେ କଣ୍ଟା ବାଡ଼େଇବେ ସେତେବେଳେ ସେ ମୁହୂର୍ତ୍ତର ଅବସ୍ଥାକୁ ସଠିକ୍ ଭାବରେ ବୁଝିପାରିବ । ଶବଯାତ୍ରାର ପ୍ରତିଟି ପଦପାଦରେ ଭରିଯିବ ତା’ର କ୍ରୋଧ ଓ ହତାଶା । ଆଉ ଶବବାହଙ୍କ କାନ୍ଧରେ ଅନୁଭବ କରୁଥିବା ତା’ର ଶରୀରରେ ହାଲୁକାପଣ ।

 

ଅନ୍ଧାରିଆ ଓ ଅଣଓସାରିଆ କଫିନ୍ ଭିତରୁ ତା’ର ସମସ୍ତ ଦୁର୍ବଳ ଶକ୍ତି ପ୍ରୟୋଗ କରି ଉଠିଆସିବାକୁ ଚେଷ୍ଟା କରିବ । ଆଉ ଡାକିବାକୁ ଚାହିଁବ ଯେମିତି ସମସ୍ତେ ଜାଣିବେ ସେ ଜୀବିତ; ମାତ୍ର ବିଫଳ ହେବ । ତା’ର ସ୍ନାୟୁର ଶେଷତମ ଡାକର ଅନିବାର୍ଯ୍ୟତା ଓ ଜରୁରୀ ଆବଶ୍ୟକତାକୁ ଆତ୍ମୀୟମାନେ ଗ୍ରହଣ କରିପାରୁ ନ ଥିବେ । ସବୁ ନିଷ୍ଫଳ ।

 

ସେ ପାଖ କୋଠରୀରୁ ଶୁଣିଲା ଶବ୍ଦ । ସେ ଆଉ ଚେଇଁ ଶୋଇ ରହି ପାରିବ କି ? ଏଇ ସମଗ୍ର ଜୀବନଟି ମୃତବ୍ୟକ୍ତିର ଜୀବନ ପରି ଏକ ସ୍ଵପ୍ନ ଥିଲା କି ? ଚଟାଣରେ ସେଇ ଥାଳି ପଡ଼ିଯିବାର ଶବ୍ଦ ସ୍ତବ୍ଧ ହୋଇଯାଇଥିଲା । ସେ ଦୁଃଖିତ ହେଲା ଯେହେତୁ ସେଇ ଶବ୍ଦ ପ୍ରତି ସେ ଥିଲା ବିତସ୍ପୃହ । ସେ ଚାହିଁ ପାରିଲା କି ଯେମିତି ସମଗ୍ର ବିଶ୍ଵର ସବୁ ଥାଳିଗୁଡ଼ିକ ଏକ ସଙ୍ଗରେ ତା ପାଖରେ ପଡ଼ି ଭାଙ୍ଗିଯାଉ । ଏକ ଅଜଣା କାରଣରୁ; ଯେହେତୁ ତା ନିଜ ଇଚ୍ଛା ସବୁର ମୃତ୍ୟୁ ହୋଇସାରିଛି ।

 

କିନ୍ତୁ ନା ! ଇଏ ସ୍ଵପ୍ନ ନ ଥିଲା । ସେ ନିଶ୍ଚିତ ଥିଲା ଯେ ଯଦି ଏ ସବୁ ସ୍ଵପ୍ନ ହୋଇଥାନ୍ତା ତାହାଲେ ବାସ୍ତବତାକୁ ଫେରିଆସିବାର ଅଭୀପ୍‍ସା ବୃଥା ହୋଇ ନ ଥାନ୍ତା କେବେ । ସେ ଜାଗ୍ରତ ହୋଇ ନଥାନ୍ତା ପୁଣିଥରେ । କଫିନ୍‍ର କୋମଳତା ସେ ଅନୁଭବ କଲା । ପୁଣି ‘ସେଇ ଗନ୍ଧ’ ଫେରିଆସିଲା ତୀବ୍ରତର ହୋଇ ଯେଉଁଥିରେ ଦ୍ଵିଧାଗ୍ରସ୍ତ ହୋଇଉଠିଥିଲା । ସତରେ କ’ଣ ଏଇ ଗନ୍ଧ ତା’ ନିଜ ଶରୀରର ଗନ୍ଧ ! ଏବେ ହୁଏତ ସେ ଚାହିଁବ ତା’ର ଫେରିଯାଉଥିବା ଆତ୍ମୀୟମାନଙ୍କୁ ଭେଟିବାବୁ । ପଡ଼ୋଶୀମାନେ ନାକରେ ରୁମାଲ୍ ଦେଇ ଆଡ଼େଇଯିବେ । ଥୁ ଥୁ କରିବେ । ନା ସେମିତି ନୁହେଁ ।

 

ବରଂ ଭଲ ହେବ ଆତ୍ମୀୟମାନେ ଯଦି ତାକୁ ସମାଧିସ୍ଥ କରିଦେବେ । ସେଇଠୁ ଫେରିଆସିବା ସବୁଠୁ ଭଲ ହେବ । ବର୍ତ୍ତମାନ ସେ ଚାହୁଁଛି ତା’ର ଶବଠୁଁ ସେ ଅଲଗା ହୋଇଯିବ । ଏବେ ଜାଣୁଛି ସେ ପ୍ରକୃତରେ ମୃତ ଅଥବା ଆଗ୍ରହ୍ୟ ବାବେ ଅନ୍ତତଃ ଜୀବିତ । ଏଥିରେ ବା କ’ଣ ତଫାତ୍ ଅଛି ? ‘ସେଇ ଗନ୍ଧ’ କିନ୍ତୁ କୌଣସି ମତେ ଅପ୍ରତିହତ ଭାବେ ବଳବତ୍ତର ହୋଇରହିଛି ଏ ଯାଏଁ । ସେ ଏଥର ଶେଷ ପ୍ରାର୍ଥନା ଶୁଣିବ ନିଜର ପ୍ରସ୍ଥାନ ସହିତ । ଶେଷ ବିଦାୟରେ ଚର୍ଚ୍ଚ ପୁରୋଧାଙ୍କ ଅସଙ୍ଗତ ଉଚ୍ଚାରଣ ବି । ଧୂଳି ଓ ହାଡ଼ରେ ଭର୍ତ୍ତି ଶାତଳ ସମାଧି ଅଞ୍ଚଳର ଶୀତଳତାର ପ୍ରବେଶ ଘଟିବ ତା’ର ହାଡ଼ ଭିତରେ । ଆଉ ସେଇ ଗନ୍ଧକୁ ସମ୍ଭବତଃ ଟିକେ ଦୂରେଇ ନେବ; କିଏ ଜାଣେ ସେଇ ମୁହୂର୍ତ୍ତର ଆତଙ୍କ ତାକୁ ଦୂରେଇ ନେବ ସମାଧି ପୀଠରୁ । ସେତେବେଳେ ସେ ଅନୁଭବ କରିବ ନିଜ ଝାଳର ଲହଡ଼ିରେ ପହଁରୁଛି, ଗଭୀର ଜଳରେ, ଯେମିତି ପହଁରିଥିଲା ଜନ୍ମ ପୂର୍ବରୁ ତା’ ମା’ର ଗର୍ଭ ଭିତରେ । ସମ୍ଭବତଃ ସେ ବଞ୍ଚିଛି ତା’ ପରେ ।

 

ସମ୍ଭବତଃ ସେ ଏମିତି ଭାବରେ ଅପସରି ଯାଇଛି ଏଇ ଜୀବନ ବୃତ୍ତରୁ ଏବେ; ମୃତ୍ୟୁଠାରୁ ତାହା ଅଧିକ ଶ୍ରେୟ ହୁଏ ।

 

ବି.ଏଲ—୧୦୬, ଭି.ଏସ୍.ଏସ୍. ନଗର

ଭୁବନେଶ୍ଵର—୭୫୧୦୦୪

 

***

 

ସ୍ପେନୀୟ କବିତା ମାଳା

ଅକ୍‍ଟାଭିଓ ପାଜ

 

 

ଆରେକ ମୁହୂର୍ତ୍ତ

 

ମୋ ଶରୀରରେ ଖୋଜ ତୁମେ ପର୍ବତ

ଅରଣ୍ୟ ବକ୍ଷରେ ପୋତି ହେଇ ଯାଇଥିବା ସୂର୍ଯ୍ୟ

ତୁମ ଶରୀରରେ ମୁଁ ଖୋଜେ ମଧ୍ୟ ରାତ୍ରରେ

ଦିଶାହୀନ ନୌକାକୁ ।

 

ପାଣି ଓ ପବନ

ବ୍ୟାପ୍ତିର ଜଳ

ତୁମେ ଝଲସି ଉଠ ବିଜୁଳିର କାମୁକ ଝଲକରେ

ଖେଳିଯାଆ ମୋର ଚିନ୍ତାର ସଂଗୀନ ମୁନରେ

ତୁମେ ମୋର ରକ୍ତର ଅରଣ୍ୟରେ

ବିଚରି ଯାଅ, ମହକିତ ବୀର୍ଯ୍ୟରେ

ଧଳା କଳା ବୃକ୍ଷ ସମୂହ

ତୁମେ ବଂଚିରୁହ

ରାତ୍ରବକ୍ଷରେ ଖଞ୍ଜା ହୋଇଥିବା

ମଣି ଦେହରେ, ଏକ ଲେଲିହାନ ମୁହୂର୍ତ୍ତର

ଅଗ୍ନିକଣା ଭଳି ।

 

କ୍ଷୁଦ୍ର ବିଛଣାଗାରରେ ଆବଦ୍ଧ

ଏକ ଅସୀମ ଶରୀର

ବୃକ୍ଷ ତୁମକୁ ବୋହିନିଏ ଧବଳିତ ଆର୍ତ୍ତନାଦକୁ

ଆରୋହୀ ସବୁଜ ଚାରା

ଡୁବେଇ ଦିଏ ତା ନଖ ମାନଙ୍କୁ

ମୋ ଗ୍ରୀବାର ତଳ ଦେଶରେ

ସମୁଦ୍ର ତୁମ ଚକ୍ଷୁ ଯୁଗଳକୁ

ଛିଂଡ଼େଇ ନଷ୍ଟ କରେ

ଭୂଲୁଣ୍ଠିତ ହୁଏ ବାଲିର ମୀନାର

ଅପସୃୟ ହୁଏ ତୁମ ବିଳାପର ଉଚ୍ଚାଟନ

କୃଷ୍ଣକାୟ ଜଟାୟୁ

ରାବି ଉଠେ ତୁମ ମୃତ୍ୟୁ ଓ ପୁନର୍ଜନ୍ମକୁ

ଦଗ୍ଧ ବନର ମଥାନରେ

ସୂର୍ଯ୍ୟ ଅତିକ୍ରମୁ ଥାଏ

କୁରାଢ଼ୀ ହାତରେ ।

 

ଅନୁବାଦ—ଶ୍ରୀରାମ ଶଙ୍କର ନନ୍ଦ

 

***

 

ସାକ୍ଷାତ୍‍କାର

ସାରସ୍ଵତ ସାଧକ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସହ

Unknown

ଅନ୍ତରଙ୍ଗ ଆଳାପ

ଉପସ୍ଥାପନା: ଡକ୍ଟର ବିଜୟାନନ୍ଦ ସିଂହ

 

ଖ୍ୟାତାନାମା ସାରସ୍ଵତ ସାଧକ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ବିପୁଳ । ସମଗ୍ର ଜୀବନ ତାଙ୍କର ସମର୍ପିତ ଓଡ଼ିଆ ସାହିତ୍ୟର ବିକାଶ ପାଇଁ । ସାରସ୍ଵତ ଚିନ୍ତା ଚେତନାରେ ସଦାସର୍ବଦା ଉଦ୍‍ବେଳିତ ଏହି ସାର୍ଥକ ସ୍ରଷ୍ଟାଙ୍କ କୃତିତ୍ୱ ଓଡ଼ିଆ ସାହିତ୍ୟର ନୂତନ ଝଲକ ସୃଷ୍ଟି କରିଛି । ସେ ଅନେକ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା । ତାଙ୍କ ଗଳ୍ପ ଉପନ୍ୟାସରେ ଆପଣାର ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ପରିଲକ୍ଷିତ ହୋଇଥାଏ । ଜଣେ ସାର୍ଥକ ଔପନ୍ୟାସିକ ଓ ଗଳ୍ପ ଲେଖକ ରୂପେ ତାଙ୍କର ପ୍ରତିଷ୍ଠା ଅବିସମ୍ବିବିତ । ଜୀବନର ବିଭିନ୍ନ ବିଭାଗକୁ ଚିତ୍ରିତ କରିବାରେ ଲକ୍ଷ୍ମୀନାରାୟଣଙ୍କର ଭୂମିକା ଅବିସ୍ମରଣୀୟ । ସୁନିର୍ବାଚିତ କଥାବସ୍ତୁ ଓ ଅପୂର୍ବ ଭାଷାଶୈଳୀରେ ତାଙ୍କ କଥା ସାହିତ୍ୟର ଆତ୍ମପ୍ରକାଶ ।

 

ଆମ ସାହିତ୍ୟରେ ଲକ୍ଷ୍ମୀନାରାୟଣ ପୁଣି ମିନିଗଳ୍ପର ଆଦ୍ୟ ପ୍ରବର୍ତ୍ତକ । କିନ୍ତୁ ଏ ସବୁ ସତ୍ତ୍ଵେ ଅନୁବାଦକ ରୂପେ ଲକ୍ଷ୍ମୀନାରାୟଣ ମହାନ୍ତି ଆମ ସାହିତ୍ୟରେ ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଦେଶବିଦେଶର ବହୁ କାହାଣୀକୁ, ଉପନ୍ୟାସକୁ ସେ ଭାଷାନ୍ତର କରି ବିଶ୍ଵ ସାହିତ୍ୟ, ଦେଶୀୟ ସାହିତ୍ୟ ସହ ଓଡ଼ିଆ ପାଠକଙ୍କ ସମ୍ପର୍କକୁ ନିବିଡ଼ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛନ୍ତି ।

 

ଶାନ୍ତ ସରଳ ଅଥଚ ଦୃଢ଼ ସ୍ନେହୀ ଶ୍ରଦ୍ଧାଳୁ ସାରସ୍ଵତ ସ୍ରଷ୍ଟା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ତାଙ୍କ ଭଦ୍ରକ ନିକଟସ୍ଥ ଜଗନ୍ନାଥପୁର ବାସଭବନରେ ସାକ୍ଷାତ କରିଥିଲେ ଡକ୍ଟର ବିଜୟାନନ୍ଦ ସିଂହ ।

 

 

ନୂଆ ବହି

ଆବେଗ ଓ ବୌଦ୍ଧିକତାର ନିଚ୍ଛକ ସମନ୍ଵୟ

ଘର

ଶ୍ରୀ ରାଜକିଶୋର ଦାସ

 

ବିଂଶ ଶତାବ୍ଦୀର ଶେଷ ପଞ୍ଚମାଂଶରେ ଯେଉଁ କେତେଜଣ ଯୁବ ଗାଳ୍ପିକ ଓଡ଼ିଆ ଗଳ୍ପ ସୃଷ୍ଟିରେ ମାଇଲ୍ ଖୁଣ୍ଟି ସ୍ଥାପନା କରି ଏକବିଂଶ ଶତାବ୍ଦୀ ଆଡ଼କୁ ପାଦ ବଢ଼ାଇଛନ୍ତି, ସେମାନଙ୍କ ମଧ୍ୟରେ ଗାଳ୍ପିକ ଶ୍ରୀ ଗୌରହରି ଦାସଙ୍କ ସ୍ଥାନ ସ୍ଵତନ୍ତ୍ର । ଏକାଧାରାରେ ଜଣେ ଗାଳ୍ପିକ, ଔପନ୍ୟାସିକ ଓ ସ୍ତମ୍ଭକାର ରୂପେ ଶ୍ରୀ ଦାସ ସାଂପ୍ରତିକ ଓଡ଼ିଆ ପାଠକଙ୍କ ନିକଟରେ ସୁପରିଚିତ । ଗୌରହରିଙ୍କ ଆଖଡ଼ା ଘର, ସ୍ଵପ୍ନ ପାଇଁ ରାତି କାହିଁ, ଭାରତବର୍ଷ, ମାଟି କଣ୍ଢେଇ, ପୁନରାବୃତ୍ତି, ଶେଷବାଜି, ମାୟା ଭଳି ଗଳ୍ପ ସଂକଳନ, ଜୀବନର ଜଳଛବି, ଚିହ୍ନା ଚୌହଦୀ ଓ ଭିନ୍ନଭୂମିକା ପରି ଫିଚର ସଂକଳନ, ଛାୟା ସୌଧର ଅବଶେଷ ଏବଂ ନିଜ ସଙ୍ଗେ ନିଜ ଲଢ଼େଇ ଭଳି ଉପନ୍ୟାସ ଓ ପ୍ରଥମ ପ୍ରବାସ ପରି ଭ୍ରମଣ କାହାଣୀ ଜରିଆରେ ସେ ପାଠକଙ୍କର ଖୁବ୍ ନିକଟତର ହୋଇ ପାରିଛନ୍ତି । ଆଲୋଚିତ ସଂକଳନ ‘ଘର’ ଶ୍ରୀଦାସଙ୍କର ସଦ୍ୟ ପ୍ରକାଶିତ ସଂକଳନ ।

 

ଘର ସଂପର୍କରେ ଖୁବ୍ ସୁନ୍ଦର ଓ ବାସ୍ତବ କଥା କୁହନ୍ତି କଥାକାର—“ନିତି ନିତି ଘର ତିଆରି ହେଉଥାଏ, ନିତି ନିତି ଘର ଭାଙ୍ଗି ଯାଉଥାଏ । ଘର ତିଆରି ହେଉଥାଏ, ମାଟିକାଦୁଅ, କାଠ, ବାଉଁଶ, ନଡ଼ା, ଆଜବେଷ୍ଟସ୍, ଇଟା, ସିମେଣ୍ଟ, କଂକ୍ରିଟ୍, ସ୍ନେହ, ଶ୍ରଦ୍ଧା, ଆଶା ଓ ବିଶ୍ଵାସର ସହଯୋଗରେ । ଘର ଭାଙ୍ଗି ଯାଉଥାଏ ଭୂମିକମ୍ପ, ଝଡ଼ ତୋଫାନ୍, ନିଆଁ, ପବନ, ବଢ଼ି, ମରୁଡ଼ି, ଅନାହାର, ଅନାଦର, ଈର୍ଷା ଓ ସନ୍ଦେହର ଆଘାତରେ ।

 

କେବେ ଗୋଟିଏ ଘର ଭାଙ୍ଗି ଆଉ ଗୋଟିଏ ଘର ଗଢ଼ାଯାଏ । କେବେ ଗୋଟିଏ ଘର ଭାଙ୍ଗି ଆଉ ପାଞ୍ଚଟା ଘର ଗଢ଼ିଉଠେ । କେବେ ପୁଣି ଗୋଟିଏ ଗୋଟିଏ ଘର ଭାଙ୍ଗି ଦିଆଯାଏ ।

 

ଏମିତି ଘର ତିଆରି ଚାଲିଥାଏ । ଘର ଭଙ୍ଗା ବି । ଘର ତୋଳୁଥାଏ ଘର । ଘର ଭାଙ୍ଗୁଥାଏ ଘର । ଘର ସଜାଡ଼ି ଦେଉଥାଏ ଘର, ଘର ସଜାଡ଼ି ଦେଉଥାଏ ଘର ।

 

ସର୍ବମୋଟ ବାରଟି ଗଳ୍ପକୁ ନେଇ ସଂକଳନ ‘ଘର’ । ‘ଘର’ରୁ ‘ପୂର୍ଣ୍ଣିମାର ପ୍ରତିଶୃତି’ ସମସ୍ତ ଗଳ୍ପ ନିଜ ନିଜ ସ୍ଵାତନ୍ତ୍ର୍ୟକୁ ନେଇ ସ୍ଵଂୟ ସଂପୂର୍ଣ୍ଣ । ‘ଘର’ ଗଳ୍ପରେ ନାୟକଙ୍କ ବାପା ମାନଗୋବିନ୍ଦଙ୍କ ଗାଁରେ ଘରଟିଏ ତିଆରିବାର ସ୍ଵପ୍ନ କଥା କହନ୍ତି । ନିଚ୍ଛକ ଜୀବନାନୁଭୂତି ଭିତରେ ଗାଁ ରେ ଶୈଶବକୁ ଆଡ଼େଇ ତିନି ଭାଇ ସହରକୁ ଆସନ୍ତି , ବାପା ବୋଉଙ୍କ ସାଙ୍ଗରେ । ସେଠି ପାଠପଢ଼ି ମଣିଷ ହେବା ସାଙ୍ଗକୁ ବାହା ହେଇ ସଂସାର ମଧ୍ୟ କରନ୍ତି । କୌଣସି ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟେ ମଝିଆ ଭାଇର । ବାପାଙ୍କ ଅଜଣାତରେ ଘର ତିଆରି ହୁଏ ଭୁବନେଶ୍ଵରରେ । କିନ୍ତୁ ବାପାଙ୍କ ସ୍ଵପ୍ନ ଗାଁରେ ଘରଟିଏ କେମିତି ତିଆରି ହେବ । ତିନି ଭାଇଙ୍କ ତିନି ବଖରା । ଠାକୁର ଘର, ରୋଷେଇ ଘର, ଅଗଣାରେ ତୁଳସୀ ଚଉଁରା । କିନ୍ତୁ ବାପାଙ୍କ ସ୍ଵପ୍ନ ଚିର ଅବହେଳିତ ହେଇ ରହିଯାଏ । ସିଏ ପାଗଳ ପ୍ରାୟ ଦିଶନ୍ତି । ଦିନେ ଗାଁର ସେଇ ଭିଟାମାଟିରେ ଆଖି ବୁଜନ୍ତି ଚିରଦିନ ପାଇଁ ଯେଉଁ ଆଖି ଆଉ କେବେ ସ୍ଵପ୍ନ ଦେଖିପାରେନି ଘର ତିଆରିର । ଏପରି ଏକ ବିୟୋଗାତ୍ମକ ଦୃଶ୍ୟ ସହ ଗପଟିର ପରିସମାପ୍ତି ଘଟେ । ଘଟଣାର ନୂତନତ୍ଵ ନ ଥିଲେ ବି ଏହାର ଉପସ୍ଥାପନା ଓ ଭାଷାର ବ୍ୟଞ୍ଜନା, ନିକଟ ଗାଁର ନିଚ୍ଛକ ଦୃଶ୍ୟ, ଲୋକ ମୁଖର ଶବ୍ଦରାଜି, ବାପାଙ୍କ ସ୍ଵଭାବ ଓ ପ୍ରକୃତି ସହ ପୁଅର ବିବଶତାକୁ ଖୁବ୍ ପ୍ରାଣବନ୍ତ ଭାବେ ଉପସ୍ଥାପନା କରିଛନ୍ତି ଗାଳ୍ପିକ ଗୌରହରି ।

 

ଗଳ୍ପଟିର ଖୁବ୍ ସୁନ୍ଦର ଧାଡ଼ିଟିଏ “ମଣିଷ ସବୁବେଳେ ମରଣ, ବାର୍ଦ୍ଧକ୍ୟ ଓ ବ୍ୟାଧିର ଆଶଙ୍କାରେ ଜିଇଁଥାଏ ।“

 

+ + +

 

‘ତା’ ଛଡ଼ା ଗ୍ୟାସ୍ କାର୍ଡ଼, ପାଶ୍‍ବୁକ୍ ଓ ଜମିଜମା କାଗଜ ପତ୍ର ପରି ବାପାଙ୍କ ପ୍ରେସକ୍ରିପସନ୍‍କୁ ମୁଁ କେବେ ସେତିକି ଗୁରୁତ୍ଵ ଦେଇ ନଥିଲି ।’’

 

କାଚ କଣ୍ଢେଇ, ପଞ୍ଜୁରୀ, ଉର୍ମିଳା ପ୍ରଭୃତି ଗଳ୍ପ ଭାବପ୍ରବଣତାର ବଶବର୍ତ୍ତୀ । ସାଙ୍ଗକୁ ଅଳନ୍ଧୁ, ଚଉକି ପ୍ରଭୃତି ଗଳ୍ପ ସାମାଜିକ ଚଳଣି ପ୍ରତି କଟୁ ଆକ୍ଷେପ କରୁଛି ଯେଉଁଥି ପାଇଁ ସେଗୁଡ଼ିକ ଯଥାର୍ଥରେ ସୁଖପାଠ୍ୟ ।

 

ସଂକଳନଟିର ଶେଷ ଗଳ୍ପ ‘ପୂର୍ଣ୍ଣିମାର ପ୍ରତିଶ୍ରୁତି’ ବୌଦ୍ଧଯୁଗୀୟ କାହାଣୀର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ । ଶବ୍ଦ, ସଂଳାପ ସବୁଠାରେ ମଧ୍ୟଯୁଗୀୟ ଛାପ ଏବଂ ଗପଟିରେ ଚିରନ୍ତନ ମୂଲ୍ୟବୋଧର ଛାପ ସହଜରେ ଅନୁମେୟ । ଗାଳ୍ପିକ ପୁରୁଣା କଥାବସ୍ତୁକୁ ନେଇ ନିଜ ଭାବାମୟ ଆତିଶଯ୍ୟରେ ଏକ ସୁନ୍ଦର ଚିତ୍ର ତୋଳି ଧରିଛନ୍ତି ତାଙ୍କ ପାଠକଙ୍କ ସକାଶେ । ବୁଦ୍ଧତ୍ଵ ପ୍ରାପ୍ତି ପରେ କାରୁଣିକ ଗୌତମ ପ୍ରଥମଥର ପାଇଁ ଫେରୁଛନ୍ତି କପିଳବାସ୍ତୁ । ବାପା ଶୁଦ୍ଧୋଦନ ସମେତ ସମସ୍ତ ରାଜ୍ୟବାସୀ ଅପେକ୍ଷାରତ ଗୌତମଙ୍କ ଆଗମନକୁ । ସମଗ୍ର ରାଜ୍ୟ, ରାଜପ୍ରାସାଦ ସୁସଜ୍ଜିତ କିନ୍ତୁ ଗୌତମ ଆସନ୍ତି ଲଣ୍ଡିତ ମସ୍ତକ, ଗୈରିକ ବସନ ଆଉ ଭିକ୍ଷୁ ବେଶରେ । ଭିକ୍ଷା ହିଁ ପାଥେୟ । ବାପା ଓ ସ୍ତ୍ରୀଙ୍କ ପ୍ରଶ୍ନରେ ସ୍ତବ୍ଧ ଗୌତମ ।

 

“ସଂକଳ୍ପ ଯଦି ଏତେ ଦୃଢ଼ ଓ ଅଙ୍ଗୀକାର ଓ ଏତେ କଠୋର, ତାହାହେଲେ ପ୍ରଭାତର ସୂର୍ଯ୍ୟାଲୋକ ପର୍ଯ୍ୟନ୍ତ ଅପେକ୍ଷା ନ କରି ରାତି ଅନ୍ଧକାରରେ କାହିଁକି ସିଦ୍ଧାର୍ଥ ପଳାୟନ କରିଥିଲେ-?”

 

“କିନ୍ତୁ ନିର୍ବାଣର କାମନା କ’ଣ ସ୍ଵଂୟ ଏକ କାମନା ନୁହେଁ ?” “ଜଣେ ଶୁଦ୍ଧୋଦନକୁ ଆପଣ ଭୁଲି ଯାଆନ୍ତୁ, ଜଣେ ଯଶୋଧାରା ଓ ଜଣେ ରାହୁଳକୁ ଆପଣ ଭୁଲିଯାଆନ୍ତୁ, ଦୁଃଖ ନାହିଁ ଆଉ କୌଣସି ପିତା ମାତାଙ୍କ ବିନା ଅନୁମତିରେ ଆପଣ ଜଣେ ହେଲେ ଶିଷ୍ୟ ଗ୍ରହଣ କରନ୍ତୁ ନାହିଁ-। ଏହା ଏକ ମାଆର ଅନୁରୋଧ । ତଥାଗତ ଆପଣ ସଂକଳ୍ପ କରନ୍ତୁ ।’’

 

ସଂକଳନଟିର ମୁଦ୍ରଣ, ବନ୍ଧେଇ ଓ ରଙ୍ଗିନ ପ୍ରଚ୍ଛଦ ପାଠକ ପାଠିକାଙ୍କ ଦୃଷ୍ଟି ଆକର୍ଷଣ ଦିଗରେ ନିଜର ସକ୍ଷମତା ଜାହିର୍ କରିବ ନିଶ୍ଚୟ ।

 

***

 

ୟୁକେଲିପ୍ଟସ୍

(ହିନ୍ଦି ଗଳ୍ପ ସଂକଳନ)

ସୂର୍ଯ୍ୟଦେଓ

 

ଯେ କୌଣସି ଲେଖାର ଶାବ୍ଦିକ ଉପାଦାନ ହେଉଛି ଭାଷା ଓ ଲେଖାର ତତ୍ତ୍ଵ ଭାଷା ଦେଇ ହିଁ ଉଜାଗର ହେଉଥିବା ହେତୁରୁ ଶୈଳୀବିଜ୍ଞାନୀମାନେ ଭାଷାଗତ ଉପାଦାନରେ ହିଁ ବିଶ୍ଵାସ କରନ୍ତି-। ଭାବନାତ୍ମକ ଗଳ୍ପରେ ବିଶେଷ କରି ଭାଷା ହିଁ ଭାବନା ବା ଅନୁଭୂତିକୁ ପାଠକ ମନରେ ଗଭୀର ଭାବରେ ସଂଚାରେ, ଅନୁଭୂତି ଭାବନାର ବିସ୍ତାର ଓ ସମ୍ପ୍ରସାରଣକୁ ଭାଷା ଓ ଶୈଳୀ ହିଁ ରମଣୀୟ କରେ: ଜି.ଡବ୍ଲୁ,ଟର୍ଜର (ଗ୍ରନ୍ଥ :ଷ୍ଟାଇଲିଷ୍ଟିକ୍, ପେଙ୍ଗୁଇନ୍ ବୁକ୍ସ, ପ୍ରକାଶ କାଳ :୧୯୭୩)

 

‘ୟୁକେଲିପ୍ଟସ୍’ରେ ସଙ୍କଳିତ କୋଡ଼ିଏଟି ଯାକ ଗଳ୍ପ କାହାଣୀ ପ୍ରଧାନ ନୁହେଁ, ଭାବନାତ୍ମକ ଗଳ୍ପ । ଭାବନାତ୍ମକ ଗଳ୍ପର ସାଧାରଣ ଭାବରେ ଦୁଇଟି ଦିଶା ରୁହେ, ଭାବନାକୁ ପାଠକ ମନରେ ଚହଲାଇ ଦେବାପାଇଁ କାହାଣୀର ପରିକଳ୍ପନା, ଚରିତ୍ର ଓ ଘଟଣା ଏଠି ଗୌଣ ରୁହେ ଓ ଦ୍ଵିତୀୟରେ କୌଣସି ଦର୍ଶନକୁ, ବ୍ୟକ୍ତବ୍ୟକୁ କାହାଣୀ ରୂପ ଦେବାପାଇଁ ଚରିତ୍ର, ଘଟଣାର କଳ୍ପନା କରାଯାଏ । ‘ୟୁକେଲିପ୍ଟସ୍’ ଗଳ୍ପ ସଂକଳନରେ ଉଭୟ ଭାବନା ଓ ବକ୍ତବ୍ୟରେ ପାଠକକୁ ଚହଲାଇବା ପାଇଁ ଗଳ୍ପ ଗାଳ୍ପିକ ଗୁନ୍ଥିଛନ୍ତି କିନ୍ତୁ ଭାଷା ଉପରେ ଦଖଲ ନଥିବା ଯୋଗୁ ଏକଦମ୍ ବର୍ଣ୍ଣନାଶ୍ରୟ ଭାଷା ଯୋଗୁ ଗପଗୁଡ଼ିକ ସ୍ମରଣୀୟ ହୋଇ ରହିବା ପରି ଲାଗେନାହିଁ ।

 

ସଂକଳନରେ ଅସଂଖ୍ୟ ପରିପୂରକ ଭାବନାକୁ ଗାଳ୍ପିକ ଗପରେ ଉତ୍ତାରନ୍ତି । ଗପ ସବୁର ପରିଚ୍ଛେଦ ତତ୍ତ୍ଵ /ଗଠନ କୌଶଳକୁ ଯଦି ଉଖୁରା ହୁଏ ତେବେ ସବୁ ଭାବନା ଓ ଚରିତ୍ର ବିଶ୍ଲେଷଣର ମଞ୍ଜ ହେବ : ମଣିଷର ଅହଂ । ତେବେ ସମୟ ଓ ଘଟନାର ବ୍ୟବଧାନକୁ ନେଇ ଗପରେ ବିରତି ରହିବା ଖୁବ୍ ତରୁରୀ । ଗଳ୍ପ ଗଠନ ଶୈଳୀ ଯଦିଚ ଲେଖକଙ୍କର ନିଜସ୍ଵ ତଥାପି ଘଟଣା ଓ ସମୟର ସମନ୍ଵୟ ଟିକକ ତହିଁରେ ରହିବା ଜରୁରୀ । ଗାଳ୍ପିକଟିଏର ବିଷୟ ଚୟନ, ଭାଷା ଓ ପ୍ରକରଣର ସମଷ୍ଟିକୁ ନେଇ ତ ଗଳ୍ପ । ଭାଷା ସୃଷ୍ଟି ଏକ ଜଗତ । ଏଣୁ ଗଳ୍ପଟିର ବିଷୟ ଓ ବାକ୍ୟ ଯେତେ ସମ୍ପର୍କିତ ସେତେ ପରିପୂରକ’ । (ଡାଭିଡ୍ ଲଜ୍: ଲାଙ୍ଗୁଏଜ ଅଫ୍ ଫିକ୍ସନ୍)

 

ସାମାଜିକ ଓ ରାଜନୈତିକ ବିସଂଗତି ପ୍ରତି ଆକ୍ରୋଶ ଓ ବ୍ୟକ୍ତିପୀଡ଼ା ପ୍ରମୋଦ କୁମାର ଅଗ୍ରଓ୍ଵାଲଙ୍କ କାହାଣୀରେ ସ୍ପଷ୍ଟ ହୁଏ ବୋଲି ଅନ୍ତଃ ପରିଚ୍ଛେଦରେ କୁହାଯାଇଛି । ତାଙ୍କ ରଚନାରେ ପରିବାର, ସମାଜ ତଥା ରାଷ୍ଟ୍ରର ଚିନ୍ତା ଏକ ସହ ଉଜାଗର ହୁଏ ବୋଲି ଉଲ୍ଲେଖ ବି କରାଯାଇଛି । କିନ୍ତୁ ଗଳ୍ପତକ ପଢ଼ିସାରିଲା ପରେ ଏ ଲେଖାତକ ମିଛ ମିଛ ମନେହୁଏ । ବିଷୟ ଚୟନ, ଭାଷାର ପ୍ରୟୋଗରେ ଗାଳ୍ପିକ ଏବେ ଦୁର୍ବଳ ଯେ କାହାଣୀ କେତେବେଳେ କେଉଁମୋଡ଼ ନେଉଛି ଜାଣିହୁଏ ନାହିଁ ଓ ପାଠକ ଦିଶାହୀନ ହେବାର ସମ୍ଭାବନା ରହିଛି । ନମୁନା ସ୍ଵରୁପ କେତୋଟି ଗଳ୍ପର ଉଦ୍ଧୃତାଂଶ ପାଠକ/ପାଠିକାଙ୍କୁ ଗଳ୍ପ ସମ୍ପର୍କରେ ମୋଟାମୋଟି ଧାରଣା ଦେଇପାରେ ଯେହେତୁ କୋଡ଼ିଏଟି ଯାକ ଗଳ୍ପ କାହାଣୀ ପ୍ରଧାନ ନୁହେଁ; ଭାବନାତ୍ମକ । ଭାବନାକୁ ଉଜାଗର କରିବାରେ ଶୈଳୀ ମଧ୍ୟ ଗାଳ୍ପିକଙ୍କର କଞ୍ଚା ଯେମିତି: ତୁମ୍ ନେହିଁ ସମଝ୍‍ତୀଁ ହେତେ । ସମାଜକେ ମୁଲ୍ୟୋଁକୋ ଏକ ଦିନ୍ ମେଁ ନେହି ବଦଳା ଯା ସକ୍ ତା । ଆଜ୍‍ ଭି ସମାଜ ରିସ୍ଵକ୍ତଖୋର, କଳାବଜାରୀ ଏବଂ ଅବୈଧ କାମ କରନେଁ ବାଲୋଁକୋ ହେୟ ଦୃଷ୍ଟି ସେ ଦେଖତା ହେ ++++ କ୍ୟୋଁ କି ୟହ ବର୍ଗ ଖାଓ, ପିଓ ଔର ମୌଜ ଉଡ଼ାଓ ମେଁ ବିଶ୍ଵାସ ରଖତା ହେ । (ବିଧିକା ବିଧାନ) । ପୁଣି ‘ଉସକୀ ଜୀବନ ଉର୍ଜା ହେ- ଅଳ୍ପାଂଶ କାର୍ଯ୍ୟାଳୟ କା ସାହାରା ଏବଂ ବଛୋଁଦ୍ଵାରା ପ୍ରେମ ଔର ସମ୍ମାନ’ (ଚାନ୍ଦି କା ଯୁଗ) । ସାଧାରଣତଃ ଭାବନାତ୍ମକ ଗଳ୍ପରେ ଶବ୍ଦ ସଂଯୋଜନା , ବାକ୍ୟ ପ୍ରକରଣ, ଚରିତ୍ରର ମାପଚୁପ୍‍ ଭାଷା ସହ ରୂପକଳ୍ପ ଓ ଉପମାର ପ୍ରୟୋଗ କରନ୍ତି ତାହା ହିଁ ବେଶୀ ହତାଶ କରେ । ଗଳ୍ପ ସଂକଳନଟି ପଢ଼ିଲା ବେଳେ ଆଉ ଏକ ପ୍ରଶ୍ନ ଉଠେ ୟୁକେଲିପ୍ଟସ୍ ଗଳ୍ପ ଗଛର ରଚୟିତା ନିଜର ଦର୍ଶନକୁ ଥୋପିବାକୁ ଯାଇ ଏ ସବୁ ଗଳ୍ପ ଲେଖିଛନ୍ତି ବା ଗଳ୍ପ ଲେଖୁ ଲେଖୁ ଏସବୁ ଦର୍ଶନ ତାଙ୍କର କଲମ ମୁନକୁ ଆସିଛି ?? ଉତ୍ତର ଜାଣିବାର ଉପାୟ ହିଁ ନାହିଁ ! ଏହିସବୁ ଦର୍ଶନ ଓ ଉକ୍ତିର ଗଳ୍ପର ବିଷୟବସ୍ତୁ ସହ କୌଣସି ସମ୍ପର୍କ ହିଁ ରଖୁନାହିଁ । ଏହା ଗଳ୍ପସବୁର ଆଉ ଏକ ହତାଶ ପଣ !

 

‘ବିସଂଗତିଲାଁ’ ଗଳ୍ପରେ ନାୟକ ଅବସରପ୍ରାପ୍ତ ପୁଲିସ୍ ଅଧିକ୍ଷକ ଠାକୁର ବିକ୍ରମ ସିଂହଙ୍କ ସହ ପତ୍ନୀଙ୍କର ଭାବଧାରାର କୌଣସି ମେଳନାହିଁ । ପତ୍ନୀ ବସ୍ତୁବାଦୀ, ପତି ନୁହଁନ୍ତି । ବୈବାହିକ ଜୀବନର ଏହି ଅମେଳକୁ ଦେଖାଇବାକୁ ଯାଇ ଗାଳ୍ପିକ ବିକ୍ରମ ସିଂହଙ୍କ ପୁଅକୁ ମା ପକ୍ଷରେ କହିଛନ୍ତି, ବିବାହିତା ଝିଅକୁ ବାପା ପକ୍ଷରେ । ମା’ ନିଜ ସହରରେ ପବ୍ଲିକ୍ ସ୍କୁଲଟିଏ ଖୋଳନ୍ତି ଓ ଝିଅ ନିଜର ସ୍ଵାମୀର ସହରରୁ ଆସି ସେହି ସହରରେ ମାଷ୍ଟ୍ରାଣୀ ହୁଏ । କାରଣ କ’ଣ ? ଗଳ୍ପରେ ନାହିଁ । ଦ୍ଵନ୍ଦ୍ଵ ଆରମ୍ଭ ହୁଏ ମା-ଝିଅ ମଝିରେ । ବିକ୍ରମ ସିଂହ ଝିଅ ନାଁ ରେ କିଛି ସମ୍ପତ୍ତି କରି ଆରପୁରକୁ ଚାଲିଯାଆନ୍ତି । ମା’ ଝିଅଠୁ ସେ ସମ୍ପତ୍ତି ହଡ଼ପ କରିବାରେ ସଫଳ ହୁଏ ଓ ଝିଅ ମାଲିମକଦମା କରି ସେ ସମ୍ପତ୍ତି ନିଜ ନାଁକୁ ବି ଆଣିବାକୁ ସଫଳ ହୁଏ । ଏହି ଆଧାରକୁ ନେଇ ଗାଳ୍ପିକ ଗଳ୍ପରେ ପରଶନ୍ତି ନିଜ ସାମାଜିକ ଦର୍ଶନତତ୍ତ୍ଵ । ଏ ଗଳ୍ପରେ ପାରିବାରିକ ଜୀବନର ଅହଂକୁ ଉଖାରନ୍ତି ଗାଳ୍ପିକ ସାଧାରଣରେ, ଭାବନା ଓ ଉପସ୍ଥାପନାରେ କୌଣସି ଚମକ ନାହିଁ । ପରବର୍ତ୍ତୀ ଗଳ୍ପ ବିଧିର ବିଧାନରେ ମଧ୍ୟ ସେହି ଅହଂର ଖେଳ । ସ୍ଵାମୀ ଏଡ଼ସ୍ ଗ୍ରସ୍ତ । ପତ୍ନୀକୁ ସେ ବାର ବାର ଉପେକ୍ଷା କରି ଆସିଛି ଆଗରୁ । ପତ୍ନୀ ମଧ୍ୟ ବିବଶ ହୋଇ ଅନ୍ୟର ସମ୍ଭୋଗ ଲୋଡ଼ିଛି ଅହଂରେ । ଏଡ଼ସ୍ ଗ୍ରସ୍ତ ସ୍ଵାମୀ ଏକ ଦୁର୍ବଳ ଭାବନାତ୍ମକ ମୁହୂର୍ତ୍ତରେ ନିଜର ଗହନ କଥା ସବୁକୁ ମୁକୁଳାଇ ଦେଉଛି ପତ୍ନୀ ସାମ୍ନାରେ । ପତ୍ନୀ କିନ୍ତୁ ନିଜ କଥା କହିପାରୁ ନାହିଁ ସଙ୍କୋଚରେ, ନିଜର ଅହଂକୁ ମୁକୁଳାଇ ପାରୁନାହିଁ ସ୍ଵାମୀଠି । ଏହି ଗଳ୍ପଟି ସମ୍ଭବତଃ ‘ୟୁକେଲିପ୍ଟସ୍’ର ଏକମାତ୍ର ପ୍ରଭାବଶାଳୀ ଗଳ୍ପ ।

 

ଦୈହିକ ଆବେଗ ଓ ପ୍ରେମକୁ ନେଇ ସଂକଳନରେ ଆଉ ଏକ ଗଳ୍ପ ‘ମୃତ୍ୟୁବରଣ’ । ନିଜକୁ ସବୁବେଳେ ନିସଙ୍ଗ ମନେକରୁଥିବା ତରୁଣ ଅଜୟ ସେତେବେଳେ ପୁଲକେ ଯେବେ ତା’ ଜୀବନରେ ଭାଉଜ ଆସନ୍ତି, ତା’ ନିଜ ଭାଉଜ । ଅନ୍ତରଙ୍ଗ ହେବା ଅର୍ଥ ଅଜୟ ବୁଝେ ଶାରୀରିକ ଲୋଲୁପତା ଓ ଭାଉଜ ଠୁ ସେ ତାହା ହିଁ ଦାବି କରେ । ଭାଉଜ ଚୁପ ରୁହନ୍ତି । ମିଳନ ନ ଘଟିଲେ ଅଜୟ ଆତ୍ମହତ୍ୟା କରିଦେବାର ଧମକ ଦିଏ ଓ ଆତ୍ମହତ୍ୟା କରିଦିଏ । ଭାଉଜ ଅଜୟର କଥା ରଖିପାରି ନ ଥିବାରୁ ମନସ୍ତାପ କରନ୍ତି । ମୃତ୍ୟୁବରଣର ଏହି ଅବାସ୍ତବତା ଗଳ୍ପରେ ଏକ ବିକୃତ ମାନସିକତାକୁ ଦର୍ଶାଏ କିନ୍ତୁ ମନସ୍ତାତ୍ତ୍ଵିକ ଦିଗକୁ ଜମାରୁ ଛୁଇଁ ନାହାନ୍ତି ଗାଳ୍ପିକ ।

 

ଏହି ଗଳ୍ପ ସଂକଳନର ସବୁଠୁ ଦର୍ଶନ ଓ ଲେଖକଙ୍କର ଅନୁଭବ, ଅନୁଭୂତି ନ ଥାଇ ଲେଖୁଥିବା ଗଳ୍ପ ହେଉଛି ‘ପଥ୍‍ର ବୋଲତା ହୈ’। ଓଡ଼ିଶାର ଶିଳ୍ପୀ ଜୀବନକୁ ଆଧାର କରିଥିବା ଏ ଗଳ୍ପର ନାୟକ ତିଲୋଚନ ଭୋଇ । ସେ କୋଣାର୍କ ପାଖ ଗୋପ ନାଁରେ ରୁହେ । ଗୋପ ଗାଁରେ ବହୁ ମୂର୍ତ୍ତି କଳାକାର । ନିତ୍ୟାନନ୍ଦର ଆଗ୍ରହ କୋଣାର୍କର ମୌନମୂର୍ତ୍ତି ପ୍ରତି । ଏ ସମ୍ପର୍କରେ ସେ ଅଧିକ ଜାଣିବାକୁ ଚାହେଁ ଓ ଜାଣେ ଯେ କାମବାସନାର ବ୍ୟର୍ଥତା ପାଇଁ ଏହି ମୂର୍ତ୍ତି । ସଂଯମତା ପାଇଁ ଏହି ମୂର୍ତ୍ତି । ସେ ଏହି ପରମ୍ପରାକୁ ଆଗେଇ ନେବାର ଉଦ୍ଦେଶ୍ୟ ରଖେ । ସଂସାରକୁ ସଂଯମର ବାର୍ତ୍ତା ଦେବାକୁ ବ୍ୟଗ୍ର କୁହେ । ତା’ ମତରେ କଳା କଳା ପାଇଁ ନୁହେଁ, କଳା ପୃଥୀ ପାଇଁ । ସେ ବହୁ ସୃଜନଶୀଳ ବ୍ୟକ୍ତିଙ୍କୁ ଭେଟେ ଏହି ପରମ୍ପରାକୁ ଆଗେଇ ନେବାପାଇଁ କୁହେ । ଥରେ ତା’ର ଦେଖାହୁଏ ଜଣେ ବିଦୁଷୀ ସାହିତ୍ୟିକାଙ୍କ ସହ ଯିଏ ଦ୍ରୌପଦୀ ଚରିତ୍ରକୁ ଓଡ଼ିଆ ଭାଷାରେ ନୂଆଚରିତ୍ରରେ, ନୂଆ ପରିବେଶରେ ପ୍ରସ୍ତୁତ କରିଥାନ୍ତି । ନିତ୍ୟାନନ୍ଦ ଓ ସେ ଓଡ଼ିଶାର ନିରୀହ, ନିର୍ଦ୍ଧନ ଓ ଅଭାବଗ୍ରସ୍ତ ଜନତାଙ୍କ ପାଇଁ କିଛି କରିବାକୁ ଚାହାନ୍ତି ଓ ସେଥିପାଇଁ ବାହା ହୋଇଯାନ୍ତି । ଶ୍ରୀମତୀ ପ୍ରତିଭା ଭୋଇ ଓ ନିତ୍ୟାନନ୍ଦ ଭୋଇ ଏକ ପତ୍ରିକା ‘ସମାଜ’କୁ ପ୍ରକାଶିତ କରନ୍ତି । ସ୍ତ୍ରୀ-ପୁରୁଷର ସମ୍ବନ୍ଧକୁ ପୁଣିଥରେ ପରିଭାଷିତ କରିବାର ଉଦ୍ୟମ କରନ୍ତି । ଓ ସମ୍ପର୍କ ଲେଖା ଲେଖନ୍ତି, ଗୁଢ଼ ମନ୍ତ୍ରଣା କରନ୍ତି । ପ୍ରସ୍ତର କଳାର ଉନ୍ନତି ପାଇଁ ଭିନ୍ନ ଭିନ୍ନ ଉଦ୍ୟମ କରନ୍ତି । ଅଳିଆରୁ ମୂର୍ତ୍ତି ତିଆରି କରି ପ୍ରସ୍ତରକଳାର ଭିନ୍ନ ଦିଶାକୁ ଉଜାଗର କରନ୍ତି । ଭାରତର ପ୍ରସ୍ତର କଳା କେବଳ ବାତ୍ସାୟନଙ୍କ କାମସୂତ୍ର ନୁହେଁ ସୁମଣିଷ ସୁଖୀ ଓ ଦୀର୍ଘ ଜୀବନ ବ୍ୟତିତ କରିବାର ଏକ ମାର୍ଗ, ଏହାର ସଂକ୍ଷିପ୍ତ ଓ ବୈଜ୍ଞାନିକ ବାଖ୍ୟା କରନ୍ତି । ଏ ବହି, ବାଖ୍ୟା ବିଶ୍ଵରେ ବେଷ୍ଟ ସେଲର ହୁଏ । କ’ଣ ଏ ଗଳ୍ପର ମାନେ ? ଉଦ୍ଦେଶ୍ୟ ? ଏ ଗଳ୍ପ ପଢ଼ି ସାରିଲା ପରେ ଅନ୍ୟ କୌଣସି ଗଳ୍ପ ପଢ଼ିବାକୁ ଇଚ୍ଛା ହିଁ ହେବନାହିଁ । ଗଳ୍ପର କାରିଗରୀ ବିଷୟଚୟନ ଉପରେ କୌଣସି ଧାରଣା ହିଁ ନାହିଁ ଗାଳ୍ପିକଙ୍କର । ଏହି ଗଳ୍ପ ସଂକଳନର ନାଁ ଯେଉଁ ଗଳ୍ପକୁ ନେଇ ସେ ଗଳ୍ପ ମଧ୍ୟ ଦୁର୍ବଳ । ୟୁକାଲିପ୍ଟସ୍‍କୁ ନେଇ ଗବେଷଣା କରୁଥିବା ଦୁଇଜଣ ସ୍ତ୍ରୀ ପୁରୁଷଙ୍କୁ ନେଇ ଗଳ୍ପ ଓ ଏହି ଗଳ୍ପର ମଧ୍ୟ ମାନେ କିଛିନାହିଁ ।

 

ସଂକଳନରେ ସ୍ଥାନିତ କୋଡ଼ିଏଟି ଯାକ ଗଳ୍ପରେ କାହାଣୀବିନ୍ୟାସରେ ଭାରସାମ୍ୟ ନାହିଁ । ଗଳ୍ପର ପରିଣତିକୁ ଟାଣି ଓଟାରି ଶେଷ କରି ଦିଆଯାଇଛି । ଆଧୁନିକ ଛୋଟ ଗଳ୍ପ, ଭାଷା ଓ ଆଙ୍ଗିକ ଦୃଷ୍ଟିକୁ ଆଧୁନିକ କବିତା ସହ ଯେତିକି ଘନିଷ୍ଠ ଗଠନ କଳା ଦୃଷ୍ଟିରୁ ଆଧୁନିକ ନାଟକ ସହ ସେତିକି ପାଖାପାଖି । କ୍ଷୁଦ୍ର ଗଳ୍ପର ନାଟକୀୟ ପରିସମାପ୍ତି ହିଁ ତା’ର ସାର୍ଥକତା ବୋଲି ସମର ସେଟ୍‍ମମ୍ କେଉଁ କାଳରୁ କହିସାରିଛି । ପ୍ରମୋଦ କୁମାର ଅଗ୍ରଓ୍ଵାଲ କବିତା, ନାଟକ, ଗପ କାହାରି ସହ ଘନିଷ୍ଠ ନୁହନ୍ତି । ଛପା ନାଁ ରେ ନିଜକୁ ଦେଖିବାର ଇଚ୍ଛାହିଁ ତାଙ୍କୁ ଗଳ୍ପ ଲେଖିବାକୁ ବାଧ୍ୟ କରିଛି । ଅଗ୍ରଲେଖରେ ସେ ପୁଣି ଲେଖନ୍ତି, ‘ମନୋରଞ୍ଜନ ଓ ସମସ୍ୟାର ସମାଧାନ ନେଇ କ୍ଷୁଦ୍ରଗଳ୍ପ । ସାହିତ୍ୟ ଅଧ୍ୟେତାଗଣ ମୋର ମୋର ଏହି ଗଳ୍ପକୁ ସମୁଚିତ ସ୍ଥାନ ଦେଇନପାରନ୍ତି କିନ୍ତୁ ଏହି କୃତି ଯେବେ ଜନଜୀବନରେ ଅସାମାନ୍ୟ ପ୍ରଭାବ ଆମିବ ସେମାନେ ଏହି ସାହିତ୍ୟକୁ ମାନ୍ୟତା ଦେବାପାଇଁ ବାଧ୍ୟ ହେବେ . ଗୋସ୍ଵାମୀ ତୁଳସୀ ଦାସଙ୍କୁ ବି ପ୍ରଥମତଃ କାଶୀର ପଣ୍ଡିତମାନେ ମାନ୍ୟତା ଦେଇନଥିଲେ…. ।’ ପ୍ରମୋଦ ଅଗ୍ରଓ୍ଵାଲ ସମ୍ଭବତଃ ଜାଣିନାହାନ୍ତି ବର୍ଣ୍ଣନାରେ କେବଳ ଦର୍ଶନ ଥାପି ଦେଲେ ଗଳ୍ପ ହୁଏନାହିଁ, ଗଳ୍ପ ଭାବନାରେ ଗଭୀରତା, ଅନ୍ତର୍ଦୁଷ୍ଟି ଏବଂ ଦୂରଦୃଷ୍ଟି ଏବଂ ଦୂରଦୃଷ୍ଟିର ମଧ୍ୟ ଆବଶ୍ୟକ ହୁଏ, ଦୃଷ୍ଟିକୁ ଶାଣିତ ଓ ତୀକ୍ଷ୍ମ କରିବାକୁ ହୁଏ । ଏହାକୁ ବାଦ୍ ଦେଇ ଲେଖା ହୋଇଥିବା ଗଳ୍ପ କାଳର ପ୍ରବାହରେ ଦିନେ ଓଡ଼ିଆ ସାହିତ୍ୟ ପୋଛିଯାଏ, ଜୀଇଁ ରୁହେ ନାହିଁ-

 

***

 

ବ୍ୟାଧିର ନାମ ଛିନ୍ନ ମୂଳ:

ଝୁମ୍ପା ଲାହିରୀଙ୍କ ଗଳ୍ପଗ୍ରନ୍ଥର ଏକ ଦୃଷ୍ଟିପାତ

ଜ୍ୟୋତି ନନ୍ଦ

 

‘ନିୟୁୟର୍କର’ ନାମକ ପତ୍ରିକାରେ ବିଂଶ ଶତାବ୍ଦୀର ଶେଷ କାଳର କୌଣସି ଏକ ସଂଖ୍ୟାରେ ପ୍ରକାଶିତ ହୋଇଥିଲା କୋଡ଼ିଏ ଜଣ ଲେଖକ ଲେଖିକାଙ୍କର ନାଆଁ । ସେହି ପତ୍ରିକାର ମତ ଅନୁସାରେ ସେହି କୋଡ଼ିଏ ଜଣ ହିଁ ହେବେ ଆଗାମୀ ଏକବିଂଶ ଶତାବ୍ଦୀର ବିଶିଷ୍ଟ ସାହିତ୍ୟିକ ପ୍ରତିଭା । ସେହି ତାଲିକାରେ ହିଁ ପ୍ରଥମ ଥର ଦେଖିବାକୁ ମିଳିଥିଲା ଝୁମ୍ପା ଲାହିରୀ ବୋଲି ଗୋଟିଏ ନାଆଁ । ଯାହା ଅଧିକାଂଶ ସାହିତ୍ୟ ସମାଲୋଚକଙ୍କର ଭ୍ରୁ କୁଂଚନ ସୃଷ୍ଟି କରିଥିଲା । ମାତ୍ର ନଅଟି କ୍ଷୁଦ୍ର ଗଳ୍ପର ସମାରୋହରେ (ସେ ପର୍ଯ୍ୟନ୍ତ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବି ) ପ୍ରକାଶିତ ହୋଇଛି ଝୁମ୍ପାଙ୍କ ଗଳ୍ପଗ୍ରନ୍ଥ “ବ୍ୟାଧିର ବ୍ୟାଖ୍ୟାକାର” ବା “Interpreter of Maladies” । କିନ୍ତୁ ଯେତେବେଳେ ସେହି ଗଳ୍ପ ଗ୍ରନ୍ଥଟି ସମ୍ମାନଜନକ ପୁଲିଜର ପୁରସ୍କାର ଲାଭ କଲା ସେତେବେଳେ ସମସ୍ତ ସାହିତ୍ୟିକ ସମାଲୋଚକଙ୍କର ଦୃଷ୍ଟି ନିବଦ୍ଧ ହେବାକୁ ଲାଗିଲା ଅଭିବାସୀ ସାହିତ୍ୟ (Immigrant Literature) ଉପରେ ବିଶେଷତଃ ଭାରତୀୟ ଆଦିବାସୀ ସାହିତ୍ୟର କ୍ରମବର୍ଦ୍ଧିଷ୍ଣୁ ବଳିଷ୍ଠ ଧାରାଟି ଉପରେ ଏବଂ କ୍ଷୁଦ୍ର ଗଳ୍ପର ପୁନଃ ପ୍ରତିଷ୍ଠା ଉପରେ (କାରଣ ପୂର୍ବରୁ ବିକ୍ରମ ସେଠ ଏବଂ ଅରୁଂଧତୀ ରାୟମାନଙ୍କର ସୌଜନ୍ୟରୁ ଉପନ୍ୟାସର ଜୟଯାତ୍ରା ଏକ ପ୍ରକାରର ଅବିସମ୍ବାଦିତ ସତ୍ୟ ବୋଲି ପ୍ରତିଷ୍ଠିତ ହୋଇସାରିଥିଲା )

 

ସଂକ୍ଷିପ୍ତ ପରିସରରେ ଭାରତୀୟ ଅଭିବାସୀ ସାହିତ୍ୟର ଏକ ପୂର୍ଣ୍ଣାଙ୍ଗ ବିଶ୍ଲେଷଣ କରି ସେଥିରେ ଝୁମ୍ପାଙ୍କୁ ପ୍ରତିଷ୍ଠିତ କରିବା ସଂଭବପର ନୁହେଁ । କେବଳ ଏତିକି ମାତ୍ର କହିଲେ ଯଥେଷ୍ଟ ହେବ ଯେ ଝୁମ୍ପା ହେଉଛନ୍ତି ଦ୍ଵିତୀୟ ପ୍ରଜନ୍ମର ଅଭିବାସୀ । ଜନ୍ମ ଲଣ୍ଡନରେ, ପଢ଼ାପଢ଼ି ମାର୍କିନ୍ ରାଷ୍ଟ୍ରରେ ଏବଂ ସଂପ୍ରତି ବସବାସ ରୋଡ଼ସ୍ ଥାଇଲାଣ୍ଡରେ । ମାତ୍ର ବତିଶ ବୟସ୍କା ଝୁମ୍ପା ରେନେସାଁସ୍ ସାହିତ୍ୟ ଉପରେ ଗବେଷଣା କରି ଡକ୍ଟରେଟ୍ ପାଇଛନ୍ତି ଏବଂ ବିଶିଷ୍ଟ ବଂଗୀୟ ଲେଖିକା ଆଶାପୂର୍ଣ୍ଣା ଦେବୀଙ୍କ ସମପର୍କରେ ମଧ୍ୟ ଗବେଷଣା ପତ୍ର ଲେଖିଛନ୍ତି କଲମ୍ଵିଆ ବିଶ୍ଵବିଦ୍ୟାଳୟରେ ପଢ଼ିବା ସମୟରେ । ଏତଦ୍‍ବ୍ୟତୀତ ତାଙ୍କ ସଂପର୍କରେ ଆଲୋଚନା କରିବାକୁ ଯାଇ ପବନ କେ. ବର୍ମା (The great Indian middle class ଖ୍ୟାତ) କହିଛନ୍ତି, “She is an Indian who has never lived in India. She is an American who can never cease to be an Indian. She is condemned to the twilight she has willingly embraced and she writes about it with a subuned Passion.” ସେଇମିତି ଏକ ଭାରତୀୟ ଅସ୍ମିତାର ଗୋଧୂଳୀର ବାସ କରୁଛନ୍ତି ଝୁମ୍ପା ଲାହିରୀ ଏବଂ ତାଙ୍କର ଚରିତ୍ରମାନେ । ଅନ୍ୟ ପକ୍ଷରେ କହିବାକୁ ଗଲେ ବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧର ପରେ ଆମେରିକାରେ ଅଭିବାସୀମାନଙ୍କର ଚରିତ୍ର ବଦଳିଯାଏ । ଅଭିବାସୀମାନେ ପୂର୍ବଭଳି ଆଉ ଇଉରୋପରୁ ଆସୁନଥାନ୍ତି, ଆସୁଥାନ୍ତି ଲାଟିନ୍ ଆମେରିକା, ଆଫ୍ରିକା, ଭିଏତ୍‍ନାମ, ଚିନ୍ ଏବଂ ଭାରତ ମହାଦେଶରୁ । ଏମାନଙ୍କ ମଧ୍ୟରେ ଭାରତବର୍ଷରୁ ଯେଉଁ ଅଭିବାସୀ ସ୍ରୋତଟି ଆସୁଥାଏ ତାହାର ସ୍ଵରୁପଟି ଏକାବେଳେକେ ଅଲଗା, ଏମାନେ ପ୍ରାୟତଃ ଉଚ୍ଚ ଶିକ୍ଷିତ ଏବଂ ବିଦ୍ଵାନ୍ । ଭାରତୀୟ ମଧ୍ୟବର୍ଗର ଏକ ଆମେରିକୀୟ ସଂସ୍କରଣ ପ୍ରସ୍ତୁତ ହେଉଥାଏ ତାହାଦ୍ଵାରା । ତେଣୁ ଭାରତୀୟ ଚରିତ୍ରମାନେ ମାର୍କିନ୍ ଅଭିବାସୀ ସାହିତ୍ୟରେ ଏକ ଦୃଢ଼ ଆସ୍ଥାନ ଜମାଇ ବସନ୍ତି, ଯାହାକୁ କି କିଛି ସମାଲୋଚକ ‘Grotesque realism’ ର ପ୍ରବାହ ବୋଲି କହିଛନ୍ତି ।

 

ଏହିଭଳି ଏକ ପୃଷ୍ଠଭୂମିରେ ଝୁମ୍ପା ଲାହିରୀଙ୍କ କାହାଣୀ ଉପରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ । ଝୁମ୍ପାଙ୍କ ଚରିତ୍ରମାନେ ପ୍ରାୟତଃ ଅଭିବାସୀ, ବଂଗାଳୀ ଏବଂ ଛିନ୍ନମୂଳ । ସେମାନେ ସମସ୍ତେ ଏକ ପ୍ରକାରର ନିର୍ବାସନରେ ବସବାସ କରୁଥାନ୍ତି ଏବଂ ସେହି ନିର୍ବାସିତ ଅବସ୍ଥା ସହିତ ସାଲିସ୍ କରୁଥାନ୍ତି ବାରମ୍ବାର । ନିର୍ବାସନରେ ସେମାନଙ୍କର ଛୋଟ ଛୋଟ କାମନାଗୁଡ଼ିକର ପୁରଣ ହେବାର ସେମାନେ ଆହ୍ଲାଦିତ ବି ହେଉଥାନ୍ତି । କିନ୍ତୁ ଏହିପରି ଏକ ଭଲପାଇବା ନ ପାଇବା ଭଳି ନିର୍ବାସନରେ ସେମାନଙ୍କର ସ୍ମୃତି (Nostalagia) ପ୍ରଖର ହୋଇ ରହିଅଛି । ଝୁମ୍ପାଙ୍କର ସମସ୍ତ ଗଲ୍ପରେ ଏହା ସ୍ପଷ୍ଟ । ଏହି ସ୍ମୃତିର ପ୍ରାବଲ୍ୟ ହିଁ ଅନେକ କ୍ଷେତ୍ରରେ ଗଳ୍ପର ପରିବେଶକୁ ବିଷଣ୍ଣ କରି ଦେଇଛି । ଉଦାହରଣ ସ୍ଵରୁପ ‘ମିସେସ୍ ସେନ’ ଗପର ମିସେସ ସେନଙ୍କ ନିଆଯାଉ । ଜନୈକ ଅଂକର ଅଧ୍ୟାପକଙ୍କ ତିରିଶ ବର୍ଷ ବୟସର ପତ୍ନୀ, ପ୍ରଥମଥର ପାଇଁ ଆମେରିକାରେ । ଗୋଟିଏ ଆମେରିକାନ୍ ବାଳକଟିର ତଦାରଖ ଅର୍ଥାତ୍ baby sitting ସେ କରନ୍ତି । ସେହି ବାଳକଟିର ସାମ୍ନାରେ ଏକେଲା ଥିଲାବେଳେ ସେ ହୋଇ ଯାଆନ୍ତି ପୁରାପୁରି ବଂଗୀୟ ତରୁଣୀଟିଏ, ଖବର କାଗଜ ତଳେ ବିଛାଇ ସେଥିରେ ବସି ପନିଖିରେ ପରିବା କାଟନ୍ତି, ଏରୋଗ୍ରାମ ଦେଖିଲେ ବହେ ନାଚିଯାନ୍ତି ଏବଂ ମାଛର ସଂଧାନରେ ବାହାରି ଯାଆନ୍ତି ବହୁତ ଦୂର । ଖାଲି ମାଛ ନୁହଁ କୌଣସି ଗୋଟିଏ ସମାଜର ସନ୍ଧାନରେ ମିସେସ୍ ସେନଙ୍କ ସାଥି ହୁଏ ସେହି ଆମେରିକାନ ବାଳକ ଯାହାର ନାଆଁ ଇଲିଅଟ୍ । ମିସେସ୍ ସେନଙ୍କ ଏକାକୀତ୍ଵ, କଲିକତା ପ୍ରତି ତାଙ୍କର ଆକର୍ଷଣ ବି ବୁଝାଇ ଦେଇପାରେ ଇଲିଅଟକୁ ଏକାକୀତ୍ଵର ବ୍ୟଥା, ଯାହାର ବାପା ଦୁଇହଜାର ମାଇଲ ଦୀରରେ, ମାଆ ଚାକିରୀଜୀବି ଏବଂ ଥରେ ମାଥର ସ୍ଵତନ୍ତ୍ର ରାନ୍ଧଣା ରାନ୍ଧି ମାଆ ଖୁଆଇଥିଲା ତା’ର ଜଣେ ପୁରୁଷ ବଂଧୁଙ୍କୁ ଯିଏକି ମାଆର କୋଠରୀରେ ରାତ୍ରୀଯାପନ କରିଥିଲେ । baby sitting ପର୍ଯ୍ୟାୟର ଶେଷରେ ଯାହାପରେ କି ଆଉ ଇଲିଅଟ୍ ଆସିବ ନାହିଁ ମିସେସ୍ ସେନ୍‍ଙ୍କ ଘରକୁ ସେତେବେଳେ ମିସେସ୍ ସେନ୍ କବାଟ ବନ୍ଦ କରି କାନ୍ଦିଛନ୍ତି ଚିରାଚରିତ ଭାରତୀୟ ମାଆଟିଏ ହୋଇଯାଇ ଏବଂ ଅଲିଅଟ୍, ଆମେରିକାନ୍ ପୁଅ, ତାହାପରେ ହୋଇଛି ବିଷର୍ଣ୍ଣ ଆଉ ଅପ୍ରକାଶ୍ୟ ରହିଛି ତାହାର ବେଦନା । ଏହିପରି ସଶବ୍ଦ ଏବଂଗ ନୀରବତା ଭିତରେ ଭାରତୀୟ୍-ଆମେରିକିୟ ସତ୍ତା ରାଜୁତି କରୁଛି ଝୁମ୍ପାଙ୍କ ଗଳ୍ପଗୁଡ଼ିକରେ ।

 

ଏହା ସହିତ ମଧ୍ୟ ଝୁମ୍ପାଙ୍କ ଗଳ୍ପର ଅନ୍ୟ ଏକ ବିଶେଷତ୍ଵ ହେଉଛି ଭାରତ ଏବଂ ଆମେରିକା ଏହି ଦୁଇଟି ସଂସ୍କୃତି ମଧ୍ୟରେ ଅସମାନତା । ଭାଷାଗତ (ଇଂରେଜି) ଏକତା, ଦୈହିକ ଇଚ୍ଛାର ପୂର୍ତ୍ତି, ଆର୍ଥିକ ସ୍ଵଚ୍ଛଳତା ସତ୍ତ୍ଵେ କିଛି ଅଭାବ ରହିଆସିଛି ସେଇ ଏକତାରେ । କାରଣ ଝୁମ୍ପାଙ୍କ କଥାପୁରୁଷ (Protagonist)ମାନେ ଭିନ୍ନ ଭିନ୍ନ ମାନସିକ ଭୂମୀରେ ବିଚରଣ କରୁଛନ୍ତି, ଯଦିଓ ସେମାନେ ଦ୍ଵିତୀୟ ପ୍ରଜନ୍ମର ଭାରତୀୟ (The Third and Final continent) ଗପକୁ (ବାଦଦେଇ) ଏବଂ ଦୈହିକ ସମ୍ପର୍କକୁ ଏକ ସ୍ଵାଭାବିକ ସ୍ତରକୁ ନେଇ ଆମେରିକୀୟ ନାଗରିକ ତଥାପି ସେମାନେ ବିଚ୍ଛନ୍ନ ପରସ୍ପରଠାରୁ । “ଗୋଟିଏ ସାମୟିକ ଘଟଣା” ( A Temporary Matter) ବୋଲି ଗପଟିକୁ ଦେଖାଯାଉ । ସୁକୁମାର ଏବଂ ଶୋଭାଙ୍କର ସନ୍ତାନ ନିର୍ଦ୍ଧାରିତ ସମୟର ତିନିମାସ ଆଗରୁ ଜନ୍ମନିଏ ମୃତ ଶିଶୁ ଭାବରେ । ସୁକୁମାର ସେତେବେଳକୁ ଅନ୍ୟତ୍ର । ଏହି ବ୍ୟଥାକୁ ଲାଳନ କରିଛି ଶୋଭା ସବୁବେଳେ । ଗୋଟିଏ ସପ୍ତାହ ପାଇଁ ତାଙ୍କର ବିଦ୍ୟୁତ୍ ଶକ୍ତି ସଂଧ୍ୟା ବେଳେ ଆଠଟାରୁ ନଅଟା ପର୍ଯ୍ୟନ୍ତ ବନ୍ଦ ରୁହେ କୌଣସି ମରାମତି କାମ ପାଇଁ । ସମୟ କଟିବା ପାଇଁ ସୁକୁମାର ଏବଂ ଶୋଭା ଗୋଟିଏ ଖେଳ ଉଦ୍ଭାବନ କରନ୍ତି । ପରସ୍ପର ପରସ୍ପରକୁ ଏମିତି କଥା କହିବେ ଯାହା ସେମାନେ ପରସ୍ପରକୁ ଆଗରୁ କେବେ କହି ନାହାଁନ୍ତି । ଏହିପରି ଏକ ସ୍ଵୀକାରୋକ୍ତି ମୂଳକ ଖେଳରେ ସେମାନେ ଆବିଷ୍କାର କରନ୍ତି ଯେ ସେମାନେ ପରସ୍ପର ପ୍ରତି ଦୋଷ କରିଛନ୍ତି ଅନେକ, ପରସ୍ପର ପ୍ରତି ସତ୍ ଏବଂ ବିଶ୍ଵସ୍ତ ନୁହନ୍ତି । ଶେଷରେ ସେହି ଅନ୍ଧାର ଟିକକ ଉଭୟ ସୁକୁମାର ଏବଂ ଶୋଭା ଭିତରେ ସାମାନ୍ୟ ମମତ୍ଵ ସୃଷ୍ଟି କରିଲା ବେଳକୁ ଆଲୁଅ ଆସିଛି ଏବଂ ସେମାନେ ବୁଝିପାରିଛନ୍ତି ଯେ ସେମାନଙ୍କର ବିବାହ ନିଃସାର ହୋଇଯାଇଛି ଏହା ମଧ୍ୟରେ ।

 

ଝୁମ୍ପାଙ୍କ ଗଳ୍ପର ଅନ୍ୟ ଏକ ଲକ୍ଷ୍ୟଣୀୟ ବସ୍ତୁ ହେଉଛି ସଂପର୍କ, ପାରସ୍ପରିକ ସଂପର୍କ । ଏଥିରେ ପରିବେଶ ବଦଳି ଯାଇପାରେ, ମୂଲ୍ୟବୋଧ ବଦଳି ଯାଇପାରେ, ମୂଲ୍ୟବୋଧ ବଦଳି ଯାଇପାରେ କିନ୍ତୁ ଶେଷରେ ଗୋଟିଏ ପୁରୁଷ ଗୋଟିଏ ନାରୀଠାରୁ ଯାହା ଚାହେଁ ବା ଚାହିଁଥାଏ, ଗୋଟିଏ ନାରୀ ପୁରୁଷଠାରୁ ଯାହା କାମନା କରିଥାଏ ବା ଉଭୟେ ଉଭୟଙ୍କରଠାରୁ ଯାହା ଖୋଜୁଥାନ୍ତି ତାହାର ପରିବର୍ତ୍ତନ ହୁଏନାହିଁ । “ଯୌନତା” ବା ‘Sexy’ନାମକ ଗପଟିକୁ ଦେଖାଯାଉ-। ଆମେରିକାନ କିଶୋରୀଟିଏ ଭାରତୀୟ ପୁରୁଷ (ବଙ୍ଗାଳୀ ମଧ୍ୟ)ର ସହ ଶାରୀରିକ ସଂପର୍କ ସ୍ଥାପନ କରିଛି ତା’ର ପତ୍ନୀର ଅବର୍ତ୍ତମାନରେ । ସେହି ଦୈହିକ ଇଚ୍ଛାରଆରମ୍ଭ ହୋଇଛି ଗୋଟିଏ ମାପାରିଅମ୍‍ରେ ଯେଉଁଠି ଭାରତୀୟଟି ଆମେରିକାନ୍ କିଶୋରୀକୁ କହିଛି । ତାହାପରେ ସେମାନେ ବାରମ୍ବାର ମିଳିତ ହେଉଛନ୍ତି । ଆମେରିକାନ୍ କିଶୋରୀର ଜଣେ ଭାରତୀୟ ସାଙ୍ଗ(ଯୁବତୀ) ଅଛି । ସେମାନେ ଗୋଟିଏ ରେଡ଼ିଓ ଷ୍ଟେସନରେ କାମ କରନ୍ତି । ତା’ର ଭାରତୀୟ ସାଙ୍ଗର ସମ୍ପର୍କୀୟା ଜଣକର ସ୍ଵାମୀ ନିଜର ସ୍ତ୍ରୀ ଆଉ ପୁତ୍ରକୁ ଛାଡ଼ି ଜଣେ ବିଦେଶିନୀର ସହ ରୁହଛି । ଏଇ କଥା ଆମେରିକାନ୍ ଯୁବତୀକୁ ତା’ର ଭାରତୀୟ ସାଙ୍ଗ ବାରମ୍ବାର କହେ ଆଉ କହେଯେ ତାର ସଂପର୍କୀୟା ଜଣକ ସେଥିପାଇଁ ଶଯ୍ୟାଶାୟୀ । ଶେଷରେ ଆମେରିକାନ୍ କିଶୋରୀ ଘରକୁ ଦିନେ ତା’ର ଭାରତୀୟ ସାଙ୍ଗ, ତାର ସଂପର୍କୀୟା (ଯାହାର ସ୍ଵାମୀ ଅଲଗା ଗୋଟିଏ ବିଦେଶିନୀ ସହ) ଏବଂ ସଂପର୍କୀୟାର ପୁଅ ବୁଲି ଆସିଛନ୍ତି । ପୁଅଟିକୁ ଆମେରିକାନ୍ ଯୁବତୀର ପାଖରେ ଛାଡ଼ି ଦେଇ ସେମାନେ ଅନ୍ୟତ୍ର ବଜାର କରିବା ପାଇଁ ଯାଇଛନ୍ତି । ସେଇ ପୁଅଟି ଆମେରିକୀୟ ଯୁବତୀକୁ କହିଛି, “You are very sexy” । ଆମେରିକୀୟ ଯୁବତୀ ଏଥିରେ ଚକିତ ହୋଇପଡ଼ିଛି ଏବଂ ତା’କୁ ପଚାରିଛି ଏହାର ଅର୍ଥ କ’ଣ ? ସେ ପିଲାଟି କହୁଛି, “Sexy means loving some one you don’t know” .ତାହାପରେ ଆମେରିକାନ୍ ଯୁବତୀଟି ଯେଉଁ ଭାରତୀୟ ପୁରୁଷ ସହ ଶାରୀରିକ ସଂପର୍କ ରଖିଥିଲା ତାହାର ସମାପ୍ତି ଘଟୁଛି । ସେ ଆଉ ସେହି ପୁରୁଷକୁ ପତ୍ତା ଦେଉନାହିଁ ।

 

କ୍ଷୁଦ୍ର ପରିସରରେ ଝୁଂପାଙ୍କ ସମସ୍ତ ଗପର ଆଲୋଚନା କରିବା ସମ୍ଭବପର ନୁହେଁ । ତଥାପି କେତୋଟି ବୈଶିଷ୍ଟ୍ୟର କଥା ଉଲ୍ଲେଖ କରାଯାଇପାରେ । ପ୍ରଥମତଃ ଝୁଂପାଙ୍କ ସମସ୍ତ ଗପର ଆରମ୍ଭ ଏମିତି ଏକ ଅବତାରଣାରୁ ହୋଇଛି ଯାହା ଫଳରେ ବି ଜଣେ ପାଠକ ଗଳ୍ପଗୁଡ଼ିକ ଭିତରକୁ ପ୍ରବେଶ କରିବା ପାଇଁ ଆବର୍ଷିତ ବୋଧ କରିବ । ବିନା ଅନୁବାଦରେ କେତୋଟି ଉଦାହରଣ ଅର୍ଥାତ୍ ଗପର ଆରମ୍ଭ ବାକ୍ୟ, “In the Autumn of 1971 a man used to come to our house, bearing confections in his pocket and hopes of ascertaining the life or death of his family” (What Mr. Pirzata came to Dine); It was a worst night mare’ (Sexy)” ଇତ୍ୟାଦି । ଗପର ସ୍ଥାପତ୍ୟରେ ଝୁଂପା ଅତ୍ୟନ୍ତ କ୍ଷୁଦ୍ରାତିକ୍ଷୁଦ୍ର ଦୃଶ୍ୟ ଏବଂ ଘଟଣାକୁ ଚତୁରତାର ସହ ସଂଯୋଜନ କରିପାରିଛନ୍ତି । ଏହି ପ୍ରକାର ଏକ ସ୍ଥାପତ୍ୟକୁ ବଂଗୀୟ ସମାଲୋଚକମାନେ ବଙ୍ଗୀୟ ସ୍ଥାପତ୍ୟଧାରା ବୋଲି କହିବାକୁ ଆରମ୍ଭ କଲେଣି । ଦ୍ଵିତୀୟତଃ ବଙ୍ଗୀୟ ଗଳ୍ପ ସମଗ୍ରରେ ବଙ୍ଗୀୟ ସମାଜକୁ ଏକ ଗୋଷ୍ଠୀ ଭାବରେ ଏବଂ ତାହାର ବୈତିତ୍ର୍ୟକୁ ନିବିଡ଼ ଭାବରେ ଉପସ୍ଥାପନା କରାଯାଇଛି । ଏହି ଗୋଷ୍ଠୀ କୈନ୍ଦ୍ରିକ ଉପସ୍ଥାପନା ଗଳ୍ପର ସୌନ୍ଦର୍ଯ୍ୟବୃଦ୍ଧିରେ ସହାୟକ ହୋଇଛି । ଏହି ଗଳ୍ପଗୁଡ଼ିକରେ କଲିକତା ଜୀବନ୍ତ, ଭାରତୀୟ ଲୋକାଚାର ବହୁଳ ଭାବରେ ଦୃଶ୍ୟମାନ (ଯେପରିକି ତରକାରୀ ପ୍ରସ୍ତୁତି, ସୀମନ୍ତରେ ସିନ୍ଦୁର ଇତ୍ୟାଦି) । ଏହି ଗପ ଗୁଡ଼ିକରେ ଯେଉଁ ନିର୍ବାସିତମାନେ ନିଜ ନିଜର ଜୀବନ ଯାପନରେ ଲିପ୍ତ ଅଛନ୍ତି ସେମାନଙ୍କ ଭିତରେ ରହିଥିବା Nostalgia କେବଳ ଜଣେ ଭାରତୀୟ ପାଠକକୁ ହୁଏତ ଆକ୍ରାନ୍ତ କରିପାରେ ବେଶୀ ମାତ୍ରାରେ କିନ୍ତୁ ଜଣେ ବିଦେଶୀ ପାଠକ ଏଥିରୁ ସୃଷ୍ଟ ହୋଇଥିବା ଜଟିଳ ସଂପର୍କ ଦ୍ୱାରା ଆକ୍ରାନ୍ତ ହେବ ନିଶ୍ଚୟ-

 

ପରିଶେଷରେ ଏତିକି ମାତ୍ର କୁହାଯାଇପାରେ ଚରିତ୍ର, ଘଟଣା ଏବଂ ବିନ୍ୟାସରେ ଝୁଂପାଙ୍କ ଗଳ୍ପ ଆଚ୍ଛନ୍ନ କରେ ପାଠକକୁ ଏବଂ ଶେଷରେ ପାଠକ ପାଖରେ ଛାଡ଼ିଦିଏ କିଛି ବିଷର୍ଣ୍ଣତା, ଆଉ କିଛି ଅବସାଦ ପରବର୍ତ୍ତୀ ସମୟର ନିଜ ଜୀବନ ପାଇଁ ।

 

 

ମାର୍ଫତ: ଶ୍ରୀମତୀ ସ୍ନେହ ମହାପାତ୍ର

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍,

ମୁଖ୍ୟ ଶାଖା, ଭୁବନେଶ୍ଵର

 

***

 

ଏକାଡେମୀ ସମାଚାର

 

ଓଡ଼ିଆ କ୍ଷୁଦ୍ରଗଳ୍ପ କର୍ମଶାଳା ଓ ଆଲୋଚନା-ଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଲୟଙ୍କ ମିଳିତାନୁକୂଲ୍ୟରେ କ୍ଷୁଦ୍ରଗଳ୍ପ ଆଲୋଚନା-ଚକ୍ର ଏବଂ ‘କ୍ଷୁଦ୍ରଗଳ୍ପ ରଚନା ଓ ମୂଲ୍ୟାୟନ’ ଶୀର୍ଷକ ଏକ କର୍ମଶାଳା ତା ୨୪.୧.୨୦୦୦ ଦୁଇ ଦିନ ବ୍ୟାପୀ ଜ୍ୟୋତିବିହାର , ବୁର୍ଲାଠାରେ ଆୟୋଜନ କରାଯାଇଥିଲା ।

 

ଏଇ କର୍ମଶାଳାର ଉଦ୍-ଘାଟନୀ ଉତ୍ସବ ୨୪.୧.୨୦୦୦ ତାରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପରିସଂଖ୍ୟାନ ବିଭାଗ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା-। ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଓ ପ୍ରଫେସର ଧ୍ରୁବରାଜ ନାଏକ ଉଦଘାଟନ ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସାରସ୍ଵତ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଡକ୍ତର ମଧୁସୂଦନ ପତି ସଭାପତି, ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ଡକ୍ଟର ଗଣେଶ୍ଵର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ କଥାକାର ଶ୍ରୀ କିଶୋରୀ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଡକ୍ଟର ସମର ମୁର୍ଦାଲ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବିଶ୍ଵବିଦ୍ୟାଳୟର ସେମିନାଲ ଗଲରେ ପୂର୍ବାହ୍‍ଣ ଅଧିବେଶନର ଆଲୋଚନା ଚକ୍ର ୧୧.୩୦ଘ. ସମୟରେ ଆରମ୍ଭ କରାଯାଇଥିଲା । ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି “ଭାରତୀୟ ଭାଷାର ପ୍ରଥମ କ୍ଷୁଦ୍ରଗଳ୍ପ” ଶୀର୍ଷକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି ଅଧିବେଶନରେ ବିଶ୍ଵଭାରତୀରୁ ଆମନ୍ତ୍ରିତ ମରାଠା ଭାଷା ଓ ସାହିତ୍ୟ ବିଭାଗର ପ୍ରଧ୍ୟାପିକା ଡକ୍ତର ବୀଣା ଆଲାନେ, ବଙ୍ଗଳା ବିଭାଗର ଡକ୍ଟର ରବୀନ୍ଦ୍ର ପାଲ ଓ ତାମିଲ ବିଭାଗୀୟ ଡକ୍ତର ସି. ମୁଥାୟା ଓ ଓଡ଼ିଆ ବିଭାଗର ଡକ୍ଟର ବୈଷ୍ଣବ ଚରଣ ସାମଲ ଆଲୋଚକ ଭାବେ ଯୋଗ ଦାନ କରି ନିଜ ନିଜ ଭାଷାର ପ୍ରଥମ କ୍ଷୁଦ୍ରଗଳ୍ପ ସଂପର୍କରେ ଆଲୋକପାତ କରିଥିଲେ । ଅପରାହ୍‍ଣ ଅଧିବେଶନର କର୍ମଶାଳା ୩.୩୦ ଘ. ସମୟରେ ଆରମ୍ଭ ହୋଇଥିଲା । ଏହି କର୍ମଶାଳାର ବିଷୟବସ୍ତୁ ଥିଲା କ୍ଷୁଦ୍ରଗଳ୍ପ ରଚନା ଓ ମୂଲ୍ୟାୟନ । ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ହୃଷୀକେଶ ପଣ୍ଡା ଏବଂ ଶ୍ରୀ ଦୀପ୍ତିରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀ ସଂପାଦକ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ସ୍ଵରଚିତ ଗଳ୍ପ ଉପସ୍ଥାପନ କରିଥିଲେ ଶ୍ରାମତୀ ଜ୍ୟୋସ୍ନା ରାଉତରାୟ, ଶ୍ରାମତୀ କବିତା ବାରିକ, ଶ୍ରୀ ଭବାନୀ ପଟ୍ଟଯୋଷୀ, ଶ୍ରୀ ମାୟାଧର ସାହୁ , ଶ୍ରୀ ଆଭାସ ବରାଳ, ଶ୍ରୀମତୀ ହିରଣ୍ମୟୀ ମିଶ୍ର । ଏହାକୁ ମୂଲ୍ୟାୟନ କରିଥିଲେ ଶ୍ରୀ ସଦାନନ୍ଦ ତ୍ରିପାଠୀ, ଶ୍ରୀ ଜ୍ୟୋତିନନ୍ଦ ଏବଂ ଶ୍ରୀଗିରି ଦଣ୍ଡସେଣା । ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ଡକ୍ଟର ପୂର୍ଣ୍ଣାନନ୍ଦ ଦାନୀ ଦିଗଦର୍ଶକ ଭାବେ ଏହି ଅଧିବେଶନର ଦାୟିତ୍ଵ ତୁଲାଇଥିଲେ । ଶ୍ରୀ ଅମରେଶ ବିଶ୍ଵାଳ, ଶ୍ରୀ ସୁବାଷ ଶତପଥୀ, ଶ୍ରୀ ଶଶାଙ୍କ ଚୂଡ଼ାମଣି ପର୍ଯ୍ୟବେକ୍ଷକ ଭାବେ ଏଥିରେ ଯୋଗଦାନ କରିଥିଲେ ।

 

ଦ୍ଵିତୀୟ ଦିବସ ତା୨୫.୧.୨୦୦୦ ରିଖ ପୂର୍ବାହ୍ନ ଦଶ ଘଣ୍ଟାରେ ଆଲୋଚନାଚକ୍ରର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଚନ୍ଦ୍ରଶେଖର ରଥଙ୍କ ସଭାପତିତ୍ଵରେ ଡକ୍ଟର ଆଦିକନ୍ଦ ସାହୁ “ରେବତୀ ଓ ପରବର୍ତ୍ତୀ ଶହେବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପ” ଶୀର୍ଷକ ଭିତ୍ତିପ୍ରବନ୍ଧ ଏହି ଆଲୋଚନା ଚକ୍ରରେ ଉପସ୍ଥାପନ କରିଥିଲେ । ଆଲୋଚକ ଭାବେ ଅଂଶ ଗ୍ରହଣ କରିଥିବା ସାହିତ୍ୟିକମାନେ ହେଲେ ଶ୍ରୀ ଗିରି ଦଣ୍ଡସେଣା, ଡକ୍ଟର ହୃଷୀକେଶ ପଣ୍ଡା (ଆକାଶବାଣୀ), ଶ୍ରୀ ସଦାନନ୍ଦ ତ୍ରିପାଠୀ, ଶ୍ରୀମତୀ ସ୍ଵର୍ଣ୍ଣଦେବୀ, ଶ୍ରୀ ଭୂପେନ ମହାପାତ୍ର, ଶ୍ରୀ ରମେଶ ପଟ୍ଟନାୟକ, ଶ୍ରୀ କୁମୁଦ ରଞ୍ଜନ ପାଣିଗ୍ରାହୀ, ଡକ୍ଟର ଅଜୟ ସ୍ଵାଇଁ, ଶ୍ରୀ ମନୋଜ ପଣ୍ଡା, ଶ୍ରୀ ଗୋରା ମହାନ୍ତି, ଶ୍ରୀ ଗିରି ଦଣ୍ଡସେଣା ଓ ଅଜାମ୍ବର ମଲ୍ଲ ।

 

ଅପରାହ୍‍ଣ ଅଧିବେଶନର ବିଷୟବସ୍ତୁ ଥିଲା “ସାମ୍ପ୍ରତିକ ଭାରତୀୟ ଗଳ୍ପଧାରା ଓ ଓଡ଼ିଆ ଗଳ୍ପଝର” । ବିଶିଷ୍ଟ କଥାକାର ଶ୍ରୀ କିଶୋରୀ ଚରଣ ଦାସ ଏଥିରେ ସଭାପତିତ୍ଵ କରିଥିଲେ । ଆଲୋଚକ ଭାବେ ଅଂଶଗ୍ରହଣ କରିଥିବା ସାହିତ୍ୟିକମାନେ ହେଲେ ଶ୍ରୀ ଉମାଶଙ୍କର ପଣ୍ଡା, ଡକ୍ଟର ଅଶୋକ କୁମାର ଦାସ, ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର, ଡକ୍ଟର ପ୍ରଭାତୀ ରଥ ଓ ଡକ୍ଟର ବୈରାଗୀ ଚରଣ ଜେନା ।

 

ସଂଧ୍ୟାରେ ଉଦ୍‍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ସଭାପତିତ୍ଵରେ ଶ୍ରୀ ଚନ୍ଦ୍ରଶେଖର ରଥ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ।

 

ଏହି ଅବସରରେ ଓଡ଼ିଆ ଲଳିତକଳା ଏକାଡେମୀ ଦ୍ଵାରା ଆୟୋଜିତ ଏକ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

 

ଆଲୋଚନା-ଚକ୍ର ଓ କବିତା ପାଠୋତ୍ସବ

ଏକବିଂଶ ଶତାବ୍ଦୀକୁ ସ୍ଵାଗତ ଜଣାଇ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମହାନଦୀ ସାହିତ୍ୟ ସଂସଦ ସୋନପୁରଙ୍କ ମିଳିତ ଆନୁକୂଲ୍ୟରେ ତା ୨.୧.୨୦୦୦ ରିଖରେ “ସ୍ଵାଗତ ସହସ୍ରାବ୍ଦ” ଶୀର୍ଷକ ଏକଦିନିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୋନପୁରସ୍ଥିତ ରାମେଶ୍ଵର ସଙ୍ଗମ ଏବଂ ଟାଉନହଲଠାରେ ଆୟୋଜନ କରାଯାଇଥିଲା । ଏହି ସାରସ୍ଵତ ସମାରୋହରେ ଓଡ଼ିଶାର ବହୁ ପ୍ରତିଷ୍ଠିତ କବି, ପ୍ରାବନ୍ଧିକ ଓ ସମାଲୋଚକ ଅଂଶଗ୍ରହଣ କରିଥିଲେ ।

 

“ସ୍ଵାଗତ ସହସ୍ରାବ୍ଦ”ର ଉଦ୍‍ଘାଟନୀ ଉତ୍ସବରେ ସୋନପୁର ଜିଲ୍ଲାପାଳ ଶ୍ରୀ ବିଷ୍ଣୁପଦ ସେଠୀ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ସମାରୋହଟିକୁ ଉଦଘାଟନ କରିଥିଲେ । ଏଥିରେ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ଏକାଡେମୀ କାର୍ଯ୍ୟକାରୀ ସମିତିର ସଭ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଶ୍ରୀ ପ୍ରେମାନିଧି ସେଠ, ଉପ ଜିଲ୍ଲାପାଳ, ସୋନପୁର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସାହିତ୍ୟ ଏକାଡେମୀର ସଂପାଦକ କବି ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମହାନଦୀ ସଂସଦର ସଭାପତି ରଦାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଲୋଚନା-ଚକ୍ରର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୧.୩୦ରେ ରାମେଶ୍ଵର ସଂଗମଠାରେ ଆୟୋଜନ କରାଯାଇଥିଲା । ଏହି ସାରସ୍ଵତ ସଭାରେ ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍‍ଗାତା ସଭାପତିତ୍ଵ କରିଥିଲେ । ଡକ୍ଟର ସନ୍ତୋଷ କୁମାର ରଥ, ଶ୍ରୀ ଭାଗୀରଥି ମିଶ୍ର , “ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ” ଶୀର୍ଷକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏଥିରେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଡକ୍ଟର ଭଗବାନ ଜୟସିଂହ, ଡକ୍ଟର ଶୁଭେନ୍ଦୁ ମୁଣ୍ଡ, ଡକ୍ଟର ହୃଷିକେଶ ମଲ୍ଲିକ, ଶ୍ରୀ ଗୋରା ମହାନ୍ତି ଏବଂ ଶ୍ରୀ ଅକ୍ଷୟ କୁମାର ବେହେରା ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ ।

 

ଦ୍ଵିତୀୟ ଆଧିବେଶନ “କବିତା ପାଠୋତ୍ସବ” ଅପରାହ୍‍ଣରେ ଟାଉନହଲ୍‍ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ଵ କରିଥିଲେ ବିଶିଷ୍ଟ କବି ଶ୍ରୀ ହରିଶଙ୍କର ବଡ଼ପଣ୍ଡା । ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଲବ୍ଧପ୍ରତିଷ୍ଠ କବି ତଥା ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ । ଏଥିରେ ଏକାଡେମୀର ସଦସ୍ୟ ଶ୍ରୀ ଗୋରେଖ ନାଥ ସାହୁ ଓ କବି ପ୍ରସନ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଂଯୋଜକ ଥିଲେ ଯୁବକବି ଦ୍ଵୟ ଶ୍ରୀ କେଦାର ମିଶ୍ର ଓ ପୁରୁଷୋତ୍ତମ ମିଶ୍ର । କବିତା ଆସରରେ ବହୁ ନିମନ୍ତ୍ରିତ କବି ସ୍ଵ ସ୍ଵ କବିତା ପାଠ କରି ଆସରଟିକୁ ସାଫଲ୍ୟମଣ୍ଡିତ କରିଥିଲେ

 

ବଳରାମ ଦାସ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବଳରାମ ଦାସ ସ୍ମୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ସିଦ୍ଧସାଧକ ଭକ୍ତକବି ବଳରାମ ଦାସଙ୍କ ଶ୍ରାଦ୍ଧୋତ୍ସବ ତାଙ୍କର ଜନ୍ମପୀଠ ଏରବଂଗଠାରେ ତା ୫.୨.୨୦୦୦ ରିଖ ସନ୍ଧ୍ୟାରେ ପାଳନ କରାଯାଇଥିଲା । ଏହି ସାରସ୍ଵତ ସଭାରେ ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ, ସମାଲୋଚକ, ନାଟ୍ୟକାର ତଥା ବାଗ୍ମୀ ଶ୍ରୀ ରଜତ କୁମାର କର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବଳରାମ ଦାସଙ୍କ ଜୀବନ ଓ କୃତି ସଂପର୍କରେ ସମ୍ୟକ୍ ଆଲୋକପାତ କରି ପଞ୍ଚସଖୀୟ ଭାଷା ଓଡ଼ିଶାର ନିଜସ୍ଵ ଭାଷା ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ କବି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଯୋଗଦାନ କରି ବଳରାମ ଦାସଙ୍କ ରଚନାବଳୀରୁ କେତେକ ପଙ୍‍କ୍ତି ଉଦ୍ଧାର କରି ତାଙ୍କ ପ୍ରତିଭାର ଆକଳନ କରିଥିଲେ । ମୁଖ୍ୟବକ୍ତା ଭାବରେ କୁମାର କବି ଅରକ୍ଷିତ ପ୍ରଧାନ ବଳରାମଙ୍କ ଭକ୍ତିମତ୍ତା ତଥା ଜଗନ୍ନାଥୈକ ପ୍ରାଣତା ସଂପର୍କରେ ସର୍ବଶେଷ ଆଲୋଚନା କରିଥିଲେ । ଯୁବବକ୍ତା ଶ୍ରୀ ପୁନେଶ କୁମାର ସେନାପତି ବଳରାମ ଦାସଙ୍କ ଜୀବନର ବହୁ ଅଲୌକିକ ଘଟଣା ଉଲ୍ଲେଖ କରି ତାଙ୍କର ଅଚଳାଭକ୍ତିର ପ୍ରତିପାଦନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଂପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ଏକାଡେମୀ ଏହିପରି ସାରସ୍ଵତ ସାଧକମାନଙ୍କର ଜୟନ୍ତି ଓ ଶ୍ରାଦ୍ଧୋତ୍ସବ ଓଡ଼ିଶାର ପୁରପଲ୍ଲୀରେ ଆୟୋଜିତ କରି ଜନସଚେତନା ସୃଷ୍ଟି ପାଇଁ ପ୍ରଚେଷ୍ଠା କରି ଆସିଛି ଏବଂ ସ୍ଥାନୀୟ ଜନ ସାଧାରଣଙ୍କ ଉଦ୍ୟମ ଫଳରେ ଏହି ପୂଜ୍ୟପୂଜା ଅନୁଷ୍ଠାନ ଅଧିକ ସଂଗଠିତ ଓ ବଳିଷ୍ଠ ଭାବରେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ ।

 

ବଳରାମ ଦାସ ସ୍ମୃତି ସଂସଦର ସଭାପତି ଶ୍ରୀ ହଟକିଶୋର ସ୍ଵାଇଁ ଏଥିରେ ପୌରୋହିତ୍ୟ କରି ବଳରାମ ଦାସଙ୍କ ଜୀବନ ଓ ସାହିତ୍ୟର ଆକଳନ କରିଥିଲେ । ଶ୍ରୀ ଲକ୍ଷ୍ମୀଧର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

 

ବ୍ରଜରାଜ ସିଂହଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେବଙ୍କ ଜୟନ୍ତୀ ପାଳନ ଅବସରରେ ତା ୧୦.୨.୨୦୦୦ରିଖ ଅପରାହ୍ନ ତିନିଘଣ୍ଟା ସମୟରେ ଖଡ଼ିଆଳସ୍ଥ ବୀରବିକ୍ରମ ମଣ୍ଡପଠାରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ଉତ୍ସବରେ ଡକ୍ଟର ଗୌରାଙ୍ଗ ଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କବି ଶ୍ରୀ ଅନୁପ ସିଂହଦେବଙ୍କ ପୌରୋହିତ୍ୟରେ ଡକ୍ଟର ରଘୁନାଥ ମେହେର ଓ ଡକ୍ଟର ମଣୀନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ସାରସ୍ଵତ ଆସରରେ ବହୁ ସାହିତ୍ୟ ପ୍ରେମୀ ଜନସାଧାରଣ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ଉତ୍କଳଭାରତୀ କୁନ୍ତଳା କୁମାରୀ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୮.୨.୨୦୦୦ ସନ୍ଧ୍ୟାରେ ଭୁବନେଶ୍ଵରସ୍ଥ ପାନ୍ଥନିବାସ ସଭାକକ୍ଷରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଓଡ଼ିଶା ଲେଖିକା ସଂସଦର ସଭାପତି ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କ ପୌରହିତ୍ୟରେ ଏହି ସାରସ୍ଵତ ଉତ୍ସବରେ ମହାପାତ୍ର ନୀଳମଣି ସାହୁ ମୁଖ୍ୟ ଅତିଥି, ଡକ୍ଟର ପ୍ରତିଭା ରାୟ ସମ୍ମାନିତ ଅତିଥି ଏବଂ ଡକ୍ଟର ସଂଘମିତ୍ରା ମିଶ୍ର ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ଉତ୍କଳ ଭାରତୀଙ୍କ ସାହିତ୍ୟକୃତି ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ସଂପାଦକ କବି ଶ୍ରୀ ଅଶ୍ଵିନୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

 

ଭକ୍ତକବି ମଧୁସୂଦନ ରାଓ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଋଷିପ୍ରାଣ ଭକ୍ତକବି ମଧୁସୂଦନ ରାଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା୧୦.୨.୨୦୦୦ ରିଖ ପବିତ୍ର ଶ୍ରୀପଞ୍ଚମୀ ତିଥି ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, ପୁରୀଠାରେ ଏକ ସାରସ୍ଵତ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।
 

ଏହି ସାରସ୍ଵତ ଆସରରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ, ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ଏବଂ ପାର୍ଥସାରଥୀ ଅଜୟ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏକାଡେମୀର ସଭ୍ୟ ଡକ୍ଟର ହରେକୃଷ୍ଣ ଶତପଥୀ ଏଥିରେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସହସମ୍ପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସଭା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ-

 

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଅଭିମନ୍ୟୁ ବାଲିଆଠାରେ ଚା ୧୨..୨.୨୦୦୦ ରିଖ ସନ୍ଧ୍ୟାରେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ସଭାରେ ଡକ୍ଟର ନିମାଇଁ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦଗ୍ଧ କବିଙ୍କ ଜୀବନ ଓ ପ୍ରତିଭା ସମ୍ପର୍କରେ ସମ୍ୟକ୍ ଆଲୋଚନା କରି କବିଙ୍କ ଉପରେ ପଡ଼ିଥିବା ସଂସ୍କୃତ ବୈଷ୍ଣବ କବିଙ୍କ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ଦେବପ୍ରସାଦ ସାମଲ ସମ୍ମାନିତ ଅତିଥି, ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ମୁଖ୍ୟବକ୍ତା ଏବଂ ଡକ୍ଟର ରବିନ୍ଦ୍ର ବିହାରୀ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ବିଦଗ୍ଧ କବିଙ୍କ କାବ୍ୟିକ ଅବଦାନ ସମ୍ପର୍କରେ ଆଲୋଚନାପୂର୍ବକ କବିଙ୍କ ମୌଳିକତା ଓ ସ୍ଵତନ୍ତ୍ରତା ପ୍ରତିପାଦନ କରିଥିଲେ । ଏକାଡେମୀର ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

 

ଆଦିକବି ସାରଳା ଦାସ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ, ସାରଳା ସ୍ମାରକ ଓ ଶୂଦ୍ରମୁନି ସାରଳା ଦାସ ଶ୍ରାଦ୍ଧୋତ୍ସବ କମିଟି ଏବଂ ଓଡ଼ିଆ ସାହିତ୍ୟ ସମାଜ, ବାୟା ଅବଧୂତ କଲେଜଙ୍କ ମିଳିତ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ତା ୧୨.୨.୨୦୦୦ ରିଖ ସନ୍ଧାୟାରେ ଆଦିକବିଙ୍କ ସମାଧିପୀଠ ତେନ୍ତୁଳିପଦା (ଝଙ୍କଡ଼) ଠାରେ କବିଙ୍କ ଅମ୍ଲାନସ୍ମୃତି ଉଦ୍ଦେଶ୍ୟରେ ଏକ ପୂଜ୍ୟପୂଜା ଅନୁଷ୍ଠାନର ଆୟୋଜନ କରାଯାଇଥିଲା ।

 

ସାହିତ୍ୟ ଏକାଡେମୀର ସଦସ୍ୟ ଇଂ ଶ୍ରୀ ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ଶ୍ରୀ ସହଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଦିକବି ଜନସାଧାରଣଙ୍କ ଚିନ୍ତା ଓ ଚେତନାର ଏକ ନୂତନ ଦିଗ୍ ବଳୟ ଉଦ୍‍ଘାଟନ କରିବାରେ କିପରି ସମର୍ଥ ହୋଇଥିଲେ ତାହା ଭାଷଣ ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ । ଡକ୍ଟର ପ୍ରସନ୍ନ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମହାଭାରତର ଛତ୍ରେ ଛତ୍ରେ ଆଦିକବିଙ୍କର ପ୍ରଚଣ୍ଡ କବିତ୍ଵ, କଳ୍ପନାଚାତୁରୀ, ସ୍ୱକୀୟତା ଓ ମୌଳିକତା ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି ଆସରରେ ଡକ୍ଟର ବୈରାଗୀ ଚରଣ ଜେନା ଏବଂ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯଥାକ୍ରମେ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି କହିଲେ ଯେ, ଆଦିକବି ନିଜ ସାହିତ୍ୟରେ ଓଡ଼ିଆ ଜନସାଧାରଣଙ୍କ ସାଂସ୍କୃତିକ ତଥା ସାମାଜିକ ଚଳଣିର ପ୍ରତିଫଳନ ଘଟାଇ କାଳକାଳକୁ ଅମର ରଖିଛନ୍ତି ।

 

ପାଠ-ପାଠକ- ପାଠାଗାର ଆଲୋଚନାଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୯.୨.୨୦୦୦ ରିଖ ସନ୍ଧ୍ୟାରେ ଭୁବନେଶ୍ଵରସ୍ଥ ପୁସ୍ତକମେଳା ପରିସରରେ ‘ପାଠ-ପାଠକ-ପାଠାଗାର’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ବରେଣ୍ୟ କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆଲୋଚନାଚକ୍ରକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ କଥାକାର ଶ୍ରୀ ନାରୁ ମହାନ୍ତି, ଜାତୀୟ ଗ୍ରନ୍ଥାଗାରର ପୂର୍ବତନ ଗ୍ରନ୍ଥାଗାରିକ ଶ୍ରୀ ଅବକାଶ ଜେନା ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଧ୍ୟାପକ ଶ୍ରୀ ଯତୀନ୍ଦ୍ର କୁମାର ନାୟକ ଆଲୋଚକ ଭାବେ ଅଂଶଗ୍ରହଣ କରି ସାମ୍ପ୍ରତିକ ପରିସ୍ଥିତିରେ ପାଠ-ପାଠିକା-ପାଠାଗାରର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ତାହା ଭାଷଣ ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ ।

 

ପୁସ୍ତକମେଳା ଅବସରରେ ଏହି ଆଲୋଚନାଚକ୍ରରେ ଡକ୍ଟର ଲାବଣ୍ୟ ନାୟକଙ୍କ ସମ୍ପାଦିତ କୃଷ୍ଣ ପ୍ରସାଦ ପ୍ରବନ୍ଧାବଳୀ ଏବଂ ଜୀବନ ଓ କୃତି, ସମ୍ବଳିତ ତିନିଗୋଟି ମନୋଗ୍ରାଫ୍ ଯଥା ଶ୍ରୀ ସୁଧାଂଶୁ ଶେଖର ରାୟଙ୍କ ରଚିତ କବି ବିଦ୍ୟୁତ ପ୍ରଭା ଜୀବନୀ ଓ ସାହିତ୍ୟକୃତି, ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚିତ ଲୋକ କବି ଜଗନ୍ନାଥ ପାଣି ଏବଂ ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କ ରଚିତ ‘ରାମକୃଷ୍ଣ ନନ୍ଦ’ ଶୀର୍ଷକ ମନୋଗ୍ରାଫ୍ ମୁଖ୍ୟ ଅତିଥି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦ୍ଵାରା ଶୁଭ ଉନ୍ମୋଚନ ହୋଇଥିଲା ।

 

ଏକାଡେମୀର ସମ୍ପାଦକ କବି ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହ ସଂପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ବହୁ ଶ୍ରଦ୍ଧାଳୁ ପାଠକ ଓ ଉପସ୍ଥିତ ରହି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।

 

ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଶ୍ଵେତପଦ୍ମାଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ତା୧୨.୨.୨୦୦୦ ସନ୍ଧ୍ୟାରେ ପାରଳାଖେମୁଣ୍ଡିସ୍ଥିତ ଶ୍ୟାମସୁନ୍ଦର ରାଜଗୁରୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏଥିରେ ପ୍ରଫେସର ଶ୍ରୀ କୁମାର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଓଡ଼ିଆ ପ୍ରବନ୍ଧ ତଥା ସମାଲୋଚନା ସାହିତ୍ୟର ଉନ୍ମେଷ କାଳରେ ସେ ଅନ୍ୟତମ ଭିତ୍ତିସ୍ଥାପନକାରୀ ଭାବରେ ବହୁ ଯଶ ଓ ଗୌରବର ଅଧିକୀରୀ । ସାହିତ୍ୟ ଶ୍ଵେତପଦ୍ମାର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମହାପାତ୍ର ଭାସ୍କର ଗନ୍ତାୟତ ଏବଂ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

 

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତା

ବରେଣ୍ୟ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ଵରସ୍ଥ ପାନ୍ଥନିବାସ ସଭାକକ୍ଷରେ ତା୨୨.୩.୨୦୦୦ରିଖ ସନ୍ଧ୍ୟାରେ ଏକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଯାଦବପୁର ବିଶ୍ଵବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟ ବିଭାଗର ପ୍ରଫେସର, ବଙ୍ଗଳା ସାହିତ୍ୟର ସୁପ୍ରସିଦ୍ଧ କବି ଔପନ୍ୟାସିକା ଶ୍ରୀମତୀ ନବନୀତା ଦେବସେନ ଯୋଗଦାନ କରି ‘ରାମାୟଣ ତତ୍ତ୍ଵ ଉପରେ ଆଧାରିତ ଭଉଣୀଙ୍କ ଦୁଃଖ’ (Sisters in Sorrow) ଶୀର୍ଷକ ବିଷୟବସ୍ତୁ ଉପରେ ତାଙ୍କର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଏହି ସାରସ୍ଵତ ସମାରୋହରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର କୁମାର ମିଶ୍ର ପୌରୋହିତ୍ୟ କରିଥିଲେ । ଏଥିରେ ବହୁ ସାହିତ୍ୟ ଅନୁରାଗୀ ଜନସାଧାରଣ ଯୋଗଦାନ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।

 

ଅଚ୍ୟୁତାନନ୍ଦ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଅଚ୍ୟୁତ ଯୁବପରିଷଦଙ୍କ ମିଳିତ ସହଯୋଗରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତା ୧୬.୨.୨୦୦୦ ତାରିଖରେ ସିଦ୍ଧସାଧକଙ୍କ ଆବିର୍ଭାବ ପୀଠ ତିଳକଣା ଠାରେ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ପାଳିତ ହୋଇଥିଲା ।

 

ପ୍ରାରମ୍ଭରେ ଏକାଡେମୀର କର୍ମଚାରୀ ଶ୍ରୀ ରବିରାୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ ମହାପୁରୁଷଙ୍କ ଦିବ୍ୟଜ୍ଞାନ ସମ୍ପର୍କରେ ବର୍ଣ୍ଣନା କରି ତଥାକଥିତ ସମାଜରେ ଘଟୁଥିବା ବିଲକ୍ଷଣ ସମ୍ପର୍କରେ ସେ ପାଞ୍ଚଶହ ବର୍ଷ ପୂର୍ବେ ତାଙ୍କ ମାଳିକାରେ ଉଲ୍ଲେଖ କରିଥିବାରୁ ତାଙ୍କର ସାମଗ୍ରିକ କୃତିଗୁଡ଼ିକ କାଳଜୟୀ ହୋଇପାରିଛି ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ବକ୍ତା ଲୋକପ୍ରିୟ ବିଜ୍ଞାନ ଲେଖକ ଓ ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ଅଚ୍ୟୁତାନନ୍ଦଙ୍କ ମାଳିକାର ଭବିଷ୍ୟତବାଣୀ ବିଜ୍ଞାନ ସମ୍ମତ ଓ ଏହି ମହାକାବ୍ୟ ଓଡ଼ିଆ ସଂସ୍କୃତିକୁ ବିଶ୍ଵ ଦରବାରରେ ପରିଚିତ କରାଇ ପାରିଛି ବୋଲି ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରତ୍ୟେକ ବର୍ଷ ଓଡ଼ିଆ ସାହିତ୍ୟର ଜଣେ ବିଦ୍ଵାନଙ୍କୁ ଅଚ୍ୟୁତାନନ୍ଦ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଥିଲେ । ପ୍ରଫେସର ଡକ୍ଟର ବୈରାଗୀ ଚରଣ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଭା ଶେଷରେ ଶ୍ରୀ ଅଚ୍ୟୁତ ଯୁବ ପରିଷଧର ସମ୍ପାଦକ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

“ଉତ୍କଳୀୟ ପରମ୍ପରାରେ ଶ୍ରୀ ଜୟଦେବ ଓ ଗୀତଗୋବିନ୍ଦ –ଆଲୋଚନା”—ଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରଙ୍କ ମିଳିତ ଆନୁକୂଲ୍ୟରେ ତା ୩୦.୩.୨୦୦୦ରିଖ ସନ୍ଧ୍ୟା ଛ’ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥ ସୂଚନାଭବନଠାରେ ‘ଉତ୍କଳୀୟ ପରମ୍ପରାରେ ଶ୍ରୀ ଜୟଦେବ ଓ ଗୀତଗୋବିନ୍ଦ’ ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ଗୀତଗୋବିନ୍ଦ ବିଶାରଦ ତଥା ଗବେଷକମାନେ ଅଂଶଗ୍ରହଣ କରିଥିଲେ । ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଗୀତଗୋବିନ୍ଦର ଅନ୍ୟତମ ପ୍ରବକ୍ତା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଅଜିତ କୁମାର ତ୍ରିପାଠୀ ପୌରୋହିତ୍ୟ କରିଥିଲେ ।

 

ସଭା ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ‘ଜୟଦେବ ଓ ଗୀତଗୋବିନ୍ଦର ସାଂସ୍କୃତିକ ପୃଷ୍ଠଭୂମି’ ‘ଗୀତଗୋବିନ୍ଦ ଟୀକା ଓ ଅନୁବାଦ’ ଶୀର୍ଷକ ଭିତ୍ତି ପ୍ରବନ୍ଧଗୁଡ଼ିକ ଯଥାକ୍ରମେ ଡକ୍ଟର ବନମାଳୀ ରଥ, ଡକ୍ଟର ଭଗବାନ ପଣ୍ଡା ଉପସ୍ଥାପନ କରିଥିଲେ ।

 

ଆଲୋଚକ ଭାବେ ଡକ୍ଟର କରୁଣା ସାଗର ବେହେରା, ଡକ୍ଟର ମହେଶ ପ୍ରସାଦ ଦାଶ, ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ, ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ଡକ୍ଟର ବିଜୟ କୁମାର ରଥ, ଶ୍ରୀ ଗୋପାଳଚନ୍ଦ୍ର ପଣ୍ଡା ଏବଂ ଶ୍ରୀ ରାଜକିଶୋର ମିଶ୍ର ଅଂଶଗ୍ରହଣ କରି ମହାକବି ଜୟଦେବଙ୍କ ଗୀତଗୋବିନ୍ଦର ଲାଳିତ୍ୟ ଓ ବର୍ଣ୍ଣାଢ଼୍ୟ ଛନ୍ଦାବଳୀ ଉପରେ ଗୁରୁତ୍ଵ ଆରୋପ ପୂର୍ବକ ଏହା କେଉଁ ଭାବରେ କାଳଜୟୀ ରୂପ ପରିଗ୍ରହଣ କରିଛି, ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ । ଅବଶେଷରେ ଶ୍ରୀ ଅଜିତ୍ କୁମାର ତ୍ରିପାଠୀ ତାଙ୍କ ସଭାପତିୟ ଅଭିଭାଷଣରେ ଜୟଦେବ କେଉଁଭଳି ଉତ୍କଳ ଭୂମିରେ ଭୂମିଷ୍ଠ ହୋଇ ଓଡ଼ିଆ ଜାତିର ସାଂସ୍କୃତିକ ପରମ୍ପରାକୁ ନିଜ ଅମର ପଦ୍ୟାବଳୀ ମାଧ୍ୟମରେ ବିଶ୍ୱବାସୀଙ୍କୁ ଶୁଣେଇ ଯାଇଛନ୍ତି, ତା’ର ପ୍ରାମାଣିକ ଚିତ୍ର ପ୍ରଦାନ କରିଥିଲେ-

 

ପୂର୍ବାଞ୍ଚଳ ଲେଖିକା ସମ୍ମେଳନ

ଓଡ଼ିଶା ସାହିତ୍ୟ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ଏବଂ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ଆନୁକୂଲ୍ୟରେ ତା ୨୫.୩.୨୦୦୦ ଏବଂ ତା୨୬.୩.୨୦୦୦ଦୁଇଦିନ ବ୍ୟାପୀ ପୂର୍ବାଞ୍ଚଳ ଲେଖିକା ସମ୍ମେଳନ ଏବଂ ଏତଦ୍ ଉପଲକ୍ଷେ ସାରସ୍ଵତ ଆଲୋଚନା ଚକ୍ର ଓ ଗଳ୍ପ ପାଠୋତ୍ସବ ବ୍ରହ୍ମପୁରସ୍ଥ ହୋଟେଲ ମୟୁରୀ ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶା ସମେତ ପୂର୍ବାଞ୍ଚଳର ଲେଖିକାମାନେ ବହୁଳ ଭାବେ ଅଂଶଗ୍ରହଣ କରିଥିଲେ ।

 

ତା ୨୫.୩.୨୦୦୦ରିଖ ଅପରାହ୍ନରେ ଉଦ୍‍ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଆଦିତ୍ୟ ପାଢ଼ୀ ଏହି ସମ୍ମେଳନକୁ ଉଦ୍‍ଘାଟନ କରି କହିଲେ ଯେ ଭାରତୀୟ ସଂସ୍କୃତିରେ ମାତୃଶକ୍ତି ସର୍ବଦା ବଳୀୟାନ । ନାରୀ ଶକ୍ତି ହିଁ ପୃଥିବୀର ଶ୍ରେଷ୍ଠ ଶକ୍ତି । ନିଜର ଚିନ୍ତା ଓ ଚେତନାକୁ ବିକଶିତ କରି ଲେଖନୀ ଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଦକ୍ଷିଣଆଞ୍ଚଳ ରାଜସ୍ଵ କମିଶନର ଜଗଦାନନ୍ଦ ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଲିକତାର ନାରୀ କବି ମଲ୍ଲିକା ସେନଗୁପ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତିର ସୁରକ୍ଷା ଦିଗରେ ମହିଳାମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଓଡ଼ିଶା ଲେଖିକା ସଂସଦର ସଭାନେତ୍ରୀ ବୀଣାପାଣି ମହାନ୍ତି ଏଥିରେ ସଭାପତିତ୍ଵ କରି କହିଲେ ଯେ ନାରୀମାନଙ୍କ ପାଇଁ ଆଇନଗତ ସୁବିଧା ରହିଥିଲେ ମଧ୍ୟ ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନାରୀ ମୁକ୍ତ ମାନସର ଅଧିକାରୀ ନହେଲେ ସମାଜ ତାକୁ ମୁକ୍ତି ଦେଇପାରିବନାହିଁ ବୋଲି ଉଲ୍ଲେଖ କରି ନାରୀ ଅଧିକ ସଂଗଠିତ ହୋଇ ନିଜର ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ କରିବାକୁ ସେ ଆହ୍ନାନ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ କବି ଅଶ୍ଵିନୀ କୁମାର ମିଶ୍ର ସ୍ଵାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ପ୍ରଥମ ଅଧିବେଶନରେ “ଚିରାଚରିତ ସାମାଜିକ ମୁଲ୍ୟବୋଧ ଓ ଆଜିର ଲେଖିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଶକୁନ୍ତଳା ବଳିୟାର ସିଂହ, କୃଷ୍ଣା ବସୁ, ବନଜା ଦେବୀ ଓ ଆଦରମଣି ବରାଳ ପ୍ରମୁଖ ବିଶିଷ୍ଟ ସାହିତ୍ୟିକା ଅଂଶଗ୍ରହଣ କରିଥିଲେ ।

 

ତା ୨୬.୩.୨୦୦୦ ରିଖ ପୂର୍ବାହ୍‍ଣରେ ଗଞ୍ଜାମ ଅଧିବେଶନର ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଶ୍ରୀମତୀ ମନୋରମା ମହାପାତ୍ର ଅଧିବେଶନକୁ ଉଦ୍‍ଘାଟନ କରି ପ୍ରତିକୂଳ ପରିବେଶ ମଧ୍ୟରେ ନାରୀମାନେ ସମ୍ମାନକୁ ଅକ୍ଷୁଣ୍ଣ ରଖି ସମାଜରେ ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ସେ ଉଦ୍‍ବୋଧନ ଦେଇଥିଲେ ।

ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ କବି ଅଶ୍ଵିନୀ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ । ଗଞ୍ଜାମ ଲେଖିକା ସଂସଦର ଆବାହିକା ଶ୍ରୀମତୀ ଯଶୋଧାରା ଶତପଥୀ ସ୍ଵାଗତ ଭାଷଣ ଦେଇଥିଲେ । ସମ୍ପାଦିକା ଅମୀୟବାଳା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । କନକଲତା ଦାଶ ଅତିଥି ପରିଚୟ ଓ ଉଷା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ଓଡ଼ିଆ ଲେଖକଙ୍କ କର୍ଣ୍ଣାଟକ ଗସ୍ତ

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରୋତ୍ସାହନରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଶାରୁ ଚାରିଜଣ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ, ଶ୍ରୀ ଦୀପ୍ତିରଞ୍ଜନ ପଟ୍ଟନାୟକ, ଶ୍ରୀ ସୂର୍ଯ୍ୟ ମିଶ୍ର ଏବଂ ଶ୍ରୀ ପବିତ୍ରମୋହନ ଦାଶ ମାର୍ଚ୍ଚ ୧୭ ତାରିଖରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲେ । ମାର୍ଚ୍ଚ ୨୦ ତାରିଖ ଦିନ କନ୍ନଡ଼ ସାହିତ୍ୟ ଏକାଡେମୀର ରେଜିଷ୍ଟାର ଟି.ଏସ୍. ଦକ୍ଷିଣାମୂର୍ତ୍ତିଙ୍କୁ ସାକ୍ଷାତ କରି ଏକାଡେମୀର ସାଙ୍ଗଠନିକ ଦିଗ ତଥା କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଏକାଡେମୀର ସର୍ବଶ୍ରେଷ୍ଠ ସାହିତ୍ୟିକ ପୁରସ୍କାରର ନାମ ହେଲା “ପୁସ୍ତକ ବହୁମାନ” ।

 

ତା୨୧.୩.୯୯ରିଖରେ କନ୍ନଡ଼ ସାହିତ୍ୟ ଏକାଡେମୀ ତରଫରୁ ଲେଖକ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶିଷ୍ଟ କନ୍ନଡ଼ ଲେଖକ ଡକ୍ଟର ନଟରାଜ ହୁଲ୍ୟାର, ଓ.ଏଲ. ନାଗଭୂଷଣ ସ୍ଵାମୀ, ଡକ୍ଟର ବିଜୟା ସୁବ୍‍ବାରାଜ, ମୋହନ ନାଗମାନାଭର, ତୁରୁଚିହଲଚନ୍ଦୁ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।

 

ଓଡ଼ିଆ ଲେଖକମାନଙ୍କ ମଧ୍ୟରୁ ଗୋପୀନାଥ ମହାନ୍ତିଙ୍କର ଦୁଇଟି ଉପନ୍ୟାସ କନ୍ନଡ଼ ଭାଷାକୁ ଅନୁଦିତ ହୋଇଥିବା କଥା ଉପସ୍ଥିତ ଲେଖକମାନେ ସୂଚାଇଥିଲେ । ଏତଦ୍ ଭିନ୍ନ ସୀତାକାନ୍ତ ମହାପାତ୍ରଙ୍କ କବିତା ସଙ୍କଳନର ଏକ ଅନୁବାଦ ସେମାନେ ଦେଖାଇଥିଲେ । ଇତି ମଧ୍ୟରେ ୧୯୯୮ରେ ଓଡ଼ିଶାକୁ ଲେଖକ ବିନିମୟ କାର୍ଯ୍ୟକ୍ରମରେ ଆସିଥିବା କନ୍ନଡ଼ ଲେଖିକା ଅଧ୍ୟାପିକା ବିଜୟା ଡାଭେଙ୍କ ରଚିତ ଗୋଟିଏ ବହି ଏକାଡେମୀ ପକ୍ଷରୁ ପ୍ରକାଶ ପାଇଥିଲା । ଏହା ଓଡ଼ିଶାରୁ ଆଧାର କରି ଏକ ଉତ୍ତମ ଭ୍ରମଣ କାହାଣୀ ବୋଲି ବନ୍ଧୁମିଳନରେ ଉପସ୍ଥିତ ଲେଖକମାନେ ମତ ଦେଇଥିଲେ । ଏହି ଆଲୋଚନାରେ ସୂର୍ଯ୍ୟ ମିଶ୍ର ଓ ପବିତ୍ରମାହନ ଦାଶ ସ୍ଵରଚିତ କବିତା ଓଡ଼ିଆରେ ଓ ତହିଁର ଇଂରାଜୀ ଅନୁବାଦ ପାଠ କରିଥିଲେ । ପରେ ତାହା ଅନ୍ୟମାନଙ୍କ ଦ୍ଵାରା ଆଲୋଚିତ ହୋଇଥିଲା । ଗାଳ୍ପିକ ଦୀପ୍ତିରଞ୍ଜନ ପଟ୍ଟନାୟକ ସମାଲୋଚନା ଧାରା ଉପରେ ଓଡ଼ିଆ ସାହିତ୍ୟ ପରିପ୍ରେକ୍ଷୀରେ କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ଦେଇଥିଲେ । ଡକ୍ଟର ବିଜୟାନନ୍ଦ ସିଂହ କନ୍ନଡ଼ ସାହିତ୍ୟ ଏକାଡେମୀର କାର୍ଯ୍ୟାବଳୀ ଓ ପ୍ରଶାସନିକ ପରିଚାଳନା ବିଷୟରେ ପଚାରି ବୁଝିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟଧାରା ଉପରେ ମତାମତ ଦେଇଥିଲେ ।

 

ଓଡ଼ିଶା ଫେରିବା ପୂର୍ବରୁ ଏହି ସାହିତ୍ୟିକମାନେ କର୍ଣ୍ଣାଟକସ୍ଥ ଓଡ଼ିଆ ସମାଜର କର୍ମକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଥିଲେ . ଓଡ଼ିଆ ସମାଜର ସଭାପତି ଶ୍ରୀ ସୁଭାଷ ଖୁଣ୍ଟିଆ (ଭାରତୀୟ ପ୍ରଶାସନ ସେବା) ସେମାନଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି କର୍ଣ୍ଣାଟକରେ ଓଡ଼ିଆମାନଙ୍କର ସାହିତ୍ୟ ସଂସ୍କୃତି ସଚେତନତା ଉପରେ ମତବ୍ୟକ୍ତ କରିଥିଲେ । ଓଡ଼ିଆ-କନ୍ନଡ଼ ସାହିତ୍ୟ ଧାରାର ପାରସ୍ପରିକ ଅନୁବାଦ କାର୍ଯ୍ୟ ଉପରେ ଓଡ଼ିଆ ସଙ୍ଗଠନ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଓଡ଼ିଶାର ସାହିତ୍ୟିକମାନେ ପରାମର୍ଶ ଦେଇଥିଲେ । ସାକ୍ଷାତ ଆଲୋଚନା ସମୟରେ କର୍ଣ୍ଣାଟକ ଓଡ଼ିଆ ସମାଜର ସମ୍ପାଦକ ତଥା ରାଜ୍ୟ ଦୂର ସଂଚାର ନିର୍ଦ୍ଦେଶକ ଶ୍ରୀ ଯୁଧିଷ୍ଠିର ଗାନ୍ଥା ଓ ତାଙ୍କର ପତ୍ନୀ ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

 

***

 

ସଂପାଦକୀୟ

ଆଉ ଏକ ଆନ୍ଦୋଳନ ଲୋଡ଼ା

 

ଉନବିଂଶ ଶତାବ୍ଦୀର ଶେଷ ବିଂଶ ଶତାବ୍ଦୀର ପ୍ରାରମ୍ଭ—ଓଡ଼ିଆ ଭାଷାର ସମୃଦ୍ଧି ସାଧନ ଓ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ସ୍ୱାଭିମାନୀ ବିଶିଷ୍ଟ ଓଡ଼ିଆମାନଙ୍କର ଥିଲା ତ୍ୟାଗ, ନିଷ୍ଠା, ସଂଗ୍ରାମ ଓ ସାଧନାର ଅଧ୍ୟାୟ । କିନ୍ତୁ ଏବେ ବିଂଶ ଶତାବ୍ଦୀର ଶେଷ ଏକବିଂଶ ଶତାବ୍ଦୀର ପ୍ରାରମ୍ଭ—ଏହି ଅଧ୍ୟାୟରେ କ’ଣ ହୋଇଛି ଆମ ଭାଷା ଓ ସାହିତ୍ୟର ? ଉନ୍ନତି ନା ଅବକ୍ଷୟ, ବିକାଶ ନା ବିପର୍ଯ୍ୟୟ ? ବିଚାର କରିବା—କେଉଁ ଅବସ୍ଥାରେ ଅଛି ଓଡ଼ିଆ ଭାଷା ସାହିତ୍ୟ କେଉଁ ଅବସ୍ଥାରେ ଅଛି ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା । ପରାଧୀନ ଓଡ଼ିଶାରେ ସେତେବେଳେ ଭାଷା ସାହିତ୍ୟ ଆଣି ଦେଇଥିଲା ସମଗ୍ର ଉତ୍କଳରେ ଏକତା, ସଂହତି ଓ ଜାତୀୟତାର ମନ୍ତ୍ର । କାରଣ ଆମେ ଭାଷା, ସାହିତ୍ୟକୁ ପ୍ରାଣ ଦେଇ ଭଲ ପାଉଥିଲୁ । ଆମେ ଖୋଜୁଥିଲୁ ଆମ ସାହିତ୍ୟ ଭିତରେ ମୁକ୍ତିର ସୋପାନ । ଶହେ ବର୍ଷ ପରେ କିନ୍ତୁ ‘କଣ ହୋଇଛି—ସ୍ଵତନ୍ତ୍ର ପ୍ରଦେଶ ଗଠନ, ସ୍ଵାଧୀନତା ପ୍ରାପ୍ତି ପରେ ଆମର କ’ଣ ପରିବର୍ତ୍ତନ ହୋଇଛି ? ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ଆମ ଭିତରେ ସେହି ଆବେଗ, ଭାବପ୍ରବଣତା, ଭଲ ପାଇବାର ମୋହ ପୂର୍ବପରି ଅଛି କି ? ଏବେ କେତେ ପୁସ୍ତକ ବର୍ଷକୁ ପ୍ରକାଶିତ ହେଉଛି । ଦିନ ଥିଲା ଗାଁ ଗହଳରେ, ସାଧାରଣ ମଣିଷ, ଝିଅ ବୋହୂ ଓଡ଼ିଆ ବହି ପଢୁଥିଲା—ଗୀତ, କବିତା ମୁକ୍ତକଣ୍ଠରେ ଗାଉଥିଲା –ସନ୍ଧ୍ୟାରେ ଗାଁ ମୁଣ୍ଡରେ ଭାଗବତ, ମହାଭାରତ ପାଠ ହେଉଥିଲା । ସାହିତ୍ୟ, ସାଧାରଣ ମଣିଷର ଘନିଷ୍ଠ ହୋଇଯାଇଥିଲା । ସାହିତ୍ୟ ଭିତରେ ସାଧାରଣ ମଣିଷ ଜୀବନକୁ ଦେଖୁଥିଲା । କିନ୍ତୁ ନୂତନ ଶତାବ୍ଦୀରେ….

 

ଗତ କିଛିଦିନ ଦଳେ ଏକ୍ସପ୍ରେସ୍ ପବ୍ଲିକେଶନ୍‍ର ମଦୁରାଇ ଶାଖା ପକ୍ଷରୁ ପ୍ରକାଶିତ ଗ୍ରନ୍ଥ “ଭାରତ ୧୦୦୦ରୁ ୨୦୦୦” ସାହିତ୍ୟ ବିଭାଗରେ ଓଡ଼ିଆ ଭାଷା ସଂପର୍କରେ ନିମ୍ନମାନର ମତ ପ୍ରକାଶିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ସଂପର୍କରେ ଅଜ୍ଞ କେ.ଏମ୍ ଜର୍ଜ ଏଥିରେ ଲେଖିଛନ୍ତି ଯେ “ଓଡ଼ିଆ ହେଉଛି ବଙ୍ଗଳା ଭାଷାର ସାନ ଭଉଣୀ” । ପୁଣି ଆମର ଆଦିକବି ସାରଳା ଦାସଙ୍କ ନାମକୁ ଭୁଲ୍ ଭାଲ୍ ଲେଖିବା ସହ ଅନେକ ଭୁଲ୍ ତଥ୍ୟ ପରିବେଷଣ କରିଛନ୍ତି । ଏହା ବିରୋଧରେ ଓଡ଼ିଶାରେ ବାଦ, ପ୍ରତିବାଦର ସ୍ଵର ଉଠିଛି କିନ୍ତୁ ଏହାର ଗଭୀରତା କେତେ ସାରା ଓଡ଼ିଶାକୁ ଏହା ଚହଲାଇ ଦେଲା କି ସମଗ୍ର ଓଡ଼ିଶା ଏହି ହୀନ ମନ୍ତବ୍ୟକୁ ନେଇ ଆନ୍ଦୋଳନ କଲାକି ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନହେଲା କି ବଙ୍ଗଳା ଭାଷାର ପଣ୍ଡିତ, ବିଦ୍ଵାନ ଡକ୍ଟର ସୁନୀତ କୁମାର ଚାଟାର୍ଯ୍ୟ ୧୯୫୪ ମସିହା ଏପ୍ରିଲ୍ ୧୩ ତାରିଖରେ କଟକଠାରେ ପଞ୍ଚମ ବିଷୁବ ମିଳନରେ ଭାଷଣ ଦେଇ କହିଥିଲେ ଯେ “ଅସମୀୟା, ବଙ୍ଗଳା ଓ ଓଡ଼ିଆ ଭାଷା ମଧ୍ୟରେ ବନ୍ଧନର ଦୃଢ଼ତା ଦେଖାଯାଏ । ଏହି ତିନି ଭାଷା ମଧ୍ୟରେ ଓଡ଼ିଆ ନିଜର ପ୍ରାଚୀନତା ରକ୍ଷା କରିଥିବାରୁ ଓଡ଼ିଆକୁ ଜ୍ୟେଷ୍ଠ ଭଗ୍ନୀ ଆଖ୍ୟା ଦିଆଯାଇପାରେ ।’’ ଏହି ଐତିହାସିକ ଉକ୍ତିକୁ ଆମେ ଏବେ ଠିକ୍ ଭାବରେ ଉପସ୍ଥାପିତ କଲୁକି ? ବିଶ୍ଵର ଗୌରବ କୋଣାର୍କ ମନ୍ଦିର ଯାହା ଉତ୍କଳୀୟ କଳାର ସର୍ବୋତ୍କୃଷ୍ଟ ନିଦର୍ଶନ । ତାହାକୁ କର୍ଣ୍ଣାଟକର କେଶବ ମନ୍ଦିର ବୋଲି ଏହି ଗ୍ରନ୍ଥରେ କୁହାଯାଇଛି । ଆମେ ଏ ସବୁକୁ କେମିତି ପ୍ରତିବାଦ କରିଛୁ ? ଭାବିଛୁ କି ଥରେ ?? ଏ ପ୍ରତିବାଦରେ କେତେ ଆନ୍ତରିକତା ଅଛି ?? କେବଳ ଏତିକି ନୁହେଁ ପୃଥିଵୀ ପ୍ରସିଦ୍ଧ “ପେଙ୍ଗୁଇନ୍” ପ୍ରକାଶନ ସଂସ୍ଥାର ଏବ ଗ୍ରନ୍ଥ “ଭାଷା ଓ ଭାଷୀ ସମୂହର ଅଭିଧାନ” (Dictionary of Language and Languages) ୧୯୯୨ ମସିହା ସଂସ୍କରଣରେ ମଧ୍ୟ ଓଡ଼ିଆ ଭାଷା ସଂପର୍କରେ ତ୍ରୁଟିପୂର୍ଣ୍ଣ କଥା କୁହାଯାଇଛି । ସେଥିରେ କୁହାଯାଇଛି—“ଓଡ଼ିଆ ଭାଷା ରୋମାନ୍ ଲିପିରେ ଲେଖାଯାଏ ଏବଂ ଏହି ଭାଷାର ପ୍ରାଚୀନତମ ଶିଳାଲେଖ ଚତୁର୍ଦ୍ଦଶ ଶତାବ୍ଦୀରେ ଦେଖାଯାଏ” । ଅର୍ଥାତ୍ ଓଡ଼ିଆ ଭାଷାର ଲିପିନାହିଁ । ଓଡ଼ିଆ ଭାଷା ରୋମାନ୍ ଲିପିରେ ଲେଖାଯାଏ । ଏଭଳି ଅବତାରଣାରେ ଓଡ଼ିଶାର ବୁଦ୍ଧିଜୀବି ମହଲରେ କେଉଁ ଭଳି ଚେତନା ଉଦ୍ରେକ ହୋଇଛି, ତାହାହିଁ ଆଜି ବିଚାର୍ଯ୍ୟର ବିଷୟ । ଓଡ଼ିଆ ଭାଷାର ନିଜସ୍ଵ ସୁନ୍ଦର ଲିପି ରହିଛି । ଏହା ରୋମାନ୍ ଲିପିରେ ଲେଖାଯାଏ ନାହିଁ । ଓଡ଼ିଆ ଭାଷାର ପ୍ରାଚୀନତମ ଶିଳାଲେଖ ୧୦୫୧ମସିହାର ଦ୍ଵିତୀୟ ବଜ୍ର ହସ୍ତଦେବଙ୍କ ଭରଜାମ ଶିଳାଲେଖ । ଏହି ମହାନ୍ ସତ୍ୟର ପ୍ରତିଧ୍ଵନି ଦିଗଦିଗନ୍ତକୁ ନ ଛୁଇଁବା ଯାଏ ଅପରର ଅଧୀନତାର ବଶ୍ୟତା ସ୍ଵୀକାର ଆମକୁ କରିବାକୁ ହିଁ ପଡ଼ୁଥିବ ।

 

ଆମ ଭାଷା, ସାହିତ୍ୟ ସଂପର୍କରେ ଆମେ କ’ଣ କରୁଛୁ । ସହରରେ ନୁହେଁ ଗ୍ରାମାଞ୍ଚଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବହୁ ସଂଖ୍ୟାରେ ଖୋଲିବାରେ ଲାଗିଛି । ଓଡ଼ିଆ ଲୋକମାନେ ତାଙ୍କ ପିଲାଙ୍କୁ ସେଠାରେ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ପିଲା ଇଂରାଜୀ କହିବେ-ଲେଖିବେ ତାହା ପିତାମାତାଙ୍କର ଲକ୍ଷ୍ୟ । ଓଡ଼ିଆ ଭାଷା ଯେପରି ଅଲୋଡ଼ା, ଅଦରକାରୀ ହୋଇ ପଡ଼ିଛି ସେମାନଙ୍କ ନିକଟରେ । ଇଂରାଜୀ ଜାଣିବା, ପଢ଼ିବା ଭଲ କଥା । କିନ୍ତୁ ମାତୃଭାଷାକୁ ଅବହେଳା କରି ନୁହେଁ । ସଂପ୍ରତି ଆଜି ଓଡ଼ିଆ ଘରେ ଯେତେ ବିବାହୋତ୍ସବ, କର୍ମକର୍ମାଣି, ବିଭିନ୍ନ ପାରିବାରିକ ଉତ୍ସବ ଅନୁଷ୍ଟିତ ହେଉଛି-ସେଥିପାଇଁ ଅଧିକାଂଶ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛପା ହେଉଛି । କେହି ପଢୁ ବା ନ ପଢୁ । କେହି ବୁଝୁ ବା ନ ବୁଝୁ ଇଂରାଜୀ ଭାଷାରେ ଏସବୁ ଲେଖା ହେବ । ସତେ ଯେପରି ଏହା ଆମମାନଙ୍କର ଆଭିଜାତ୍ୟର ପ୍ରତୀକ । ଇଲୋକ୍ ଟ୍ରୋନିକ୍ ମାଧ୍ୟମରେ ବହୁଳ ପ୍ରସାର ଫଳରେ ଅନ୍ୟ ଭାଷାର ପ୍ରଚାର ପ୍ରସାର ସହଜ ହୋଇଛି । ଯାହା ଫଳରେ ଓଡ଼ିଶାର ସାଧାରଣ ଲୋକେ ଓଡ଼ିଆ ଅପେକ୍ଷା , ଟି.ଭି.ର ଭାଷାକୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

 

ଇଂରାଜୀ ଭାଷାରେ ଲେଖା ଅତି ନିମ୍ନମାନର ରଚନା ହେଉ ପଛେ ଆମେ ତାକୁ ପଢ଼ିବୁ କିନ୍ତୁ ଉଚ୍ଚମାନର ମାତୃଭାଷାର ସାହିତ୍ୟକୁ ଆମେ ପଢ଼ିବୁ ନାହିଁ । ଆମର ବହୁ ଲେଖକମାନଙ୍କର ଦୁଃଖ ଯେ ତାଙ୍କ ଲେଖାକୁ ବା ସାରସ୍ଵତ କୃତିକୁ ତାଙ୍କ ପିଲାମାନେ କଳନା କରିପାରିବେ ନାହିଁ । ଓଡ଼ିଶା ସରକାର ଓଡ଼ିଆକୁ ସରକାରୀ ଭାଷା ଭାବେ ଘୋଷଣା କରିଛନ୍ତି । କିନ୍ତୁ ସରକାରୀ ସ୍ତରରେ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇଛି କି ? ଏ କ୍ଷେତ୍ରରେ ଆମର ଘୋର ଆନ୍ତରିକତାର ଅଭାବ-। ଆମ ବିଚାରରେ ଓଡ଼ିଆ ଭାଷା ସାହିତ୍ୟ ଏକ ସଙ୍କଟ ଆଡ଼କୁ ମୁହାଁଇଛି ।

 

ଗତ ଶତାବ୍ଦୀରେ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର ପ୍ରତ୍ୟକ୍ଷ ଭାବରେ ନେତୃତ୍ଵ ନେଇଥିଲେ ଅଣଓଡ଼ିଆମାନେ । ଏହିଠାରେ ଗୋଟିଏ କଥା ମନକୁ ଆସୁଛି “ଆପଣା ହସ୍ତେ ଜିହ୍ଵା ଛେଦି, କେ ଅଛି ତାର ପ୍ରତିବାଦୀ”। ସେଥିପାଇଁ ଯାହା ସବୁ ଘଟିଯାଉଛି ଆମେ ତାହାର ଯଥାର୍ଥ ପ୍ରତିବାଦ କରିପାରୁ ନାହୁଁ ।

 

ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ସାରସ୍ଵତ ସ୍ରଷ୍ଟାମାନେ ନୂତନ, ଉନ୍ନତ ସାହିତ୍ୟ ସୃଷ୍ଟି କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । କିନ୍ତୁ ସେମାନେ ଯେଉଁ ଭାଷାରେ ଲେଖୁଛନ୍ତି ତାହାର ଅବସ୍ଥା କେଉଁଠି ପହଞ୍ଚିଲାଣି-ତାହା ଭାବିଛନ୍ତି କି ? ମାତୃଭାଷା ଓଡ଼ିଆର ଭବିଷ୍ୟତ ପାଇଁ ସେମାନେ ଯଦି ଚିନ୍ତା ନ କରିବେ ଆଉ କରିବ ବା କିଏ ? ଆମର ପ୍ରାତଃ ସ୍ମରଣୀୟ କର୍ମବୀର ଗୌରୀଶଙ୍କର, ବ୍ୟାସକବି ଫକିରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପ୍ରକୃତିକବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋର, ମନସ୍ଵୀ ମଧୁସୂଦନ ପ୍ରମୁଖ ବରେଣ୍ୟ ସାରସ୍ଵତ ସାଧକମାନେ ସାହିତ୍ୟ କେବଳ ଲେଖୁଥିଲେ ତାହା ନୁହେଁ ଗୋଟିଏ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରତ୍ୟକ୍ଷ, ପରୋକ୍ଷ ଭାବରେ ନେତୃତ୍ଵ ନେଇଥିଲେ । ସେମାନଙ୍କର ନିଷ୍ଠାପର, ନିରନ୍ତର ପ୍ରଚେଷ୍ଟା ଓଡ଼ିଆ ଭାଷାକୁ ସମୃଦ୍ଧି କରିଥିଲା ଓ ପ୍ରତିଟି ଓଡ଼ିଆ ଭାଷା ଭାଷୀମାନଙ୍କୁ ସଚେତନ କରିଥିଲା । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଆମ ଭାଷା ସାହିତ୍ୟ ଏକ ବିରାଟ ଶଙ୍କଟକୁ ଏଡ଼ାଇ ଦେଇ ଏକ ସମ୍ଭାବନାମୟ ଭବିଷ୍ୟତ ସୃଷ୍ଟି କରିଥିଲା କିନ୍ତୁ ବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ଆମେ ସଙ୍କଟ ସୃଷ୍ଟି କରିଛୁ । ସମାଧାନର ସୂତ୍ର ଏବେ ବି ଅନାୟତ ।

 

ଏଥିପାଇଁ ଏକ ବିଂଶ ଶତାବ୍ଦୀର ଆରମ୍ଭରେ ଆଉ ଏକ ବୃହତ୍ତର ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ଆନ୍ଦୋଳନ ଆବଶ୍ୟକ । ଆମ ଭାଷାର ବରେଣ୍ୟ ଲେଖକ, କବି, ସଂପାଦକ, ସାରସ୍ଵତ ସଂଗଠନ ଓଡ଼ିଆ ଭାଷାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଏହି ଆନ୍ଦୋଳନର ନେତୃତ୍ଵ ନିଅନ୍ତୁ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନକୁ ବିସ୍ତାରିତ କରନ୍ତୁ । ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ଆନ୍ତରିକ ଉଦ୍ୟମ କରନ୍ତୁ । ଏହାହିଁ କାମନା ।

 

ବିଜୟାନନ୍ଦ ସିଂହ

ବିଷୁବ ସଂକ୍ରାନ୍ତି-୨୦୦୦

 

***

 

‘କୋଣାର୍କ’ ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ ‘କୋଣାର୍କ’ ଚାରିଗୋଟି ସଂଖ୍ୟା ନିୟମିତଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୨୦-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୮୦- ହେବ

୨.

କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସଂପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନା ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ଵର ତୁଳନାତ୍ମକ ସାହିତ୍ୟ ସଂପର୍କିତ ନିବନ୍ଧମାନ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯେପରି ଏହା ରୟାଲ ୧/୮ଆକାର ବିଶିଷ୍ଟ କୋଣାର୍କର ୮ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇପାରିବ ।

୪.

‘କୋଣାର୍କ’ ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖା ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ଵରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ବା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ୍ ଅଧାକାଗଜରେ ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

୫.

କୋଣାର୍କରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୁପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କ ବ୍ୟକ୍ତିଗତ ମତାମତ ରୁପେ ବିବେଚିତ ହେବ ।

୬.

କୋଣାର୍କ ସଂପର୍କୀୟ ସମସ୍ତ ଯୋଗାଯୋଗ ଏକାଡେମୀ ସଂପାଦକଙ୍କ ସହିତ କରାଯିବ ।

 

***